ବ୍ରହ୍ମନିରୂପଣ ଗୀତା

 

 

 

 

 

 

 

 

 

 

ବ୍ରହ୍ମନିରୂପଣ ଗୀତା

ଭୀମ ଭୋଇ

 

ମୁଖବନ୍ଧ

‘‘ସ୍ତୁତିଚିନ୍ତାମଣି’’ର ମୁଖବନ୍ଧରେ ଭୀମଭୋଇଙ୍କର ଉଚ୍ଚମାନବିକତା ପ୍ରଦର୍ଶିତ ହୋଇଅଛି । ଭଗବତ୍‌ ପ୍ରେରଣାରେ ଭୀମଙ୍କ ହୃଦୟରେ ଯେଉଁ ସ୍ପନ୍ଦନ ହୋଇଥିଲା, ସେହି ସ୍ପନ୍ଦନରେ ଭୀମଙ୍କ ପ୍ରାଣ ଉଚ୍ଛ୍ୱସିତ ହୋଇଥିଲା ଏବଂ ସେହି ଧର୍ମୋଚ୍ଛ୍ଵାସ ପାପକ୍ଳିଷ୍ଟ ଜଗତରେ ପ୍ରଚଳନ କରିବା ନିମିତ୍ତ ତାହାଙ୍କ ମନରେ ଯେଉଁ ଆବେଗ, ଯେ ଉତ୍କଣ୍ଠା ସ୍ୱତଃ ଜାଗରିତ ହୋଇଥିଲା, ତାହା ଅଦ୍ଭୁତ । ଚିନ୍ତା କଲେ ଜଣାଯାଏ, ଯେପରି କି ଭୀମ ଜଣେ ପ୍ରତ୍ୟାଦିଷ୍ଟ ପୁରୁଷ । ସେ ହୃଦୟରେ ଜ୍ୟୋତି ଦର୍ଶନ କରିଥିଲେ । ସେହି ଜ୍ୟୋତିର ବିଭାରେ ତାହାଙ୍କର ପାପତମ ବିଲୀନ ହୋଇଥିଲା ଏବଂ ସେହି ଜ୍ୟୋତିର ପ୍ରଭାରେ ଜଗତର ପାପାନ୍ଧକାର ଦୂରୀଭୂତ କରିବାରେ ସେ ନିଜର ମନ ପ୍ରାଣ ଢାଳି ଦେଇଥିଲେ । ଯେଉଁ ପୂର୍ଣ୍ଣାନନ୍ଦରସରେ ତାହାଙ୍କ ହୃଦୟ ପ୍ଲାବିତ ହୋଇଥିଲା, ସେ ସେହି ରସରେ ଜଗତକୁ ପ୍ଲାବିତ କରି ଆନନ୍ଦମୟ କରିବାରେ ନିତ୍ୟାନନ୍ଦମୟଙ୍କୁ ସତତ ଆବେଗଭରା ହୃଦୟରେ ସକରୁଣ ପ୍ରାର୍ଥନା କରୁଥିଲେ । ସେ ନିଜକୁ ଭଗବତ୍‌ ପ୍ରେରିତ ଧର୍ମସଂସ୍ଥାପକରୂପେ ଅନୁଭବ କରିଥିଲେ । ତହୁଁ ସ୍ୱୀୟ ପ୍ରାଣର ଆଦୃତ ଧର୍ମର ପ୍ରଚାର ନିମିତ୍ତ ସେ ଆତ୍ମସମର୍ପଣ କରିଥିଲେ । ନିଜର ଶ୍ରେୟ ନିମିତ୍ତ ଆତ୍ମସମର୍ପଣ ଓ ଜଗତର ଶ୍ରେୟ ନିମିତ୍ତ ଆତ୍ମସମର୍ପଣ ଏକ ବିଷୟ । ନିଜର ଶ୍ରେୟ ଜଗତର ଶ୍ରେୟ ଓ ଜଗତର ଶ୍ରେୟରେ ନିଜର ଶ୍ରେୟ, ଏହା ସେ ପୂର୍ଣ୍ଣଭାବରେ ଉପଲବ୍ଧି କରି ପାରିଥିଲେ । ଧର୍ମପ୍ରାଣ ଭୀମ ଜଗତରେ ଅଧର୍ମର ପ୍ରଚାର ଦେଖି କ୍ଷୁବ୍ଧ ହୋଇଥିଲେ ଏବଂ ଜଗତ ନିମନ୍ତେ ଭଗବାନଙ୍କୁ-ଅଲେଖବ୍ରହ୍ମଙ୍କୁ ପ୍ରାର୍ଥନା କରିଥିଲେ । ଦିବ୍ୟ ଧର୍ମଭାବ ଜଗତରେ ସଞ୍ଚାର କରିବା ନିମିତ୍ତ ତାଙ୍କର ପ୍ରାଣ ଆଲୋଡ଼ିତ ହୋଇଥିଲା ଏବଂ ସେହି ଆଲୋଡ଼ନାର ଫଳରେ ସେ ଅତି ସୂକ୍ଷ୍ମତତ୍ତ୍ୱମାନ ନିଜର ସରଳ ସହଜ ଭାଷାରେ ଜଗତ୍‌ ସମକ୍ଷରେ ଉପସ୍ଥାପିତ କରିଅଛନ୍ତି । ତାହାଙ୍କ ଧର୍ମଗ୍ରନ୍ଥମାନଙ୍କ ମଧ୍ୟରେ ବ୍ରହ୍ମନିରୂପଣଗୀତା ପ୍ରଧାନ ।

 

ଭୀମଙ୍କ ବ୍ରହ୍ମ ଏହି ପିଣ୍ଡବ୍ରହ୍ମାଣ୍ଡରେ ଅବସ୍ଥିତ । ଏହି ମହିମା ବ୍ରହ୍ମଙ୍କ ପ୍ରତିପାଦନରେ ତାହାଙ୍କ ଧର୍ମ ଓ ତଦୀୟ ନିୟମାବଳୀ ପରିବର୍ଦ୍ଧିତ । ବ୍ରହ୍ମୈକନିଷ୍ଠ ଏହି ଧର୍ମର ଉତ୍କଳଭାଷାରେ ପ୍ରଚାର ଭୀମଙ୍କ ପୂର୍ବରୁ ଅନ୍ୟାନ୍ୟ ମହାପୁରୁଷମାନେ କରି ଯାଇଅଛନ୍ତି । ବଳରାମ, ଜଗନ୍ନାଥ, ଅନନ୍ତ, ଅଚ୍ୟୁତ, ଯଶୋବନ୍ତ ଏହି ତତ୍ତ୍ୱ ପ୍ରକାରାନ୍ତରରେ ପ୍ରଚାର କରିଥିଲେ । ଅରକ୍ଷିତ, ଚୈତନ୍ୟ, ଦ୍ୱାରକା, ଚନ୍ଦ୍ରମଣି, ହାଡ଼ିଦାସ ପ୍ରଭୃତି ମଧ୍ୟ ଏହି ମତାବଲମ୍ବୀ ଅଟନ୍ତି । ଏହି ମତାବଲମ୍ବୀଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ଶ୍ରେଷ୍ଠ । ଅଚ୍ୟୁତାନନ୍ଦ ପ୍ରଭୃତି ପଞ୍ଚଶାଖାଙ୍କ ମତରେ ଭଗବତ୍‌ ସେବା ଚତୁର୍ବିଧ-ଭୋଗ, ଯୋଗ, ଲୟ, ଲୀଳା । ଅଚ୍ୟୁତାନନ୍ଦ ଏହି ଚତୁର୍ବିଧରେ ବିଳାସୀ ଥିଲେ । ଭୀମ ଏହି ଚତୁର୍ବିଧରେ ବିଳାସୀ ଥିଲେହେଁ ଯୋଗମିଶ୍ର ଲୟାଙ୍ଗରେ ସେ ପ୍ରଧାନ ଅଧିକାରୀ ଥିଲେ ।

 

ବ୍ରହ୍ମନିରୂପଣଗୀତା

ପ୍ରଥମ ଅଧ୍ୟାୟରେ ଭୀମ ଅତି ସଂକ୍ଷେପରେ ଅବସ୍ଥିତ ନିର୍ଦ୍ଦେଶ ପୂର୍ବକ ବ୍ରହ୍ମଙ୍କୁ ପ୍ରତିପାଦିତ କରିଅଛନ୍ତି ।

 

ନିଷ୍କାମ ବ୍ରହ୍ମପୁରୁଷ ନାହିଁ ତାଙ୍କ ମାୟା

*      *      *

ଜନ୍ମ ବନ୍ଧ ନ ଲାଗଇ ନିଷ୍କାମ ନିରୂପମ ।

 

ଅନ୍ୟାନ୍ୟ ତତ୍ତ୍ୱଦର୍ଶୀ ଭକ୍ତ ପଞ୍ଚଶାଖା, ଦ୍ୱାରକାଦାସ, ଅରକ୍ଷିତ, ଚନ୍ଦ୍ରମଣି ପ୍ରଭୃତିଙ୍କ ତୁଲ୍ୟ ନିରାକାର ଶିଷ୍ୟ ଓ ଗୁରୁଙ୍କ ଉକ୍ତିପ୍ରତ୍ୟୁକ୍ତିରେ ଭୀମ ବ୍ରହ୍ମନିରୂମଣ କରାଇ ଅଛନ୍ତି । ଅନ୍ୟାନ୍ୟ ଭାରତୀୟ ଧର୍ମର ଅନୁରୂପ ଏହି ଧର୍ମରେ ଗୁରୁ ଜୀବର ଗତିମୁକ୍ତିଦାତା ।

 

ଏହି ନିରାକାର ଓ ଗୁରୁଙ୍କୁ ଆମ୍ଭେମାନେ ଉତ୍କଳର ପୂର୍ବ ଲେଖକମାନଙ୍କ ତୁଲ୍ୟ ମନଚୈତନ୍ୟରୂପେ ଗ୍ରହଣ କରିପାରୁଁ ।

 

ସେହି ନିରାକାରଙ୍କ ପ୍ରଶ୍ନକରଣରେ ଭୀମ ନିରାକାରଙ୍କୁ ସାକାର ଶିଷ୍ୟ ତୁଲ୍ୟ ବ୍ୟବହାର କରାଇଅଛନ୍ତି ।

 

ନିରାକାର ପ୍ରଳମ୍ବିଲେ ଶ୍ରୀଗୁରୁଙ୍କ ପାଦ

*      *      *

କହ ଭେଦ ଧାଡ଼ି      (ଇତ୍ୟାଦି)

 

ବର୍ତ୍ତମାନ ଏହି ମନ ନିରାକାର; ସେ ନିଷ୍କ୍ରିୟ, ନିର୍ବ୍ୟାପାର । ତାହା ଉତ୍କଳର ତତ୍ତ୍ୱଦର୍ଶୀଙ୍କ ମତରେ ଅମନରୂପେ ଗ୍ରହଣୀୟ । ତାହା ଯୋଗଦର୍ଶନରେ ସମାଧିର ଅବସ୍ଥା । ଏହି ଅବସ୍ଥାରେ ଜୀବ ପରମ ପ୍ରାପ୍ତିରେ ଉତ୍ସୁକ । ସେହି ଜୀବ-ର୍ନିରାକାର,-ଶିଷ୍ୟ, ମନ-ଭୀମଙ୍କ ଉକ୍ତିରେ ।

 

ଶମ ଆସନରେ ବସି ଅମନ ସାଧନେ

ଅନାଦି ବ୍ରହ୍ମଙ୍କୁ ଚିନ୍ତା କରି ମନେ ମନେ ।

 

ଏହି ନିଷ୍କ୍ରିୟ ମନର ଭାବନା ସାହାଯ୍ୟରେ ଶାକ୍ୟସିଂହ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ । ଏହି କ୍ରିୟା ସାଧନାରେ ମହାତ୍ମାମାନେ ତତ୍ତ୍ୱଦର୍ଶୀ ହୋଇଅଛନ୍ତି । ଆଜି ସେହି ଅବସ୍ଥାରେ ଭୀମ ନିଜକୁ ଉପସ୍ଥାପିତ କରି ନିଜର ସମାଧିସ୍ଥ ମନକୁ ଚୈତନ୍ୟର ସାହାଯ୍ୟରେ ତତ୍ତ୍ୱ ଦର୍ଶାଉଅଛନ୍ତି ଓ ତତ୍ତ୍ୱଦର୍ଶନ କରି ଜଗତକୁ ସେହି ତତ୍ତ୍ୱଦର୍ଶନଜନିତ ଆନନ୍ଦ ଉପଭୋଗ କରାଇବା ନିମନ୍ତେ ନିଜର ଜ୍ଞାନମିଶ୍ରା ଭକ୍ତିର ପ୍ରଚାର କରିଅଛନ୍ତି ।

 

ଜ୍ଞାନୀଜନମାନେ ଧ୍ୟାନ କରୁଛନ୍ତି ତାଙ୍କୁ

ଅବଶ୍ୟ ତ ନେତ୍ରେ ଦେଖୁଥିବେ ସେ ବ୍ରହ୍ମଙ୍କୁ ।

 

ପଞ୍ଚଶାଖା ଚୈତନ୍ୟ, ଅରକ୍ଷିତ, ଚନ୍ଦ୍ରମଣି ପ୍ରଭୃତିଙ୍କ ପରି ଭୀମ ପିଣ୍ଡକୁ ବ୍ରହ୍ମାଣ୍ଡରୂପେ ଗ୍ରହଣ କରିଅଛନ୍ତି । ଏହି ପିଣ୍ଡ ବ୍ରହ୍ମାଣ୍ଡରେ ଅର୍ଥାତ୍‌ ଦେହରେ ଅଣୁରୂପ ବ୍ରହ୍ମର ଅବସ୍ଥିତି ବିଷୟରେ ନିରାକାରଙ୍କର ଗୁରୁଙ୍କୁ ପ୍ରଶ୍ନ ଓ ଗୁରୁଙ୍କର ଉପଯୁକ୍ତ ଉତ୍ତର । ଗୁରୁଦେବଙ୍କ ଉତ୍ତରରେ ଜୀବାତ୍ମା ଘଟରେ କିପରି ଅବସ୍ଥାନ କରେ, ଭୀମ ତାହା ଅତି ସରଳ, ସାଧାରଣ ଓ ସୁବୋଧ୍ୟ ଭାଷାରେ କହି ଅଛନ୍ତି ।

 

ଶୂନ୍ୟ ହୋଇ ଭୂମି ଖଣ୍ଡେ କିଛିଦିନ ଥାଇ

*      *      *

ସେହିରୂପେ ଏ ବ୍ରହ୍ମରେ ଘଟଟି ଖେଳୁଛି ।

 

                  ପୁନଶ୍ଚ, ପଇଡ଼ ବୀଜକୁ ଭୂମି ମଧ୍ୟରେ ରୋପିଣ

*      *      *

ସେହିରୂପେ ବ୍ରହ୍ମଜ୍ଞାନ ଘଟେ ଅଛି ବାବୁ ।

 

ତତ୍ପରେ ଗୁରୁଦେବ ଶରୀରର ରୋମ, ରୋମର ମୂଳ, ଚର୍ମ, ରୁଧିର, ଶିର, ମାଂସ ଓ ଅସ୍ଥିର ବର୍ଣ୍ଣନା କରି ପରେ ଅସ୍ଥି ମଧ୍ୟରେ ଶିଶୁରନ୍ଧ୍ର ବା ସୁଷୁମ୍ନାନାଡ଼ୀର ନିର୍ଣ୍ଣୟ କରିଅଛନ୍ତି:-

 

ବାମ ଦକ୍ଷେ ନିରୁଧ୍ନନ୍ତି ପ୍ରବିଶନ୍ତି ସୁଷୂମ୍ନୟା

ବ୍ରହ୍ମରନ୍ଧ୍ରଂ ପ୍ରବିଶ୍ୟାନ୍ତସ୍ତେ ଯାନ୍ତି ପରମାଂଗତିମ୍‌ ।

ସୁଷୁମ୍ନୟା ଯଦା ହଂସଃ ମୁଦା ଊର୍ଦ୍ଧ୍ୱଂ ପ୍ରଧାବତି । ଇତ୍ୟାଦି ।

[ଯୋଗୋପନିଷତ୍‌]

 

ସୁଷୁମ୍ନାନାଡ଼ୀର ମଧ୍ୟଦେଶରେ ଯେଉଁ ପଥ ଅଛି, ସେହି ପଥରେ ଅଣୁରୂପ ପୂର୍ଣ୍ଣବ୍ରହ୍ମ ଗୁପତରେ ଖେଳୁଥିବା କହି ସେ ଶରୀର ବିଷୟ କହି ଅଛନ୍ତି ।

 

ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମଙ୍କ ମହିମାର ପ୍ରଶସ୍ତି । ଏହା ଅଚ୍ୟୁତାନନ୍ଦ ଆଦି ମଧ୍ୟ କରିଅଛନ୍ତି । ଭକ୍ତ-କବି ଭୀମ ଏହା ବିଶଦଭାବରେ ବର୍ଣ୍ଣନ କରିଅଛନ୍ତି ।

 

ତୃତୀୟ ଅଧ୍ୟାୟରେ ଭୀମ ବ୍ରହ୍ମଙ୍କ ସ୍ଥିତି, ସ୍ୱରୂପ ଏବଂ ବ୍ରହ୍ମଦର୍ଶନରେ ମନର ସ୍ୱରୂପତ୍ୱ ବର୍ଣ୍ଣନା କରି ପ୍ରାଚୀନ ଯୋଗଜ୍ଞାନନିଷ୍ଠ ଭକ୍ତଙ୍କର ପଦ୍ଧତି ରକ୍ଷା କରିଅଛନ୍ତି । (୧ମ ଠାରୁ ୧୫ଶ ପଦ ଦ୍ରଷ୍ଟବ୍ୟ) । ଚକ୍ଷୁ, କର୍ଣ୍ଣ, ନାସା ଓ ମୁଖ ଫଣୀରୂପରେ ଗୃହୀତ । ତଦୁପରି ମଣିର ଅବସ୍ଥିତି । ସେହି ମଣି ଏକାକ୍ଷର ବ୍ରହ୍ମ; ସେହି ଆତ୍ମା; ସେ ଆତ୍ମା ଅଜର, ଅମର ।

 

‘‘ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ

ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟନ୍ତି ମାରୁତଃ ।’’

 

ବ୍ରହ୍ମଙ୍କ ରୂପ କେଶର ସ୍ଥୂଳତାର ଅଷ୍ଟମାଂଶ ମାତ୍ର (ଭୀମଙ୍କ ମତରେ) । ଅନ୍ୟମାନେ ଆହୁରି ସୂକ୍ଷ୍ମ ବୋଲି ନିର୍ଦ୍ଦେଶ କରନ୍ତି । ମନ ସୂକ୍ଷ୍ମ ହେଲେ ବ୍ରହ୍ମଙ୍କର ଦର୍ଶନ ଲାଭ ହୁଏ ।

 

‘‘ଅଲେଖ ବ୍ରହ୍ମର ବାଟ ଊର୍ଦ୍ଧ୍ୱକୁ ଫିଟିଛି;-ଠାରୁ

ଅଲେଖ ବ୍ରହ୍ମର ସିନା ଭଗତ ହୋଇଛି,’’-ପର୍ଯ୍ୟନ୍ତ ।

 

ସେ ମଧ୍ୟ ଏହି ଅଧ୍ୟାୟର ୩୮ଶ ପଦରେ କହି ଅଛନ୍ତି:-

 

‘‘ସୂଚୀ ମୂନ ଅଗ୍ରେ ତହିଁ କେମନ୍ତେ ରହିବ

ଦ୍ୱିତୀୟ ଜନଙ୍କ ଆଉ କାହିଁ ଅଛି ଠାବ ।’’

 

ଅଚ୍ୟୁତାନନ୍ଦ କହିଅଛନ୍ତି:-

‘‘ସୂଚୀ ଅଗ୍ର ବାଜିଲାର ପ୍ରାୟେ ଅଛି ବାଟ

ସେ ବାଟ ଗମିଲେ ଶୂନ୍ୟମଣ୍ଡଳକୁ ଭେଟ ।’’

 

ଚନ୍ଦ୍ରମଣି ଦାସ ମଧ୍ୟ କହିଅଛନ୍ତି:-

 

‘‘ସୂଚୀ ମୁନ ରନ୍ଧ୍ର ପରାୟେକ ବାଟ ତହିଁରେ ଲାଗିଛି ଯନ୍ତ୍ର ।’’

 

ପୁନଶ୍ଚ:-

‘‘ସୂତା ଖିଅକୁ ସହସ୍ରେ ଭାଗ କରି ବାକୀ ଯେ ରହିବ ଶେଷ

ସେ ମନ ରଖିବ ପଦ୍ମ ମଧ୍ୟ ନେଇ ଷଡ଼ଅରି କରି ନାଶ ।’’

 

ଚତୁର୍ଥ ଅଧ୍ୟାୟରେ ଭୀମ ବିସ୍ତରଭାବରେ ବ୍ରହ୍ମଙ୍କର ସ୍ୱରୂପ ଓ କାର୍ଯ୍ୟ ବର୍ଣ୍ଣନ କରିଅଛନ୍ତି । ଅରକ୍ଷିତ ଦାସଙ୍କ ମହୀମଣ୍ଡଳଗୀତାର ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଅଧ୍ୟାୟର ବର୍ଣ୍ଣନା ସହିତ ଭୀମଙ୍କ ବର୍ଣ୍ଣନାର ସାମ୍ୟ ଅଛି ।

 

ପଞ୍ଚମ ଅଧ୍ୟାୟ-ବ୍ରହ୍ମଙ୍କର ଆସ୍ଥାନ ଶୂନ୍ୟରେ-ତାହା ଭୀମ ଶୂନ୍ୟରୂପରେ ବର୍ଣ୍ଣନା କରିଅଛନ୍ତି [୬୦-୮୮] । ବ୍ରହ୍ମଙ୍କ ଅବସ୍ଥିତିର ବହିର୍ଦ୍ଦେଶରେ ବେଦାଦି ଅବସ୍ଥିତ । ଋକ, ସାମ, ଯଜୁଃ ଓ ଅଥର୍ବ ଯଥାକ୍ରମେ ମୁଖ, ଚକ୍ଷୁ, ନାସା ଓ କର୍ଣ୍ଣରୂପରେ; ପୂର୍ବ, ଉତ୍ତର, ଦକ୍ଷିଣ, ପଶ୍ଚିମ ଭାବରେ; ଊର୍ମି, ଜ୍ୟୋତି, ଧୂର୍ମ, ଜ୍ୱାଳାରୂପରେ; ଶ୍ଳୀଂ ହ୍ଳୀଂ କ୍ଳୀଂ, ଧ୍ଳୀଂ, ରୂପରେ; ସିଦ୍ଧିରସ୍ତୁ ରୂପରେ; ବିମନ, ମନ, ସୁମନ କୁମନ ଭାବରେ; ଲୀଳା, ଲୟ, ଭୋଗ ଯୋଗ ଭାବରେ; ରଜଃ, ତମଃ, ସତ୍ତ୍ୱ, ଶାନ୍ତି ରୂପରେ ଅବସ୍ଥିତ । ଅମନ ଅବସ୍ଥାରେ ବ୍ରହ୍ମପ୍ରାପ୍ତି ।

 

ଷଷ୍ଠ ଅଧ୍ୟାୟରେ ଭୀମ ମହାଶୂନ୍ୟାଦି ଦ୍ୱାଦଶ ପାବଚ୍ଛର ଉଲ୍ଲେଖ କରିଅଛନ୍ତି । ସେହି ପାବଚ୍ଛମାନଙ୍କ ନିମ୍ନଦେଶରେ ଚାରିବେଦ ଚାରିଦିଗରେ ଅବସ୍ଥିତ ଏବଂ ସେହି ଚାରିଦିଗରେ ଅନନ୍ତ ଆଦି ଚାରି ମହିମା ଦେବତା ଅଛନ୍ତି । ଦ୍ୱାଦଶ ଅଙ୍ଗୁଳଠାରୁ ଏକ ଅଙ୍ଗୁଳ ପର୍ଯ୍ୟନ୍ତ ନିଶ୍ୱାସ ବାୟୁରସଂଯମ ସିଦ୍ଧିର ସୋପାନ । ତତ୍ପରେହିଁ ହେତୁ ଆଦି ଅଷ୍ଟଦେବତାଙ୍କୁ ଭୀମ ଉଲ୍ଲେଖ କରି ଚବିଶ ବେଢ଼ାର ବର୍ଣ୍ଣନା କରିଅଛନ୍ତି ସପ୍ତମ ଅଧ୍ୟାୟରେ ମହିମାଙ୍କଠାରୁ ଜଗତର ଉତ୍ପତ୍ତିକ୍ରମ ବର୍ଣ୍ଣିତ ।

 

ଅଷ୍ଟମ ଅଧ୍ୟାୟରେ ଭୀମ ମହିମାଙ୍କର ଅବସ୍ଥିତ ଓ ଆଭରଣ ବର୍ଣ୍ଣନା କରି ପିଣ୍ଡ ବ୍ରହ୍ମାଣ୍ଡରେ ତାହାଙ୍କ ଲୀଳାର ନିର୍ଦ୍ଦେଶ କରିଅଛନ୍ତି । ତାହା ଜଗନ୍ନାଥ ଦାସଙ୍କ ତୁଳାଭିଣା, ବଳରାମ ଦାସଙ୍କ ବ୍ରହ୍ମାଣ୍ଡଭୂଗୋଳ, ଗୁପ୍ତ, ବିରାଟଆଦି ଗୀତା, ଅଚ୍ୟୁତାନନ୍ଦଙ୍କ ଅଣାକାର, ଶୂନ୍ୟ ଓ ବ୍ରହ୍ମସଂହିତା, ଦ୍ୱାରକା ଦାସ ଓ ଚନ୍ଦ୍ରମଣି ଦାସ ପ୍ରଭୃତିଙ୍କ କୃତି ପାଠ କଲେ ଉତ୍ତମରୂପେ ଜଣାଯିବ । ମହିମାଙ୍କ ଶରୀରରେ ସର୍ବଦେବଙ୍କ ଅବସ୍ଥିତିର ବର୍ଣ୍ଣନ ଛଳରେ କବି ମହିମାଙ୍କର ସର୍ବକାରଣତ୍ୱ

ଦର୍ଶାଇ ଅଛନ୍ତି ।

 

ନବମ ଅଧ୍ୟାୟର ପ୍ରାରମ୍ଭରେ ଭୀମଙ୍କ ରଚିତ ସଂସ୍କୃତ ଶ୍ଳୋକଗୁଡ଼ିକ ଅଦ୍ଭୁତ । ତାହା ଓଡ଼ିୟା ଓ ସଂସ୍କୃତ ମିଶା ଭାଷା । ଏ ଅପୂର୍ବ ଭାଷାର ଭୀମ ଯେ ଆଦି ସ୍ରଷ୍ଟା, ତାହା ନୁହେ; ଅଚ୍ୟୁତାନନ୍ଦଙ୍କ ଶ୍ଳୋକମାନ ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ସେମାନଙ୍କର ସଂସ୍କୃତ ଜ୍ଞାନ ନ ଥିବା ସତ୍ତ୍ୱେ ସଂସ୍କୃତ ଶ୍ଳୋକ ରଚନା କରିବାରେ ସେମାନେ ଆନନ୍ଦ ଅନୁଭବ କରୁଥିଲେ । ନିଜ ଉକ୍ତିର ମହତ୍ତ୍ୱ ପ୍ରଖ୍ୟାପନ ଏରୂପ ସଂସ୍କୃତ ରଚନାର ଅନ୍ୟତମ କାରଣ ମଧ୍ୟ ହୋଇ ପାରେ ।

 

ଏହି ଅଧ୍ୟାୟରେ ଓ ପରବର୍ତ୍ତୀ ଅଧ୍ୟାୟ ଦ୍ୱୟରେ ମହାନିତ୍ୟ ମନ୍ଦିରର ବର୍ଣ୍ଣନା । ଏହା ଦେବଦେବୀ, ବେଦଶାସ୍ତ୍ରାଦି, ସ୍ୱର୍ଗମର୍ତ୍ତ୍ୟାଦି, ଯୋଗସାଧନ ଇତ୍ୟାଦି ଉପକରଣରେ ନିର୍ମିତ, ନାନାପ୍ରକାର ଆଭରଣରେ ପୂର୍ଣ୍ଣ ଏବଂ ବାଦ୍ୟାଦିର ନିର୍ଘୋଷରେ ମୁଖରିତ । ଏହିପରି ବର୍ଣ୍ଣନା ପୂର୍ବ ମହାପୁରୁଷମାନଙ୍କର କୃତିମାନଙ୍କରେ ସ୍ଥାନେ ସ୍ଥାନେ ଦେଖାଯାଏ ।

 

ଦ୍ୱାଦଶ ଅଧ୍ୟାୟରେ ଭୀମ ଅନନ୍ତ, ପରମ, ଶ୍ରୀକୃଷ୍ଣ ଓ ଜଗନ୍ନାଥ ନାମର ଶବ୍ଦାର୍ଥଭେଦ ନିରୂପଣ କରି ସେମାନଙ୍କ ନାମଘଟିତ ତ୍ରୟୋଦଶ ଅକ୍ଷରର ଗୁଣରେ ଜୀବପିଣ୍ଡ ଘଟଣା ହୋଇଥିବାର କହିଅଛନ୍ତି ଏବଂ ପରେ ଜୀବ ପରମର ତତ୍ତ୍ୱ ବିଚାର କରି ଅଛନ୍ତି ।

 

ତ୍ରୟୋଦଶ ସର୍ଗରେ, ପ୍ରଥମତଃ ଚତୁର୍ବିଧ ହଂସର ବର୍ଣ୍ଣନଛଳରେ ଅଜପା ମନ୍ତ୍ର ‘ହଂସ’-‘ସୋଽହଂ’ ବିଚାର କରିଅଛନ୍ତି । ତତ୍ପରେ ତିନି ଶୂନ୍ୟର ବିଚାର କରି ଠୂଳ ଶୂନ୍ୟରେ ନିରାକାର, ମହାନିତ୍ୟ ଭୁବନରେ ମହିମା ଏବଂ ତଦୁପରି ଅଲେଖ ଭୁବନର ବର୍ଣ୍ଣନ କରିଅଛନ୍ତି । ତତ୍ପରେ ଗୁରୁ, ପ୍ରଭୁ, ସ୍ୱାମୀ, ନିଷ୍କାମ, ନିର୍ଗୁଣ, ନିର୍ବେଦାଦି, ଅଲେଖ ଓ ମହିମାଙ୍କର ସ୍ୱରୂପ ନିର୍ଣ୍ଣୟ କରିଅଛନ୍ତି । ଅନନ୍ତର ଜୀବପରମର ଯେଉଁ ଭେଦ ନିର୍ଦ୍ଦେଶ କରିଅଛନ୍ତି, ତାହା ଉପନିଷଦ୍‌ ତଥା ଅଚ୍ୟୁତାନନ୍ଦ ପ୍ରଭୃତିଙ୍କ ବର୍ଣ୍ଣନାର ଅନୁରୂପ ।

 

ଚତୁର୍ଦ୍ଦଶ ଅଧ୍ୟାୟରେ ଭୀମ ସାଧାନାଙ୍ଗ ପ୍ରସ୍ତାବ କ୍ରମେ ସଂସାରରେ ଶୁଦ୍ଧ ପୂତ ଜୀବନ ଯାପନ ପୂର୍ବକ ପରମାର୍ଥ ପ୍ରାପ୍ତି ନିମିତ୍ତ ଉପଦେଶ ଦେଇ ଗ୍ରନ୍ଥର ଉପସଂହାର କରିଅଛନ୍ତି ।

 

ସ୍ୱର୍ଣ୍ଣପୁରର ମହାରାଜ ସାର୍‌ ଶ୍ରୀ ବୀରମିତ୍ରୋଦୟ ସିଂହଦେବ ଧର୍ମନିଧି ଜ୍ଞାନଗୁଣାକର K. C. I. E. ମହୋଦୟ ସ୍ତୁତିଚିନ୍ତାମଣିର ମୁଖବନ୍ଧରେ ଭୀମଭୋଇଙ୍କ ଜୀବନଚରିତ ପାଠ କରି ତାହା ଅପୂର୍ଣ୍ଣାଙ୍ଗ ମଣି ଭୀମଙ୍କ ଉତ୍ତରଜୀବନଚରିତର କିୟଦଂଶ ସାନୁଗ୍ରହ ମୋ ନିକଟ ପ୍ରେରଣ କରିଥିଲେ । ମହାରାଜା ମହୋଦୟଙ୍କୁ ଧନ୍ୟବାଦସହ ତାହା ଅବିକଳ ଏଠାରେ ମୁଦ୍ରିତ କଲି ।

 

ମହାତ୍ମା ଭୀମ ଭୋଇଙ୍କ ସଂକ୍ଷିପ୍ତ ଜୀବନୀ

ମହାତ୍ମା ଭୀମ ଭୋଇ ପ୍ରଥମେ ରେଢ଼ାଖୋଲ ରାଜ୍ୟର ସୀମା ସନ୍ନିକଟ ସୋନପୁର ରାଜ୍ୟର ଅନ୍ତବର୍ତ୍ତୀ ସଂଗ୍ରାମପୁର ଗ୍ରାମରେ ଅନାଥଭାବରେ ରହିଥିଲେ । ସେ ସମୟରେ ଭୀମ ଭୋଇଙ୍କ ବୟସ ଅଳ୍ପ ଥିଲା ଓ କୌଣସି ମାହାତ୍ମ୍ୟ ପ୍ରକାଶ ହୋଇ ନ ଥିଲା । ସାଧାରଣ ଲୋକ ଯେପରି ମଜୁରିଦ୍ୱାରା ଜୀବିକା ନିର୍ବାହ କରନ୍ତି, ଭୀମ ଭୋଇ ସେପରି ଅନ୍ୟର ମଜୁରୀ କାମ କରି ଜୀବନବୃତ୍ତି ନିର୍ବାହ କରୁଥିଲେ । ଏହି ସମୟରେ ଭୀମ ଭୋଇଙ୍କୁ ଦେଖିଥିବା ଅନେକ ସମସାମୟିକ ଲୋକ ଉକ୍ତ ଗ୍ରାମରେ ଓ (ତାହା) ନିକଟରେ ଅଛନ୍ତି । ସେମାନଙ୍କ କହିବାରୁ ଭୀମ ଭୋଇଙ୍କର ଅନେକ ବାଲ୍ୟଜୀବନର ଚରିତ ପ୍ରକାଶ ପାଇଅଛି । ସ୍ଥୂଳତଃ ଭୀମ ଭୋଇଙ୍କର ହୃଦୟରେ ଭବିଷ୍ୟତ୍‌ ଉଦାର ଧର୍ମଭାବର ବୀଜାଣୁ ତୁଲ୍ୟ ଈଶ୍ୱର ପ୍ରୀତି ଓ ଦୟା ଦାକ୍ଷିଣ୍ୟ ସାର୍ବଜନୀନ ମୈତ୍ରୀଭାବ ବିନୟ କେତେଗୁଡ଼ିଏ ମହତ୍‌ ଗୁଣର ଆଭାସ ଦେଖାଯାଇଥିଲା । ଆଉ ପ୍ରଖର ସ୍ମରଣଶକ୍ତିର ପରିଚୟ ମିଳୁଥିଲା । ଭୀମ ଭୋଇଙ୍କର ପରବର୍ତ୍ତୀ କେତେକ ଶିଷ୍ୟମାନେ ତାହାଙ୍କୁ ଜନ୍ମାନ୍ଧ ବୋଲି ଲେଖିଅଛନ୍ତି । ପରନ୍ତୁ ମହାତ୍ମା ଭୀମ ଜନ୍ମାନ୍ଧ ବୋଲି ବିଶ୍ୱାସ ହେଉ ନାହିଁ । କାରଣ ଭୀମ ଭୋଇ ଗ୍ରାମୀୟ ଗୋଚାରଣ କାର୍ଯ୍ୟ କରିବାଦ୍ୱାରା ତାହାଙ୍କ ଅଧିକ ବାଲ୍ୟଜୀବନ ଯାପନ କରିଅଛନ୍ତି । ଜଣେ ଅନ୍ଧ ବ୍ୟକ୍ତି ଗୋରୁ ଚରାର ନିର୍ବିବାଦରେ ସମସ୍ତ ଗୋସ୍ୱାମୀମାନଙ୍କୁ ସନ୍ତୁଷ୍ଟ ରଖି ଜୀବିକା ଚଳାଇବା ଅସମ୍ଭବ । ଅନେକ ସମୟ ପର୍ଯ୍ୟନ୍ତ ତାହାଙ୍କର ଆଖି ଦିଶୁଥିଲା । ତାହାଙ୍କ ସମଧର୍ମାବଲମ୍ବୀ ବ୍ୟକ୍ତିଗଣ ଓ ଶିଷ୍ୟ ସମ୍ପ୍ରଦାୟ ଭୀମ ଭୋଇଙ୍କର ମାହାତ୍ମ୍ୟ ବଢ଼ାଇବା ଉଦ୍ଦେଶ୍ୟରେ ଜନ୍ମାନ୍ଧ ବୋଲି ନିଜ ନିଜ ପ୍ରବନ୍ଧରେ ଲେଖିଥିବା ବିଶ୍ୱାସ ହୁଏ । ଏହି କଥା ଭୀମ ଭୋଇ ମଧ୍ୟ ନିଜ ରଚନାରେ ପ୍ରକାଶ କରିଅଛନ୍ତି । ଯେତେବେଳେ ସେ କାହାରିଠାରୁ କିଛି ଆତ୍ମପ୍ରଶଂସା ଶୁଣନ୍ତି, ‘‘ମୁଁ ଜଣେ ଜନ୍ମାନ୍ଧ ତୁଚ୍ଛ ଜୀବ, ସମସ୍ତ ଗୁରୁକୃପା’’ ବୋଲି କହିଥାନ୍ତି । ଭୀମ ଭୋଇଙ୍କ କୈଶୋରାବସ୍ଥାରେ କୌଣସି ନେତ୍ରରୋଗଦ୍ୱାରା ପରଳ ପଡ଼ି ତାହାଙ୍କ ଚକ୍ଷୁଦୁଇଟି ଅଦୃଶ୍ୟ ହୋଇଥିବା ଅନେକ ପ୍ରତ୍ୟକ୍ଷଦର୍ଶୀ କହିଅଛନ୍ତି । ଏପରି ଅବସ୍ଥାରେ ଅନ୍ୟ ପ୍ରମାଣ ସଂଗ୍ରହର ପ୍ରୟୋଜନ ଜଣାପଡ଼ୁ ନାହିଁ । *

 

(* ଭୀମ ଅନ୍ୟାନ୍ୟ ଗୋରକ୍ଷକଙ୍କ ସଙ୍ଗରେ ପଶୁପାଳ କାର୍ଯ୍ୟ କରିବା ସମ୍ଭବପର । ଆମ୍ଭେମାନେ ମଧ୍ୟ ଅନ୍ଧବାଳକଙ୍କୁ ଅନ୍ୟାନ୍ୟ ଗୋରକ୍ଷକ ବାଳଙ୍କ ସଙ୍ଗରେ ଗୋରକ୍ଷା କରିବାର ଦେଖିଅଛୁଁ । ଆବାଲ୍ୟରୁ ଅନ୍ଧ ଥିବା ବିଷୟରେ ସନ୍ଦେହର ଅବକାଶ ରହିଲା ପରି ଜଣା ପଡ଼ୁଅଛି ।)

 

‘ଯେତେବେଳେ ଭୀମ ଭୋଇଙ୍କର ଆଖି ଦୁଇଟି ନଷ୍ଟ ହୋଇ ଅଦୃଶ୍ୟ ହେଲା ତେତେବେଳେ ସେ ଉପାୟଶୂନ୍ୟ ହୋଇ [ଏ ଦେଶୀୟ ଖଟ ପ୍ରସ୍ତୁତ କରିବାର ତୃଣରଜ୍ଜୁ] ପ୍ରସ୍ତୁତ କରି ବିକ୍ରୟ କରିବାଦ୍ୱାରା ଓ ଭିକ୍ଷାଦ୍ୱାରା କଷ୍ଟରେ ଜୀବିକା ନିର୍ବାହ କରୁଥିଲେ । ପରେ ସେ କିଛିଦିନ ଭିକ୍ଷା କରି କରି ଢେଙ୍କାନାଳ ଆଡ଼କୁ ଗଲେ । ସେଠାରେ କୁମ୍ଭୀପଟିୟା ଓ କନାପଟିଆ ନାମ ଦୁଇଟି ଶାଖାଭୁକ୍ତ ମହିମାଧର୍ମର ସମ୍ପ୍ରଦାୟ ଥିଲେ । ମହାତ୍ମା ଭୀମ ସେହି ସ୍ଥାନରେ ମହିମାଧର୍ମରେ ଦୀକ୍ଷିତ ହେଲେ ଏବଂ ସେହି ସମ୍ପ୍ରଦାୟର ଦଶ ବାରଜଣ ବ୍ୟକ୍ତିଙ୍କୁ ସଙ୍ଗରେ ଆଣି ଅଳ୍ପ ସମୟ ପରେ ପୁଣି ସୋନପୁର ରାଜ୍ୟକୁ ଆସିଲେ । ଏଠାରେ ରାଜଧାନୀରୁ ଦଶ କ୍ରୋଶ ଦୂରବର୍ତ୍ତୀ ଜୁଳୁଣ୍ଡା ନାମକ ଗ୍ରାମରେ ପ୍ରଥମେ ମଠ ସ୍ଥାପନ କଲେ । ସମ୍ବଲପୁର ଇଲାକାର ସମ୍ଭ୍ରାନ୍ତବଂଶୀୟ ଦୁଇଜଣ ଆରଣ୍ୟକ ବ୍ରାହ୍ମଣ ନାମ ହରିପଣ୍ଡା ଓ ବସୁଦେବ ପଣ୍ଡା ଭୀମ ଭୋଇଙ୍କଠାରୁ ମହିମାଧର୍ମର ଦୀକ୍ଷା ନେଇ ଶିଷ୍ୟତ୍ୱ ଗ୍ରହଣ କଲେ । ଏହି ବ୍ୟକ୍ତି ଶିକ୍ଷିତ ଓ ଭଗବଦ୍‌ଗୀତାଦି ଯୋଗଶାସ୍ତ୍ର ଓ ଭାଗବତ ପ୍ରଭୃତି ପୁରାଣ ଭଲଭାବରେ ଜାଣୁଥିଲେ । ଏମାନେ ଭୀମ ଭୋଇଙ୍କୁ ସମସ୍ତ ଶାସ୍ତ୍ର ଓ ପୁରାଣ ଶୁଣାଇଲେ । ଭୀମ ଭୋଇଙ୍କର ପ୍ରଖର ବୋଧାଶକ୍ତି ସେ ସବୁ ସ୍ମରଣରେ ରଖି ଜଣେ ଅଦ୍ୱିତୀୟ ଧର୍ମବକ୍ତାରୂପରେ ପରିଣତ କଲା । ଆଉ ଅନ୍ତର୍ନିହିତ ଜନ୍ମାନ୍ତରୀୟ ପ୍ରତିଭାର କ୍ରମୋନ୍ମେଷ ହୋଇ କବିତ୍ୱ ଶକ୍ତିର ବୃଦ୍ଧି କରାଇଲା । ମହାତ୍ମା ଭୀମ ବ୍ରହ୍ମସ୍ତୁତି କି ମହିମାଧର୍ମ ବର୍ଣ୍ଣନ ସମ୍ବନ୍ଧରେ ଯେତେ କବିତା କରୁଥିଲେ, ସେ ସବୁ ପୂର୍ବେ ଅଭ୍ୟାସ କରି କଣ୍ଠସ୍ଥ କରିଥିବା ଗୀତ ତୁଲ୍ୟ ଏକାବେଳକେ ଗାଇଯାଉଥିଲେ । ଅନେକ ପ୍ରତିଭାଶାଳୀ କବି ସେପରି ଗୀତ ରଚନା ଗାନ କରି ପାରନ୍ତି, କିନ୍ତୁ ତାହା ସ୍ମରଣ ରଖି ଆଉ ଥରେ ଆବୃତ୍ତି କରିବା ବିରଳ ବୋଲି ଶୁଣାଯାଏ । ମହାତ୍ମା ଅନ୍ଧ କବି ଭୀମ ଭୋଇ ଯାହା ରଚନା କରି ଗାନ କରୁଥିଲେ, ତାହା ତାହାଙ୍କର କଣ୍ଠସ୍ଥ ରହୁଥିଲା । ପ୍ରୟୋଜନ ବେଳେ ପୁଣି ସେହି ପଦଗୁଡ଼ିକ ଗାନ କରି ପାରୁଥିଲେ । ଏହା ଐଶ୍ୱରିକ ଆଶ୍ଚର୍ଯ୍ୟ ଶକ୍ତି ପରି ବୋଧ ହେଉଥିଲା ।

 

‘‘ଭୀମ ଭୋଇଙ୍କ ଗୁରୁ କୁମ୍ଭୀପଟିୟା ସମ୍ପ୍ରଦାୟର ଥିଲେ କିନ୍ତୁ ଭୀମ ଭୋଇଙ୍କ ଧର୍ମ କୁମ୍ଭୀପଟିଆମାନଙ୍କ ଧର୍ମଠାରୁ ଅଳ୍ପ ସ୍ୱତନ୍ତ୍ର ଥିଲା । ଭୀମ ଭୋଇଙ୍କ ସମ୍ପ୍ରଦାୟ କଷାୟବାସ ପରିଧାନ କରନ୍ତି; ବ୍ରହ୍ମଚାରୀ ପରି ଦେଖାଯାଆନ୍ତି । ଭୀମଙ୍କ ସମ୍ପ୍ରଦାୟରେ ଜାତିଭେଦ ନାହିଁ । ପରନ୍ତୁ ଜାତିଭେଦ ରକ୍ଷା କଲେ କୌଣସି ବାଧା ନାହିଁ । ଏଠାରେ ଅନେକ ଶୂଦ୍ରଜାତୀୟ ଲୋକ ଗୃହରେ ଓ ସ୍ୱଜାତିରେ ରହି ଭୀମ ଭୋଇଙ୍କଠାରୁ ଉପଦେଶ ନେଇ ସେହି ଧର୍ମରେ ଚଳୁଥିଲେ । ତାହାଙ୍କ ସନ୍ତାନମାନେ ହିନ୍ଦୁ ପୌତ୍ତଳିକ ଧର୍ମ ପାଳନ କରୁଅଛନ୍ତି ।

 

‘‘ଭୀମ ଭୋଇ ଜୁଲୁଣ୍ଡା ଗ୍ରାମରେ ପ୍ରାୟ ୧୦।୧୨ ବର୍ଷରୁ ଅଧିକ ସମୟ ରହିଲେ । ଏଥି ମଧ୍ୟରେ ସହସ୍ର ସହସ୍ର ଶିଷ୍ୟ ଭୀମ ଭୋଇଙ୍କଠାରୁ ଉପଦେଶ ନେଇ ତତ୍‌ସମ୍ପ୍ରଦାୟଭୁକ୍ତ ହେଲେ । କେହି କେହି ଗୃହତ୍ୟାଗ କରୁଥିଲେ । ଅଧିକାଂଶ ବ୍ୟକ୍ତି ଗୃହରେ ରହି ଧର୍ମ ପାଳନ କରନ୍ତି । ଏ ସମ୍ବନ୍ଧରେ କୌଣସି ଧରାବନ୍ଧା ନିୟମ ନାହିଁ । ଉଚ୍ଚ ଜାତିରେ ପୂର୍ବୋକ୍ତ ଦୁଇଜଣ ବ୍ରାହ୍ମଣ ଛଡ଼ା ଅନ୍ୟ କେହି ମହିମାସମ୍ପ୍ରଦାୟଭୁକ୍ତ ହୋଇ ନାହିଁ । ଶୂଦ୍ରଜାତିଠାରୁ ଡେରା, ଡୁଲିଆ ଶୂଦ୍ର, କୁମ୍ଭାର, ସହସିଆ, କୋହ୍ଲ, କଦାଳ, କୁଡ଼ା, କନ୍ଧ, ଗଣ୍ଡ, ଗଣ୍ଡା, (ପାଣ), ଘାସି ପ୍ରଭୃତି ନିମ୍ନଶ୍ରେଣୀର ଜାତି ସମସ୍ତେ ଭୀମ ଭୋଇଙ୍କର ଶିଷ୍ୟ ହେଲେ । ଶୁଣାଅଛି ଯେଉଁମାନେ ପ୍ରଥମେ ଶିଷ୍ୟତ୍ୱ ଗ୍ରହଣ କରିବାକୁ ଯାଇଥିଲେ ସେମାନଙ୍କୁ ଏକ ସପ୍ତାହ ତାଙ୍କର ମଠରେ ନିୟମରେ ରହିବାକୁ ପଡ଼ୁଥିଲା । ସ୍ୱୟଂ ଭୀମ ଭୋଇ ମହିମାଧର୍ମ ଶୁଣାଉଥାନ୍ତି । ଶେଷ ସପ୍ତମ ଦିବସରେ ବିରାଟ୍‌ ବ୍ରହ୍ମରୂପ ଦେଖନ୍ତି । କିପରି ଭାବରେ ବିରାଟ୍‌ ବ୍ରହ୍ମରୂପ ଦେଖାଉଥିଲେ ତାହା ରହସ୍ୟମୟ, ସେ ସମ୍ପ୍ରଦାୟର କେହି ବ୍ୟକ୍ତଭାବେ କହନ୍ତି ନାହିଁ । କିନ୍ତୁ, ପ୍ରଥମରେ ତାହାଙ୍କ ସମ୍ପ୍ରଦାୟଭୁକ୍ତ ନ ହେଲେ ଯାହାରି କାହାରିକୁ ବିରାଟ୍‌ ବ୍ରହ୍ମରୂପ ଦେଖାଇ ଦିଆଯାଏ ନାହିଁ ।’’

 

‘‘ମହାତ୍ମା ଭୀମ ଭୋଇଙ୍କ ବ୍ୟବହାର ସରଳ ଓ ଉଦାରମୟ ଥିଲା । ତାହାଙ୍କ ପ୍ରତି ଲୋକ ଏପରି ଆକୃଷ୍ଟ ହେଉଥିଲେ ଯେ ନିଜର ଉପାର୍ଜିତ ପଦାର୍ଥର ଅଧିକାଂଶ ଉପହାରରୂପେ ଦାନ କରୁଥିଲେ । ଏପରି କି ଅନେକ ଲୋକ ଅବିବାହିତ ଝିଅ ଓ ଭଉଣୀଙ୍କି ଆଣି ଉପହାରରୂପେ ଦାନ କରି ଦେଉଥିଲେ । ଅନେକ ଶୂଦ୍ରା ସ୍ତ୍ରୀ ପତିଗୃହ ତ୍ୟାଗ କରି ଭୀମ ଭୋଇଙ୍କଠାରୁ ଉପଦେଶ ନେଇ ସନ୍ନ୍ୟାସିନୀ ହୋଇ ରହୁଥିଲେ । ଏହିପରି ଉପହାର ପ୍ରାପ୍ତ ଗୋଟିଏ ବ୍ରାହ୍ମଣୀ ସ୍ତ୍ରୀକୁ ଭୀମ ଭୋଇ ପତ୍ନୀରୂପେ ଗ୍ରହଣ କରିଥିଲେ । ତାହାଙ୍କ ପ୍ରଥମ ଗର୍ଭର ସନ୍ତାନଟି ଜନ୍ମ ହୋଇ ଅଳ୍ପକାଳରେ ନଷ୍ଟ ହୋଇଗଲା । ଦ୍ୱିତୀୟ ସନ୍ତାନ ପୁତ୍ର ଓ ତୃତୀୟ ସନ୍ତାନ କନ୍ୟାଟିଏ ଏ ପର୍ଯ୍ୟନ୍ତ ସୋନପୁର ରାଜ୍ୟସ୍ଥିତ ଖଲିୟାପାଲି ଗ୍ରାମରେ ଅଛନ୍ତି ।’’

 

‘‘ମାଘମାସର ପୂର୍ଣ୍ଣିମା ଦିବସରେ ଗୋଟିଏ ମେଳା ହୁଏ । ମହାତ୍ମା ଭୀମଙ୍କର ଯେତେ ଶିଷ୍ୟ ଓ ପ୍ରଶିଷ୍ୟ ଅଛନ୍ତି, ଉକ୍ତ ମେଳାରେ ଏକତ୍ରିତ ହୁଅନ୍ତି । ସମସ୍ତେ କିଛି ନା କିଛି ଉପାୟନ ଆଣିଥାଆନ୍ତି । ଗୋଟିଏ ସପ୍ତପୀଢ଼ବିଶିଷ୍ଟ ବେଦିରେ ଅଷ୍ଟୋତ୍ତରଶତ ପୂର୍ଣ୍ଣକୁମ୍ଭ ସ୍ଥାପିତ ହୁଏ ଓ ଅଷ୍ଟୋତ୍ତରଶତ ଦୀପ ଜଳେ । ବେଦି ଉପରେ ମହାତ୍ମା ଭୀମ ତାହାଙ୍କ ପତ୍ନୀ ଉପବିଷ୍ଟ ହୁଅନ୍ତି । ସପ୍ତାମୃତରେ ପଦକ୍ଷାଳନ ହୁଏ । ପରେ ଚନ୍ଦନ, ପୁଷ୍ପ, ଆଳତିକା ପ୍ରଭୃତିରେ ଉଭୟ ପତି ପତ୍ନୀଙ୍କୁ ଅର୍ଚ୍ଚନା କରାଯାଏ । ଅନନ୍ତର ଶିଷ୍ୟମାନେ ଦର୍ଶନ କରନ୍ତି । ସେମାନେ ଟୀକା କରନ୍ତି । ଟୀକାରୁ ସହସ୍ର ସହସ୍ର ମୁଦ୍ରା, ଗାଈ, ଧାନ ପ୍ରଭୃତି ସଂଗୃହୀତ ହୁଏ । ପରେ ସମସ୍ତେ ପଦୋଦକ ଗ୍ରହଣ କରି ନିଜ ନିଜ ସ୍ଥାନକୁ ଫେରି ଯାଆନ୍ତି । ମହାତ୍ମା ଭୀମଙ୍କ ମଠରେ ଶତାଧିକ ଶିଷ୍ୟ ଓ ପ୍ରଶିଷ୍ୟ ନିତ୍ୟ ଭୋଜନ କରି ରହୁଥିଲେ ।’’

 

‘‘ମହାତ୍ମା ଭୀମ ଭୋଇଙ୍କ ଅଦ୍ଭୁତ ଧର୍ମପ୍ରଚାର ଶ୍ରବଣ କରି ପୁରୀକ୍ଷେତ୍ରରୁ ଫେରୁଥିବା ଗୋଟିଏ ନାଗା ସନ୍ନ୍ୟାସୀଦଳ ମହାତ୍ମାଙ୍କ ସହିତ ଦେଖା କରିବାକୁ ଜୁଳୁଣ୍ଡାସ୍ଥିତ ମଠକୁ ଗଲେ । ଭୀମ ଭୋଇଙ୍କ ସହିତ ଧର୍ମ ସମ୍ବନ୍ଧେ କଥାବାର୍ତ୍ତା କରି ସନ୍ତୁଷ୍ଟ ହୋଇଥିଲେ । ମାତ୍ର ତାହାଙ୍କ ଶିଷ୍ୟମାନଙ୍କଠାରୁ ତାହାଙ୍କ ପୂଜାକ୍ରମ ଓ ପ୍ରଂଶସା ଶୁଣି ରୁଷ୍ଟ ଓ ଉତ୍ତେଜିତ ହେଲେ । ଭୀମ ଭୋଇଙ୍କ ମଠସ୍ଥିତ ଲୋକମାନଙ୍କୁ ଅନେକ ମାଡ଼ ମାଇଲେ । ଯେବେ ଅହିଂସାଧର୍ମୀ ଭୀମ ଭୋଇ କିଞ୍ଚିତ୍‌ ବିଚଳିତ ହୋଇ ଇଙ୍ଗିତ କରିଥାନ୍ତେ ବା ତାହାଙ୍କ ଦଳ କ୍ରୋଧୋନ୍ମତ୍ତ ହୋଇଥାନ୍ତେ ତେବେ ଗୋଟିଏ ପ୍ରକାଣ୍ଡ ଦଙ୍ଗା ହୋଇଥାନ୍ତା । ଭୀମ ଭୋଇଙ୍କ ପ୍ରତିହିଂସା କରିବାକୁ ଅନିଚ୍ଛୁକ ହୋଇ ନୀରବରେ ନାଗାମାନଙ୍କର ପ୍ରହାର ସହ୍ୟ କଲେ ଏବଂ ସେ ସ୍ଥାନ ତ୍ୟାଗ କରି ସୋନପୁର ସହରର ଏକମାଇଲ ଦୂରବର୍ତ୍ତୀ ପାଣିଶିଆଳୀ ଗ୍ରାମତୋଟାରେ ରହି ମଠ ନିମନ୍ତେ ଅନ୍ୟ ସ୍ଥାନ ଖଣ୍ଡିଏ ଦିଆଯିବାକୁ ମହାରାଜାଙ୍କୁ ପ୍ରାର୍ଥନା କଲେ । ମାଡ଼ ନିମନ୍ତେ ନାଲିସ୍‌ ଫେରାଦ୍‌ କରିବା ଦୂରେ ଥାଉ, କଥା ଉତ୍‌ଥାପିତ କଲେ ନାହିଁ । ତାତ୍କାଳିକ ମହାରାଜ ଧର୍ମାତ୍ମା ଶ୍ରୀପ୍ରତାପରୁଦ୍ର ସିଂହ ଦେବ ବାହାଦୂର ଭୀମ ଭୋଇଙ୍କ ଆକସ୍ମିକ ବିପଦ ଓ ସହିଷ୍ଣୁତା ଅବଗତ ହୋଇ ଦୁଃଖିତ ହେଲେ । ଭୀମ ଭୋଇଙ୍କ ଲୋକଙ୍କୁ ଡକାଇ ଆଣି ବହୁପ୍ରକାର ଆଶ୍ୱସନା ଦେଇ କିଛିଦିନ ରଖାଇଥିଲେ । ଶେଷରେ ଭୀମ ଭୋଇଙ୍କ ଅଭିମତକ୍ରମେ ରାଜଧାନୀରୁ ପାଞ୍ଚକ୍ରୋଶ ଦୂରର୍ବତ୍ତୀ ଖଲିଆପାଲି ଗ୍ରାମରେ ମଠ ପ୍ରସ୍ତୁତ କରିବାକୁ ଗୋଟିଏ ପ୍ରକାଣ୍ଡ ସ୍ଥାନ ନିର୍ଦ୍ଦେଶ କରି ଦେଲେ । ଆଉ ଗୃହାଦି ପ୍ରସ୍ତୁତି ନିମନ୍ତେ ଜଙ୍ଗଲରୁ ଗଛ ବାଉଁଶର ସାହାଯ୍ୟ ଦେଇଥିଲେ । ଏଠାରେ ପ୍ରକାଣ୍ଡ ମଠଗୃହ ପ୍ରସ୍ତୁତ ହେଲା । ମହାତ୍ମା ଭୀମ ଖଲିଆପାଲିରେ ପୂର୍ବାପେକ୍ଷା ସୁଖସ୍ୱଚ୍ଛନ୍ଦରେ ରହି ଦ୍ୱିଗୁଣ ବେଗରେ ଧର୍ମପ୍ରଚାର କଲେ । ମଠରେ ଅଧିକ ଶିଷ୍ୟ ରହି ସ୍ଥାୟୀଭାବରେ ଗୁରୁ ସେବାରେ ନିଯୁକ୍ତ ହେଲେ । ଶିଷ୍ୟମାନଙ୍କର ପ୍ରଦତ୍ତ ଉପାୟନ ଅର୍ଥ ନିତ୍ୟ ବ୍ୟୟ ନିମନ୍ତେ ଅନଟନ ହେଲା । ଭୀମ ଭୋଇଙ୍କ ପ୍ରଧାନ ଶିଷ୍ୟ ହରି ଓ ବାସୁଦେବ ପଣ୍ଡା ଆସି ବର୍ତ୍ତମାନ ମହାରାଜ ସାର୍‌ ଶ୍ରୀ ବୀରମିତ୍ରୋଦୟ ସିଂହ ଦେବ ଧର୍ମନିଧିଜ୍ଞାନଗୁଣାକର କେ, ସି. ଆଇ. ଇ. ରୁଲିଂ ଚିଫ୍‌ ସୋନପୁରଙ୍କ ନିକଟରେ ମହାତ୍ମାଙ୍କର କୃଷି କାର୍ଯ୍ୟ କରିବା ଅଭିପ୍ରାୟ ବ୍ୟକ୍ତ କରି କିଛି ଭୂମି ପାଇବା ପ୍ରାର୍ଥନା କଲେ । ମହାରାଜ ସେମାନେ ଯେତିକି ଭୂମି ଇଚ୍ଛା କଲେ ତେତିକି ଭୂମି ବନ୍ଦୋବସ୍ତ କରାଇ ଦେଲେ । ପୂର୍ବରୁ ଭୀମ ଭୋଇଙ୍କ ଅନେକ ଗାଈ ଥିଲେ । ଭୂମି ନିମନ୍ତେ ଅନେକ ହଳ ରଖି କୃଷି ଆରମ୍ଭ କଲେ । କୃଷି ନିମନ୍ତେ ବାହାରିଆ ଲୋକର ଦରକାର ହୋଇ ନାହିଁ । ଶିଷ୍ୟମାନଙ୍କ ମଧ୍ୟରୁ ଗାଈଚରୁଆ, ବଳଦଚରୁଆ, ଓ ହଳିଆ ନିଯୁକ୍ତ ରହି ତାଙ୍କ ତାଙ୍କ ମଧ୍ୟରେ କାର୍ଯ୍ୟ ସମ୍ପାଦନ କଲେ । ବର୍ଷକୁ ବର୍ଷ ପ୍ରଚୁର ପରିମାଣରେ ଧାନ, ମୁଗ, ଅରହଡ଼, ରାଶି, କୋଳଥ, ଆଖୁ ପ୍ରଭୃତି କୃଷିଜାତ ଶସ୍ୟ ଲାଭ ହେଲା । ତଦ୍ଦ୍ୱାରା ସଶିଷ୍ୟ ମହାତ୍ମାଙ୍କ ଜୀବନୋପାୟ ସୁଖସ୍ୱଚ୍ଛନ୍ଦରେ ନିର୍ବାହ ହେଲା । ମହାତ୍ମାଙ୍କ ଶିଷ୍ୟମାନେ ସମୟ ସମୟରେ ରାଜଧାନୀକି ଆସି ତାହାଙ୍କର ଯାହା ଅଭାବ ଅଭିଯୋଗ ତାହା ମହାରାଜଙ୍କୁ ଜଣାନ୍ତି ଓ ତହିଁର ପ୍ରତିକାର ଲାଭ କରନ୍ତି । ଶ୍ରୀ ମହାରାଜ ବିଧର୍ମୀ ବୋଲି ଘୃଣା ବା ଛଳ ନ ରଖି ସେମାନଙ୍କର ଯାବତ୍‌ ଅନୁରୋଧ ରକ୍ଷା କରିଥାନ୍ତି । ଗୋଟିଏ ସମ୍ପ୍ରଦାୟ ବୋଲି ସୁଦୃଷ୍ଟି ଦେଇଥାନ୍ତି ।

 

‘‘ଖଲିଆପାଲିରେ ଗ୍ରୀଷ୍ମକାଳରେ ଜଳର ଅଭାବ ହେଉଥିଲା । ଭୀମ ଭୋଇଙ୍କ ଅନୁରୋଧ କ୍ରମେ ମହାରାଜ ମଠ ନିକଟରେ ଗୋଟିଏ ବୃହତ୍‌ ଜଳାଶୟ କରାଇ ଦେଇ ଜଳାଭାବ ଦୂର କରିଅଛନ୍ତି ।’’ ଯେତେବେଳେ ମହାତ୍ମା ଭୀମ ଭୋଇଙ୍କ ଦେହାନ୍ତ ହେଲା, ତାହାଙ୍କ ଶିଷ୍ୟମାନଙ୍କ ପ୍ରାର୍ଥନା ମତେ ମହାରାଜ ଗୋଟିଏ ଇଷ୍ଟକନିର୍ମିତ ସମାଧି-ମନ୍ଦିର ପ୍ରସ୍ତୁତ କରିବାକୁ ଅନୁମତି ଦେଲେ । ଯାହା କି ବର୍ତ୍ତମାନ ପ୍ରକାଣ୍ଡ ଓ ଉଚ୍ଚ ମନ୍ଦିରଟିଏ ନିର୍ମାଣ ହୋଇଅଛି ।

 

‘‘ମହାତ୍ମା ଭୀମ କଥା କହିବା ବେଳେ ଅଧିକ ବିନୟ ଓ ନମ୍ରଭାବେ କହନ୍ତି । ମୁଁ କିଛି ନୁହେଁ, ଜଣେ ଭାଗ୍ୟହୀନ ଅନ୍ଧ, ଗୁରୁ କୃପାରୁ କିଛି ଧର୍ମକଥା କହି ପାରୁଅଛି ବୋଲି କହନ୍ତି ।’’ ମାତ୍ର ତାହାଙ୍କର ଶିଷ୍ୟମାନେ ଭୀମ ଭୋଇଙ୍କୁ ଈଶ୍ୱରାବତାର ବୋଲି ମନେ କରନ୍ତି ଓ ତଦନୁସାରେ ପୂଜାଦି ବିଧି କରନ୍ତି । ଏବେ ଭୀମ ଭୋଇଙ୍କର ସମାଧି-ମନ୍ଦିରରେ ରାଜବିଧି ଚଳୁଅଛି । ସେମାନେ ପ୍ରକାଶ କରନ୍ତି ଯେ ଗୁରୁଦେବ ଦିନେ ପୁନର୍ବାର ଚୈତନ୍ୟ ପ୍ରାପ୍ତ ହୋଇ ସମାଧିରୁ ଉଠିବେ ଓ ପୁଣି ପୂର୍ବବତ୍‌ ଧର୍ମପ୍ରଚାର କରିବେ । ବର୍ତ୍ତମାନକୁ ହରି ପଣ୍ଡା ପରଲୋକ ପ୍ରାପ୍ତ ହେଲେଣି । ବାସୁଦେବ ପଣ୍ଡା ଅଛନ୍ତି । ସେ ମହାତ୍ମାଙ୍କ ସମାଧି-ମନ୍ଦିରର ପ୍ରଧାନ ପୁରୋହିତ ହୋଇଅଛନ୍ତି । ଭୀମ ଭୋଇଙ୍କ ଭାର୍ଯ୍ୟା ଓ ପୁତ୍ରକନ୍ୟା ସହିତ ଅନେକ ଶିଷ୍ୟ ମଠରେ ରହୁଅଛନ୍ତି । ମାତ୍ର ଭୀମ ଭୋଇଙ୍କ ଦେହାନ୍ତ ହେବା ଦିନରୁ ଧର୍ମପ୍ରଚାର କ୍ରମେ କ୍ରମେ ହ୍ରାସ ହୋଇ ପଡ଼ୁଛି । ଇତି ।’’

 

Sd/ B. N. Sing Deo.

ଶ୍ରୀ ମହାରାଜ, ସ୍ୱର୍ଣ୍ଣପୁର

 

ପ୍ରଥମ ଅଧ୍ୟାୟ

ବନ୍ଦଇ ଯେ ଅଣାକାର ଅରୂପ ଶରୀର,

ଅନାମ ଅଦେହ ପ୍ରଭୁ ମହିମାସାଗର

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଅଲେଖ ପୁରୁଷ,

ବ୍ରହ୍ମନିରୂପଣ ଗୀତା କର ମୋତେ ଦୃଶ୍ୟ

ଆଜ୍ଞା ହେଲେ ନିଶବଦ ମନ୍ଦିରେ ପଶିବି,

କୁଞ୍ଚି ତାଲା ଦିଅ ହସ୍ତେ କବାଟ ଫେଡ଼ିବି

ଅଣଶେଷ ମହିଁମାରୁ ଆଣିମଇଁ ଭେଦ,

ବଖାଣିବି ଏ ସଂସାରେ ତୁମ୍ଭରି ସମ୍ପାଦ

ଏ କଳିଯୁଗରେ କୁମ୍ଭୀନର୍କେ ପଡ଼ିଯିବେ,

ବ୍ରହ୍ମନିରୂପଣ ଗୀତା ଶୁଣିଲେ ତରିବେ

 

ବୁଡ଼ିଗଲା ସତ୍ୟ ଧର୍ମ ହେଲା ଅସମୟ,

କି ପ୍ରକାରେ ପ୍ରାଣିମାନେ ତରିଯିବେ କହ

ଏ ନିମନ୍ତେ ଶ୍ରୀଛାମୁରେ ଲଗାଇଛି ଆଶା,

ଭୀମ ଅରକ୍ଷିତ ଚିତ୍ତେ କରିଛି ଭରସା

ଏତେବେଳେ ଏ ବ୍ରହ୍ମାଣ୍ଡେ ନାହିଁ ଆଉ ପୁଣ୍ୟ,

ମିଥ୍ୟା ପାତକରେ ସବୁ ହୋଇଗଲା ଶୂନ୍ୟ

ଏକାକ୍ଷର ବ୍ରହ୍ମ ଉଦେ ହେଲେ ଏ ମଣ୍ଡଳେ,

ଜୀବ ମୁକ୍ତିପଦ ହୋଇ କେହି ନ ଜାଣିଲେ

ନିଷ୍କାମ ବ୍ରହ୍ମ ପୁରୁଷ ନାହିଁ ତାଙ୍କ ମାୟା,

ରଜ ବୀର୍ଯ୍ୟ ନାହିଁ ନିର୍ଭା ହୋଇଅଛି କାୟା ୧୦

୧୦-୨ :-ବୀଜ-ପୋଥିରେ

 

ଯୋନିରେ ଜନମ ପିଣ୍ଡ ମାନବ ଶକତି,

କରୁଣା ପ୍ରକାଶ କର ଅଭୟ ଅଜ୍ୟୋତି ୧୧

ନିଜ ଶକତି ଆସନେ ବିଜେ କରିଅଛ,

ଅଶେଷ ବ୍ରହ୍ମାଣ୍ଡ କଥା ସମସ୍ତ ଜାଣୁଛ ୧୨

ପେଲି ପଶିବି ବୋଲୁଛି ଅବନା ମନ୍ଦିର,

ଭୋ ପ୍ରଭୁ ଅନାମ ବ୍ରହ୍ମ ମୋତେ କୃପା କର ୧୩

ଭରସା କରିଛି ମୁହିଁ ବ୍ରହ୍ମସାଗରକୁ,

ନିରନ୍ତରେ ଭୟ କରି ଗୁରୁପୟରକୁ ୧୪

ତାଳୁ କର୍ଣ୍ଣ ଚକ୍ଷୁ ଦନ୍ତ ନାସା ଜିହ୍ୱା ନାହିଁ,

ହସ୍ତ ପାଦ ନାହିଁ ମାତ୍ରା ବସାଇବି କାହିଁ ? ୧୫

 

ଅବ୍ୟଗତ ପୁରୁଷ ସେ ନ କହେ ବଚନ,

ଜନ୍ମବନ୍ଧ ନ ଲାଗଇ ନିଷ୍କାମ ନିର୍ଗୁଣ ୧୬

ଏଥୁଅନନ୍ତରେ ଶୁଣ ସାଧୁ ସୁଜ୍ଞ ନର,

ଶ୍ରୀଗୁରୁଙ୍କୁ ଚାହିଁ ପୁଚ୍ଛା କଲେ ନିରାକାର ୧୭

ସମ ଆସନରେ ବସି ଅମନ ସାଧନେ,

ଅନାଦି ବ୍ରହ୍ମକୁ ଚିନ୍ତା କରି ମନେ ମନେ ୧୮

 

ନିରାକାର ଉବାଚ

ନିରାକାର ପ୍ରଲମ୍ବିଲେ ଶ୍ରୀଗୁରୁଙ୍କ ପାଦ,

ବ୍ରହ୍ମସ୍ଥାନ ଘଟ ମଧ୍ୟେ ପଚାରନ୍ତି ଭେଦ ୧୯

ପାଏ ପଡ଼ି ଉଠି ଶିରେ କରପତ୍ର ଯୋଡ଼ି,

ପ୍ରସନ୍ନ ହୋଇଣ ମୋତେ କହ ଭେଦଧାଡ଼ି ୨୦

 

ଭୋ ଗୁରୁ ଗତି ମୁକତି ଜୀବର କରତା,

ଏ ପିଣ୍ଡ ବ୍ରହ୍ମାଣ୍ଡ ସ୍ୱାମୀ ଆଗ୍ୟାରେ ରଞ୍ଚିତା ୨୧

ଏ ଦେହରେ ଅଣରୂପ ବ୍ରହ୍ମ କାହିଁ ଅଛି

ସଂଶୟ ଫେଡ଼ିଣ ମୋତେ କହିଦିଅ ବାଛି ୨୨

କି ଅବା ସେ ଲଖ ଚକ୍ର ଅଙ୍ଗୁଷ୍ଠିରେ ଅଛି,

ଏ ବେନି ପୟର ଗଣ୍ଠି ଚକ୍ରରେ ଲୁଚିଛି ୨୩

କି ଅବା ସେ ଲଖ ଚକ୍ର ଆଣ୍ଠ ଚକ୍ର ପରେ,

ଅଣରୂପ ବ୍ରହ୍ମ ଅବା ଲୁଚିଛି ତହିଁରେ ୨୪

କି ଅବା ସେ ଜାନୁଚକ୍ର ଗୁହ୍ୟଚକ୍ର ଦୁଇ,

ଏଥି ଅବା ଅଣରୂପ ବ୍ରହ୍ମଅଛି ରହି ୨୫

 

କି ଅବା ସେ ଲିଙ୍ଗଚକ୍ର ଲାଭିର ଚକ୍ରରେ,

ଅଣରୂପ ବ୍ରହ୍ମ ଅବା ଅଛନ୍ତି ସେଠାରେ ୨୬

କି ଅବା ସେ ଊର୍ଦ୍ଧ୍ୱଚକ୍ର ହୃଦଚକ୍ରେ ବାସ,

ଏଥି ଅବା ବସିଛନ୍ତି ଅନାଦି ପୁରୁଷ ୨୭

କି ଅବା ସେ ବାହୁଚକ୍ର କଣ୍ଠଚକ୍ରେ ଅଛି,

ଅନାଦି ତ ବ୍ରହ୍ମ ଅବା ସେଠାରେ ରହିଛି ୨୮

କି ଅବା ସେ ଦନ୍ତଚକ୍ର ଜିହ୍ୱାଚକ୍ରେ ବ୍ରହ୍ମ,

ଗୁପତ ନ କରି ମୋତେ କହ ନିଜ ନାମ ୨୯

କି ଅବା ସେ ନାସାଚକ୍ରେ ତ୍ରିଅଚକ୍ରେ ଠାବ,

ଏଥିର ସନ୍ଦେଶ କଥା କହ ଗୁରୁଦେବ ୩୦

 

କି ଅବା ଶିଶୁମ୍ନାଚକ୍ର ସୁଷୁପ୍ତି ଚକ୍ରରେ,

ଅଣନିରୂପଣ ବ୍ରହ୍ମ ଅଛନ୍ତି ସେଠାରେ ୩୧

କି ଅବା ସେ ଭାଲଚକ୍ର କର୍ଣ୍ଣଚକ୍ରେ ଯାଇ,

ଏଥି ଅବା ବିଜେ କରିଛନ୍ତି ମହିଁମାଇ ୩୨

କି ଅବା ସେ ଶିରଚକ୍ର ବାୟୁଚକ୍ରେ ସ୍ଥିତି,

ଏଥି ଅବା ବିରାଜିତ ଅରୂପ ମୂରତି ୩୩

ଏ ଶରୀରେ ବାହ୍ୟମତେ ବ୍ରହ୍ମଅଛି କାହିଁ,

ନିର୍ଣ୍ଣୟ କରିଣ ମୋତେ କହିବା ଗୋସାଇଁ ୩୪

ଅଣରୂପ ବୋଲିବାର ରୂପବର୍ଣ୍ଣ କିସ,

ଯେମନ୍ତେ ହୋଇଣ ରୂପ ଥିବ ତ ଅବଶ୍ୟ ୩୫

 

ଗ୍ୟାନୀଜନମାନେ ଧ୍ୟାନ କରୁଛନ୍ତି ତାଙ୍କୁ,

ଅବଶ୍ୟ ତ ନେତ୍ରେ ଦେଖୁଥିବେ ସେ ବ୍ରହ୍ମକୁ ୩୬

ନିଶ୍ଚୟ ସେ ପାଉଛନ୍ତି ସଦଗ୍ୟାନ ଭେଦ,

ଜୀବ ଆତ୍ମା ପଞ୍ଚୁମନ ହେଉଅଛି ବୋଧ ୩୭

ପୂର୍ବର ସୁକୃତ ଥିଲେ ଲଭିବି ଚରଣ,

ଏ ପିଣ୍ଡ ପ୍ରାଣକୁ ମୋର କରିବି କାରଣ ୩୮

ହେତୁ ଚେତା ପାଉଛନ୍ତି କେବଣ ଯୋଗରୁ,

ସଂଶୟ ନ କରି ଫେଡ଼ି କହ ସେ ବ୍ରହ୍ମରୁ ୩୯

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,

ଅଣରୂପ ବ୍ରହ୍ମ ଅଣଆକାରେ ବେହାର ୪୦

 

ତାଳୁକା ଦୁଆର ଶିଖେ ଅଟେ ତାର ବାସ,

ବ୍ରହ୍ମରନ୍ଧ୍ର ଶିଖେ ଛନ୍ତି ଅଲେଖ ପୁରୁଷ ୪୧

ଶିଶୁ ରନ୍ଧ୍ରେ ରନ୍ଧ୍ର ବାଟ ଅଛି ସେ ଠାବକୁ,

ଆସିବା ଯିବା ହେଉଛି ସକଳ ସ୍ଥାନକୁ ୪୨

ବ୍ରହ୍ମ ଯେଉଁଠାରେ ଅଛି ନିଗମ ଭୁବନ,

ଅନ୍ଧାର ଉଜ୍ଜ୍ୱଳ ନୋହେ ନାହିଁ ରାତ୍ର ଦିନ ୪୩

ନିଶବଦ୍‌ ମନ୍ଦିର ସେ ନାହିଁ ଶବ୍ଦ ଭେଦ,

ରଜ ବୀର୍ଯ୍ୟ ନ ଲାଗଇ ନାହିଁ ବିନ୍ଦୁନାଦ ୪୪

ଜଳ ପବନର ତହିଁ ନାହିଁ ଗମାଗମ,

ତେଣୁକରି କହି ତାକୁ ଅଗମ୍ୟ ଦୁର୍ଗମ ୪୫

 

ସ୍ଥିତି ଉତ୍ପତ୍ତି ପ୍ରଳୟ କ୍ଷୁଧା ତୃଷା ନାହିଁ,

କାମନା କଳ୍ପଣା ବାଞ୍ଛା ନ ଥାଇ ସେଠାଇ ୪୬

ଜନ୍ମବନ୍ଧ ନାହିଁ ତହିଁ ନୋହେ ଆତଯାତ,

ବଚନ ସମସ୍ୟା ନାହିଁ ଅଟେ ଅବ୍ୟଗତ ୪୭

ହାଇ ଛାଇ ନ ଲାଗଇ ନିଦ୍ରା ମଇଥୁନ,

ଦିବସ ରଜନୀ ବାରି ନୋହେ ସେହୁ ସ୍ଥାନ ୪୮

ଅଣରୂପ ରୂପବର୍ଣ୍ଣ ଚିହ୍ନ ନାହିଁ କିଛି,

ଜ୍ୟୋତି ଭିତରେ ଅଜ୍ୟୋତି ଅଚିହ୍ନାରେ ଅଛି ୪୯

ଚନ୍ଦ୍ର ସୂର୍ଯ୍ୟ ନାହିଁ ତହିଁ ଶରଦ ଉଷୁମ,

ହେମ ନ ଭେଦଇ ତାକୁ ଶିଶିର ନସମ ୫୦

 

ନିର୍ବେଦ ଭୁବନ ସେ ଯେ ନ ବସଇ ବେଦ,

ଅର୍ଥ ନ ଚଳଇ ତହିଁ ନ ଲାଗେ ସମ୍ପାଦ ୫୧

ମନ୍ତ୍ର ଯନ୍ତ୍ର ନାହିଁ ତହିଁ ଔଷଧ ମୌଷଧି,

ଉପାୟ ରଞ୍ଚନା ନାହିଁ ନ ସ୍ଫୁରଇ ବୁଦ୍ଧି ୫୨

ଅମନ ମନ୍ଦିରେ ସେ ଯେ ନ ଗଳଇ ମନ,

ଗୀତା ଭାଗବତ ନାହିଁ ନାମ ସଂକୀର୍ତ୍ତନ ୫୩

ନୀଚ ଉଚ୍ଚ ନାହିଁ ତହିଁ ବାଛନ୍ଦ ବିକାର,

ସର୍ବ କର୍ମ ସମାଚାର ଅଟେ ଅବିକାର ୫୪

ପାପ ପୁଣ୍ୟ ନାହିଁ ତହିଁ ଅପରାଧ ଦୋଷ,

ସକାମୀ ନୁହନ୍ତି ସେ ଯେ ନିଷ୍କାମ ପୁରୁଷ ୫୫

 

ସ୍ତିରୀ ପୁରୁଷ ନୁହନ୍ତି ନୋହେ ବାଳ ବୃଦ୍ଧ,

ଦୂତି ପାଦ ନ ଚଳଇ ଅଛି ଏକ ପାଦ ୫୬

ମହାଶୂନ୍ୟ ଶୂନ୍ୟ ସେ ଯେ ନିର୍ଗୁଣ ଶରୀର,

ଏକାକ୍ଷର ନ ବସଇ ବସେ ଅଣାକ୍ଷର ୫୭

ଅଣାକ୍ଷର ଅଣମାତ୍ରା ଅଣ ନିଶବଦ,

ଶବଦର ଭେଦ ନାହିଁ ବ୍ରହ୍ମ ନିଜପଦ ୫୮

 

ନିରାକାର ଉବାଚ

ନିରାକାର ବୋଲୁଛନ୍ତି ଶୁଣିମା ଗୋସାଇଁ,

କେତେ ଲୋକ ସେ ଠାବକୁ ଗମାଗମ ନାହିଁ ୫୯

ତତ୍ତ୍ୱ କରି କେମନ୍ତେ ଜାଣିମା ତାର ଆଦ୍ୟ,

ଭେଦାଭେଦ କରି ମୋତେ କହ ନିଶବଦ ୬୦

 

ତହିଁର ଆସ୍ତାନ କେତେ ଦୀର୍ଘ ପ୍ରତି ଅଟେ,

ଶ୍ରୀମୁଖରୁ ଶୁଣିଥିବି ବେନିକର୍ଣ୍ଣପୁଟେ ୬୧

ଅଣରୂପ ବ୍ରହ୍ମରୂପ ଅବଶ୍ୟ ତା ଥିବ,

ସ୍ୱରୂପ ନ ଥାଇ ଭେଦ କି ପ୍ରକାରେ ହେବ ୬୨

ଅଲେଖ ବୋଲିଣ ସେ ଯେ ବ୍ରହ୍ମ ବୋଲାଇଲା,

ବିରଞ୍ଚନାକୁ ରଞ୍ଚନା କି ପ୍ରକାରେ କଲା ୬୩

ଏଥିରେ ସନ୍ଦେଶ ମୋତେ କହ ଗୁରୁଦେବ,

ଶ୍ରୀମୁଖରୁ ଶୁଣି ମନ ସଂଶୟ ତୁଟିବ ୬୪

ଏତେ ବୋଲି ନିରାକାର ଶ୍ରୀକର ପ୍ରସାରି,

ପାଦ ଧରି ପଚାରିଲେ ଧୀରେ ଧୀରେ କରି ୬୫

 

ପ୍ରଳମ୍ବିତ ବିନତି ତ କରି ଶ୍ରୀପୟରେ,

ବେନି ନେତ୍ରୁ ଅଶ୍ରୁଧାର ବହେ ନିରନ୍ତରେ ୬୬

ଶ୍ରୀଗୁରୁ କରତା ଗତି ପତି ପିତା ମାତା,

ତୁମ୍ଭ ବିନା ଏ ଜୀବକୁ କେ କରିବ ଚେତା ୬୭

ଏ ପିଣ୍ଡ ପ୍ରାଣରେ କିଛି ନାହିଁ ନା ସଂଶୟ,

ବ୍ରହ୍ମନିରୂପଣ ଭେଦ ଏ ଦେହରେ କହ ୬୮

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,

ବ୍ରହ୍ମନିରୂପଣ ଭେଦ ଅତି ଅଗୋଚର ୬୯

ଠୁଳରୂପୀ ବିଷ୍ଣୁ କି ପାଇବ ଜଣାନନ୍ଦ,

ସାବଧାନ ହୋଇ ତୁ ଗୋ ଶୁଣ ଆଦିକନ୍ଦ ୭୦

 

ଶୂନ୍ୟ ହୋଇ ଭୂମିଖଣ୍ଡେ କିଛି ଦିନ ଥାଇ,

ପୋଖରୀ ଭିଆଇ ମୃତ୍ତିହୁଡ଼ା ଟେକି ଦେଇ ୭୧

ହୁଡ଼ାର ଗଭୀରେ ଜଳ ପୂରଇ ବହୁତ,

ଜଳର ଭିତରେ ମୀନ ଖେଳଇ ଯେମନ୍ତ ୭୨

ମୀନ ଗର୍ଭେ ଯେଉଁ ରୂପେ ଜୀବ ଆତ୍ମା ଅଛି,

ସେହିରୂପେ ଏ ଘଟରେ ବ୍ରହ୍ମଟି ଖେଳୁଛି ୭୩

ପଇଡ଼ ବୀଜକୁ ଭୂମି ମଧ୍ୟରେ ରୋପିଣ,

ବୃକ୍ଷ ଅଙ୍କୁରଇ ତହିଁ ପାଇ ଆଭରଣ ୭୪

ଦୀର୍ଘ ପ୍ରତି ଶାଖା ହୋଇ ଧରେ ପତ୍ର ପୁଷ୍ପ,

ପୁଷ୍ପତୁଳେ କଢ଼ି ଲାଗି ଫଳ ପରକାଶ ୭୫

 

ଲତା ଲାଗି କତା ତାର ଖପରରେ ଯୋଡ଼ି,

ଖପରକୁ ଘେନି ରସ ଗୁଦାହିଁ ନ ଛାଡ଼ି ୭୬

ଗୁଦାକୁ ଘେନିଣ ଜଳ ପୂରିଅଛି ତହିଁ,

ଭୂମିରୁ ଆକାଶ ଜଳ ବୃକ୍ଷ ଦେହେ ଯାଇ ୭୭

ଯେସନେକ ପଇଡ଼ ଭିତରେ ଥାଇ ଅମ୍ବୁ,

ସେହିରୂପେ ବ୍ରହ୍ମଜ୍ଞାନ ଘଟେ ଅଛି ବାବୁ ୭୮

ଦୁଲଭ ଜନମ ପିଣ୍ଡ ସବୁଠାରୁ ସୁଖ,

ଜନ୍ମ ମରଣଟି ଏ ଦେହକୁ ବଡ଼ ଦୁଖ ୭୯

ରୋମମାନ ଅଙ୍କୁରିଛି ଚରମକୁ ଘେନି,

ମୂଳମାନଙ୍କରେ ଗୁନ୍ଥା ହେଉଛି ମେଦିନୀ ୮୦

 

ଚର୍ମଗୋଟି ରୁଧିରକୁ ରଖିଛି ଘୋଡ଼ାଇ,

ଶିରମାନ ପନ୍ଥିଅଛି ସୂତ୍ରରେ ମଡ଼ାଇ ୮୧

ରୁଧିର ପୂରିଛି ତହିଁ ମାଉଁସକୁ ଘେରି,

ଶିରମାନଙ୍କେ ପବନ ଫେରୁଅଛି ଧରି ୮୨

ମାଏଁସ ଲାଗି ରହିଛି ଅସ୍ଥିର ଦେହରେ,

ଯତନରେ ଲିପିଅଛି ରଜର ପାକରେ ୮୩

ଅସ୍ଥିର ଭିତରେ ଶିଶୁରନ୍ଧ୍ରେ ବାଟ ଅଛି,

ଅଣରୂପ ପୂର୍ଣ୍ଣବ୍ରହ୍ମ ଗୁପତେ ଖେଳୁଛି ୮୪

ଶୁଣିଲୁ କି ନିରାକାର ଶରୀର ବୃତ୍ତାନ୍ତ,

ଅରୂପ ବ୍ରହ୍ମ ଘଟଣା ଭେଦ ଆତଯାତ ୮୫

 

ଗ୍ୟାନୀଜନ ବାହ୍ୟମତେ ହେଉଥାନ୍ତି ଭ୍ରମ,

ଘଟ-ବ୍ରହ୍ମକୁ ନ ଚିହ୍ନି କରୁଥାନ୍ତି କର୍ମ ୮୬

ଜଣାନନ୍ଦ ବୁଝାଇଲେ ଶିଷ୍ୟଙ୍କ ଆଗର,

ଶୁଣିକରି ସନ୍ତୋଷ ହୋଇଲେ ନିରାକାର ୮୭

ସାଧୁଜନ ଚରଣେ ପଶୁଛି ଶରଣ,

କୃପାନେତ୍ରେ ଚାହିଁ ଦେବ କୁଶଳ-କଲ୍ୟାଣ ୮୮

ଅଣରୂପ ବ୍ରହ୍ମ ଭେଦ କି ପାଇବି ଲେଶ,

ଦୟା କରିଥିବ ମୋତେ ପଣ୍ଡିତ ପୁରୁଷ ୮୯

ଗୁରୁଶିଷ୍ୟଙ୍କ ସମ୍ପାଦ ପ୍ରବନ୍ଧ ପ୍ରକାଶ,

ବ୍ରହ୍ମ-ନିରୂପଣ-ଗୀତା ଭଣେ ଭୀମଦାସ ୯୦

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା ସୁଜନଜନ ହିତା

ଗୁରୁଶିଷ୍ୟସମ୍ବାଦେ, ଅନାମ ବ୍ରହ୍ମ

ଆତଯାତ ବର୍ଣ୍ଣନେ ନାମ

ପ୍ରଥମୋଽଧ୍ୟାୟଃ

 

ଦ୍ୱିତୀୟ ଅଧ୍ୟାୟ

ନିରାକାର ଉବାଚ

ଶ୍ରୀଗୁରୁଙ୍କ ମୁଖକୁ ଚାହିଁଣ ନିରାକାର,

ପାଏ ପଡ଼ି ଉଠି ଶିରେ ଯୋଡ଼ି ବେନି କର

ଭୋ ଗୁରୁ ଗୋସାଇଁ ମୋତେ କରୁଅଛ ମାୟା,

ଆମ୍ଭଠାରେ ଲେଶେ ତୁମ୍ଭ ନାହିଁକି ସୁଦୟା

ବେଦାନ୍ତ ମାର୍ଗରେ ଯେ କହିଲ ନାନାମତେ,

ସଂଶୟ ଲାଗିଲା ମନେ ନ ଗଲା ପରତେ

ଅନେକ ପ୍ରକାରେ ଶ୍ରୁତି ବିଚାର କହିଲ,

ବ୍ରହ୍ମ-ନିରୂପଣ ଭେଦ ଗୁପତେ ରଖିଲ

ତୁମ୍ଭେ ଯେ ଆମ୍ଭର ଗୁରୁ ପିଣ୍ଡ ମୋକ୍ଷକାରୀ,

ମହାମନ୍ତ୍ର କର୍ଣ୍ଣମୂଳେ କହୁଛ ବିସ୍ତାରି

 

ଅମୋକ୍ଷା ପିଣ୍ଡକୁ ସ୍ୱାମୀ ମୋକ୍ଷା କରାଉଛ,

ସଦବ୍ରହ୍ମଜ୍ଞାନ ମୋତେ କିପାଁ ନ କହୁଛ

ଲୁଚାଇ ଥୋଇଛ ମୋତେ କରୁଛ କପଟ,

ଗୁରୁ ଆଗ୍ୟାଁ ପାଳି ସିନା ପଶନ୍ତି ବୈକୁଣ୍ଠ

ବୈକୁଣ୍ଠ ମହିମା କଥା କହ ଗୁରୁଦେବ,

ଅପ୍ରତିଆ ମନେ ମୋର ଶୁଣି ପ୍ରତେ ଯିବ

ସଦା ଅପରାଧୀ ମୋର ନାହିଁ ଗ୍ୟାନ ବୁଦ୍ଧି,

ତୁମ୍ଭେ ମୋର ଗୁରୁଦେବ କରୁଣା ବାରାଧି

ସତ୍ୟ ତଥ୍ୟ କରି ଫେଡ଼ି କହ ମୋ ଆଗର,

ଅଣରୂପ ବ୍ରହ୍ମ କିସ ଅନାଦି ଶରୀର ୧୦

 

ମହିମା ସାଗର ବ୍ରହ୍ମ କେମନ୍ତ ସ୍ୱରୂପ,

ନିର୍ଣ୍ଣୟ କହିବ ମୋତେ ନ କରିବ ଗୋପ୍ୟ ୧୧

୬-୧:- ଅମୂକ୍ଷା; ମୂକ୍ଷ-ପାଠ ପୋଥିରେ ଅଛି

 

ଶ୍ରୀଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,

ବ୍ରହ୍ମ-ନିରୂପଣ ଭେଦ ଅତି ଅଗୋଚର ୧୨

ଅଶ୍ରୁତି ଅମୂର୍ତ୍ତିପଦ ମହାବ୍ରହ୍ମ ସେହି,

ନିରୂପଣ କଲେ ଶୁଷ୍କ ତରୁ ପଲ୍ଲବଇ ୧୩

ପାଷାଣ ହୁଅଇ ପାଣି, ଦୁବ ହୁଏ ଦାରୁ,

ଗିରିମାନେ ବଢ଼ିଯାନ୍ତି ପାଲଟନ୍ତି ମେରୁ ୧୪

ମୃତଶବ ହୋଇଥିଲେ ପଶଇ ପରାଣ,

କଳା କମଳ ହୁଅଇ ଧବଳ ବରଣ ୧୫

 

ବିନା ମେଘେ ଆକାଶରୁ ବରଷଇ ଜଳ,

ଜୀବକୁ ଆକ୍ରୋଶି ଥିଲେ ଘୁଞ୍ଚିଯାଏ କାଳ ୧୬

ବୃଦ୍ଧ ଅଙ୍ଗ ଯୁବା ଅଙ୍ଗ ହୁଏ ଦିନୁ ଦିନ,

କେଶବାଳ ପାଚିଥିଲେ କଳା ହୁଏ ଜାଣ ୧୭

ପଙ୍ଗୁ ଗିରିବର ଲଙ୍ଘି ଯାନ୍ତି ଏ ଧର୍ମରେ,

ଚିତ୍ତ ମଜ୍ଜାଇ ପାରିଲେ ଅରୂପ ବ୍ରହ୍ମରେ ୧୮

ଜଡ଼ା ବୃକ୍ଷ ହୋଇ ଯାଇ ଅଗର ଚନ୍ଦନ,

କାଲ ହୋଇଥିଲେ କର୍ଣ୍ଣେ ଶୁଭଇ ବଚନ ୧୯

ଅନ୍ଧ ହୋଇଥିଲେ ଚକ୍ଷୁ ଦିଶଇ ନିଶ୍ଚଏ,

ମହାପାପୀ ହୋଇଥିଲେ ପାପ ଯିବ କ୍ଷଏ ୨୦

 

ଶୁଖା ଭୂମି ଓଦା ଯେ ହୋଇବ ବସିଥିଲେ,

ରୋମ ପୁଲକିବ ବ୍ରହ୍ମନିରୂପଣ କଲେ ୨୧

ଲୁହାମୁଣ୍ଡା ହୀରା ହେବ ବ୍ରହ୍ମନିରୂପଣେ,

ଖପର ହୋଇବ ସୁନା ଅନାମ ବଚନେ ୨୨

ନାଗଗରଳ ପ୍ରତକ୍ଷେ ହୋଇବ ଅମୃତ;

ଅଣରୂପ ବ୍ରହ୍ମଭେଦ ମହିମା ଏମନ୍ତ ୨୩

ମହୁରାବିଷ ହୋଇବ ଅମର ମୌଷଧି,

ଅନାମ ଅରୂପ ବ୍ରହ୍ମ ଯେ ପାରିବ ଭେଦି ୨୪

ଶସା ପହଁରିବ ଯେ ଅଗାଧ ସିନ୍ଧୁଜଳେ,

ଷୋଲ ପେଣ୍ଡା ପରା ଏକ ଲାଗିବ ସେ କୂଳେ ୨୫

 

ନିର୍ଜୀବ କାଷ୍ଠପିତୁଳୀ ଜୀବନ୍ୟାସ ହେବ,

ନିଶବ୍ଦ ଶବ୍ଦ ଭେଦିଲେ ବଚନ କହିବ ୨୬

ଅସଙ୍ଗାଗାଈ ଚିରରେ ପହ୍ନାଇବ କ୍ଷୀର,

ନିର୍ଝର ଝରରୁ ଯେ ବହଇ ଝରଝର ୨୭

ଅବସନ୍ତରେ ଶୀତଳ ବହିବ ପବନ;

ଫଟା କୁଡ଼ିଆ ହୋଇବ ନୂଆ ନବତନ ୨୮

ବଜ୍ର ଦଧି ପ୍ରାଏ ହେବ ହସ୍ତ ମାରି ଦେଲେ,

ଅରୂପ ଅନାମ ବ୍ରହ୍ମ ଭେଦାଭେଦ କଲେ ୨୯

ଜଳର ଭିତରୁ ମୀନ କୂଳକୁ ଆସଇ,

ଗିରି ପର୍ବତରେ ପଦ୍ମଫୁଲଏ ଫୁଟଇ ୩୦

 

ମହାବ୍ରହ୍ମ ମହିମାର ଏମନ୍ତ ପ୍ରତାପ;

ତେଣୁକରି ବୋଲାଉଛ ଅନାଦି ଅରୂପ ୩୧

ଅହି ସର୍ପକୁ ମଣ୍ଡୁକି ମୁଖେ ଦେବ ଚୁମ୍ବ,

ମଞ୍ଜାରି କୋଳରେ ମୂଷା ଶୟନ କରିବ ୩୨

ସଞ୍ଚାଣ ପାରା ଏ ଦୁହେଁ ହୋଇବେ ସଂଯୋଗ,

ବ୍ରହ୍ମନିରୂପଣ ଭେଦ ଏମନ୍ତ ସ୍ୱଭାବ ୩୩

ବ୍ୟାଘ୍ର ଛେଳି ହୋଇ ଏକ କୋଠାରେ ଭକ୍ଷିବେ,

ସିଂହ ଯେ ଶୃଗାଳ ନୃତ୍ୟ ଗୀତହିଁ କରିବେ ୩୪

ଶତ୍ରୁ ଭଗାରି ଏକାନ୍ତ ବସିବେ ଯେ ମିତ୍ର,

ଗୁରସ୍ତ ଭାରିଯା ହୋଇଯିବେ ମାତା ପୁତ୍ର ୩୫

 

ଅନଳ ପତଙ୍ଗ ହେବେ ଏକାଙ୍ଗ ପୀରତି,

ଯମକୁ ଦେଖିଯିବ ସେ ମାଗିବ ସୁରତି ୩୬

ହସ୍ତୀ ସଙ୍ଗତରେ ମୂଷା ହୋଇବ ସମାନ,

କର୍ଣ୍ଣରେ ଶୁଣିବେ ଯେବେ ବ୍ରହ୍ମନିରୂପଣ ୩୭

ଲବଣ କର୍ପୂର ହେବେ ବହିବ ଶୀତଳ,

ମଧୁର ଜାତ ହୋଇବ ଲିମ୍ବବୃକ୍ଷ ଡାଳ ୩୮

ତେତେବେଳେ ଗୁରୁଶିଷ୍ୟ ବାରଣ ନ ଯିବେ,

ପାଶେ ବସିଥିଲା ଲୋକ ସିଦ୍ଧାନ୍ତ ହୋଇବେ ୩୯

ବାଞ୍ଝସ୍ତିରୀଗର୍ଭେ ହୋଇଯିବେ ପୁତ୍ର ଜାତ,

ଅରୂପ ବ୍ରହ୍ମର ଭେଦ ଶୁଣିଲେ ଚରିତ୍ର ୪୦

 

ଦରିଦ୍ରକୁ ଅଷ୍ଟରତ୍ନ ପରାପତ ହେବ,

ଶୂନ୍ୟବ୍ରହ୍ମଙ୍କ ଚରିତ ଯୁଗେ ଯୁଗେ ଥିବ ୪୧

ମହାପାପୀ ସ୍ୱଦେହରେ ହୋଇବ ମୁକତ,

ବ୍ରହ୍ମନିରୂପଣ ଭେଦ ଶୁଣିଲେ ଅରଥ ୪୨

ମାତାକୁ ହରଣ କରିଥିବ ଯେଉଁ ଲୋକ,

ଏ ଗୀତା ଶୁଣିଲେ ତାର କ୍ଷୟ ଯିବ ପାପ ୪୩

ବ୍ରହ୍ମହତ୍ୟା କରିଥିଲେ କଟିଯିବ ଦୋଷ,

ବ୍ରହ୍ମଭେଦ କର୍ଣ୍ଣେ ଯେବେ ହୋଇବ ପ୍ରକାଶ ୪୪

ସ୍ତିରୀହତ୍ୟା କରିଥିଲେ ହୋଇବ ଉଧାର,

ତଦନ୍ତ କରି ବୁଝିଲେ ଦୋଷ ଯିବ ତାର ୪୫

 

ବାଳହତ୍ୟା କରିଥିଲେ ପାତକ ଖଣ୍ଡିବ,

ମରିଗଲେ ଅନ୍ତକାଳେ ଯମ ନ ଦଣ୍ଡିବ ୪୬

ଗୋରୁ ହତ୍ୟା କରିଥିଲେ ପାପଯିବ କ୍ଷଏ,

ଦାନ ପୁଣ୍ୟ କରିବାକୁ ନ ଥିବ ସଂଶଏ ୪୭

ଅପରାଧି ହୋଇଥିଲେ କ୍ଷମାହେବ ଦୋଷ,

ଗୁରୁହେଲେ ବୋଲିବେ ଏହିଟି ମୋର ଶିଷ୍ୟ ୪୮

ଶୁଣିଲୁ କି ନିରାକାର ବ୍ରହ୍ମର ମହିମା,

ବୁଝି ନ ପାରିଲେ ଭେଦ ପଶ୍ଚାନ୍ତେ କହିବା ୪୯

ଅରୂପ ବ୍ରହ୍ମଟି ଯୋଗୀମାନଙ୍କର ଭେଖ,

ସର୍ପ ପରାଏ ଯୋଗରୁ ଛାଡ଼ୁଛନ୍ତି ଜକ ୫୦

 

ମୂର୍ଖ ପଣ୍ଡିତ ହୋଇବ ବୁଝିଲେ ଏ ଭେଦ,

ଅନାମବ୍ରହ୍ମରୁ ଆଣ ପ୍ରକାଶିବ ପଦ ୫୧

ଦୁଷ୍ଟ ହୋଇଥିଲେ ଶାନ୍ତଶୀଳ ହୋଇଯିବ,

ସର୍ବକର୍ମ ତେଜି ଏକ ପାଦକୁ ଲଭିବ ୫୨

ଅଗ୍ୟାନୀ ହୋଇଲେ ଗ୍ୟାନ ପାଇ ତତକ୍ଷଣ,

ବ୍ରହ୍ମନିରୂପଣ ଭେଦ ଏମନ୍ତ ବିଧାନ ୫୩

ଅୠତୁରେ ଚତୁଫଳ ଫଳିବ ପ୍ରତକ୍ଷେ,

ଚାଣ୍ଡାଳ ହୋଇଲେ ବେଦ ଉଚ୍ଚାରିବ ମୁଖେ ୫୪

ବିନାମାଡ଼େ ବାଜିଯିବ ଟମକ ନିଶାଣ,

ଦୁଲୁ ଦୁଲୁ ହୋଇ ଗରଜିବ ମହାଟାଣ ୫୫

 

ଚାହିଁଦେଲେ ହୋଇଯିବ ସୁବର୍ଣ୍ଣ ମନ୍ଦିର,

ଆଗ୍ୟାଁକୁ ରଖିପାରିଲେ ହୋଇବ ଅମର ୫୬

ଜନ୍ମ ମରଣ ନୋହିବ ଯୁଗେ ଯୁଗେ ଥିବ,

ବ୍ରହ୍ମବିନ୍ଦୁ ନାଦହିଁ ପାଷାଣ ପାଲଟିବ ୫୭

କାୟା ଦୁର୍ବ୍ବଳ ନୋହିବ ପାଇ ଗ୍ୟାନତତ୍ୟୁ,

ଯୁଗ ଯୁଗାନ୍ତରେ ଆଉ ନ ବୁଡ଼ିବ ହେତୁ ୫୮

ମୁଖରୁ ବ୍ରହ୍ମ ଅନଳ ଉଦେ କରି ପାରେ,

ଫୁଙ୍କିଦେଲେ ଜଳିଯିବ କଞ୍ଚାକାଷ୍ଠ ଖରେ ୫୯

ହାଡ଼ି ହୋଇଲେ ବ୍ରାହ୍ମଣ ହୋଇବ ନିଶ୍ଚଏ,

କୋଟି ଜନ୍ମ ଦୋଷ ମୁହୂର୍ତ୍ତକେ ଯିବ କ୍ଷଏ ୬୦

 

ସୂତାର ବସନ ଛିଡ଼ା କନା ପିନ୍ଧିଥିଲେ,

ଝୀନ ପାଟ ହେବ ବ୍ରହ୍ମନିରୂପଣ କଲେ ୬୧

କବିପଣ ହୋଇଯିବ ପଣ୍ଡିତ ସମାନ,

ଅଙ୍ଗେ ବିଜୟେ କରିବେ ବ୍ରହ୍ମନାରାୟଣ ୬୨

ଚନ୍ଦ୍ରକିରଣ ପରାଏ ବିରାଜିବ ମୁଖ,

ବିଦୁ ଝଟକ ପ୍ରାଏ ଦିଶିବ ବ୍ରହ୍ମରୂପ ୬୩

ସମୁଦ୍ର ଭିତରେ ଅଗ୍ନି ଲାଗିଯାଇ ପାରେ,

ମହାଜନ ହୋଇପାରେ ତିନିଭୁବନରେ ୬୪

ଛିଡ଼ିଗଲା ମୁଣ୍ଡ ଫେରି ଯୋଡ଼ି ହୋଇଯିବ,

ବ୍ରହ୍ମନିରୂପଣ ଭାବ ଏମନ୍ତ ସ୍ୱଭାବ ୬୫

 

ଉଠିଥିବ ଯେଉଁ ବ୍ରହ୍ମନିରୂପଣ ଧୁନି,

ଗୋରୁ ଖୋଜ ପରାଏକ ଦିଶିବ ଏ ଭୂମି ୬୬

ଯେଣିକି ଚାହିଁଲେ ସବୁ ଦିଶିବ ତିରଣ,

ଶକତିରେ ବସିବାକୁ ହୋଇବ ଭାର୍ଜନ ୬୭

ସାତତାଳ ଜଳେ ମାଡ଼ିଦେଲେ ଉବୁକିବ,

ବ୍ରହ୍ମନିରୂପଣ ଯେଉଁଠାରେ ହେଉଥିବ ୬୮

ସାତ କିଳିଣି କବାଟ ଖଞ୍ଜା ଫିଟିଯିବ,

ସାଙ୍କୁଳି ଥିଲେ ଚରଣେ ଖଣ୍ଡ ଖଣ୍ଡ ହେବ ୬୯

ଡର ଭୟ ଭ୍ରାନ୍ତି ନାହିଁ ଅଭୟ ଭୁବନ,

ଯେଉଁଠାରେ ଲାଗିଥିବ ବ୍ରହ୍ମନିରୂପଣ ୭୦

 

କ୍ଷୁଧା ତୃଷା ନ ଲାଗିବ ଭୁଞ୍ଜିଲା ପରାଏ,

ନାମ ଅରୂପ ବ୍ରହ୍ମ ଯେ ପୂରିଯିବ ଦେହେ ୭୧

ରୋଗ ବ୍ୟାଧି ଏ ଦେହରୁ ଯାଇପାରେ ଛାଡ଼ି,

ପଡ଼ି ଯେବେ ଥିବ ବ୍ରହ୍ମନିରୂପଣ ଧାଡ଼ି ୭୨

ନିର୍ବୁଦ୍ଧିଆ ଲୋକମାନେ ବୁଦ୍ଧିବନ୍ତ ହେବେ,

ବ୍ରହ୍ମନିରୂପଣ ଯେବେ କର୍ଣ୍ଣରେ ଶୁଣିବେ ୭୩

ଗୃହୀ ସଂସାରୀଏ ହୋଇଯିବେ ବ୍ରହ୍ମୠଷି,

ଭେଦ ନିରୂପଣ ଯେବେ ପାଶେ ଥିବ ବସି ୭୪

ବେଶ୍ୟା ସ୍ତିରୀମାନେ ହେବେ ସତୀ ସୁଲକ୍ଷଣୀ,

ନିଶ୍ଚଏ ସତ୍ୟ ଏ ବାବୁ ବ୍ରହ୍ମବାକ୍ୟ ବାଣୀ ୭୫

 

ଗ୍ରୀଷମ ଋତୁ ହୋଇଲେ ଶୀତ କରିଯିବ,

ବ୍ରହ୍ମନିରୂପଣ ଯେଉଁଠାରେ ହେଉଥିବ ୭୬

ଉଡ଼ା ଜନ୍ତୁମାନେ ହସ୍ତେ ଧରା ଦେବେ ଆସି,

ଅନ୍ଧାର ନିଶିରେ ନିଶ୍ଚେ ଉଇଁଯିବ ଶଶୀ ୭୭

ଘୃତ ଅଗ୍ନି ହୋଇଯିବେ ଦୁଇ ମଇତର,

ବ୍ରହ୍ମନିରୂପଣ ଭେଦ ଶୁଣିଲେ ବିଚାର ୭୮

ଖଗ ସର୍ପ ହୋଇଯିବେ ବାନ୍ଧବ ପ୍ରମାଣ,

ବ୍ରହ୍ମନିରୂପଣ ଭେଦ ଚରିତ୍ର ବଖାଣ ୭୯

ଅମର ଭୁବନ ବୋଲି ଅଛି ଆର କାହିଁ,

ଶୂନ୍ୟ ସ୍ଥାନମାନଙ୍କୁ ବୈକୁଣ୍ଠ ବୋଲି କହି ୮୦

 

ଯା ଦେହରେ ଲାଗିଥିବ ପରମ କୀର୍ତ୍ତନ,

ସେହି ଏକା କରିପାରେ ବ୍ରହ୍ମନିରୂପଣ ୮୧

କର୍ଣ୍ଣେ ଶୁଣି ନିରାକାର ମନେ ହେଲେ ତୋଷ,

ଗୁରୁଶିଷ୍ୟ ସମ୍ବାଦେ ଭଣିଲେ ଭୀମଦାସ ୮୨

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ ଗୀତା, ସୁଜନଜନହିତା,

ଗୁରୁ-ଶିଷ୍ୟସମ୍ବାଦେ, ବ୍ରହ୍ମଭେଦ କଥନେ

ନାମୋ ଦ୍ୱିତୀୟୋଽଧ୍ୟାୟଃ

 

ତୃତୀୟ ଅଧ୍ୟାୟ

ଶ୍ରୀ ଗୁରୁଦେବ ଉବାଚ

ଶୁଣ ବାବୁ ନିରାକାର ବ୍ରହ୍ମର ବୃତ୍ତାନ୍ତ,

ଆଦ୍ୟ ଅନ୍ତ କରି ତୋତେ କହିବା ସିଦ୍ଧାନ୍ତ

ଅରୂପ ବ୍ରହ୍ମର କଥା ପଚାରିଲୁ ଯେବେ,

ସାବଧାନ ହୋଇ ଶୁଣ କହିଦେବା ଏବେ

ସତ୍ୟ ତତ୍ତ୍ୱ ଦୃଢ଼ବ୍ରତ ପାରି ଯେବେ କରି,

ହେତୁ ଚେତା ଘେନି ସ୍ୱଦେହରେ ଯିବ ତରି

ଗୋରୁ ଶିଙ୍ଘ ଅଗ୍ରପ୍ରାଏ ତହିଁର ଆସ୍ଥାନ,

ତାଳୁକା ଦୁଆର ଶିଖେ ଶିଶୁରନ୍ଧ୍ରେ ମୁନ

ଫଣୀ ପରେ ମଣି ତହିଁ ନିର୍ଭା ହୋଇଅଛି,

ସେ ଭିତରେ ଅଣରୂପ ବ୍ରହ୍ମ ଖେଳୁଅଛି

 

ଛେଚିଲେ ନ ଫାଟେ ମଣି ଛେଦିଲେ ନ କାଟେ,

ଅଗ୍ନିରେ ନ ପୋଡ଼େ ମଣି ପବନେ ନ ଉଡ଼େ

ଜଳେ ନ ବୁଡ଼ୁଛି ଗନ୍ଧ ପ୍ରକଟ ନୋହୁଛି,

ବଜ୍ରହୁଁ କଠିନ ମଣି ମହା ଆଣ୍ଟେ ଅଛି

ସେ ମଣିକି ଏକାକ୍ଷର ବ୍ରହ୍ମ ବୋଲି କହି,

କବି ବିଚାରକୁ ଭେଦ ଏମନ୍ତ ଦିଶଇ

ଏକ ଧର୍ମ ଏକ ବ୍ରହ୍ମ ଏକ ଭେଦ ତାର,

ସେ ଗର୍ଭରେ ଶୂନ୍ୟ ବ୍ରହ୍ମ କରନ୍ତି ବେହାର

ଅଣଅକ୍ଷର ଅଲେଖ ପୁରୁଷ ଅଟଇ,

ଅନାମ ଅରୂପ ବ୍ରହ୍ମ ତାହାକୁଟି କହି ୧୦

 

ମଥା କେଶ ଗୋଟା ଏକ ଚାରିଫାଳ କରି,

ତହିଁରୁ ଫାଳେକ ଯେତେ ମୋଟା ସମସରି ୧୧

ତେଡ଼େ ସରୁ ଅଣରୂପ ବ୍ରହ୍ମର ଶରୀର,

ନେତ୍ରରେ ଦିଶୁଛି ନାହିଁ ଦିଶିଲା ପ୍ରକାର ୧୨

ଆବାଲ୍ୟ ମୂରତି ବ୍ରହ୍ମ ସେହି ଏକା ଅଟେ,

ଆସିବା ଯିବା ହେଉଛି କେଶ ମୂଳ ବାଟେ ୧୩

ଅଲେଖ ବ୍ରହ୍ମର ବାଟ ଊର୍ଦ୍ଧ୍ୱକୁ ଫିଟିଛି,

ତାଳୁକା ଦୁଆରେ ଅବକାଶ ହେଉଅଛି ୧୪

ତହିଁରୁ ଆହୁରି ସରୁ ହେବ ଯାର ଚିତ୍ତ,

ଅରୂପ ବ୍ରହ୍ମର ସିନା ହୋଇବ ଭଗତ ୧୫

 

ମନକୁ ମୋଟୁଆ କଲେ କାହିଁରେ ପଶିବ,

ନିଗମର ଭେଦାଭେଦ କେମନ୍ତେ ଦିଶିବ ୧୬

ଗ୍ୟାନ ନେତ୍ରେ ଚାହିଁବାକୁ ବଡ଼ାଇ ଦୁର୍ଗମ,

ବିବେକ ବୁଦ୍ଧିରେ କେହି ନାହିଁ ଗମାଗମ ୧୭

ଚିହ୍ନିବି ବୋଇଲେ ଚିହ୍ନା ନ ଦିଏ କାହାକୁ,

ନିଗମ ଭିତରେ ହଜି ଯାଇଛି ମନକୁ ୧୮

ଲେଉଟି ନ ଚାହେଁ ସେ ଯେ ଅପାଲଟ ବ୍ରହ୍ମ,

ଥୟରେ ଭେଟିବ ତାଙ୍କୁ ଘେନି କେଉଁ କର୍ମ ୧୯

ତତ୍ତ୍ୱ ବୁଝି ଆଶ୍ରେ କଲେ ତରିବା ହେଉଛି,

ଚାରି ଯୁଗରେ କାହାକୁ ଦେଖା ନ ଦେଉଛି ୨୦

 

ସର୍ବଠାରୁ ସାର ବ୍ରହ୍ମ ଅଲଗା ରହିଛି,

ଏକୋଇଶ ବ୍ରହ୍ମାଣ୍ଡରୁ ଛଡ଼ାଇ ହୋଇଛି ୨୧

ଅତି ସୁକୁମାର ବ୍ରହ୍ମ କଷଣ ନ ସହେ,

ନିଗମ ଭିତରେ ଶୁଖା ମନ୍ଦିରରେ ରହେ ୨୨

ମାୟା ଛାୟା ନ ଲାଗଇ ନିଷ୍କାମ ତା ଅଙ୍ଗ,

ଏକା ରହିଅଛି କାହିଁ ନୋହେ ସାଥି ସଙ୍ଗ ୨୩

ଜନ୍ମ ମରଣ ନ ଲାଗେ ଅମର ଅକ୍ଷଏ,

ଖୋଲ ପୋଲ ନାହିଁ ନିଦା ଅଟେ ତାଙ୍କ କାଏ ୨୪

ନିଦ୍ରା ମଇଥୁନ ତାଙ୍କୁ ନ ଲାଗଇ କିଛି,

ସଦା ସରବଦା ଉଜାଗରେ ବସିଅଛି ୨୫

 

ଏ ପିଣ୍ଡ ବ୍ରହ୍ମାଣ୍ଡ ତାର ଆଗ୍ୟାଁରେ ରହିଛି,

ବସିଲାଠାରେ ଅଶେଷ ବ୍ରହ୍ମାଣ୍ଡ ଦିଶୁଛି ୨୬

କାମନା କଳ୍ପନା ନାହିଁ, ନିଷ୍କାମ ମଉଜ,

ରୁଧିର ମାଏଁସ ନାହିଁ ନୋହେ ରଜ ବୀଜ ୨୭

ଚିନ୍ତା ଅର୍ଥ ନ ଲାଗଇ ଅଚିନ୍ତାରେ ଅଛି,

ପିଣ୍ଡ ବ୍ରହ୍ମାଣ୍ଡକୁ କୃପାନେତ୍ରରେ ଚାହିଁଛି ୨୮

ଅଖଣ୍ଡିତ ବ୍ରହ୍ମ ସେ ଯେ ଗୋଟା ହୋଇଅଛି,

କିଛି ଊଣା ନାହିଁ ତାର ପୂର୍ଣ୍ଣ ରହିଅଛି ୨୯

ଶୂନ୍ୟ ମହାଶୂନ୍ୟ ବୋଲି ତାହାକୁଟି କହି,

ତାଙ୍କ ଉପରକୁ ଆଉ ବଡ଼ ନାହିଁ କେହି ୩୦

 

ସେହିଟି ପୃଥୀର ଚୂଳ ସମସ୍ତଙ୍କ ବଡ଼,

ଆପେ ଆପଣେ ଗଢ଼ିଣ ହୋଇଛି ନିବାଡ଼ ୩୧

ଯୋନିରେ ଜନମ ନୋହେ ଗର୍ଭରେ ନ ରହେ,

ସମସ୍ତ ଗଢ଼ିଛି, ତାଙ୍କୁ ଗଢ଼ି ନାହିଁ କିଏ ୩୨

ଭେଦ କଲେ ମହାଭିଡ଼ ପଦହିଁ ନିଗୁଢ଼,

ଅର୍ଥ ସମ୍ପାଦ ନ ଲାଗେ ଅତି ମହାଗାଢ଼ ୩୩

ସେହି ସେ ସାକ୍ଷାତେ ବ୍ରହ୍ମ ବ୍ରହ୍ମାଣ୍ଡର ମେରୁ,

ଛପନାକୋଟି ଜୀବର ଅଟନ୍ତି ସେ ଗୁରୁ ୩୪

ମୁକତି ପସରା ଗୋଟି ଅଛି ତାର ତହିଁ,

ଆଦ୍ୟନ୍ତରୁ ଅମନ ମନ୍ଦିରେ ଅଛି ଥୋଇ ୩୫

 

ଅବ୍ୟଗତ ବ୍ରହ୍ମ ସେ ଯେ ବଚନ ନ କହେ,

ନିଜ ଶକତି ତାହାର କାହାକୁ ନ ଦିଏ ୩୬

ପାରୁଶରେ ରହିବାକୁ ସ୍ଥାନ ଆଉ ନାହିଁ,

ଆସ୍ଥାନ ଖଣ୍ଡିଏ ଏକା ଅଛି ତାଙ୍କ ପାଇଁ ୩୭

ସୂଚିମୁନ ଅଗ୍ରେ ତହିଁ କେମନ୍ତେ ରହିବ,

ଦ୍ୱିତୀୟ ଜନକୁ ଆଉ କାହିଁ ଅଛି ଠାବ ୩୮

 

ନିରାକାର ଉବାଚ

ବୋଇଲେ ସେ ନିରାକାର ଶୁଣ ଗୁରୁଦେବ,

କେଉଁଠାରେ ଥାଇ ସେବା ଭଗତି ଖଟିବ ୩୯

ଯାହା ଆଗ୍ୟାଁହେଲା ସ୍ୱାମୀ ବ୍ରହ୍ମର ତଦନ୍ତ,

ଆଶ୍ଚର୍ଯ୍ୟ ଲାଗିଲା ମୋତେ ଶୁଣି ଏ ସିଦ୍ଧାନ୍ତ ୪୦

 

ଆଉ ଜଣେ ରହିବାକୁ ନାହିଁ ଯେବେ ଠାବ,

ସେ ବ୍ରହ୍ମର ମନ୍ଦିରକୁ କି ପ୍ରକାରେ ଯିବ ୪୧

ଗଲେ କାହିଁ ଉଭା ହୋଇ କରିବ ଦର୍ଶନ,

ଦୁଖ ସୁଖ ଜଣାଇ କି ମାଗିବ ଶରଣ ୪୨

କେଉଁଠାରେ ବସି ମଞ୍ଚାଳିବ ପଦ୍ମପାଦ,

ବ୍ୟକତ କରାଇ କେହୁ ପଚାରିବ ପଦ ୪୩

ଅନହତ ଧୁନି ତାଙ୍କ କେହୁ ଜଣାଇବ,

ଅବକାଶ ବେଳେ କେହୁ ପାରୁଶରେ ଥିବ ୪୪

ଅଜାତ ଭୁବନ ସେ ଯେ ଆତଯାତ ନାହିଁ,

କେମନ୍ତ ପ୍ରକାରେ ଦେହ ଆସୁଛନ୍ତି ବହି ୪୫

 

କିଳିଣି କବାଟ କେହୁ ଦିଏ ସେ ମନ୍ଦିରେ,

ଆଗ୍ୟାଁବର୍ତ୍ତୀ ହୋଇ କେହୁ ଥାଇ ଶ୍ରୀଛାମୁରେ ୪୬

ଶୟନ ଆସନ ତାଙ୍କୁ କେହୁ ଶେଯାଉଛି,

ଲିପା ପୋଛା କରି କେହୁ କୋଠା ଖରକୁଛି ୪୭

 

ଶ୍ରୀଗୁରୁଦେବ ଉବାଚ

ସେ ଠାବରେ ସେବା ଭାବ ଭକତି ନ ସ୍ମରେ,

ଛଡ଼ାଇ ହୋଇ ସେ ବ୍ରହ୍ମ ରହିଛି ନିରୋଳେ ୪୮

ଦର୍ଶନ ଶରଣ ନାସ୍ତି ସେ ମନ୍ଦିରେ ସିନା,

ଆଦ୍ୟନ୍ତରୁ ଛଡ଼ାଇ କରିଛି ସବୁ ମନା ୪୯

ଧରି ନ ପାରନ୍ତି କେହୁ ଅମୂଲ୍ୟ ରତନ,

ନିର୍ଗୁଣ ନୁହଇ ବ୍ରହ୍ମ ମହାନିରିଗୁଣ ୫୦

 

ଚାରିଯୁଗ ଯୁଗାନ୍ତରେ ଯାଇ ନାହିଁ କେହି,

ଅର୍ଦ୍ଧାଙ୍ଗ ପରେ ଯେ ମରୁଛନ୍ତି ବଣା ହୋଇ ୫୧

ମହା ଅନ୍ଧକାର ପଥ ଅଲେଖ ଭୁବନ,

ଉପରକୁ ଦିଶଇ ସେ ଧୂର୍ମମଏ ବ୍ରହ୍ମ ୫୨

କର୍ଣ୍ଣେ ନ ଶୁଣିଲା କଥା ନେତ୍ରେ ନ ଦେଖିଲା,

ଠାବେ ଠାବେ କବାଟ ଲାଗିଛି ଅନର୍ଗଲା ୫୩

ସେ ରୂପକୁ ବର୍ଣ୍ଣିବାକୁ ବହୁତ କଠିଣ,

ଅକ୍ଷର ନ ବସେ ଯହିଁ ନ ସ୍ଫୁରେ ବଚନ ୫୪

କିସ ମୁଁ କହିବି ବାବୁ ତହିଁର ବିଧାନ,

ସୁଦୟା ହୋଇଲେ ଏକା ଫିଟିବ ପ୍ରସନ୍ନ ୫୫

 

ଆଗ୍ୟାଁ କରି କହିଲେ ଦିଶିବ ବ୍ରହ୍ମ କଥା,

ଚାରିଯୁଗେ ମୁନିଗଣେ ହୋଇଛନ୍ତି ଥୋତା ୫୬

ଅନେକ ପ୍ରକାରେ ବେଦଶାସ୍ତ୍ରମାନ କଲେ,

ଅରୂପ ବ୍ରହ୍ମର ଅନ୍ତ କେହି ନ ପାଇଲେ ୫୭

ବ୍ରହ୍ମ ବ୍ରହ୍ମ ବୋଲିବାର ସମସ୍ତେ ଜାଣନ୍ତି,

ଭେଦାଭେଦ କରି କେହୁ ତତ୍ତ୍ୱ ନ ଜାଣନ୍ତି ୫୮

କର୍ମାଧି ପଥରେ ସର୍ବେ ଆତଯାତ ହେଲେ,

ଅଲେଖ ପୁରୁଷ ସ୍ୱାମୀ ନିର୍ବେଦେ ରହିଲେ ୫୯

ଶୂନ୍ୟ ବୋଲିବାକୁ ସର୍ବେ ଗଲେ ଅପସରି,

କିଛି ନ ଦିଶନ୍ତେ ପଳାଇଲେ ଭୟ କରି ୬୦

 

ଅମନ ମନ୍ଦିର ସେ ଯେ ନ ଲାଗଇ ମନ,

ନ ଥିଲା ପରାଏ ପୁର ଦିଶୁଅଛି ଶୂନ୍ୟ ୬୧

ଯାକୁ ଦୟା ହେବ ଅସାଧନାରେ ଦେଖିବ,

ଅନୁମାନ ଅନୁଭବ ପଥରେ ଦିଶିବ ୬୨

ଲୋଡ଼ିଲେ ସିନା ପଦାର୍ଥ ହସ୍ତକୁ ଆସଇ,

ନ ଲୋଡ଼ିଲେ ଦାଣ୍ଡେ ପଡ଼ିଥିଲେ ନ ଦିଶଇ ୬୩

ଚୋରଙ୍କ ପରାଏ ଲୁଚିଅଛି ନିରନ୍ତରେ,

ଆସିବା ଯିବା ହେଉଛି ଭିତର ଭିତରେ ୬୪

ବହୁତ ଚତୁରେ ଅଛି ନ ଦେଉଛି ଧରା,

ଝଲକି ଦିଶୁଛି ସେହି ବିଦୁଝଟ ତୋରା ୬୫

 

ନେତ୍ର ଲିଭିଯିବ ବ୍ରହ୍ମରୂପକୁ ଚାହିଁଲେ,

ପ୍ରସନ୍ନ ହୋଇବେ ମହାଭକ୍ତକୁ ଦେଖିଲେ ୬୬

 

ନିରାକାର ଉବାଚ

କେମନ୍ତ ପ୍ରକାରେ ବ୍ରହ୍ମ ହେଉଛି ପ୍ରସନ୍ନ,

ସଂଶୟ ଫେଡ଼ିଣ ମୋତେ କହ ନାରାୟଣ ୬୭

ତୁମ୍ଭେ ତ ମୋହର ଗୁରୁ ମୁହିଁ ତୁମ୍ଭ ଶିଷ୍ୟ,

କେମନ୍ତେ ବିହରୁଛନ୍ତି ସେ ବ୍ରହ୍ମପୁରୁଷ ୬୮

କିସ ଜାତୁ ମାତୁ ତାର କିସ ଆଦି ଅନ୍ତ,

କି ପ୍ରକାରେ କ୍ଷରାକ୍ଷର କେବଣ ବୃତ୍ତାନ୍ତ ୬୯

ତତ୍ତ୍ୱ ବ୍ରହ୍ମବାଣୀମତେ କହ ସାରସ୍ୱତ,

ଶୂନ୍ୟବ୍ରହ୍ମ ନିରୂପଣ ଶ୍ରୀମୁଖେ ଭଗତ ୭୦

 

ନ କହିଲେ ନ ଛାଡ଼ିବି ପଚାରୁଣ ଥିବି,

ଗୁରୁ ଶ୍ରୀପୟରେ ପଛେ ଅପରାଧୀ ହେବି ୭୧

ଏତେ ବୋଲି ନିରାକାର ଶିରେ ଯୋଡ଼ି କର,

ସାଷ୍ଟାଙ୍ଗେ ପ୍ରଳମ୍ବ କରି ଶ୍ରୀଗୁରୁ ପୟର ୭୨

ଭାବଗଦଗଦେ ନେତ୍ରୁ ଅଶ୍ରୁ ଧାରା ବହେ,

ପୁନ ପୁନ ପ୍ରଳମ୍ବିତ କରି ଗୁରୁ ପାଏ ୭୩

ମହିମାସାଗର କଥା ଶୁଣ ସାଧୁଜନ,

ଅତି ମହାଗାଢ଼ କଥା ବ୍ରହ୍ମନିରୂପଣ ୭୪

ଭାବିଲେ ଭଜିଲେ ହୋଇଯିବଟି ସିଦ୍ଧାନ୍ତ,

ଭେଦିଲେ ସୁଗ୍ୟାନୀ ହେବ ପଢ଼ିଲେ ପଣ୍ଡିତ ୭୫

 

ଶୂନ୍ୟବ୍ରହ୍ମ ଘର ପଦ କରିଅଛି ଯୁକ୍ତ,

ଦୋଷ ନ ଧରିବ ମୋର ସୁଗ୍ୟଁ ସାଧୁ ସନ୍ଥ ୭୬

ମହିମା ବ୍ରହ୍ମମଣ୍ଡଳୁ ଛାଣି ଆଣି ପଦ,

ଅଣଶବଦେ ଶବଦ ବସାଇଛି ଭେଦ ୭୭

ଜଣାନନ୍ଦ ନିରାକାର ଦୁହିଁଙ୍କ ସମ୍ୱାଦ,

ବ୍ରହ୍ମଗ୍ୟାନୀ ଯୋଗିମାନେ ଅନୁମାନେ ଭେଦ ୭୮

ଏକବ୍ରହ୍ମ ପାଦବିନ୍ଦ ହୃଦୟରେ ଗୁଣି,

ବ୍ରହ୍ମ-ନିରୂପଣ-ଗୀତା ଭୀମଦାସ ଭଣି ୭୯

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,

ଶ୍ରୀ ଗୁରୁଶିଷ୍ୟସମ୍ୱାଦେ, ବ୍ରହ୍ମନିରୂପଣ ବର୍ଣ୍ଣନେ,

ଭେଦାଭେଦକଥନେ, ଚରିତକଥନେ

ନାମ ତୃତୀୟୋଽଧ୍ୟାୟଃ

 

ଚତୁର୍ଥ ଅଧ୍ୟାୟ

ଶ୍ରୀ ଗୁରୁଦେବ ଉବାଚ

ଶୁଣ ବାବୁ ନିରାକାର ବ୍ରହ୍ମଭେଦ କନ୍ଦ,

ଯେଉଁ ରୂପେ ବିହରୁଛି ଅନାଦିତ କନ୍ଦ

ଅପରଚେ ବ୍ରହ୍ମ ତୋତେ ପରଚେ କରିବା,

ତୁ ଯେବେ ଅପ୍ରତେ କଲୁ ବୁଝାଇ କହିବା

ଆପେ ସେବା ଘେନୁଥାଇ ଆପେ ସେବା କରେ,

ଆପଣେ ଅଚିନ୍ତା ହୋଇ ଆପେ ଭୟ କରେ

ଆପେ ଶିଷ୍ୟ ହୋଇଥାଇ ଆପଣେ ଶ୍ରୀଗୁରୁ,

ଆପେ ତରୁ ତୃଣ ହୋଏ ଆପେ ଗିରି ମେରୁ

ଆପେ ସାଆନ୍ତପଣରେ ଆପଣେ ସେବକ,

ଆପେ ପଢ଼ାକ ପଣ୍ଡିତ ଆପଣେ ମୂରୁଖ

 

ଆପେ ମହା ବ୍ରହ୍ମଗ୍ୟାନୀ ଆପଣେ ଅଗ୍ୟାନୀ,

ଆପଣେ ଅଣବିବେକ ଆପେ ଅନୁମାନୀ

ଆପେ ମାରୁଥାଇ ମାଡ଼ ଆପେ କଷ୍ଟ ସହେ,

ଆପେ କରୁଥାଇ ଦୋଷ ଆପେ ବୁଝେ ନ୍ୟାଏ

ଆପଣେ ଶତ୍ରୁ ପଣିଆ ଆପେ ହୋଏ ମିତ୍ର,

ଆପଣେ ସେ ପିତା ମାତା ଆପେ ହୋଏ ପୁତ୍ର

ଆପଣେ ସେ ହର୍ତ୍ତା କର୍ତ୍ତା ଆପେ ପତ୍ନୀ ପତି,

ଆପେ ଅନ୍ଧାର ଉଜ୍ଜ୍ୱଳ ଆପେ ଦିବା ରାତି

ଆପଣେ ତୋଳଇ ଘର ଆପେ ବୋଲେ ନୋହେ,

ଆପଣେ ବିଚାର କରି ଫେଡ଼ି ଭାଙ୍ଗିଦିଏ ୧୦

 

ଆପଣେ ଚାଲଇ ପଥ ଆପେ ଥାଇ ବସି,

ଆପଣେ ବିରସ ମନ ଆପେ ଦିଏ ହସି ୧୧

ଆପଣା ଇଚ୍ଛାରେ ବଡ଼ ଆପେ ହୋଏ ସାନ,

ଆପେ ସାଧୁତପଣିଆ ଆପେ ହୀନିମାନ ୧୨

ଆପଣା ଇଚ୍ଛାରେ ଶୋଏ ଆପେ ଫେରି ଉଠେ,

ଆପେ ହୋଏ ଛୋଟ ମୋଟ ଆପଣେ ନିତୁଟେ ୧୩

ଆପେ ବୋଲେ ନାହିଁ ନାହିଁ ଆପେ ବୋଲେ ହୋଇ,

ଆପଣେ ଅଦେହ ରୂପ ଆପେ ବହେ ଦେହୀ ୧୪

ଆପସୁଖେ କୋପ କରେ ଆପେ ହୋଏ ଶାନ୍ତ,

ଆପେ ଗଞ୍ଜଣା ଦିଅଇ ଆପେ ହୋଏ ହିତ ୧୫

 

ଆପଣେ ବୁଡ଼ାଇ ମାରେ ଆପେଯାଏ ବୁଡ଼ି,

ଆପଣାଙ୍କ ବୁଦ୍ଧି ପଶେ ଆପେ ଯାଇ ହୁଡ଼ି ୧୬

ଆପଣେ ଲଗାଏ ପ୍ରୀତି ଆପଣ ଛଡ଼ାଏ,

ଆପଣେ ଅନ୍ତର କରି ଆପଦ ଫେଡ଼ାଏ ୧୭

ଆପଣେ ବନ୍ଧନ କରେ ଆପେ ବନ୍ଦୀ ହୋଏ,

ଆପଣେ ବହଇ ଭାର ଆପଣେ ନ ବହେ ୧୮

ଆପଣେ ମହା ନିଷ୍କାମ ଆପଣେ ସକାମ,

ଆପେ ଅନାମିକା ବ୍ରହ୍ମ ଆପେ ବହେ ନାମ ୧୯

ଆପେ ଧର୍ମ କରୁଥାଇ ଆପଣେ ଖରାପ,

ଆପେ ଦ୍ରୋହ କରୁଥାଇ ଆପେ ଦିଏ ଶାପ ୨୦

 

ଆପେ କର୍ମ କରୁଥାଇ ଆପେ ହୋଏ ଭ୍ରମ,

ଆପେ କାଳରୂପେ ପୀଡ଼େ ଆପେ ହୋଏ ଯମ ୨୧

ଆପେ ସୁଖୀ ହୋଇଥାଇ ଆପେ ରୋଗ ବ୍ୟାଧି,

ଆପେ ବଇଦ ହୁଅଇ ଆପେ ମଉଷୁଧି ୨୨

ଆପେ ମହାପୁଣ୍ୟ ହୋଏ ଆପଣେ ପାତକ,

ଆପେ ରାଗ ତମ ହୋଏ ଆପଣେ ସାତୁକ୍ୟ ୨୩

ଆପେ ସ୍ତିରୀଲିଙ୍ଗ ହୋଏ ଆପଣେ ପୁରୁଷ,

ଆପେ ପଚିଶ ପ୍ରକୃତି ଆପେ ପ୍ରେମରସ ୨୪

ଆପେ ଭାଷେ ଆପେ ରସେ ଆପେ କଉତୁକ,

ଆପେ ମହା ଯୋଗୀ ହୁଏ ଆପେ ମହାତିକ ୨୫

 

ଆପେ କହେ ଆପେ ଶୁଣେ ଆପେ ନାହିଁ ବୁଝେ,

ଆପେ ଖେଳେ ଆପେ ପଢ଼େ ଆପେ ମନ ହେଜେ ୨୬

ଆପେ ଦରଶନ କରେ ଚାହିଁ ଆପ ଘଟେ,

ଆପେ ସେ ଶରଣ ମାଗେ ଆପେ ପାଦେ ଲୋଟେ ୨୭

ଆପେ ବଶ୍ୟ ଆପେ ବେଶ୍ୟା ଆପେ କରେ ନାଟ,

ଆପେ ଛବି ଆପେ ଭବି ଆପେ ନଟକୂଟ ୨୮

ଆପେ ଗଡ଼ି ଆପେ ସଢ଼ି ଯାଉଥାଇ ଭ୍ରମି,

ଆପେ ଭାବ ଭୋଳ ହୁଏ ଆପେ ନାମ ପ୍ରେମୀ ୨୯

ଆପେ ଚଉଷଠିବନ୍ଧେ କରୁଥାଇ ଲୀଳା,

ଆପେ ବୃଦ୍ଧା ଆପେ ଯୁବା ଆପେ ହୋଏ ପିଲା ୩୦

 

ଆପେ ଦାରୀ ଆପେ ଚୋରି ଆପଣେ ଅନୀତି,

ଆପେ ହାରେ ଆପେ ଜିଣେ ରୂପି ଥାଇ ଛାତି ୩୧

ଆପେ ଚୋର ଆପେ ଧର ଆପେ ଡାକୁ ଥାଇ

ଆପେ ସିନ୍ଧିଗାତ ଖୋଳି ନେଉଥାଏ ବୋହି ୩୨

ଆପେ ରାଜାପଣେ ବସେ ଆପେ ଧରେ ଛତ୍ର,

ଆପେ ଦୂରପଣେ ହୋଏ ଆପେ ମନ୍ତ୍ରୀ ପାତ୍ର ୩୩

ଆପେ ମିଛ ଆପେ ସତ ଆପେ ହୋଏ ଠକ,

ଆପେ ହୁକୁମ ହାକିମ ଆପେ ହୋଏ ଲୋକ ୩୪

ଆପେ ଖେଳେ ଆପେ ବୁଲେ ଆପଣେ ନିଷତ,

ଆପେ କହଇ ବଚନ ଆପେ ଅବ୍ୟଗତ ୩୫

 

ଆପେ ହାଟ ଆପେ ବାଟ ଆପରେଣ ବୁଝା,

ଆପେ ପ୍ରଶଂସିତ ହୁଏ ଆପେ ବହେ ଲଜ୍ଜ୍ୟା ୩୬

ଆପେ ଖାଏ ଆପେ ପିଏ ଆପେ ଉପାସନ;

ଆପେ ଦୁଖ ଆପେ ସୁଖ ଆପଣେ କଷଣ ୩୭

ଆପେ ଯାଏ ଆପେ ରହେ ଆପେ ଇଚ୍ଛାମନ,

ଆପେ ସରିସମ ହୋଏ ଆପେ କରେ ମାନ୍ୟ ୩୮

ଆପରେ ଅଣବିକାର ଆପଣେ ଆକାର,

ଆପଣେ ବାଛବେଭାର ଆପଣେ ଆଚାର ୩୯

ଆପଣେ ସାକ୍ଷାତେ ବ୍ରହ୍ମ ଆପେ ହୋଏ ଶୂନ୍ୟ,

ଆପେ ରୂପକାନ୍ତି ହୋଏ ଆପଣେ ଅବର୍ଣ୍ଣ ୪୦

 

ଆପଣେ ପରମ ହୋଏ ଆପେ ହୋଏ ଜୀବ,

ଆପେ ସେ ଅଲଗା ହୋଏ ଆପେ ହୋଏ ଯୋଗ ୪୧

ଆପଣେ ଅମୃତ ହୋଏ ଆପେ ହୋଏ ବିଷ,

ଆପଣ ପ୍ରାଣ ପାତକି ଆପେ ହୋଏ ନାଶ ୪୨

ଆପଣେ ଗ୍ରହ କଳସ ଆପଣେ ବ୍ରାହ୍ମଣ,

ଆପେ ପରାଚିତ ହୋଇ ଆପେ ଘେନେ ଦାନ ୪୩

 

ଆପଣେ ଚାଣ୍ଡାଳ ହୋଇ ଆପଣେ ସେ ଶୂଦ୍ର,

ଆପେ ଶୁଭା ପାଉଥାଇ ଆପେ ଛନ୍ନ ଛିଦ୍ର ୪୪

ଆପେ ଜନମ ଜାତକ ଆପଣେ ମରଣ,

ଆପଣେ ମୁକତି ପଦ ଆପେ ଉଧାରଣ ୪୫

 

ଆପଣେ ବୈଷ୍ଣବ ହୋଇ ଆପଣେ ଅତିଥ,

ଆପେ ଶରଣ ସମ୍ଭାଳି ଆପଣେ ବାଞ୍ଛିତ ୪୬

ଆପେ ଉଞ୍ଚ ଆପେ ଲେଞ୍ଚ ଆପେ ସର୍ବସମ,

ଆପେ ଛତିଶ ପାଟକ ଆପେ ବହେ ନାମ ୪୭

ଆପଣେ ଶବଦ ଭେଦ ଆପେ ନିଶବଦ,

ଆପେ ମନ ଆନନ୍ଦରେ ଆପେ ଗଦଗଦ ୪୮

ଆପେ କବି ଆପେ ଯୋଗୀ ଆପେ, ହୋଏ ଭୋଗୀ,

ଆପେ ପଦ ଯୋଡ଼ି ହୋଏ ଆପେ ଅନୁଭବୀ ୪୯

ଆପେ କ୍ଷୀର ଆପେ ନୀର ଆପେ ସ୍ୱାଦ ସର,

ଆପେ କଷା ଆପେ ପିତା ଆପଣେ ମଧୁର ୫୦

 

ଆପେ ହୋଏ ମହାଜନ ଆପେ ସାଉ ଖାତ,

ଆପେ ଦରିଦ୍ର ହୁଅଇ ଆପେ ଧନବନ୍ତ ୫୧

ଆପଣେ ହୁଅଇ କାୟା ଆପେ ହୋଏ ଛାୟା,

ଆପେ ବଣା ହେଉଥାଇ ଆପେ ମହାମାୟା ୫୨

ଆପେ ସତ ଶାନ୍ତି କ୍ଷମା ଆପେ ଦୟାଶୀଳ,

ଆପେ ଆଗ୍ୟାଁ କରୁଥାଇ ଆପେ ମାନେ ବୋଲ ୫୩

ଆପଣେ ହୁଅଇ ଭେଦ ଆପେ ହୋଏ ପଦ,

ଆପଣେ ଅବୁଝା ହୋଏ ଆପେ ଉନମାଦ ୫୪

ଆପେ ବୋଲେ ମାର ମାର ଆପେ ବୋଲେ ରଖ,

ଆପେ ଦେଖାଇଣ ବୋଲେ ଆପେ ବୋଲେ ରଖ ୫୫

 

ଆପେ ବୋଲେ ନାହିଁ ନାହିଁ ଆପେ ବୋଲେ ଯିବି,

ଆପେ ବୋଲେ ଦେବି ଦେବି ଆପେ ବୋଲେ ନେବି ୫୬

ଆପେ ବିଚିତ୍ର ବିନ୍ଧାଣି ଆପେ ହୁଏ କମ,

ଆପେ ଲେଖନ ବାରେଶି ଆପେ ସହେ ଧର୍ମ ୫୭

ଆପଣେ ଦିବ୍ୟ ମନ୍ଦିର ଆପେ ହୋଏ ଇଟା,

ଆପେ ବିଷୟା ଲଭନ୍ତି ଆପେ ମହାନିଷ୍ଠା ୫୮

ଆପେ ହଜି ଯାଇ ଆପେ ଅଥଳ ଅକୂଳ,

ଆପେ ଗୋଳିଆ ହୁଅଇ ଆପଣେ ନିର୍ମଳ ୫୯

ଆପେ ଅନ୍ତର୍ଯ୍ୟାମୀ ହୋଇ ଆପେ ଜାଣେ ସବୁ,

ଆପେ ନୁହଇ ଠାକୁର ଆପେ ମହାପ୍ରଭୁ ୬୦

 

ଶୁଣିଲୁ କି ନିରାକାର ଅଦଭୁତ କଥା,

ବ୍ରହ୍ମର ଗର୍ଭ ବିଚାର ଦିଅନ୍ତି ବାରତା ୬୧

ଗମି ଗମି ନ ପାରନ୍ତି ବେଦ ବେଦାନ୍ତରେ,

ରହିଅଛି ବ୍ରହ୍ମ ପିଣ୍ଡ ବ୍ରହ୍ମାଣ୍ଡ ବାହାରେ ୬୨

ସଦଗୁରୁ ପାଦପଦ୍ମେ ସେବା ଥିବ ଯାର,

ସେ ଅଣରୂପ ବ୍ରହ୍ମର ପାଇବ ଗୋଚର ୬୩

 

ନିରାକାର ଉବାଚ

ନିରାକାର ବୋଲୁଛନ୍ତି ଶୁଣିମା ଗୋସାଇଁ,

ସେ ବ୍ରହ୍ମର ବର୍ଣ୍ଣ କାନ୍ତି କହ ମୋତେ ଫେଇ ୬୪

କାଳିଆ କି ଗୋରା ଅଙ୍ଗ ସେ ବ୍ରହ୍ମଶରୀର,

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର ୬୫

ଶ୍ରୀଗୁରୁଦେବ ଉବାଚ

ରୂପ ପ୍ରାଏ ଦିଶୁଅଛି ସାକ୍ଷାତେ, ଅରୂପ,

ଦେହ ପ୍ରାଏ ଦିଶୁଅଛି ଅଦେହ ସ୍ୱରୂପ ୬୬

ଜାଜୁଲ୍ୟ ପରାଏ ଦିଶେ ଜାଜୁଲ୍ୟ ନୁହନ୍ତି,

ବାଳ ଝୀନ ପ୍ରାଏ ଦିଶେ ଆବାଲ୍ୟ ମୂରତି ୬୭

ସଜ୍ୟୋତି ପରାଏ ଦିଶେ ଦଇବେ ଅଜ୍ୟୋତି,

ଜ୍ୟୋତି ଲିଙ୍ଗ ପ୍ରାଏ ଦିଶେ ସ୍ୱଭାବେ ଅଜ୍ୟୋତି ୬୮

ଧବଳାଙ୍ଗ ଦିଶେ ନାହିଁ ଧବଳ ମୂରତି,

କାଳିଆ ଦିଶଇ ନୋହେ କାଳିଆ ସଂଜ୍ୟୋତି ୬୯

ଶ୍ରୋଣିତ ଦିଶଇ ନୋହେ ଶ୍ରୋଣିତ ପରାଏ,

ପୀତ ବର୍ଣ୍ଣ ଦିଶେ ପୀତ ବର୍ଣ୍ଣହିଁ ନ ଧରେ ୭୦

 

ରଙ୍ଗ ପ୍ରାଏ ଦିଶେ ନୋହେ ରଙ୍ଗର ଦୃଚ୍ଛନା,

ଶେତବର୍ଣ୍ଣ ଦିଶେ ନୋହେ ଶେତର ଅଚିନା ୭୧

କୁଙ୍କୁମ ପ୍ରାଏକ ଦିଶେ କୁଙ୍କୁମ ସାଦୃଶ,

ହେଙ୍ଗୁଳ ପ୍ରାଏକ ଦିଶେ କୁଙ୍କୁମ ସାଦୃଶ,

ହେଙ୍ଗୁଳ ପ୍ରାଏକ ଦିଶେ ହେଙ୍ଗୁଳ ସାଦୃଶ ୭୨

ପିଙ୍ଗଳ ଦିଶଇ ନୋହେ ପିଙ୍ଗଳର କାଏ,

ଶାମଳ ଦିଶଇ ନୋହେ ଶାମଳ ପରାଏ ୭୩

ଲୋହି ବର୍ଣ୍ଣ ଦିଶେ ନୋହେ ଲୋହିତ ସ୍ୱରୂପ,

ନୀଳବର୍ଣ୍ଣ ଦିଶେ ନୋହେ ନୀଳର ପ୍ରତାପ ୭୪

ଗୌରବର୍ଣ୍ଣ ଦିଶେ ନୋହେ ଗଉର ମୂରତି,

ତାମ୍ରବର୍ଣ୍ଣ ଦିଶେ ନୋହେ ତାମ୍ରର ଆକୃତି ୭୫

 

ଅରୁଣ ପରାଏ ଦିଶେ ନିଅରୁଣ କାନ୍ତି,

ଚନ୍ଦ୍ର ପ୍ରାଏ ଦିଶେ ନୋହେ ଚନ୍ଦ୍ରମା ମୂରତି ୭୬

ଅନଳ ପରାଏ ଦିଶେ ନିଅନଳ ତେଜା,

ଶୋଭା ସୁନ୍ଦର ଦିଶୁଛି ନାହିଁ ଭାବ ମଜ୍ଜା ୭୭

ତମ୍ୱା ପ୍ରାଏ ଦିଶୁଅଛି ତମ୍ୱା ନୋହେ ଦେଖ,

ରୂପା ପ୍ରାଏ ଦିଶେ ନୋହେ ରୂପା ଝକ ଝକ ୭୮

ସୁନା ପରାଏକ ଦିଶେ ସୁନାରୁ ଅତୁଳ,

ହୀରା ପରାଏକ ଦିଶେ ହରୀରୁ ଅମୂଲ୍ୟ ୭୯

ମୋତି ପ୍ରାଏ ଦିଶେ ନୋହେ ମୋତିର ଝଟକ,

ମାଣିରତ୍ନ ଦିଶେ ନୋହେ ମାଣିକ୍ୟ ଝଟକ ୮୦

 

ସଷ୍ଟିକ ପରାଏ ଦିଶେ ସଷ୍ଟିରେ ନ ଯାଏ,

ବଇଡ଼ୁର୍ଯ୍ୟ ପ୍ରାଏ ଦିଶେ ବଇଡ଼ୁର୍ଯ୍ୟ ନୋହେ ୮୧

ବ୍ରହ୍ମଜ୍ୟୋତି ପ୍ରାଏ ଦିଶେ ବ୍ରହ୍ମର ଅଗ୍ରଣି,

ପଦ୍ମମଣି ପ୍ରାଏ ଦିଶେ ପଦ୍ମରାଗ ଜିଣି ୮୨

ପରଶୁ ପଥର ପ୍ରାଏ ଦିଶଇ ଶୋଭିତ,

ପରଶୁ ପଥର ନୋହେ ବ୍ରହ୍ମ ଅଲୋକିତ ୮୩

ଦର୍ପଣ ପ୍ରାଏ ଦିଶଇ ଛାୟାର ଝଲକ,

ଛାୟା ପ୍ରାଏ ନ ଦିଶଇ ବ୍ରହ୍ମ ନିକଳଙ୍କ ୮୪

ଆକାର ପ୍ରାଏ ଦିଶଇ ଆକାର ତା ନାହିଁ,

ଆକାଶ ବୋଇଲେ ବ୍ରହ୍ମ ମହାଶୂନ୍ୟ ଦେହୀ ୮୫

 

ଧୃମବର୍ଣ୍ଣ ଦିଶେ ନୋହେ ଧୃମାନ୍ତି ଶରୀର,

ନାମ ପ୍ରାଏ ଦିଶେ ନୋହେ ଅନାମ ଆକାର ୮୬

ଅକ୍ଷର ପରାଏ ଦିଶେ ନୋହେ ମାତ୍ରାକ୍ଷର,

ବର୍ଣ୍ଣନା ବୋଇଲେ ବର୍ଣ୍ଣି ନୋହେ ରୂପ ତାର ୮୭

ଜାଲା ପ୍ରାଏ ଦିଶୁଅଛି ନୋହେ ଜାଲା ତେଜେ,

ଆପ ପ୍ରାଏ ଦିଶେ ଅଣଆପରେ ବିରାଜେ ୮୮

ପୃଥୀ ପରାଏକ ଦିଶେ ପୃଥିବୀ ସେ ନୋହେ,

ପୃଥୀ ଉପରେ ପୃଥୀରେ ସ୍ଥାନ ମାଡ଼ି ରହେ ୮୯

ଶେଷ ପ୍ରାଏ ଦିଶୁଥାଇ ଅଶେଷ ଅଟଇ,

ଅନନ୍ତ ବୋଇଲେ ଆଦି ଅନ୍ତ ନ ମିଳଇ ୯୦

 

ପବନ ପ୍ରାଏ ଦିଶଇ ନୁହଇ ପବନ,

ମୀନ ପରାଏକ ଦିଶେ ନୁହଇ ସେ ମୀନ ୯୧

ପାଣି ପରାଏକ ଦିଶେ ନୁହଇ ସେ ପାଣି

ଚିହ୍ନିଲା ପରାଏ ଦିଶେ ନୁହଇ ସେ ଚିହ୍ନି ୯୨

ଆଣିଲା ପରାଏ ଦିଶେ ନୁହଇ ସେ ଆଣି,

ଭଣିଲା ପରାଏ ଦିଶେ ନୁହଇ ସେ ଭଣି ୯୩

ଲେଖିଲା ପରାଏ ଦିଶେ ନୁହଇ ସେ ଲେଖି,

ଯୋଖିଲା ପରାଏ ଦିଶେ ନୁହଇ ସେ ଯୋଖି ୯୪

ପକ୍ଷୀ ଜନ୍ତୁ ପ୍ରାଏ ଦିଶେ ନୁହଇ ସେ ପକ୍ଷୀ,

ଦେଖିଲା ପରାଏ ଦିଶେ ନୁହଇ ସେ ଦେଖି ୯୫

 

ରହିଲା ପରାଏ ଦିଶେ କେବେହେଁ ନ ରହେ,

ଧରିବି ବୋଇଲେ ବ୍ରହ୍ମ ଧରାହିଁ ନ ଦିଏ ୯୬

ଥୋଇଲା ପରାଏ ଦିଶେ ଥୋଇଲାର ନୋହେ,

ଶୋଇଲା ପରାଏ ଦିଶେ କେବେହେଁ ନ ଶୁଏ ୯୭

ବାନ୍ଧିଲା ପରାଏ ଦିଶେ ନୁହଇ ସେ ବନ୍ଧା,

ନିନ୍ଦା କରୁଥିଲେ ତାକୁ ନ ଲାଗଇ ନିନ୍ଦା ୯୮

ମଲା ପ୍ରାଏ ଦିଶୁଥାଇ କେବେହେଁ ନ ମରେ,

ଊଣା ଦିଶୁଥାଇ ସର୍ବ ସାମାନ୍ୟ ଉପରେ ୯୯

ଗୋଟାଏ ପ୍ରାଏ ଦିଶୁଥାଇ ନୁହଇ ସେ ଗୋଟା,

ଦୁଇ ପ୍ରାଏ ଦିଶୁଥାଇ ଚିହ୍ନିଲେ ଏକଟା ୧୦୦

 

ଗୁଆ ପ୍ରାଏ ଦିଶୁଥାଇ ନୁହଇ ସେ ଗୁଆ,

ପୁରୁଷ ପ୍ରାଏ ଦିଶୁଛି ନବତନ ନୂଆ ୧୦୧

ଲମ୍ୱ ପ୍ରାଏ ଦିଶୁଅଛି ନୁହଇ ସେ ଲମ୍ୱ,

ଦୀର୍ଘପ୍ରତି ଦିଶେ ନୋହେ ଓସାର ଆରମ୍ଭ ୧୦୨

ବେଦାନ୍ତ ପ୍ରାଏ ଦିଶୁଛି ନୁହଇ ବେଦାନ୍ତ,

ଅର୍କ୍ଷିତ ପ୍ରାଏ ଦିଶୁଛି ନୁହଇ ଅର୍କ୍ଷିତ ୧୦୩

ପାଦ ପ୍ରାଏ ଦିଶୁଅଛି ନୋହେ ପାଦବିନ୍ଦ,

ପୁଷ୍ପ ପ୍ରାଏ ଦିଶୁଅଛି ନୋହେ ବାସ ଗନ୍ଧ ୧୦୪

ମେଘ ପ୍ରାଏ ଦିଶୁଅଛି ନୋହେ ମେଘଅନ୍ଧା,

ଧାରା ପ୍ରାଏ ଦିଶୁଅଛି ନୋହେ ଜଳବୁନ୍ଦା ୧୦୫

 

ବିଦୁ ପ୍ରାଏ ଝଟକୁଛି ନୁହଇ ସେ-ବିନ୍ଦୁ,

ମଧୁ ପ୍ରାଏ ଦିଶୁଅଛି ନୁହଇ ସେ ମଧୁ ୧୦୬

ଝର ପ୍ରାଏ ଦିଶୁଅଛି ନୋହେ ଅରବିନ୍ଦ,

ସୁଧା ପ୍ରାଏ ଦିଶେ ନୋହେ ସୁଧା ମକରନ୍ଦ ୧୦୭

ମନୁଷ୍ୟ ପ୍ରାଏ ଦିଶୁଛି ନୁହଇ ମନୁଷ୍ୟ,

ପୁରୁଷ ପ୍ରାଏ ଦିଶୁଛି ନୁହଇ ପୁରୁଷ ୧୦୮

କନ୍ଦର୍ପ ପ୍ରାଏକ ଦିଶେ ନୁହଇ କନ୍ଦର୍ପ,

କୋଟିଏ କାମରୁ ଜିଣି ଅଲଗା ସେ ରୂପ ୧୦୯

ବୃକ୍ଷ ପ୍ରାଏ ଦିଶୁଅଛି, ନୋହେ ବୃକ୍ଷ ଗୋଟା,

ଝାଡ଼ ବନ ପ୍ରାଏ ଦିଶେ ନୋହେ ଝାଡ଼ ଲଟା ୧୧୦

 

ଓଦା ପ୍ରାଏ ଦିଶୁଅଛି ନୁହଇ ସେ ଓଦା,

ଗଦା ପ୍ରାଏ ଦିଶୁଅଛି ନୁହଇ ସେ ଗଦା ୧୧୧

ଶୁଖା ପ୍ରାଏ ଦିଶୁଅଛି ନୁହଇ ସେ ଶୁଖା,

ଏକ ହୋଇ ଥାଇ ତାର ନାହିଁ କିଛି ଶାଖା ୧୧୨

ପୋଡ଼ା ପ୍ରାଏ ଦିଶୁଅଛି ନୁହଇ ସେ ପୋଡ଼ା,

ଏକାମ୍ୱର ପ୍ରାଏ ଦିଶେ ନୁହଇ ସେ ଛିଡ଼ା ୧୧୩

ବାରଣ ପ୍ରାଏକ ଦିଶେ ନୁହଇ ସେ ବାଇ,

ବଡ଼ାଇ ଚତୁରେ ଅଛି ଅଣରୂପ ହୋଇ ୧୧୪

କନ୍ଦି ବେଡ଼ା ପ୍ରାଏ ଦିଶେ ନୋହେ କନ୍ଦି ବେଡ଼ା,

ଓଲୁଙ୍କ ପ୍ରାଏକ ଦିଶେ ନୁହେ କାଲ ଜଡ଼ା ୧୧୫

 

ଅନ୍ଧା ପ୍ରାଏ ଦିଶୁଥାଇ ନୁହେ ନେତ୍ର ଅନ୍ଧା,

ଫନ୍ଦା କଲା ପ୍ରାଏ ଦିଶେ ନ କରଇ ଫନ୍ଦା ୧୧୬

ଧୂଳିଆଧୂଷର ଦିଶେ ନୁହଇ ଧୂଳିଆ,

ମେଳଛ ପ୍ରାଏକ ଦିଶେ ନୁହଇ ମଳିଆ ୧୧୭

କାଳ ଭୟ ପ୍ରାଏ ଦିଶେ ନୁହେ କାଳରାହୁ,

କିସ କହିବି ମହିମା ବ୍ରହ୍ମ ମହାବାହୁ ୧୧୮

ସଦଗୁରୁ ପ୍ରାଏ ଦିଶେ ନୁହେ ସଦଗୁରୁ,

ଶରଣ ବୋଇଲେ ଦୟା ହୁଏ ଶ୍ରୀପୟରୁ ୧୧୯

ଗୁରୁ ଆଗ୍ୟାଁ ଗରେଷ୍ଟରେ ବାନ୍ଧିଅଛି ପଦ,

ଏକ ବ୍ରହ୍ମ ଅଙ୍ଗେ ଏହୁ ଚଳିବ ସମ୍ପାଦ ୧୨୦

 

ଗ୍ୟାନୀଜନମାନେ ମୋର ନ ଧରିବ ଦୋଷ,

ବ୍ରହ୍ମ-ନିରୂପଣ-ଗୀତା ଭଣେ ଭୀମଦାସ ୧୨୧

 

ଇତି ଶ୍ରୀବ୍ରହ୍ମ-ନିରୂପଣଗୀତା, ସୁଜନଜନହିତା, ଗୁରୁ-

ଶିଷ୍ୟସମ୍ବାଦେ, ଅଲେଖବ୍ରହ୍ମରୂପବର୍ଣ୍ଣନେ, ଏକଅଙ୍ଗ

ନ୍ୟାୟବିଚାରଣେ,       ଭେଦାଭେଦକଥନେ,

ନାମ ଚତୁର୍ଥୋଽଧ୍ୟାୟ

 

ବ୍ରହ୍ମନିରୂପଣ ଗୀତା

ପଞ୍ଚମ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ସଦଗୁରୁ,

ଯାହା ଆଗ୍ୟାଁ ହେଲା ପ୍ରଭୁ ସୁଦ୍ଧା ଶ୍ରୀଛାମୁରୁ

ଉଚିତ ପ୍ରମାଣ କଥା ସତ୍ୟ ଏ ବଚନ,

ମହା ଦୁରୁଗମ ଅଟେ ବ୍ରହ୍ମନିରୂପଣ

ଅଲେଖ ବ୍ରହ୍ମର ପଦ ଚାରିଯୁଗେ ସତ୍ୟ,

ପୂର୍ବର ସୁକୃତ ଥିଳେ ଲଭିବି ସେ ପଥ

ନର ସୁର ଦେବତା ଜାଣିବେ ଅବା କାହିଁ,

ବିଷ୍ଣୁ ଲୋକ ହୋଇଲେ ଭେଦାନ୍ତ ଜଣା ନାହିଁ

ବିଷ୍ଣୁ ଆଦି ହେଲେ ମାୟା ବିଷୟାରେ ବନ୍ଦି,

ଆପଣା କର୍ମରେ ଆପେ ହେଉଥାଇ ଧନ୍ଦି

 

ବେନି କର୍ଣ୍ଣେ ଶୁଣି ମନେ ପାଇଲି ପରତେ,

ଆଉ କଥାଏ ସଂଶଏ ଅଛି ମୋର ଚିତ୍ତେ

ଅଲେଖ ପୁରୁଷ ବ୍ରହ୍ମ ନିଷ୍କାମ ନିର୍ଗୁଣ,

ଅଛି କି ନ ଅଛି ତାଙ୍କ ପାଦପାଣି ଚିହ୍ନ

ଇନ୍ଦ୍ରି ଅଣ୍ଡ ତାହାଙ୍କର ଅଛିଟିକି ନାହିଁ,

ଏକଥା ମୋତେ ବୁଝାଇ କହିବ ଗୋସାଇଁ

କଟିପୃଷ୍ଠ ଓଦର ଅଛି କି ନାହିଁ କହ,

ଶୁଣିକରି ସନ୍ତୋଷ ହୋଇବ ମୋର ଦେହ

ବେନି ହସ୍ତ କର ପଖା କେମନ୍ତ ପ୍ରକାର,

ବିସ୍ତାରିଣ ମୋତେ ଯେ କହିବ ଗ୍ୟାଁନ ସାର ୧୦

 

କର୍ଣ୍ଣ ଚକ୍ଷୁ ଜିଭ୍ୟା ନାସା ଅଛିଟିକି ନାହିଁ,

ଉଠି ନିରାକାର ଗୁରୁ ପୟରେ ନମଇଁ ୧୧

 

ଶ୍ରୀଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଉଠ ନିରାକାର,

ଚିହ୍ନଟ କରି କହିବା ବ୍ରହ୍ମର ଶରୀର ୧୨

ପାଦପାଣି ନାହିଁ ତାଙ୍କ ପାଦପାଣି ଅଛି,

ବ୍ରହ୍ମଭେଦ ଗ୍ୟାଁନୀଜନେ ଅନୁସରି ଅଛି ୧୩

କଖକୋଣ ନାହିଁ ତାଙ୍କ ଲକ୍ଷ କୋଣ ପନ୍ତି,

ଆମେଦନୀ ମାଳମାନେ ଲୁଚି ରହିଛନ୍ତି ୧୪

ଅଙ୍ଗୁଷ୍ଠି ନୁହଇ ଅଛି ଅଙ୍ଗୁଷ୍ଠି ଆକାର,

ନିରୋପି ଚାହିଁଲେ ଦିଶେ ଶୂନ୍ୟର ଆକାର ୧୫

 

ଗଣ୍ଠି ନାହିଁ ମୁଠି ନାହିଁ ଗଣ୍ଠିମୁଠି ଅଛି,

ଆୟ କରିବି ବୋଇଳେ ଅନ୍ତ ନ ମିଳୁଛି ୧୬

ଆଣ୍ଠୁନଳୀ ନାହିଁ ତାଙ୍କ ଅଛି ଆଣ୍ଠୁନଳ,

ପାଶକୁ ଗଲେ ବୋଇଲେ ଦୁରାନ୍ତକୁ ଚଳ ୧୭

ଶିର ସୂତ୍ର ନାହିଁ ତାଙ୍କ ଶିର ସୂତ୍ର ଅଛି,

ବାର ନୁହଇ ଏକାନ୍ତ ମିଶି ଯାଇଅଛି ୧୮

ବେନି ଜାନୁ ଅଛି ତାଙ୍କ ନାହିଁ ବେନି ଜାନୁ,

ଜାନୁ ବୋଇଲେ କୋଟିଏ ବହିଯାଏ ମନୁ ୧୯

ଗୁହ୍ୟ ଦ୍ୱାର ନାହିଁ ତାଙ୍କ ଗୁହ୍ୟ ଦ୍ୱାର ଅଛି,

ନିଦା ବ୍ରହ୍ମ ଶରୀର ସେ ଫୋଡ଼ା ନାହିଁ କିଛି ୨୦

 

ଇନ୍ଦ୍ରି ଅଣ୍ଡ ନାହିଁ ତାଙ୍କ ଇନ୍ଦ୍ରି ଅଣ୍ଡ ଅଛି

ନିଅଗ୍ନି ବ୍ରହ୍ମ ପୁରୁଷ ନାମ ବୋଲାଉଛି ୨୧

ଓଦରହିଁ ନାହିଁ ତାଙ୍କ ଓଦରହିଁ ଅଛି,

ମଳମୂତ୍ର ଆଚ୍ଛାଦିନ ନୁହଇ ସେ କିଛି ୨୨

କଟି ଅଣ୍ଟା ନାହିଁ ତାଙ୍କ ଅଛି କର ପଖା,

ଗୋଟି ସବଟି ନୁହଇ ସବୁ ଆଡ଼େ ଏକା ୨୩

କର ହସ୍ତ ନାହିଁ ତାଙ୍କ କର ପଖା ଅଛି,

ଲକ୍ଷେ ଯୋଜନକୁ ଭୁଜ ବଢ଼ାଇ ଦେଉଛି ୨୪

ଅଙ୍ଗ ରୁମ ନାହିଁ ତାଙ୍କ ଅଙ୍ଗ ରୁମ ଅଛି,

ଗୋଟାଏ ଖସିଲେ କୋଟି ବ୍ରହ୍ମାଣ୍ଡ ହେଉଛି ୨୫

 

ଓଷ୍ଠ ପାଟି ନାହିଁ ତାଙ୍କ ଓଷ୍ଠ ପାଟି ଅଛି,

କ୍ଷୀର ନୀର ପବନ ଆଧାର ନାହିଁ କିଛି ୨୬

ଦନ୍ତ ଜିଭ୍ୟା ନାହିଁ ତାଙ୍କ ଦନ୍ତ ଜିଭ୍ୟା ଅଛି,

ନ ଚାଖି ନ ଖାଇ ସବୁ ସୁଆଦ ଜାଣୁଛି ୨୭

ନାସା ପୁଡ଼ା ନାହିଁ ତାଙ୍କ ନାସା ପୁଡ଼ା ଅଛି,

ଫୁଲ ଚନ୍ଦନ ବାସନା ନ ଘେନଇ କିଛି ୨୮

ବେନି ଚକ୍ଷୁ ନାହିଁ ତାଙ୍କ ଅଛି ବେନି ଚକ୍ଷୁ,

ରୂପ ବୟସ ସୁନ୍ଦର ନେତ୍ରରେ ନ ଦେଖୁ ୨୯

ବେନି କର୍ଣ୍ଣ ନାହିଁ ତାଙ୍କ ଅଛି ବେନ କର୍ଣ୍ଣ,

ଶୁଣି ନ ଶୁଣିଲା ପ୍ରାୟ ହୁଅନ୍ତି ମଉନ ୩୦

 

ମୁଖାର ଯୋଗାଡ଼ ନାହିଁ ଅଛି ତାଙ୍କ ମୁଖ,

ବାରି ନୁହଇ ଶଙ୍କୁନ ଅନାଦି ଅଲେଖ ୩୧

ଅଲେଖ ନୁହନ୍ତି ସେହୁ ଅଟନ୍ତି ସେ ଲେଖ,

ତଳକୁ ନ ଆସନ୍ତି ଶୂନ୍ୟରେ ଥିଲା ଲୋକ ୩୨

ଅନାଦି ନୁହନ୍ତି ସେହୁ ଅଟନ୍ତି ସେ ଆଦି,

ଅନ୍ତ ନ ପାବନ୍ତି କୁଳ ଲୋଡ଼ିଲେକ ଭେଦି ୩୩

ଅବର୍ଣ୍ଣ ନୁହନ୍ତି ସେ ଯେ ଅବର୍ଣ୍ଣ ଅଟନ୍ତି,

ଅକ୍ଷର ମାତ୍ରା ଶବଦ ନାହିଁ ନ ମିଶନ୍ତି ୩୪

ଅବର୍ଣ୍ଣ ନୁହନ୍ତି ସେ ଯେ ଅଛି ତାଙ୍କ ବର୍ଣ୍ଣ,

ଯଉଁ ବିଧାନେ ଅଛନ୍ତି ମହାଶୂନ୍ୟ ଶୂନ୍ୟ ୩୫

 

ଅକ୍ଷଏ ନୁହନ୍ତି ସେ ଯେ ଅଟନ୍ତି ଅକ୍ଷଏ,

କାଳ ମରଣ ଅଙ୍ଗକୁ କେବେହେଁ ନ ଛୁଏଁ ୩୬

ଅଶ୍ରୁତି ନୁହନ୍ତି ସେ ଯେ ଅଛି ତାଙ୍କ ଶ୍ରୁତି,

ଭେଦାଭେଦ କଲେ ନ ଟଳଇ ଚିତ୍ତମତି ୩୭

ଅନାମିକା ନୁହନ୍ତି ସେ ଅଛି ତାଙ୍କ ନାମ,

କଲମ ନ ଚଳେ ନାହିଁ ଯାର ବ୍ରହ୍ମଗ୍ୟାଁନ ୩୮

ନିଶବଦ ନୁହନ୍ତି ସେ ହେଉଛି ଶବଦ,

ପବନର ଭେଦ ନାହିଁ ଅଟନ୍ତି ତବଦ ୩୯

ନାଦ ବିନ୍ଦୁ ନାହିଁ ତାଙ୍କ ଅଛି ନାଦ ବିନ୍ଦୁ,

କାତ ଯେ ବୁଡ଼ଇ ନାହିଁ ଯେସନେକ ସିନ୍ଧୁ ୪୦

 

ନିର୍ବେଦ ନୁହନ୍ତି ସେ ଯେ ଅଟନ୍ତି ସେ ବେଦ,

ବିଚାରି ବୁଝିଲେ ଏ ବହୁତ ଅଧାଧନ୍ଦ ୪୧

ନିଗମ ନୁହନ୍ତି ସେ ଯେ ଅଟନ୍ତି ସେ ଗମ୍ୟ,

ସେ ଭିତରେ ପଶିବାକୁ କେହି ନାହିଁ ଖେମ ୪୨

ଅଗମ୍ୟ ନୁହନ୍ତି ସେ ଯେ ଅଛି ଗମାଗମ,

ସେ ପଥରେ ଗଲେ ବଣା ହୋଇଯିବ ଯମ ୪୩

ଦୁର୍ଗମ ନୁହନ୍ତି ସେ ଯେ ଅଛି ତହିଁ ଦୃଶ୍ୟ,

ବହୁତ ନିବିଡ଼ ସନ୍ଧି ନ ପାଏ ସାହାସ ୪୪

ଅଣଶେଷ ନୁହନ୍ତି ସେ ଅଛି ତାଙ୍କ ଶେଷ,

ଠିକ କରିବି ବୋଇଲେ ନୁହନ୍ତି ସେ ବଶ ୪୫

 

ନିଷ୍କାମ ନୁହନ୍ତି ସେ ଯେ ଅଛି ତାଙ୍କ କାମ,

ବୁଦ୍ଧି ନ ସ୍ଫୁରଇ କିସ ଦେବି ଅନୁପାମ ୪୬

ଅକଳ୍ପଣା ନୁହନ୍ତି ସେ ଅଛି ତାଙ୍କ କଳ୍ପ,

ବ୍ରହ୍ମକୁ ଦେଖିବ ଯେବେ ଫିଟାଅ କୁଳୂପ ୪୭

ନିଗୂଢ଼ ନୁହନ୍ତି ସେ ଯେ ମେଲା ଦିଶୁଥାଇ,

ସେ ଠାବରେ ସୂଚି ମାଛି ପରୀକ୍ଷ ନୁହଇ ୪୮

ଅଣ ବ୍ରହ୍ମଠାରୁ ତହୁଁ ସରେ ବ୍ରହ୍ମଗ୍ୟାଁନ,

ଅଣଶେଷ ରୂପ ରୂପ ଦିଶୁଅଛି ଭିନ୍ନ ୪୯

ହସ୍ତେ ଆଉଶିଲେ ବ୍ରହ୍ମ ପିଛୁଳି ପଡ଼ୁଛି,

ଅତି ସୁକୁମାର ବ୍ରହ୍ମ ଚିକ୍କଣ ହୋଇଛି ୫୦

 

ତୁଳା ପ୍ରାଏ ଚିକ୍କଣ ହୋଇଛି ବ୍ରହ୍ମ ଦେହ,

ଲୁଦୁ ଲୁଦୁ ଲୁଦୁ ସିହ୍ନା ଅଟଇ ସେ ପୁଅ ୫୧

ଯୋକ ପରାଏ କୋମଳ ହୋଇଛି ଶ୍ରୀଅଙ୍ଗ,

ତ୍ରାସ ସହି ନ ପାରିଣ ସୂକ୍ଷ୍ମ ବ୍ରହ୍ମଲିଙ୍ଗ ୫୨

ପାଣି ପରାଏ କୋମଳ ହୋଇଛି ଶରୀର,

କ୍ଷୀର ଦଧିରୁ ପାତଳ ଅତି ମନୋହର ୫୩

ସୋରିଷ ପୁଷ୍ପ ପରାଏ ହୋଇଛି କୋମଳ

ସାଉଁଟି ଶାଙ୍କୁଳି ଥିଲେ ନୁହଇ ଶାମିଳ ୫୪

ମୀନ ପ୍ରାଏ ନାଳୁଆ ହୋଇଛି ତାଙ୍କ ଦେହ,

ମୁଠା କରି ବେନି ହସ୍ତେ କେ ଧରିବ କହ ୫୫

 

ଲହୁଣୀ ପୋଛୁଣୀ ପ୍ରାଏ ହୋଇଛି ଚିକ୍କଣ,

ପୂରି ରହିଅଛି ଅଙ୍ଗ ସର୍ବତ୍ର ସମ୍ପୂର୍ଣ୍ଣ ୫୬

ପୂର୍ଣ୍ଣାନନ୍ଦ ପୁରୁଷ ଅଲେଖ ଅବଧୂତ,

ନିଜ ବ୍ରହ୍ମସାଗର ଅତିହିଁ ଅଦଭୁତ ୫୭

ସେ ଯେଉଁ ଅଲେଖ ନିଜ ବ୍ରହ୍ମର ବୃତ୍ତାନ୍ତ,

ଚାରିଯୁଗ ଯୁଗାନ୍ତରେ ହୋଇଛି ଗୁପତ ୫୮

ଅମନ ଦଣ୍ଡ ଆସ୍ତାନ ଉପରେ ବିଜୟେ,

ଅଣାକାର ବ୍ରହ୍ମଦ୍ୟୁତି ଯୁଗ କହି ନୁହେ ୫୯

ଗୁରୁଦେବ କହୁଛନ୍ତି ଶିଷ୍ୟଙ୍କ ଆଗର,

ଆସ୍ତାନ ବିଧାନ କଥା ଶୁଣ ନିରାକାର ୬୦

 

ଅଣସଣା ଅଣଭିଣା ମାଟି ଅଛି ତହିଁ,

ଅଣପାଣି ଅଣହସ୍ତେ ପାଗ ଉତୁରଇ ୬୧

ଅଣପିଟା ଅଣଇଟା ବସିଅଛି, ତହିଁ,

ଅଣଗୋଟା ଅଣପଟା ପୁରୀଅଛି ହୋଇ ୬୨

ଅଗଡ଼ାରେ ଅଫୋଡ଼ାରେ ହୋଇଛି ତିଆର,

ଅଣଅଠା ଅଣଚୂନ ଲାଗିଛି ତହିଁର ୬୩

ଅଣଛଞ୍ଚା ଅଣପୋଛା ହୋଇଛି ଶପୋଟ,

ଅଣଘଷା ଅଣଲିପା ହୋଇଛି ଚୌପଟ ୬୪

 

ଅଣବସା ଅହିଁସାରେ ପଡ଼ିଅଛି କାନ୍ଥ,

ଅକରାରେ ଅଧରାରେ ହୋଇଛି କେମନ୍ତ ୬୫

 

ଅପାବଛେ ଅଣଚାଛେ ହୋଇଅଛି ଉଞ୍ଚ,

ଅବେଠିଆ ଅକାଠିଆ ଲାଗି ସେ ସୁସଞ୍ଚ ୬୬

ଅମାପରେ ଅଶ୍ରୁତିରେ ତୋଳିଛି ମଣ୍ଡପ,

ଅଣଦୀର୍ଘ ଅଣପ୍ରତି ହୋଇଅଛି ଦେଖ ୬୭

ଅଣମେଡ଼ା ଅଣବେଢ଼ା ଚଉଭୋମି ଘର,

ଅଣଦୀର୍ଘ ପ୍ରତି ଅଛି ଅଣ ଚଉଦ୍ୱାର ୬୮

ଅଣ କବାଟରୁ ଅଣକିଳିଣି ତ ଖଞ୍ଜା,

ଅଣଲୁହା କବାଟ ଲାଗିଛି ଦିବ୍ୟ ପୁଞ୍ଜା ୬୯

ଅଣଖାତେ ଅଣଖୁମ୍ୱ ପକାଉଛି ପୋତା,

ଅଣଖାପେ ଅଣଶେଣୀ ହୋଇଅଛି ନପା ୭୦

 

ଅଣଧାରା ଅଣଓରା ପଡ଼ିଅଛି ତହିଁ,

ଅଣସୂତ୍ରେ ଅଣଚିତ୍ରେ କମ ଅଛି ହୋଇ ୭୧

ଅମାକେରି ଅପାଚେରି ବଢ଼ାଇଛି ପରେ,

ଅକାଟ ଆକାଟ ବାରି ନୁହଇ ତହିଁରେ ୭୨

ଅଣରୁଅ ଅଣଲଇ ଆଣ୍ଟେ ଅଛି ଭିଡ଼ି,

ଅଣବତା ଅନୁମାନେ ଆଡ଼େ ଆଡ଼େ ଯୋଡ଼ି ୭୩

ଅଣଚିରା ଅଣମୋରା ଲଗାଇଛି ପନ୍ଥି,

ଅଣଲୋକ ଇଚ୍ଛାସୁଖେ ହୋଇଅଛି ବେନ୍ତି ୭୪

ଅପଟଣୀ ଓଲଟଣୀ ଖଞ୍ଜି ବାୟବତା,

ମନ୍ଦିର ଦୃଛନା ଦିଶେ ଯେସନେକ ଛତା ୭୫

 

ଅନ୍ୟ ପର ମନ୍ଦିରକୁ ଛାଏଣି କରିଛି,

ଛାଏଣିର ଉପରେଣ ଘୋଡ଼ାଇ ହୋଇଛି ୭୬

ମନ୍ଦିରକୁ ଚାହିଁ କେତେ ଦେବି ମୁଁ ଉପମା,

ରଙ୍ଗିଣ ଧବଳ ଦେହ ଦିଶଇ ମଧ୍ୟମା ୭୭

ଅନାଦି ମଣ୍ଡଳେ ଆପେ ଆକାରରେ ଘର,

ଆପଣା ନିଜ ମନ୍ଦିରେ ଆପେ ବୀରବର ୭୮

ଶୂନ୍ୟ ଧୁନି ଜାଗିଅଛି ଅନହତ ନାମ,

ଅଗ୍ନିର ବହୁତ ତ୍ରାସ ନୁହଇ ଗରମ ୭୯

ଶୂନ୍ୟଜଳ ବରଷୁଛି ନାହିଁ ଜକ ଓଦ,

କାଶ ନଶମ ନ କରେ ନୁହଇ ଶରଦ ୮୦

 

ଶୂନ୍ୟ ହେମ ଶିଶିର ବରଷା କରୁଅଛି,

ଉଷୁମ ହୋଇଛି ଘର ଶୀତ ନ କରୁଛି ୮୧

ଶୂନ୍ୟ କାଷ୍ଠ ପୋଡ଼ୁଅଛି ଅଙ୍ଗାର ନୋହୁଛି,

ପାଉଁସ ନ ପଡ଼ି ରାତ୍ର ଦିବସ ଜଳୁଛି ୮୨

ଶୂନ୍ୟରୁ ଘୁରୁତ କୁଣ୍ଡେ ପଡ଼ୁଛି ଆହୁତି,

ସମିଧ ସକାଶୁ ଧୁନି ରହିଅଛି ଚେତି ୮୩

ଶୂନ୍ୟ ଗୁଡ଼ ମଧୁ ପଡ଼ୁଅଛି ଅନୁକ୍ଷଣ,

ଅଗ୍ନିର ହୁତାଶ ଉଠୁଅଛି ଘନ ଘନ ୮୪

ଶୂନ୍ୟ ବତି ଜଳୁଥାଇ ତଇଳ ନ ଥାଇ,

ଆଲୁଅ ଦିଶୁଛି ପୁର ଧୃମାନ୍ତ ନୁହଇ ୮୫

 

ଶୂନ୍ୟେ ଭ୍ରମଣ କରୁଛି ଅନାମିକା ଯୋଗୀ,

ଦୁଖ ପୀଡ଼ା ନାହିଁ ଯୋଗୀ ଯୁଗାନ୍ତ ନୀରୋଗୀ ୮୬

ଶୂନ୍ୟରେ ଚାଲୁଅଛନ୍ତି ଅଲେଖ ପୁରୁଷ,

ଅଚେତାରେ ଉଜାଗର ହୁଅଇ ପ୍ରକାଶ ୮୭

ଶୂନ୍ୟ ଉଭା ଆସନରେ କରଇ ଆସନ,

ଅଙ୍ଗେ କଳଙ୍କ ନ ଲାଗେ ଅମୂଲ୍ୟ ରତନ ୮୮

ଅସାଧନାରେ ପବନ ବହଇ ଶୀତଳ,

ମଳୟ ବସନ୍ତ ନୋହେ ଅତି ପରିମଳ ୮୯

ଅସାଧନା ଶବଦ ହେଉଛି ସେହିଠାରୁ,

ଉତ୍ତର ଦେଉଛି ବ୍ରହ୍ମ ଭିତର ଗମ୍ଭୀରୁ ୯୦

 

ଅସାଧନା ଭୁବନ ସେ ନ ଟଳଇ କିଛି,

ଭିନ୍ନ ଭିନ୍ନ କରି ଶବ୍ଦ ପକାଉଛି ବାଛି ୯୧

ଅସାଧନା ବ୍ରହ୍ମ ସେ ଯେ ଅମନ ପୁରୁଷ,

ମହାଧରବନ୍ତ ସ୍ୱାମୀ ନାହିଁ ନା ପୁରୁଷ ୯୨

ଅସାଧନା ଭେଦ ମାର୍ଗ ଅଗୋଚର କଥା,

ଅଶେଷ ଭୁବନ ସ୍ୱାମୀ ବ୍ରହ୍ମାଣ୍ଡ କରତା ୯୩

ଅସାଧନା ଗତି ମୁକ୍ତି ଅଟଇ ସେ ପାଦ,

କେହି ପଶି ନାହିଁ ବ୍ରହ୍ମ ସାଗର ଅଗାଦ ୯୪

ଅସାଧନା ସିଦ୍ଧାନ୍ତ ଯେ ସଦଗ୍ୟାନ ହେତୁ,

ତାଙ୍କଠାରେ ରହିଛି ସକଳ ଚେତା ହେତୁ ୯୫

 

ଅସାଧନା ପୁରୁଷ ସେ ସାକ୍ଷାତେ ଠାକୁର,

ଅଲଗା ହୋଇ ରହିଛି ମହାଶୂନ୍ୟ ପୁର ୯୬

ଅସାଧନା ଦୀକ୍ଷା ସେ ଯେ ବହୁତ କଠିଣ,

ଅନୁସରି କରିବି ବୋଲିବ କେଉଁ ଜଣ ୯୭

ଅସାଧନା ଦ୍ରଶନ ମୁଖରେ କହି ନୋହେ,

ନି ଅଇଁଠା ପଦ ସେ ମାଡ଼ଇ ବଡ଼ ଭୟେ ୯୮

ଏକ ବ୍ରହ୍ମ ଏକ ଧର୍ମ ଏକ କର୍ମ ଉଦେ,

ଏକ ପାଦ ଏକ ଭେଦ ଏକ ବାକ୍ୟ ପଦେ ୯୯

ଏକସ୍ଥିତା ଏକ ଦଣ୍ଡା ଏକାହ ମୂରତି,

ଏକ ଧ୍ୟାନ ଏକ ଗ୍ୟାନ ବ୍ରହ୍ମର ବିଭୂତି ୧୦୦

 

ଏକକାର ଏକ ଦ୍ୱାର ଏକାନ୍ତ ଭୋଜନ,

ଅବିକାର ନିର୍ବିକାର ସେ ବ୍ରହ୍ମ ନିର୍ଗୁଣ ୧୦୧

ଏକ ସତ୍ୟ ଏକ ବ୍ରତ ଏକ ଦୃଢ଼ ବାଣୀ,

ଏକ ନାମୀ ଏକ ସ୍ୱାମୀ ଏକାନ୍ତରେ ଚିହ୍ନି ୧୦୨

ଏକ ନ୍ୟାଏ ଏକ ରାଏ ଏକ ତାର ପନ୍ଥା,

ଏକ ଚିତ୍ତ ଏକ ହିତ ଅଗୋଚର କଥା ୧୦୩

ଏକ ତାତ ଏକ ବ୍ରତ ଏକତାର ଫନ୍ଦା,

ଏକ ଦୃଢ଼ ଏକ ବ୍ରତ ବାସମଏ ଧନ୍ଦା ୧୦୪

ଏକ ପିତା ଏକ ମାତା ଏକ ଗୁରୁ ଶିଷ୍ୟ,

ଏକ ମାନ ଏକ ମାନ୍ୟ ଏକ ଭାବେ ବଶ୍ୟ ୧୦୫

 

ଏକ ମୂଳ ଏକ ଠୁଳ ଏକ କୂଳ ତହିଁ,

ଏକ ସୂତ୍ର ଏକ ଛତ୍ର ଏକ ପୁତ୍ର ସେହି ୧୦୬

ଏକ ଶୂନ୍ୟ ଏକ ବର୍ଣ୍ଣ ଏକତାର କାଏ,

ଏକ ଦାନ ଏକ ପୁଣ୍ୟ ଏକାନ୍ତେ ସୁଦଏ ୧୦୭

ଏକ ଧାଡ଼ି ଏକ ଘଡ଼ି ଏକାଙ୍ଗ ସେ ଲୀଳା,

ଏକ ଶୁଭ ଏକ ଯୋଗ ଏକାକରେ ଖେଳା ୧୦୮

ବ୍ରହ୍ମ ବୋଲିବାର କଥା ମୁଖେ କହି ନୋହେ,

ସଂଖ୍ୟା ନ ଛିଡ଼ଇ ତାର ଅଣସଂଖ୍ୟା ହୋଏ ୧୦୯

ବ୍ରହ୍ମ ବୋଲିବାର କଥା ମହା ଓଲକିତ,

କ୍ଷଏ ବୃଦ୍ଧି ନାହିଁ ନୋହେ ଅଳପ ବହୁତ ୧୧୦

 

ବ୍ରହ୍ମ ବୋଲିବାର କଥା ନ ଜାଣନ୍ତି କେହି,

ବ୍ରହ୍ମ ବୋଲିବା ମାତ୍ରକେ ଗଲାଟି କିପାଇଁ ୧୧୧

ବ୍ରହ୍ମ ନିରୂପଣ କଥା କହି ନୋହେ ଖେପ,

ଚାରି ବେଦ ବାହାରେ ରହିଛି ତାର ରୂପ ୧୧୨

ଅଶେଷ ରୂପରୁ ଭିନ୍ନ କାହିଁ ତ ନ ମିଶେ,

ଚିହ୍ନିବି ବୋଇଲେ କାହିଁ ଦିଶଇ ନ ଦିଶେ ୧୧୩

ପଶ୍ଚିମ ଦ୍ୱାରେ ଦ୍ରଶନ ଚଉଷଠୀ ଥର,

କବାଟ ପକାଇ ବୋଲେ ଦୋଷ କ୍ଷମା କର ୧୧୪

ପୂର୍ବ ଦ୍ୱାରରେ ଦ୍ରଶନ ଷୋଳଥର କରି,

କବାଟ ପକାଇ ଅଣାକାରଙ୍କୁ ସୁମରି ୧୧୫

 

ଉତ୍ତର ଦ୍ୱାରେ ଦ୍ରଶନ ଏକୋଇଶ ଥର,

କବାଟ ପକାଇ ବୋଲେ ମୋତେ ତ୍ରାହିକର ୧୧୬

ଦକ୍ଷିଣ ଦ୍ୱାରେ ଦ୍ରଶନ କରିବାର ଶତେ,

କବାଟ ପକାଇ ବୋଲେ ଦୟା ଥିବ ମତେ ୧୧୭

ଅଣକିଳିଣି କବାଟ ପାଚେରୀ ପଡ଼ିଛି,

ତହିଁର ଦୁଆରେ ଚଉତାଳ ଛଚି ଅଛି ୧୧୮

ଚାରି ଦୁଆରେ କବାଟ ପଡ଼ିଲାକ ମୁଦ,

ବ୍ରହ୍ମଗ୍ୟାନ କହୁଅଛି ସେ ବ୍ରହ୍ମକୁ ଭେଦ ୧୧୯

ଗ୍ୟାନ ବୋଲି ଯାହା କହି ଏକାପଦେ ସିନା,

ଆଉ କଥା ଯାକ ସବୁ ବେଦର ବୁଲଣା ୧୨୦

 

ଶୁଣିଣ ସେ ନିରାକାର ମନେ ହେଲେ ତୋଷ,

ବ୍ରହ୍ମ-ନିରୂପଣ ଗୀତା ଭଣେ ଭୀମ ଦାସ ୧୨୧

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା, ଗୁରୁଶିଷ୍ୟ-

ସମ୍ୱାଦେ, ଅରୂପବ୍ରହ୍ମଭେଦ ନିରୂପଣକରଣେ, ଭେଦ

ବର୍ଣ୍ଣନେ, ମହାବ୍ରହ୍ମ ଚରିତ୍ର କଥନେ

ନାମ ପଞ୍ଚମୋଽଧ୍ୟାୟ

 

ଷଷ୍ଠ ଅଧ୍ୟାୟ

ନିରାକାର ଉବାଚ

କର୍ଣ୍ଣେ ଶୁଣି ନିରାକାର ମନେ ଆନନ୍ଦିତ,

ଗୁରୁପାଦବିନ୍ଦେ କରି ଦଣ୍ଡ ପ୍ରଳମ୍ୱିତ

ଶତେବାର ନମସ୍କାର କରି ପାଦଗତେ,

ପାଏ ପଡ଼ି ଉଠି କରପତ୍ର ଯୋଡ଼ି ମାଥେ

ଗୁରୁ ସେ ପିଣ୍ଡକାରେଣୀ ଜୀବକୁ ମୁକତ,

ବ୍ରହ୍ମ-ନିରୂପଣ କହିବାକୁ ସାମରଥ

ଗୁରୁ ସେବା କଲେ ସିନା ପାଇ ସଦଗ୍ୟାନ,

ଅନ୍ତକାଳେ ସାର ବ୍ରହ୍ମେ ହୁଅନ୍ତି ନିମଗ୍ନ

ଯାହା ମୋ ସଂଶୟ ଥିଲା ହୃଦୟରଗତେ,

ବ୍ରହ୍ମ-ନିରୂପଣ ପଦ ପାଇଲି ପରତେ

 

ଅଲେଖ ମନ୍ଦିର ମହାଶୂନରେ ରହିଲା,

ନିରୂପଣ ହୋଇ ଚାରି କବାଟ ପଡ଼ିଲା

ଯୋଗେଶ୍ୱର ପୁରୁଷ କରୁଣା ଯେବେ କହ,

ମହାନିତ୍ୟ ମଣ୍ଡଳ ଚରିତ୍ର ମୋତେ କହ

ଅଲେଖ ମନ୍ଦିରଠାରୁ ମହାନିତ୍ୟ ଭୂଇଁ,

କେତେ ଦୂରାନ୍ତର ଛଡ଼ା ଛାଡ଼ିଅଛ ତହିଁ

ମହାନିତ୍ୟ ମହିମାର କେମନ୍ତ ବିଧାନ,

ଗୁପତ ନ କରି ମୋତେ କହ ନାରାୟଣ

ମହିମା ବୋଲିବା କଥା କେମନ୍ତ ବିଷୟ,

ବେନି କର୍ଣ୍ଣେ ଶୁଣି ମନେ ଲାଗୁଛି ସଂଶୟ ୧୦

 

ଅଲେଖ ମନ୍ଦିର କେତେ ପାବଚ୍ଛରେ ଛଡ଼ା,

ମହାନିତ୍ୟ ମଣ୍ଡଳେ ପଡ଼ିଛି କେତେ ବେଡ଼ା ୧୧

ଏଥିର ସନ୍ଦେଶ ମୋତେ କହ ଗୁରୁଦେବ,

ଆପେ ଯେବେ ନ କହିବ ଅନ୍ୟ କେ କହିବ ୧୨

 

ଶ୍ରୀ ଗୁରୁଦେବ ଉବାଚ

ମହାନିତ୍ୟ ଭୂମିଠାରୁ ଉପରକୁ ଉଞ୍ଚ,

ପଡ଼ି ଆସିଅଛି ତହିଁ ଦ୍ୱାଦଶ ପାବଚ୍ଛ ୧୩

ଦ୍ୱାଦଶ ପାବଚ୍ଛ ତଳେ ଦୁତିଅ ପୀଠରେ,

ମହାନିତ୍ୟମଣ୍ଡଳ ରଞ୍ଚନା ସେହିଠାରେ ୧୪

ଦ୍ୱାଦଶ ପାବଚ୍ଛ ସେ ଯେ ଦ୍ୱାଦଶ ଯୋଜନ,

ଉପରକୁ ଉଚ୍ଛର୍ଗ ସେ ମେରୁ ପରିମାଣ ୧୫

 

ପ୍ରଥମ ପାବଚ୍ଛ ମହାଶୂନ୍ୟ ବୋଲି କହି,

ଉପରକୁ ଅନାଇଲେ କିଛି ନ ଦିଶଇ ୧୬

ଦ୍ୱିତୀୟ ପାବଚ୍ଛ ଗୋଟା ଅନାମିକା ନାମ,

ତାକୁ ଛୁଇଁବାକୁ ଆଉ କେହି ନାହିଁ ଖେମ ୧୭

ତୃତୀୟ ପାବଚ୍ଛ ଗୋଟା ଅନାମିକା ଅଟେ,

ତହିଁ ଉଠିବାକୁ କାହା ଶକତି ନ ଖଟେ ୧୮

ଚତୁର୍ଥ ପାବଚ୍ଛ ଗୋଟା ନିଘୋଡ଼ ଅନାମିକା,

ପାଦ ନ ଚଳଇ ତହିଁ ନ ସ୍ୱରଇ ଭାଷା ୧୯

ପଞ୍ଚମ ପାବଚ୍ଛ ଗୋଟା ନିଷ୍କାମ ନିର୍ମୋହ,

ଉପମା ଦେବାକୁ ତହିଁ ବହୁତ ସଂଶୟ ୨୦

 

ଷଷ୍ଠମ ପାବଚ୍ଛ ଗୋଟା ନିର୍ଗୁଣ ତାରାସି,

ଚାଲି ନ ପାରିଲେ ତହିଁ ପଡ଼ିଯିବ ଖସି ୨୧

ସପ୍ତମ ପାବଚ୍ଛ ଗୋଟା ନିଗମ ଅଟନ୍ତି,

ଭରସା କରିଣ କେହି ପଶି ନ ପାରନ୍ତି ୨୨

ଅଷ୍ଟମ ପାବଚ୍ଛ ଗୋଟା ଅଗମ୍ୟ ତା ନାମ,

ଗୋଚର ନୋହିଲେ ଚିତ୍ତେ ହୋଇ ଯାଇ ଭ୍ରମ ୨୩

ନିଗମ ବନସ୍ତ ଗୋଟା ଦୁର୍ଗମ ଅଟଇ,

ଅନୁସରି କହୁଁ କହୁଁ ଯାଉଛନ୍ତି ବହି ୨୪

ଦଶମ ପାବଚ୍ଛ ଗୋଟା ନାମ ଅଟେ ଭେଦ,

ଚିହ୍ନି ନ ପାରିଲେ ନ ମଳଇ ତତ୍ତ୍ୱବୋଧ ୨୫

 

ଏଗାର ପାବଚ୍ଛ ଗୋଟା ନିର୍ବେଦ ତା ନାମ,

ଚେତି ନ ପାରିଲେ ବୁଦ୍ଧି ହୋଇଯାଇ ବାମ ୨୬

ବାର ପାବଚ୍ଛ ଠାବରୁ ବସେ ଚାରିବେଦ,

ଅଧ୍ୟା ନ ହୋଇ ସ୍ୱରିଛି ଶାହାସ୍ର ସମ୍ପଦ ୨୭

ବାର ବାର ପାବଚ୍ଛ ବସିଛି ଚାରି ଦ୍ୱାର,

ବାହିମାନଙ୍କରେ ସୁନା ଦିଶଇ ସଞ୍ଚାର ୨୮

ପୂର୍ବ ପଶ୍ଚିମେ ପାବଚ୍ଛ ବସିଛି ଚବିଶ,

ଦକ୍ଷିଣ ଉତ୍ତର ଘେନି ହେଲା ଅଠଚାଳିଶ ୨୯

ପାବଚ୍ଛମାନ ବସିଛି ଚକ୍ରର ପ୍ରକାର,

ଦୀର୍ଘ ପ୍ରତି ବାରି ନୋହେ ମଣ୍ଡଳ ଆକାର ୩୦

 

ମଣିର ଆକାରେ ନିରୂପଣ ହେଉଅଛି,

ଫଣୀର ପାବଚ୍ଛ ତହିଁ ତଳକୁତ ଅଛି ୩୧

ମଣିର ତଳକୁ ଅଛି ଫଣୀ ଅହିରାଜ,

ଫେଣାର ଉପରେ ମଣି ହୋଇଛି ବିରାଜ ୩୨

ଶବଦ ବ୍ରହ୍ମ ପାବଚ୍ଛେ ହୋଇଅଛି ବେଢ଼ା

ଅସ୍ଥିମାଳମାନ ତହିଁ ପୋତିଅଛି ଗୋଡ଼ା ୩୩

ପାବଚ୍ଛ ତଳେ ବସିଛି ଚାରି ଚାରି ବେଦ,

ହିସାବ, ପ୍ରମାଣ ହେଉଅଛି ଶ୍ଳୋକ ବେଦ ୩୪

ପଶ୍ଚିମ ଦ୍ୱାରରେ ଛନ୍ତି ଅନନ୍ତ ମହିମା,

ସୁଦର୍ଶନ ଚକ୍ର ବାଡ଼ ଶସ୍ତ୍ରେଗୁଣ ସୀମା ୩୫

ପରମ ମହିମା ଛନ୍ତି ଉତ୍ତର ଦୁଆରେ,

ସକ୍ଷମା ଚକ୍ରକୁ ଆପେ ଘେନି ଶ୍ରୀହସ୍ତରେ ୩୬

ଦକ୍ଷିଣ ଦୁଆରେ ଆଦି ମହିମା ଅଛନ୍ତି,

କାଳ ଦାଢ଼ ଚକ୍ର ଯେ ହସ୍ତରେ ଧରିଛନ୍ତି ୩୭

ପୂର୍ବଦ୍ୱାରେ ଛନ୍ତି ମହା ଶକତି ମହିମା,

ପୁଣ୍ୟ ଚକ୍ର ଦାଢ଼ ତାଙ୍କ ଅଶେଷ ଗାରିମା ୩୮

ଚାରିଦ୍ୱାରେ ବସିଛନ୍ତି ଚାରି ଚକ୍ର ଘେନି,

ବାପର ସୁତ ହୋଇବ ଗଲେ ସିନା ଜିଣି ୩୯

ତେବେ ଯାଇ ଅଲେଖ ପୁରୁଷ ଭେଟ ଦେବେ,

ନୋହିଲେ କହୁଛୁଁ ଆମ୍ଭେ ମାତା ପୁଅ ସର୍ବେ ୪୦

 

ଅନନ୍ତ ମହିମାଙ୍କର ଦୀକ୍ଷା ଆଭରଣୀ,

ତାଙ୍କ ନାମ ଅଟେ ବଜ୍ର ଛଉଁରୀ କୌପୁନୀ ୪୧

ପରମ ମହିମାଙ୍କର କାଷ୍ଠର କୌପୁନୀ,

ଭେକ ତାଙ୍କର ଅଟଇ ପରମ ହଂସିନୀ ୪୨

ଆଦି ମହିମାଙ୍କ ବାନା ପତିତପାବନ,

ତାଙ୍କର ଭେକ ଅଟଇ ସୁତାର ବସନ ୪୩

ମହାଶକ୍ତି ମହିମାଙ୍କ ବାନା ରସମୂଳ,

ତାହାଙ୍କ ବାନା ଅଟଇ ବୃକ୍ଷର ବକଳ ୪୪

ମଧ୍ୟେ ବିଜେ ଅଲେଖ ପୁରୁଷ ଅଣବ୍ରହ୍ମ,

ଚାରିଦ୍ୱାରେ ଜଗିଛନ୍ତି ଚାରିଖର୍ବ ନାମ ୪୫

 

ଶୁଣିଲୁ କି ନିରାକାର ମହିମା ବେବସ୍ଥା,

କେଉଁ ମହିମା ଭଜିବୁଁ ଅଗୋଚର କଥା ୪୬

ଓମ ବେନି ଅକ୍ଷରର ନାହିଁ ଭିନ୍ନାଭିନ୍ନ,

ମଧ୍ୟରେ ରହି ଯାଉଛି ଅଲେଖ ଭୁବନ ୪୭

ପାପ ପୁଣ୍ୟ ବେନିକ୍ଷର ଏକାନ୍ତ ଅକ୍ଷର,

ମଧ୍ୟମ ହୋଇ ରହିଛି ଅଲେଖ ମନ୍ଦିର ୪୮

ଚାରିଗୋଟି ମହିମା ସେ ଚାରି ଗୋଟି ବ୍ରହ୍ମ,

ଚାରିଯୁଗେ ରବିତଳେ ହୋନ୍ତି ଅବତନ୍ୟ ୪୯

ଅବ୍ୟଗତ ମହିମାଙ୍କୁ ମହାନିତ୍ୟ କହି,

ମହାବ୍ରହ୍ମ ଶକତି ସେ ଗର୍ଭ ଅନ୍ତ ନାହିଁ ୫୦

 

ଅଲେଖ ମନ୍ଦିର ଷୋଳ ଯୋଜନ ପଉଚ,

ବାର ଯୋଜନରୁ ପଡ଼ି ଆସିଛି ପାବଚ୍ଛ ୫୧

ପଶ୍ଚିମ ଦ୍ୱାରରେ ମହାନିତ୍ୟର ସଞ୍ଚାର,

ବାର ଯୋଜନ ପର୍ଯ୍ୟନ୍ତେ ହଇଛି ଓସାର ୫୨

ଉତ୍ତର ଦିଗର ଦ୍ୱାର ମହାନିତ୍ୟ ଭୂଇଁ,

ସେହି ବାର ଯୋଜନରେ ଓସାର ଅଟଇ ୫୩

ପୂର୍ବଦିଗ ଦ୍ୱାର ମହାନିତ୍ୟର ରଞ୍ଚନା,

ବାର ଯୋଜନରେ ହଇଅଛି ଆୟତନା ୫୪

ଦକ୍ଷିଣ ଦ୍ୱାରରେ ମହାନିତ୍ୟର ମଣ୍ଡଳି,

ସେହି ବାର ଯୋଜନରେ ଅଛି ତାଙ୍କ ସ୍ଥଳୀ ୫୫

 

ଚାରି ଦିଗ ଦୀର୍ଘ ପ୍ରତି ହଇଛି ସମାନ,

ନିବାଡ଼ ହୋଇଛି ମହାନିତ୍ୟର ମଣ୍ଡନ ୫୬

ମହାନିତ୍ୟ ମଣ୍ଡଳରେ ଯେତେ ଲୋକ ଛନ୍ତି,

ବିଷ୍ଣୁ ଅଙ୍ଗୀ ଅଟନ୍ତି ସେ ଚତୁର୍ଧା ମୂରତି ୫୭

ସ୍ତିରୀ ପୁରୁଷ ସେଠାରେ ଅଟନ୍ତି ସମାନ,

ଗୁରୁ ଶିଷ୍ୟଙ୍କର ତହିଁ ନାହିଁ ଭିନ୍ନାଭିନ୍ନ ୫୮

ଲେଞ୍ଚ ଉଞ୍ଚ ସେ ଠାବରେ ବାରଣ ନୁହନ୍ତି,

ବ୍ରହ୍ମ ମହାନିତ୍ୟବାସୀ ସର୍ବେ ଏକ ଜାତି ୫୯

ଅହିଁସା ଭୁବନ ତହିଁ ନ ଥାଇ ଅରଷ୍ଟି,

ସଦା ସରବଦା ହେଉଅଛି ସାଧୁ ଗୋଷ୍ଠୀ ୬୦

 

ଅନ୍ଧାର ଉଜ୍ଜ୍ୱଳ ନୋହେ ରାତ୍ର ଦିନ ଏକ,

ଚନ୍ଦ୍ର ସୂର୍ଯ୍ୟ ସେଠାବରେ ହୋଇଛନ୍ତି ଦୀପ ୬୧

ଚାରିଯୋଗ ତହିଁ ହୋଇଅଛି ଏକ କୂଳ,

ଶୁଭ ଲଗ୍ନ ନାହିଁ ତହିଁ ସର୍ବଦା ମଙ୍ଗଳ ୬୨

ଚାରି ଧର୍ମ ତହିଁ ହୋଇଛନ୍ତି ଅଧିକାରୀ,

ସମ୍ଭାଳ କରୁଅଛନ୍ତି ଆଗ୍ୟାଁ ଶିରେ ଧରି ୬୩

ଉର୍ମ୍ମ ଧୂର୍ମ୍ମ ଜ୍ୟୋତି ଜ୍ୱାଳା ଚଉକି ପହରା,

ବହୁତ ଆକଟ ଆଗ୍ୟାଁ ପଡ଼ୁଛି ଦୋହୋରା ୬୪

ବ୍ରହ୍ମା ବିଷ୍ଣୁ ଶିବ ପଡ଼ିହାରୀ ସେ ମନ୍ଦିରେ,

ଦର୍ଶନ କରାଉଛନ୍ତି ମହିମା ଛାମୁରେ ୬୫

 

ମହାନିତ୍ୟ ମଣ୍ଡଳରେ ଆଠଗୋଟି ଦ୍ୱାର,

କବାଟ ଲାଗିଛି ଦଶ ଦଶ ପରକାର ୬୬

ଅଷ୍ଟମ ବଟ ଅଛନ୍ତି ଅଷ୍ଟମ ଦୁଆରେ,

ଅଷ୍ଟାଙ୍ଗ ଯୋଗ ବୋଲି କହିଛି ବେଦାନ୍ତରେ ୬୭

ହେତୁବଟ ଯୋଗବଟ କର୍ମବଟ ଅଛି,

କାମନା ବଟକୁ ଘେନି ଅଷ୍ଟ ବୋଲାଉଛି ୬୮

ବିଷ୍ଣୁବଟ ଦେବବଟ ଅନନ୍ତ ସେ ବଟ,

ମହିମା ପ୍ରକାଶ ବଟ ସବୁଠାରୁ ଶ୍ରେଷ୍ଠ ୬୯

ଶୁଣ ବାବୁ ନିରାକାର ଉଚିତ ପ୍ରମାଣେ,

ସେ ମନ୍ଦିରେ ବେଢ଼ା ହୋଇଛନ୍ତି ଯେଉଁମାନେ ୭୦

 

ଅକାର ହୋଇଅଛନ୍ତି ପ୍ରଥମର ବେଢ଼ା,

କର୍ମକାଣ୍ଡ ଇଟାହିଁ ପଥର କରି ଯୋଡ଼ା ୭୧

ଆକାର ହୋଇଅଛନ୍ତି ଦ୍ୱିତୀୟର ବେଢ଼ା,

ଅକ୍ଷରୁ କ୍ଷରିତ ହେଉଥିବ ଯୁଡ଼ା ଯୁଡ଼ା ୭୨

ତକାର ହୋଇଅଛନ୍ତି ତୃତୀୟର ବେଢ଼ା,

ତିନି ତିନି ଅକ୍ଷରେ ହେଉଛି ପଦପଡ଼ା ୭୩

ମକାର ହୋଇଅଛନ୍ତି ଚତୁର୍ଥର ବେଢ଼ା,

ଚିତ୍ତ ବୃତ୍ତି ନାହିଁ ତହିଁ ହୋଇଅଛି ଛଡ଼ା ୭୪

ଶକାର ହୋଇଅଛନ୍ତି ପଞ୍ଚମର ବେଢ଼ା,

ପବନ ବହୁଛି ଅଣ ପ୍ରକାରେ ପାହାଡ଼ା ୭୫

 

ନାଦ ବିନ୍ଦୁ ହୋଇଅଛି ଷଷ୍ଠମର ବେଢ଼ା,

ଘୁଁ ଘୁଁ ଗରଜନେ ହେଉଅଛି ତଡ଼ବଡ଼ା ୭୬

ଜଳ ହୋଇଅଛି ତହିଁ ସପ୍ତମର ବେଢ଼ା,

ପବନ ଫେରୁଛି ଆଡ଼େ ମାରୁଛି ଲହଡ଼ା ୭୭

ହଇ ଛାଇ ହୋଇଛନ୍ତି ଅଷ୍ଟମର ବେଢ଼ା

ପ୍ରେମ-କାଳିନ୍ଦୀ-ହ୍ରଦରୁ ଲାଗିଅଛି ଧାରା ୭୮

ସଦସୁଖ ହୋଇଛନ୍ତି ନବମର ବେଢ଼ା,

ଦ୍ୟୁତି ସ୍ୱରୂପରୁ ଖସୁଛନ୍ତି ଯୋଡ଼ା ଯୋଡ଼ା ୭୯

ଦଶମ ବେଢ଼ାରେ ଦଶ ଇନ୍ଦ୍ରିୟ ହୋଇଛି,

ପ୍ରକୃତିମାନ ପାଖୁଡ଼ା ତହିଁ ଫୁଟିଅଛି ୮୦

 

ନାନାପ୍ରକାର ହୋଇଛନ୍ତି ଏଗାରର ବେଢ଼ି,

ଜଳ ପବନରୁ ଫଳ ଧରିଅଛି କଢ଼ି ୮୧

ଆକୁଳ ମହିମା ସେ ସାଗର ଅଣ ଖୋଲା,

ସମସ୍ତ ବେଢ଼ାକୁ ଧରି ଚବିଶ ହୋଇଲା ୮୨

ଚଉକତି ବେଢ଼ାଇ ରହିଛି ଏହି ରୂପେ,

ପ୍ରଭୁ ବିଜେ କରିଛନ୍ତି ଅମନର ଶିଖେ ୮୩

ବଜ୍ର କବାଟ ଲାଗିଛି ଯାଉଁଳି ରନ୍ଧ୍ରରେ,

ସ୍ଥିତି ଉତ୍ପତ୍ତି ପ୍ରଳୟ ନ ପଶେ ତହିଁରେ ୮୪

ନିର୍ଭଏ ଭୁବନ ସେ ଯେ ଭୟ ଭ୍ରାନ୍ତି ନାହିଁ,

କାଳ ଭୟ ରୋଗ ଶୋକ ପଶିବ ସେ କାହିଁ ୮୫

 

ମହାନିତ୍ୟ ମଣ୍ଡଳେ ଅଛନ୍ତି ଯେତେ ଲୋକ,

ସଦା ସରବଦା ମନ ଆନନ୍ଦ ଉଚ୍ଛୁକ ୮୬

ଛପନା କୋଟି ଜୀବନ ଯେ ଜନ୍ତୁଙ୍କର କଳ,

ମହା ମହିମାଙ୍କର ପୟରେ ସବୁ ଠୁଳ ୮୭

ସେହି ମତେ ହୋଇଛନ୍ତି ଦଇବ ଦଉଡ଼ି,

ଯହିଁ ବୁଲାଇଲେ ବୁଲୁଛନ୍ତି ଧାଡ଼ି ଧାଡ଼ି ୮୮

କର୍ମକାଣ୍ଡ ରଜ୍ଜୁ ସେ ଯେ ନ ଛିଡ଼ଇ କେଭେ,

ପୁଷ୍ପ ପ୍ରାଏ ଗୁନ୍ଥା ହୋଇ ରହିଛନ୍ତି ସର୍ବେ ୮୯

ମହାନିତ୍ୟମଣ୍ଡଳରେ ଛନ୍ତି ଯେତେ ଜନ,

ସମସ୍ତେ ପିନ୍ଧିଁ ଅଛନ୍ତି ଅମୂଲ୍ୟ ବସନ ୯୦

 

ହୀରା ଅଙ୍ଗ ପ୍ରାଏ ଦିଶେ ସମସ୍ତଙ୍କ ତେଜ

ସର୍ବେ ବ୍ରାହ୍ମଣ ବ୍ରାହ୍ମଣୀ କେହି ନାହିଁ ଦ୍ୱିଜ ୯୧

ବିଛନ୍ଦ ବିକାର ତହିଁ ନ ଥାଇ ସେଠାରେ,

ବ୍ରହ୍ମ ପଇତା ପଡ଼ିଛି ସବୁରି ଅଙ୍ଗରେ ୯୨

ବ୍ରହ୍ମ କର୍ମେ ପରିପୂର୍ଣ୍ଣ ହେଉଛନ୍ତି ନିତି,

ଅପାପୀ ଅଟନ୍ତି ନାହିଁ ପାତକ ପ୍ରକୃତି ୯୩

ଛଡ଼ମୁଖୀ ଗାବର ହେଉଛି ମଳମୂତ୍ର,

ଗୋମୟ ଲଗାନ୍ତି ଅଙ୍ଗେ ପିବନ୍ତି ପବିତ୍ର ୯୪

ଶୂନ୍ୟ ଧର୍ମେ ଚାଲୁଛନ୍ତି ନୁହନ୍ତି ଅର୍ଦ୍ଧାଙ୍ଗ,

ଅସିଦ୍ଧ ନୁହନ୍ତି ସେ ଯେ ଅଟନ୍ତି ସିଦ୍ଧାଙ୍ଗ ୯୫

 

ଉଦେ ଅସ୍ତ ଦରଶନ ଲାଗିଅଛି ନିତି,

ଖଣ୍ଡ ତପସ୍ୟା ନୁହନ୍ତି ଅଖଣ୍ଡ ବିଭୂତି ୯୬

ଚାରିଯୁଗେ ତ୍ରିଭୁବନେ ଯାହା ହେଉଅଛି,

ସକଳ ବିଷୟ ସମ ଅକ୍ଷରେ ଛିଡ଼ୁଛି ୯୭

ମହିମାକୁ ଯେତେ ପ୍ରାଣୀ ଆଶ୍ରିତ କରିବେ,

ମହା ନିତ୍ୟମଣ୍ଡଳରେ ସମସ୍ତେ ରହିବେ ୯୮

ମହାବ୍ରହ୍ମ ଶକତି ସେ ନୁହନ୍ତି ପୁରୁଷ,

ଛପ୍ନାକୋଟି ଜୀବ ତାଙ୍କ ଗର୍ଭରୁ ପ୍ରକାଶ ୯୯

ମହିମା ସାଗର ସେ ଯେ ଅନ୍ତରଯାମିନୀ

ବ୍ରହ୍ମ – ନିରୂପଣଗୀତା, ଭୀମଦାସ ଭଣି ୧୦୦

 

ଇତି ଶ୍ରୀ ବ୍ରହ୍ମ - ନିରୂପଣଗୀତା, ସୁଜନଜନ ହିତା, ଗୁରୁ

ଶିଷ୍ୟସମ୍ବାଦେ, ମହିମା ଉଦ୍‌ଯୋଗବର୍ଣ୍ଣନେ,

ଭେଦାଭେଦ କଥନେ, ଆଗମ ନିଗମ

ବିଚାରଣେ ନାମ ଷଷ୍ଠ ଅଧ୍ୟାୟ

 

ସପ୍ତମ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଲୁଛନ୍ତି ଶୁଣ ମୋ ବିନତି,

ଗୁରୁସିନା ଅଟନ୍ତି ଜୀବର ମୋକ୍ଷଗତି

ଗୁରୁ ନ କହିଲେ ସଦଗ୍ୟାନ ନୋହେ କିଛି,

ଗୁରୁ ବିନୁ ଉଦ୍ଧାରୁ ଅନ୍ୟରେ ନୋହେ କିଛି

ଚାରିଯୁଗେ ଗୁରୁପାଦେ ସେବା ସିନା ମୂଳ,

ଆଉ କଥାମାନ ଯେତେ ସବୁ ସିନା ଫଳ

ଅନ୍ୟ ଧର୍ମମାନଙ୍କରେ କ୍ଷମା ଧର୍ମ ନାହିଁ,

ତେଣୁକରି ସିନା ଗୁରୁ ଛାମୁରେ ପୁଚ୍ଛଇ

ଗୁପତ ସନ୍ଦେଶ ଗ୍ୟାନ ରଖିଥିଲ କାହିଁ,

ତାହାମୋତେ ଶ୍ରୀ ମୁଖରେ କହିଲ ବୁଝାଇ

 

ଏବେ ମହିମାର କଥା ହେଉଛି କେମନ୍ତ,

ନିରୂପଣ କରି ମୋତେ କହ ଆଦି ଅନ୍ତ

ମହିମା ବୋଲିବା ପଦ କେତେ ବା ଶକତି,

କେଉଁ ବର୍ଣ୍ଣ ରୂପ ତାର ଦିଶଇ ମୂରତି

ଶ୍ରୀ ଚରଣେ କଉଁପରୀ ଭଗତି କରିବା,

ସତ୍ୟ ସତ୍ୟ କରି ମୋତେ କହ ଗୁରୁବାବା

କେବଣ ମାର୍ଗେ ଭଜିଲେ ହଇବେ ପ୍ରସନ୍ନ,

ଯୁଗେ ଯୁଗେ ଏ ପିଣ୍ଡରେ ରହିବ ପରାଣ

ଚିଆଁ ଚଇତନ୍ୟ ହେତୁ ଚେତା ନ ବୁଡ଼ିବ,

କି ଉପାୟ କଲେ ପିଣ୍ଡ ଭୂମି ନ ପଡ଼ିବ ୧୦

 

ମହିମାସାଗର ନାମ ଅତି ଭୟାଙ୍କାର,

ବିଚାରିଲେ ମନକୁ ମାଡ଼ଇ ବଡ଼ ଡର ୧୧

ସାଗର ବୋଇଲେ କଥା ସମଜି ନୁହଇ,

ଗୁପତ ନ କରି ମୋତେ କହ ଗୁରୁସାଇଁ ୧୨

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀ ଗୁରୁ ବୋଇଲେ ବାବୁ ଶୁଣ ଦିବ୍ୟସୀମା,

ମହାବ୍ରହ୍ମ ଶକତିର ଅଶେଷ ମହିମା ୧୩

ବ୍ରହ୍ମ ଅଂଶ ଆଏଶ ବୋହନ୍ତି ଯେଉଁ ଜନ,

ପରିପୂର୍ଣ୍ଣ କରି ବୁଝ ନୋହେ ତାର ଗୁଣ ୧୪

ମହିମା ନାମଟି ଯେହୁ ମଥା ପରେ ଅଛି,

ଯେଉଁ ଆଡ଼େ ମୁଖ କଲେ ଆଗକୁ ହେଉଛି ୧୫

 

ମହିମା ନାମଟି ଯେହୁ ମହାଦୂର ନୋହେ,

ଆଣି ନେଇ ଥୋଇବାକୁ ବହୁତ ସଂଶଏ ୧୬

ମହିମା ନାମଟି ଯେହୁ ଅଟେ କର୍ମବେଦ,

କପୋଳରେ ଲେଖି ଦିଆଇଛି ଯୋଗ ଭୋଗ ୧୭

ମହିମା ନାମଟି ଯେହୁ ଅଟେ ମହାମାୟା,

ରଜ ବୀଜ ଯୁକ୍ତ କରି ଗଢୁଅଛି କାୟା ୧୮

ମହିମା ନାମଟି ଯେହୁ ମାତାଟି ହେଉଛି,

ଦଶମାସ ଯାଏ ଗର୍ଭଗତରେ ବହୁଛି ୧୯

ମହିମା ନାମଟି କରୁଅଛି ପାର ତାର,

ଏ ସଂସାରସାଗରରୁ କରନ୍ତି ଉଧାର ୨୦

 

ମହିମା ନାମଟି ଯେହୁ ଏ ମହୀ ମେଦନୀ,

ଦୁଷ୍ଟ ସନ୍ଥ ଏକ ସମାନରେ ଅଛି ମଣି ୨୧

ମହିମା ନାମଟି ଯେହୁ ମନଟି ହୋଇଛି,

ବୁଦ୍ଧି ବିଚାରଣେ କରି ଧୀରାନ୍ତ ରହିଛି ୨୨

ମହିମା ନାମଟି ଯେହୁ ଅଟଇ ସେ ମୀନ,

ଏ ଘଟରେ ଖେଳୁଅଛି ଯେସନେ ଜୀବନ ୨୩

ମହିମା ନାମଟି ଯେହୁ ମହତ୍ତ୍ୱଟି ସେହି,

ସଭାମଣ୍ଡଳ ମଧ୍ୟରେ ଧର୍ମରୂପେ ଥାଇ ୨୪

ମହିମା ନାମଟି ଯେହୁ ମରଣଟି ଅଟେ,

ନିର୍ବଳ ହୋଇଲେ ଅଙ୍ଗେ କାଳରୂପେ ଘୋଟେ ୨୫

 

ମହିମା ନାମଟି ଯେହୁ ମଦନ ଆରତ,

ପିଣ୍ଡ ବ୍ରହ୍ମାଣ୍ଡ ହୋଇଛି ମଳୟ ବସନ୍ତ ୨୬

ମହିମା ନାମଟି ଯେହୁ ମିଶେ ସର୍ବଠାରେ,

ଅନ୍ତର ବାହାରେ ଆବୋରିଛି ଏ ଦେହରେ ୨୭

ମହିମା ନାମଟି ଯେହୁ ମନ୍ତ୍ର ମଉଷଧି,

ହୃଦୟରେ ପ୍ରକାଶ ହୋଇଛି ବ୍ରହ୍ମବୁଦ୍ଧି ୨୮

ମହିମା ନାମଟି ଯେହୁ ମହାପୁଣ୍ୟ ଅଟେ,

ଆପେ ଦେଇ ଦିଆଉଛି ବସି ସର୍ବଘଟେ ୨୯

ମହିମା ନାମଟି ଯେହୁ ସର୍ବ ବୋଲାଉଛି,

ଶ୍ରୀଅଙ୍ଗରୁ କୋଟି କୋଟି ଜନ୍ମ କରୁଅଛି ୩୦

 

ମହିମା ନାମଟି ଯେହୁ ସାକ୍ଷାତେ ସେ ଧର୍ମ,

ଅଗାଧ ଗଭୀର ସେ ଅଟଇ ପୁଣ୍ୟ ବ୍ରହ୍ମ ୩୧

ମହିମା ନାମଟି ଯେହୁ ପ୍ରତକ୍ଷେ ମନୁଷ୍ୟ,

ଦୁର୍ଲଭ ଜନ୍ମଟି ଅଟେ ସର୍ବଜ୍ଞ ପୁରୁଷ ୩୨

ମହିମା ନାମଟି ଯେହୁ ମଧୁର ବଚନ,

ଆଶ୍ୱାସନା ଅବଲମ୍ବେ ସ୍ନେହରେ ବନ୍ଧନ ୩୩

ମହିମା ନାମଟି ଯେହୁ ମେଘ ବୋଲାଉଛି,

ଧର୍ମ ଅନୁସାରେ ମେଘ ବରଷା କରୁଛି ୩୪

ମହିମା ନାମଟି ଯେହୁ ମହା ମହେଶ୍ୱର,

ଛପ୍ନାକୋଟି ଜୀବରୁ ସେ ଆତ୍ମାର ଗୋଚର ୩୫

 

ମହିମା ନାମଟି ଯେହୁ ଅଟଇ ସେ ମେରୁ,

ପ୍ରସନ୍ନ ହୋଇଲେ ସେହୁ ଦୁବ କରେ ଦାରୁ ୩୬

ମହିମା ନାମଟି ଯେହୁ ମହା ନିଦ୍ରାବତୀ,

ସମସ୍ତଙ୍କୁ ଅଚେତା କରୁଛି ନବକ୍ଷିତି ୩୭

ମହିମା ନାମଟି ଯେହୁ ମୁକତି ପସରା,

ଭକ୍ତଗଣମାନେ କରୁଅଛନ୍ତି ଆଶରା ୩୮

ମହିମା ନାମଟି ଯେହୁ ମୁରୁଛା ନ ଯାଏ,

ଦିନେ ଭଜିଥିଲେ ବ୍ରହ୍ମ ବୈକୁଣ୍ଠ ସେ ଯାଏ ୩୯

ମହିମା ନାମଟି ଯେହୁ ମାର୍ଗ ବୋଲାଉଛି,

ଭେଦାଭେଦ କଲେ ଯାଇ ପ୍ରସନ୍ନ ହେଉଛି ୪୦

 

ମହିମା ନାମଟି ଯେହୁ ମରୁତ ଉଜାଣି,

ବାସନା ବିକାଶ ପୂର୍ବ ସୁକୃତକୁ ଘେନି ୪୧

ମହିମା ନାମଟି ଯେହୁ ମଧ୍ୟମ ହେଉଛି,

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏକାନ୍ତଠାରେ ଅଛି ୪୨
ମହିମା ନାମଟି ଯେହୁ ମହାଶୂନ୍ୟ କହି
,

ସେଠାବକୁ ଗଲେ ଉଠି ନିଶୁଣୀ ଲଗାଇ ୪୩

ମହିମା ନାମଟି ଯେହୁ ମାଏଁସ ରୁଧିର,

ଜଳ ପବନରେ ନିର୍ଭା ହୋଇଛି ଶରୀର ୪୪

ମହିମା ନାମଟି ଯେହୁ ମୂର୍ତ୍ତିବନ୍ତ ଅଟେ,

ଲିଙ୍ଗରୂପେ ଆବୋରି ରହିଛି ଏହି ଘଟେ ୪୫

 

ମହିମା ନାମଟି ଯେହୁ ଅଟଇ ଯେ ମୁନି,

ଚାରିଯୁଗେ ଖୋଜି ଖୋଜି ନ ପାବନ୍ତି ଗ୍ୟାଁନୀ ୪୬

ମହିମା ନାମଟି ଯେହୁ ଅଟଇ ଯେ ଯମ,

ସର୍ବଠାରେ ଘଟେ କରିଅଛଇ ବିଶ୍ରାମ ୪୭

ମହିମା ନାମଟି ଯେହୁ ରାମନାମ ପଦ,

ଶବଦ ସ୍ୱରୂପେ ହୋଇ ପୂରିଅଛି ଭେଦ ୪୮

ମହିମା ନାମଟି ଯେହୁ ମହାରାଟ କହି,

ଆକାରରୂପେ ଶରୀରେ ବରାଜୁଛି ଦେହୀ ୪୯

ମହିମା ନାମଟି ଯେହୁ ମମକ୍ଷର ଅଟେ,

ସେହିପରି ସର୍ଜନା ହୋଇଛି ନାନା ବାଟେ ୫୦

 

ମହିମା ନାମଟି ଯେହୁ ସତରଜ ଜାଣ,

ବାଳ ବୃଦ୍ଧ ସବୁ କରୁଅଛି ସଂହାରଣ ୫୧

ମହିମା ନାମଟି ଯେହୁ ଅଟେ ମହାରସ,

ପାନ କଲେ ନ ଜାଣିବ ରଜନୀ ଦିବସ ୫୨

ମହିମା ନାମଟି ଯେହୁ ଅଟେ ମହାମେରୁ,

ମରକନ୍ଦ ଝରୁଅଛି ପଦାରବିନ୍ଦରୁ ୫୩

ମହିମା ନାମଟି ଯେହୁ ଅଟଇ ନମାମି,

ସାର ବ୍ରହ୍ମ ଗ୍ୟାଁନ ସେ ସାକ୍ଷାତେ ଗୁରୁସ୍ୱାମୀ ୫୪

ମହିମା ନାମଟି ଯେହୁ ମହାଘୋରସିନ୍ଧୁ,

ଅବ୍ୟଗତ ଶକତି ସେ ଅବ୍ୟଗତ ଇନ୍ଦୁ ୫୫

 

ମହିମା ନାମଟି ଯେହୁ ମହାଦେବ ଜାତି,

ମହାବ୍ରହ୍ମ ଶକତିରୁ ହୋଇଲା ସିଧ୍ୟାନ୍ତି ୫୬

ଶୁଣିଲୁକି ନିରାକାର ମହିମାଙ୍କ ରୀତି,

ମହିମା ନାମଟି ଯେହୁ ଜୀବର ମୁକତି ୫୭

ମହିମା ନାମଟି ଯେହୁ ଚାରିଯୁଗେ ସାର,

ମହିମା ପ୍ରକାଶ ହେଲେ ହୁଅନ୍ତି ଅମର ୫୮

ମହିମା ଗର୍ଭରୁ ଜାତ ହେଲା ଚାରିବେଦ,

ଋକ୍‌ସାମ ଯଦୁ ଅର୍ଥ କହିଲା ସେ ପଦ ୫୯

ମହିମା ଗର୍ଭରୁ ଜାତ ହେଲା ଚାରିଧର୍ମ,

ଶାନ୍ତ ଶୀଳ ଦୟା କ୍ଷମା ବୋଲି ତାଙ୍କ ନାମ ୬୦

 

ମହିମା ଗର୍ଭରୁ ଜାତ ହେଲା ଚାରିଦିଗ,

ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସମ୍ଭବ ୬୧

ମହିମା ଗର୍ଭରୁ ଜାତ ଚାରିଯୁଗ ହେଲା,

ସତ୍ୟ ତ୍ରେୟତା ଦ୍ୱାପର କଳି ବୋଲାଇଲା ୬୨

ମହିମା ଗର୍ଭରୁ ଜାତ ଚାରି ବ୍ରହ୍ମଭକ୍ତ,

ଅନନ୍ତ ଶ୍ରୀରାମଚନ୍ଦ୍ର କୃଷ୍ଣ ଜଗନ୍ନାଥ ୬୩

ମହିମା ଗର୍ଭ ଭିତରୁ ହୋଇଲେ ପ୍ରକାଶ,

ଏହାଙ୍କର ନାମ ଶୂନ୍ୟ ଧରତୀ ଆକାଶ ୬୪

ମହିମା ଗର୍ଭରୁ ଜାତ ବ୍ରହ୍ମା ବିଷ୍ଣୁ, ଶିବ,

ତିନିପୁରେ ଅଧିକାରୀ ହେଲେ ଜୟଦେବ ୬୫

 

ମହିମା ଗର୍ଭରୁ ଜାତ ହେଲା ତିନିପୁର,

ସ୍ୱର୍ଗ ମର୍ତ୍ତ୍ୟ ଘେନି ହେଲା ପାତାଳ ବିମ୍ବର ୬୬

ମହିମା ଗର୍ଭରୁ ହେଲେ ହ୍ଳୀଁ, ଶ୍ଳୀଁ, କ୍ଳୀଁ ଯେ ଜାତ,

ଅଧ ଊର୍ଦ୍ଧ୍ୱ, ଉଦ ବୀଯ ହୋଇଲା ସମ୍ଭୁତ ୬୭

ମହିମା ଗର୍ଭରୁ ଜାତ ତିରିଲା ପୁରୁଷ,

ଯୁଗଳ ଜ୍ୟୋତି ସଂସାରେ ହୋଇଲା ପ୍ରକାଶ ୬୮

ମହିମା ଗର୍ଭରୁ ଜାତ ଦିବସ ରଜନୀ,

ଅନ୍ଧାର ଉଜ୍ଜ୍ୱଳ ହେଲା ଏ ନବ ମେଦିନୀ ୬୯

ମହିମା ଗର୍ଭରୁ ଜାତ ହେଲେ ଚନ୍ଦ୍ର ସୂର୍ଯ୍ୟ,

ଉଦେ ଅସ୍ତ ଏ ସଂସାରେ ହେଉଛି ବିରାଜ ୭୦

 

ମହିମା ଗର୍ଭରୁ ଜାତ ହେଲା ପାପ ପୁଣ୍ୟ

ଶୁଭ ଅଶୁଭ ସଂସାରେ ହୋଇଲା ଭିଆଣ ୭୧

ମହିମା ଗର୍ଭରୁ ଜାତ ଭକ୍ତ ଭଗବାନ,

ଗୁରୁ ଶିଷ୍ୟ ସଂସାରେ ହୋଇଲେ ବେନି ଜନ ୭୨

ମହିମା ଗର୍ଭରୁ ଜାତ ଏବେ ହେଲା ମନ୍ଦ,

ତେଣୁକରି ସଂସାରେ ହୋଇଲା ନାନା ଛନ୍ଦ ୭୩

ମହିମା ଗର୍ଭରୁ ଜାତ ଜନମ ମରଣ,

ଆସିବା ଯିବା ହେଉଛି କେବେ ନୋହେ ଶୂନ୍ୟ ୭୪

 

ମହିମା ଗର୍ଭରୁ ଜାତ ହେଲା ପରମ୍‌ଜୀବ,

ଦିବାଗ୍ୟାନ ସଂସାରେ ଦିଶିଲା ସର୍ବଶୁଭ ୭୫

 

ମହିମା ଗର୍ଭରୁ ଜାତ ହେଲେ କୃଷ୍ଣ ରାଧା,

ଭିଆଣ ହୋଇଲା ଯହୁଁ ନଟକୂଟ ବିଦ୍ୟା ୭୬

ମହିମା ଗର୍ଭରୁ ଜାତ ହୋଇଲା ଅଶେଷ,

ଅକଳଣା ଗର୍ଭ ସେହୁ କେବେ ନୋହେ ଶେଷ ୭୭

ମହିମା ଗର୍ଭରୁ ଜାତ ଛପ୍ନାକୋଟି ଜନ୍ତୁ,

ସଞ୍ଚରିତ ହେଲେ ନିଜ ଶକତିର ହେତୁ ୭୮

ମହିମା ଗର୍ଭରୁ ଜାତ ତେତିଶ୍‌କୋଟି ଦେବ

ରଜଗୁଣେ ସଞ୍ଚରିତ ହୋଇଲେ ସଂଯୋଗ ୭୯

ମହିମା ଗର୍ଭରୁ ଜାତ ନବଲକ୍ଷ ତାରା,

ଆକାଶରେ ଜଳୁଛନ୍ତି ଯେଶନେକ ହୀରା ୮୦

 

ମହିମା ଗର୍ଭରୁ ଜାତ ନବକୋଟି ଦେବୀ,

ତିନିଭୁବନରେ ଠାବେ ରହିଛନ୍ତି ଯୋଗୀ ୮୧

ମହିମା ଗର୍ଭରୁ ଅଷ୍ଟକୋଟି ଯେ କାନ୍ତାନୀ,

ଧରିଛନ୍ତି ଖର୍ବକାତି ଖପର ଭବାନୀ ୮୨

ମହିମା ଗର୍ଭରୁ ଜାତ ହେଲେ ଚାରି ମେରୁ,

ଅଚଳ ହୋଇଅଛନ୍ତି କେତେଦିନ ଠାରୁ ୮୩

ମହିମା ଗର୍ଭରୁ ଜାତ ହେଲା କ୍ଷୁଧା ତୃଷା,

ସେହି ଦିନକୁ ଯେ ସବୁ ହେଲା ପ୍ରତି ଆଶା ୮୪

ମହିମା ଗର୍ଭରୁ ଜାତ ହେଲା ସତ ମିଛ,

ପାରୁ ଯେବେ ନିରାକାର ନିରୋଳରେ ବାଛ ୮୫

 

ମହିମା ଗର୍ଭରୁ ଜାତ ହେଲା ପଞ୍ଚୁଭୂତ,

ପଞ୍ଚମ ଗୁଣରେ ଦେହ ହୋଇଲା ଶକତ ୮୬

ମହିମା ଗର୍ଭରୁ ଜାତ ମହୀ ଓ ଧରତୀ,

ମହିମା ଗର୍ଭରୁ ଜାତ ହେଲା ସ୍ଥିତି ଉତପତି ୮୭

ମହିମା ଗର୍ଭରୁ ଜାତ ହେଲା ହେତୁ ଚେତା,

ଶ୍ରୋତା ତତ୍ତ୍ୱ ଭେଦରେ ଛିଡ଼ିଛି ସର୍ବ କଥା ୮୮

ମହିମା ଗର୍ଭରୁ ଜାତ ହେଲା କାଳଗ୍ରହ,

ବ୍ୟାଧିରୂପେ ପୀଡ଼ିତ ହୋଇଲା ସର୍ବଦେହ ୮୯

ମହିମା ଗର୍ଭରୁ ଜାତ ଲକ୍ଷ୍ମୀ ସରସ୍ୱତୀ,

ଅନ୍ନବସ୍ତ୍ର ହୋଇ ଘୋଟିଛନ୍ତି ଦିବାରାତି ୯୦

 

ମହିମା ଗର୍ଭରୁ ଜାତ ହେଲା ରସବାସ,

ପୁଷ୍ପଚନ୍ଦନ ବାସରେ ହଇଲା ପ୍ରକାଶ ୯୧

ମହିମା ଗର୍ଭରୁ ଜାତ ହେଲା ସରି ମଧୁ,

ନିର୍ଝରୁ ଝରୁଛି ମହା ଶକତିର ଇନ୍ଦୁ ୯୨

ମହିମା ଗର୍ଭରୁ ଜାତ ତପତ ଉଷୁମ,

ସର୍ବ ଘଟେ ଆବରିଛି ସତ ରଜ ତମ ୯୩

ମହିମା ଗର୍ଭରୁ ଜାତ ହେଲା ବେନି ଜାତି,

ମାଈ ଅଣ୍ଡିରା ଯୋଡ଼ିଏ ତ୍ରିଭୁବନେ ଛନ୍ତି ୯୪

ମହିମା ଗର୍ଭରୁ ଜାତ କହନ୍ତା ବହନ୍ତା,

ଯେ ଯାହାର ଦୁଖ ସୁଖ ଲାଗିଅଛି ଚିନ୍ତା ୯୫

 

ମହିମା ଗର୍ଭରୁ ଜାତ କାମଦେବ ରତି,

ତେଣୁକରି ସଂସାରେ ଯୋଡ଼ିଲା ପତିପତ୍ନୀ ୯୬

ମହିମା ନାମଟି ଯେହୁ ସାତୁକ୍ୟ କରମ,

ସୁପଥରେ ବୁଲିବାରୁ ଲଭିଲେ କାରଣ ୯୭

ମହିମା ଗର୍ଭରୁ ଜାତ ହେଲା ସର୍ବ ଶ୍ରମ,

ତେଣୁକରି ସଂସାରେ ବୋଲିଟି ଏକ ନାମ ୯୮

ମହିମା ଗର୍ଭରୁ ଜାତ ରଜବୀଯ ହେଲା,

ସେହିଠାରୁ ସମସ୍ତଙ୍କୁ ଭାଗ ବଣ୍ଟାଗଲା ୯୯

ମହିମା ଗର୍ଭରୁ ଜାତ ହୋଇଲା ସକଳ,

ମମକ୍ଷରଟି ଯେହୁ ସେ ସାଗର ଅକୂଳ ୧୦୦

 

ମହିମା ଗର୍ଭରୁ ଜାତ ହେଲା ଫଳ ମୂଳ,

ଦେହଧାରୀ ଯେତେ ଖାଇ ବଞ୍ଚିଲେ ସକଳ ୧୦୧

ମହିମା ଗର୍ଭରୁ ଜାତ ହେଲା ତରୁ ତୃଣ,

ତେଣୁକର ସଂସାରେ ହୋଇଲା ଝାଡ଼ ବଣ ୧୦୨

ମହିମା ଗର୍ଭରୁ ଜାତ ଦୟା କ୍ଷମା ଦୁଇ,

ତାରଣ ମାରଣ ତାର ଗୋଚରେ ଅଛଇ ୧୦୩

ମହିମା ଗର୍ଭରୁ ଜାତ ହେଲା ଲୋଭ ଲାଭ,

ଗୃହ ଆବୋରି ଯତନେ କରାଇ ସଂଯୋଗ ୧୦୪

ଛପ୍ନାକୋଟି ଜୀବ ଜାତ କରିଅଛି ସେହି,

ମାତା ରୂପେ ଜନ୍ମଇ ଭାରିଯାରୂପେ ଖାଇ ୧୦୫

 

ମହିମା କଥାଟି ଯେହୁ ସାଗର ଶକତି,

ଅଙ୍ଗରୁମ ପ୍ରାଏ ଜୀବ କ୍ଷରିତ ଅଛନ୍ତି ୧୦୬

ମହିମାଠାରୁ ହୋଇଛି ଅଶେଷ ବ୍ରହ୍ମାଣ୍ଡ,

ଅଲେଖ ପୁରୁଷ ସେହୁ ପୁରୁଷେ ଅଖଣ୍ଡ ୧୦୭

ଅକଳନା ବାରାନିଧି ଅଲେଖର ପେଟ,

କୋଟି ବ୍ରହ୍ମାବିଷ୍ଣୁ ଶିବ ନ ପାବନ୍ତି ଭେଟ ୧୦୮

ଶୁଣିଲୁକି ନିରାକାର ବ୍ରହ୍ମନିରୂପଣ,

ମନ ଭେଦି ପାରିଲେ ଝଡ଼ିବ ପାପମାନ ୧୦୯

ଶୁଣ ସାଧୁ ସୁଜନେ ମହିମା ବ୍ରହ୍ମ କଥା,

ମମ ଅକ୍ଷରଟି ଯେହୁ ସାକ୍ଷାତେ କରତା ୧୧୦

 

ହେ ମହିମା ମେରୁ ମୋର ନ ଧରିବ ଦୋଷ,

ବ୍ରହ୍ମନିରୂପଣ ଗୀତା ଭଣେ ଭୀମଦାସ ୧୧୧

 

ଇତି ଶ୍ରୀ ବ୍ରହ୍ମନିରୂପଣ ଗୀତା ସୁଜନଜନ ହିତା, ଶ୍ରୀ ଗୁରୁ

ଶିଷ୍ୟ ସମ୍ବାଦେ, ମହାବ୍ରହ୍ମ ଶକ୍ତିର ଆତଜାତ ବର୍ଣ୍ଣନେ,

ଭେଦାଭେଦ ଚରିତ୍ର ବିଚାରଣେ, ମହିମାମେରୁ

କଥନେ ନାମ ସପ୍ତମୋଽଧ୍ୟାୟଃ

 

ଅଷ୍ଟମ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ଗୁରୁଦେବ,

କେତେ ଦୀର୍ଘ ପ୍ରତି ଅଟେ ମହିମାଙ୍କ ଗର୍ଭ

କେଉଁ ବର୍ଣ୍ଣ ଚିହ୍ନ ଅଟେ କେବଣ ସ୍ୱରୂପ,

କେତେ ସରୁ କେତେ ଗୁରୁ କହ ତାଙ୍କ ସତ୍ୟ
କୋଟି କୋଟି ଜୀବ ତହୁଁ ହେଉଛନ୍ତି ଜାତ,

ଉଚିତ ବଚନ ଗୁରୁ କହିବ ଯେ ସତ୍ୟ

ଦେହଧାରୀ ହୋଇ ସର୍ବେ ତ୍ରିଭୁବନ ଖ୍ୟାତି,

କେଉଁରୂପେ ଫେରି ହତ ହୋଇ ଯାଉଛନ୍ତି

ଭାରାଭର ନାହିଁକି ଲାଗଇ ତାଙ୍କୁ କିଛି,

ଏହିରୂପେ ବୁଝାମଣା କେଉଁରୂପେ ଅଛି

 

ଏତେ ବୋଲି ପଡ଼ିଲେ ଶ୍ରୀଗୁରୁ ପାଦଗତ,

ନିର୍ଣ୍ଣୟ କରିଣ କହ ଏଥିର ଅରଥ

କେତେ କୂଳ କେତେ ଜଳ କେତେ ସ୍ଥଳ ଅଛି,

କେତେ କଳ କେତେ ନାଡ଼ ପାଖୁଡ଼ା ଫୁଟିଛି

ତହିଁର ଗଭୀର କେତେ ଯୁଣ ଉତ୍ସର୍ଗତ,

କେତେ ଦଳ କେତେ ସ୍ଥଳ ହୋଇଅଛି ଯୁକ୍ତ

ଅଶେଷ ଭୁବନ ତାଙ୍କ ଗର୍ଭଗତେ ଠଣା,

ଚାରିଯୁଗେ କି ପ୍ରକାରେ ହେଉଛି କଳଣା

ଏ କଥା ବିଚାରି ମୋତେ କହ ନାରାୟଣ,

ଶୁଣିଲେ ପରତେ ଯିବ ପଞ୍ଚୁଭୂତ ମନ ୧୦

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ଶୁଣ ତହିଁର ବିଧାନ,

ବୁଝାଇ କହିବା ତାଙ୍କ ଗର୍ଭ ନିରୂପଣ ୧୧

କୋଟିଏ ଅଗ୍ନିରୁ ଜିଣି ବିରାଜଇ ରୂପ,

କୋଟି ସୂର୍ଯ୍ୟ ପ୍ରାଏ ଅଙ୍ଗ ବିରାଜେ ଝଟକ ୧୨

କୋଟି ଚନ୍ଦ୍ରରୁ ଜିଣିଣ ଶରୀର ନିର୍ମଳ,

କୋଟିଏ ଜ୍ୟୋତିରୁ ଜିଣି ଶ୍ରୀମୁଖ ଉଜ୍ଜ୍ୱଳ ୧୩

ବାରଭାଗେ ବତିଶ ଯୋଜନ ଲକ୍ଷ ସ୍ଥଳୀ,

କନ୍ଦି କନ୍ଦି ହୋଇଣ ପଡ଼ିଛି ଦାଣ୍ଡ ଗଳି ୧୪

ଡାହାଣରେ ବତିଶ ଯୋଜନ ଲମ୍ବ ଅଛି,

ଅନୁମାନ ଭେଦାନ୍ତରେ ତୋଳିକରି ବାଛି ୧୫

 

କଟିଭାଗେ ବତିଶ ଯୋଜନ ଲକ୍ଷ ମହୀ,

ସେଠାରୁ ଯେ ଆସିଥିବ ସେ ପାରିବ କହି ୧୬

ଆଗଭାଗେ ବତିଣ ଯୋଜନ ଲକ୍ଷ୍ୟ ଲମ୍ବ,
ଚଉକତି ସମାନରେ ହୋଇଛି ଆରମ୍ଭ
୧୭

ଆୟତନକୁ ଆବୋରି ଅଛି ଗର୍ଭ ସ୍ଥିତି,

ଦ୍ୱାରେ ଚନ୍ଦନ ଅର୍ଗଳି ଉଜାଣି ଉଠନ୍ତି ୧୮

ଗର୍ଭମଧ୍ୟେ ମଣ୍ଡଳରେ ଶକତି ବସିଛି,

ଜୀବମାନଙ୍କର ପିଣ୍ଡ ଗଢ଼ା ହେଉଅଛି ୧୯

ଉଜାଣି ଝର ଝରକୁ ଯେ ପାରିବ ଭେଟି,

ମହାଶୂନ୍ୟ ଭୁବନକୁ ଆସିବ ସେ ଉଠି ୨୦

 

ସିଦ୍ଧ ହୋଇଅଛି ତହିଁ ଗିରିହଦ ମଣ୍ଡ,

ଶିଶିର ପରାଏ ଜୀବମାନଙ୍କର ପିଣ୍ଡ ୨୧

ଶବଦ ବ୍ରହ୍ମରୁ ପିତାଅଙ୍ଗରୁ କ୍ଷରୁଛି,

ସିନ୍ଧୁ ପ୍ରାଏ ହୋଇ ମାତା ପଦ୍ମରେ ପଶୁଛି ୨୨

ମହିମାଶକତି ପାଖୁଡ଼ାରେ ସସ୍ରଦଳ,

ତିନିଶ ଷାଠୀଏ ଦିନ ଫୁଟିଅଛି ଫୁଲ ୨୩

ସଦାବେଳେ ଅବିରତେ ବସନ୍ତ ବହୁଛି,

ଅବାୟ ବ୍ରହ୍ମର ତେଜ କିରଣ ପଡ଼ୁଛି ୨୪

ଗଜା ଖଞ୍ଜ ହୋଇ ତହିଁ ଅଙ୍କୁରିଛି ଗଜା,

ଲିଙ୍ଗ ଗୋଟାକରେ ଉପୁଜୁଛି ଦ୍ୱିଦ୍ୱି ପୁଞ୍ଜା ୨୫

 

ଯେସନେ ତିମିର ଶ୍ରୀଗୁରୁ ଦେହେ ଅଛି,

ଜୀବ ପିଣ୍ଡରୁ ପବନ କ୍ଷରିତ ହେଉଛି ୨୬

ମହାଶକତିରେ ଜୀବ ଛନ୍ତି ପନ୍ତି ପନ୍ତି,

ଭୂମିର ତିରଣ ପ୍ରାଏ ଉଦେ ହୋଇଛନ୍ତି ୨୭

ସଞ୍ଚାର ହୋଇଅଛି ସେ ଶକତିର ମଞ୍ଚେ,

ମାତା ଗର୍ଭେ ଆସି ନିର୍ଭା ହୋଇଅଛି ପଛେ ୨୮

ଶକତିରୁ କାଟିଦିଆ ହୋଇଅଛି ଥାଇ,

ମହାମହିମାଙ୍କ ଆଜ୍ଞା ପାର ଉତ୍ତାରହିଁ ୨୯

ଭଜି ଯୋଗ କର୍ମକାଣ୍ଡ ଯୁକ୍ତ ହେଲେ ଯାଇ,

ପଛେ ମନୁ ବ୍ରହ୍ମଗର୍ଭେ ପିଣ୍ଡକୁ ସଞ୍ଚଇ ୩୦

 

ଶୁଣିଲୁକି ବାବୁ ପିଣ୍ଡବ୍ରହ୍ମାଣ୍ଡ ରଞ୍ଚନା,

ମହିମାଙ୍କଠାରୁ ସବୁ ହେଉଛି ସର୍ଜ୍ଜନା ୩୧

ସିନ୍ଧୁ ପ୍ରାଏ ଲହରୀ ଫିଟୁଛି ଧୀର ଧୀର,

ଶକତିରୁ ଉଦୁଗାରି ପଡ଼ୁଛି ଭୂମିର ୩୨

ଶକତିରୁ ଲିଙ୍ଗ ଜାତ ଜୀବର ପାଟଣା,

ଏ ସଭାବ ଲାଗିଅଛି କିଣା ଯେ ଦ୍ୱିକିଣା ୩୩

ରୋଟ ମୁଁ କୋଣ ମୁଁ କି କହିବି ଦୀର୍ଘ ପ୍ରତି,

ଚର୍ମ୍ମ ରୁମମାନେ ମାଳ ମାଳ ହେଉଛନ୍ତି ୩୪

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ବ୍ରହ୍ମବେତ୍ତା,

ଯାହା ଆଜ୍ଞା ହେଲା ସ୍ୱାମୀ ଅସମ୍ଭବ କଥା ୩୫

 

ଯାହାର ଗର୍ଭରୁ ଜୀବ ଜାତ ହେଉଛନ୍ତି,

ମେରୁମାନେ କେଉଁରୂପେ ହୋଇଲେ ଉତ୍ପତ୍ତି ୩୬

ଏ କଥା ବିଚାରି ମୋତେ କହ ତତ୍ତ୍ୱ ବୋଧ,

ବିଚାର କଲାବେଳକୁ ଲାଗୁଅଛି ଭେଦ ୩୭

ଅନୁମାନ ବୁଦ୍ଧି ମୋର ନ ପାଉଛି ତହିଁ,

ଗୁପତ ନ କରି ମୋତେ ଫେଡ଼ି ଦିଅ କହି ୩୮

 

ବ୍ରହ୍ମନିରୂପଣ ଗୀତା

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ହୋ ଭଗତ,

ଅତ୍ୟନ୍ତ କରି କହିବା ତହିଁର ଚରିତ ୩୯

ମହିମା ଶକତି ଅଣଆକାର ଅକଣ୍ଟ,

ଅଚଳ ମେରୁ ପ୍ରମାଣେ ଚାରି ଯୁଣ ମୋଟ ୪୦

 

ଉଣା ଯେ ଅଧିକ ତହିଁ କହି ନୁହେ କିଛି,

ଧର୍ମ୍ମ ତରାଜୁରେ ସବୁ ତୁଳନ ହେଉଛି ୪୧

ଯେସନେ ନଉକା ସ୍ଥଳେ ଜଳ ପୂରିଥାଇ,

ସେହିରୂପେ ମହିଁମାଙ୍କ ଗର୍ଭଟି ଅଟଇ ୪୨

ଯେଉଁରୂପେ ପକ୍ଷୀ ଜନ୍ତୁ ଡିମ୍ବେକ ପ୍ରସବେ,

ଦିବା ନିଶି ଜଗିଥାଇ ବାଳକର ଲୋଭେ ୪୩

ଡିମ୍ବର ଖୋଳା ଭିତରେ ଛାଏଣି ବକଳ,

ବକଳ ଭିତରେ ପୂରିଅଛି ଫୁଲ ଜଳ ୪୪

ଡୋଳାର ଭିତରେ ଯେଉଁ କେଶର ଅଟଇ,

ବିମ୍ବ ପ୍ରାଏ ଭାସୁଥାଇ ଢଳ ଢଳ ହୋଇ ୪୫

 

ସେହିରୂପେ ଅଣରୂପ ବ୍ରହ୍ମର ଉଷୁମ,

ମହାନିତ୍ୟ ଆକାଶ ଭୁବନ କହି ଡିମ ୪୬

ସେହିରୂପେ ମହିମାର ଓଦର ଅଟଇ,

ନବ କ୍ଷିତି ଭାସୁଅଛି ଡିମ୍ବ ପ୍ରାଏ ହୋଇ ୪୭

ଡିମ୍ବର ଭିତରେ ମହାବ୍ରହ୍ମର ଶକତି,

ମହିମା ଗର୍ଭରେ ମହା ନିତ୍ୟ ରସେ ସ୍ଥିତି ୪୮

ଯେସନେକ ଅଗାଧ ସିନ୍ଧୁରେ ଥାଇ ମୀନ,

ଜଳର ଭିତରେ ଚହଳଇ ଘନ ଘନ ୪୯

ସେହିରୂପେ ଅଟେ ମହା ମହିମାଙ୍କ ଗର୍ଭ,

ସାଗର ପରାଏ ଖେଳୁଛନ୍ତି ସର୍ବଜୀବ ୫୦

 

ଯେସନେକ ମଥାର କେଶରେ ଥାଇ ଲିଖ,

ବୋହିବା ଲୋକକୁ ଗୁରୁ ନୁହଇ ଅଧିକ ୫୧

ସେହିରୂପେ ମହିମାର ଶକତି ଅଟଇ,

ଛପ୍ନାକୋଟି ଜୀବଛନ୍ତି ଲିଖ ପ୍ରାଏ ହୋଇ ୫୨

ଯେଉଁରୂପେ ଯୁଗଳରେ ରତିସୁଖ ପାଇ,

ପିତା କୋଳେ ମାତା ଯେସନେକ ବସିଥାଇ ୫୩

ମାତା କୋଳେ ଯେସନେକ ବସିଥାଇ ପୁଅ,

ମନ ଆନନ୍ଦରେ ହସୁଥାଇ ଟହ ଟହ ୫୪

ସେହିରୂପେ ମହିମାର ସ୍ୱରୂପ ଆକୃତି,

ସ୍ଥଳରେ ବସିଛି ମହା ବିଷମ ଶକତି ୫୫

 

ଶକତିର ଚଉକତି ମେଦିନୀ ସଞ୍ଚାର,

ଜୀବମାନେ ତହିଁ କରୁଅଛନ୍ତି ବେହାର ୫୬

ଚଳ ଅଚଳ ଏ ଦୁଇ ଉଡ଼ା ବୁଡ଼ା ଛନ୍ତି,

ଚାରିଖାନି ପିଣ୍ଡ ଜୀବ ଗଡ଼ାଗଡ଼ି ଛନ୍ତି ୫୭

ଯେସନେକେ ବାସୁକୀ ଧରିଛି ବ୍ରହ୍ମାଣ୍ଡକୁ,

ମେରୁମାନେ ସ୍ତମ୍ଭ ହୋଇଛନ୍ତି ବ୍ରହ୍ମାଣ୍ଡକୁ ୫୮

ମେରୁ ଆଭରଣ ଛନ୍ତି ସପ୍ତସିନ୍ଧୁ ପାଣି,

ସାଗର ଭିତରେ ନବଖଣ୍ଡ ଏ ମେଦିନୀ ୫୯

ସେହିରୂପେ ମହିମା ଗର୍ଭରେ ନବ କ୍ଷିତି,

ମେରୁମାନେ ମାଳ ମାଳ ପୋତା ହୋଇଛନ୍ତି ୬୦


ଶକତି ତାଳୁ ମୁରାଟ ହୋଇଅଛି ଡେରା,

ମେରୁମାଳ ମାନେ ମହିମାର ଗର୍ଭଶିରା ୬୧

ମହା ମହା ଅଚଳ ହୋଇଛି ମହୀଧର,

ଚନ୍ଦ୍ର ସୂର୍ଯ୍ୟ ଛପି ଯାଉଅଛି ଯୋଜନର ୬୨

ବେନି ଜାନୁ ଲମ୍ବାଇଛି ଉତ୍ତର ଦକ୍ଷିଣ,

ପୂର୍ବାଦି ଦିଗକୁ ମୁଖ ଶକତି ମୁହାଣ ୬୩

ପଦ୍ମ ଓଲଟି ପଦ୍ମରେ ହୋଇଛି ଗୋପ୍ୟାନ,

ନ ଦିଶଇ ଚିହ୍ନ ଅଚିହ୍ନାକୁ ପରିମାଣ ୬୪

ବିନ୍ଦୁର ଝଲକ ପ୍ରାଏ ମୁଖର ସଂଯୋଗ,

ଯେଣିକି ଚାହିଁଲେ ଦିଶୁଅଛି ଚାରିଦିଗ ୬୫

 

ଶୁଣିଲୁ କି ନିରାକାର ଗର୍ଭ ନିରୂପଣ,

ମହିମା ଅଙ୍ଗରେ ନିଜ ଶକତି ସମାନ ୬୬

 

ନିରାକାର ଉବାଚ

ନିରାକାର ବୋଲୁଛନ୍ତି ଶୁଣିମା ଗୋସାଇଁ,

ମହିମା ଅଙ୍ଗରେ କିସ ଭୂଷଣ ଅଟଇ ୬୭

କେଉଁ ଅଳଙ୍କାର ହୋଇଛନ୍ତି ଆଭରଣ,

କିସ କିସ ନାମ ଗନ୍ଧକର୍ପୂର ଚନ୍ଦନ ୬୮

ବାଜୁବନ୍ଧ ବିଦ ମୁଦି ହସ୍ତ-ଖଡ଼ୁ ବାହୀ,

ଗୁପତ ନ କରି ପ୍ରଭୁ ମୋତେ ଦିଅ କହି ୬୯

ପିନ୍ଧିଲା ବସନ ଅଙ୍ଗେ ଉତୁରାଣ ପଡ଼ି,

କି ସୂତାରେ ବୁଣା ସେ ଯେ ଅଟେ କେଉଁ ଶାଢ଼ୀ ୭୦

 

ଡୋର କୁଉପୁନୀ ବାନା ଏ ନିତ୍ୟର କିସ,

ବିଚାରି କହିବା ମୋତେ ସର୍ବଜ୍ଞ ପୁରୁଷ ୭୧

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ଆଦିକନ୍ଦ,

ବୁଝାଇ କହିବା ତୋତେ ଅଳଙ୍କାର ଭେଦ ୭୨

ଜାନୁ ଯୋନି ଭୁଅ ହୋଇଛନ୍ତି ଯଶ ରାଜା,

ବେନିକରେ ଚର୍ମରାଶି ହୋଇଅଛି ଭୁଜା ୭୩

ପଦ୍ମ ଦ୍ୱାର ହୋଇଛନ୍ତି କାଳ ଯୋଗ୍ନୀଗଣେ,

ରକ୍ତରସ ରୁଧିର ଆପ୍ୟାନ ଅନୁକ୍ଷଣେ ୭୪

ଅଣ୍ଟା ଡୋର ହୋଇଛନ୍ତି ଅନନ୍ତ ଯେ ଅହି,

ଲାଞ୍ଜମୂଳେ ନାଭିତଳେ ଛନ୍ତି ମୁଦ ହୋଇ ୭୫

 

କୌପୁନୀ ହୋଇ ଅଛନ୍ତି ମହାଦେବ ହର,

ଶିବ ଶିରେ ଶ୍ରୋଣି ପଡ଼ୁଅଛି ଝର ଝର ୭୬

କଉପୁନୀ ଫେରକୁ ସେ କଟିରେ ଖୋସିଲା,

କୁମ୍ଭରୁ ଖସନ୍ତେ କୁମ୍ଭୀପଟ ବୋଲାଇଲା ୭୭

ବିଷ୍ଣୁ ହୋଇଛନ୍ତି ତହିଁ ଶ୍ରୀଅଙ୍ଗବିଭୂତି,

ମହାମହିମା ସେ ଅବଧୂତ ସେ ମୂରତି ୭୮

ଚେତାକୁ କରିଅଛନ୍ତି ଶୀତଳ ଚନ୍ଦନ,

ତତ୍ତ୍ୱପଦ ହୋଇଅଛି ତଇଳ ଚିକ୍କଣ ୭୯

ତମ ପଦ ହୋଇଅଛି ହଳଦୀ କୁଙ୍କୁମ,

ବ୍ରହ୍ମଧୁନୀ ଜାଗି କରୁଅଛନ୍ତି ବିଶ୍ରାମ ୮୦

 

କର୍ମକାଣ୍ଡ ହୋଇଅଛି କର୍ପୂର ବାସନା,

ଗ୍ୟାନ କଲା ଗନ୍ଧ ହେଉଅଛହି ମାର୍ଜ୍ଜନା ୮୧

ପୁଣ୍ୟକୁ କରିଅଛନ୍ତି ଶ୍ରୀଅଙ୍ଗ ପୋଛା,

ନବାବ ମହିମା ମେରୁ ଉଦଣ୍ଡ ବଇଛା ୮୨

ବୀରବର କ୍ଷତ୍ରି ହୋଇଛନ୍ତି ବିଦବାହୁ,

ମୁଛକୁ ମୁରାଟ ଆଗେ ଦିଶେ ମହାବାହୁ ୮୩

ହସ୍ତମୁଦି ଖଡ଼ୁ ବାହୀ କ୍ଷମା ଦୟା ପଦ,

କର ନେଉଟିଲେ କମ୍ପେ ତିନିପୁର ମଧ୍ୟ ୮୪

ରାମ ନାମ ପଦ ହୋଇଛନ୍ତି ଅଙ୍ଗ ରୋମ,

ମାଳା ମାଳା ବ୍ରହ୍ମାଣ୍ଡ ହୋଇଛନ୍ତି ଅଙ୍ଗ ହୋମ ୮୫

 

ବେନି ସ୍ତନ ଗୋଟିକ ସେ ସାଗର ଅଟଇ,

ଛପ୍ନାକୋଟି ଜୀବ ପିଉଥିଲେ ନ ସରଇ ୮୬

କରତା ନାମଟି ଏକା ପଦେ ମହାବଳୀ,

ବୈକୁଣ୍ଠପୁର ହୋଇଛି ବେକ କଣ୍ଠମାଳୀ ୮୭

ବେନି ନେତ୍ରରେ କଜ୍ଜଳ ଯୁଳା ଝଟକିତା,

ସତ୍ୟ ପଦ ହୋଇଅଛି ସିନ୍ଦୂରର ଚିତା ୮୮

ଆଭରଣ କରିଛନ୍ତି ଅମୂଲ୍ୟାଣ ଶାଢ଼ୀ,

ମଛକଛ ଅବତାର ଛନ୍ତି ପାଏ ପଡ଼ି ୮୯

ଶୁକ୍ର ନରସିଂହ ଶାଢ଼ୀ ଡୋର କଉପୁନୀ,

ବାବନ ରାମଚନ୍ଦ୍ର ହୋଇଛନ୍ତି କମ ବେନି ୯୦

 

କୃଷ୍ଣ ବଳରାମ ଦୁଇ ଶାଢ଼ୀର ପଣନ୍ତ,

ବଉଦ ଶ୍ରୀ ପର୍ଶୁରାମ କମ ବିପରୀତ ୯୧

ଦଶ ଅବତାର ହୋଇଅଛି ଶାଢ଼ୀ ସୂତା,

ଏମନ୍ତ ପ୍ରଭୁ ଅଟନ୍ତି ମହିମା ବିଧାତା ୯୨

ସରସ୍ୱତୀ ହୋଇଛନ୍ତି କଣ୍ଟନଳା ସ୍ୱର,

ଲକ୍ଷ୍ମୀ ଦେବୀ ହୋଇଛନ୍ତି ଅଙ୍ଗର ସିନ୍ଦୂର ୯୩

ପାର୍ବତୀ ହୋଇଅଛନ୍ତି ଲକ୍ଷଣ ଆଚାର,

ମହିମା ପଦଟି ସେହୁ ଅଟେ ନାମ ସାର ୯୪

ସାବିତ୍ରୀ ହୋଇଅଛନ୍ତି ଶ୍ରୀଅଙ୍ଗର ମଳି,

ବ୍ରହ୍ମା ହୋଇଛନ୍ତି ତହିଁ ଚରଣର ଧୂଳି ୯୫

 

ରେବତୀ ରାଧିକେ ବେନି ପୟର ଅଳତା,

ଅଶେଷ ମହିମା ଅଙ୍ଗ ଅଗୋଚର କଥା ୯୬

ଦ୍ୱାଦଶ ବର୍ଣ୍ଣ ହୋଇଛି କିଙ୍କିଣୀ ବାଜେଣୀ,

ଝଲକି ଦିଶୁଛି ଏକ ଆରକକୁ ଜିଣି ୯୭

ଦଶାଙ୍କ ଯୋଗ ହୋଇଛି ଦଶମ ଆଙ୍ଗୁଳି,

ଭେଦ ମୁଦି ଗଢ଼ି ପିନ୍ଧିଅଛନ୍ତି ଯାଉଁଳି ୯୮

ଅଷ୍ଟାଙ୍ଗ ଯୋଗ ହୋଇଛି ଅଷ୍ଟ ଗୋଟି ଫୁଲ,

ଏକଘନି ସୂତା ଗୁନ୍ଥି ଧରିଛନ୍ତି ମାଳ ୯୯

ସପ୍ତାଙ୍ଗ ଯୋଗ ହୋଇଛି ସପ୍ତ ରଜ ଧାତୁ,

ସାତ କଳ୍ପ ମନୁ ଗଲେ ହୋନ୍ତି ପୁଷ୍ପଋତୁ ୧୦୦

 

ତେବେ ଅଲେଖ ପୁରୁଷ ଶକ୍ତିକି ଚାହାନ୍ତି,

ତେଜ ପଡ଼ିଲେ ମହିମା ଗର୍ଭବାସ ହୋନ୍ତି ୧୦୧

କବାଟ ପକାଇ ପ୍ରଭୁ ମଉନେ ରହନ୍ତି,

ମହିମା ଗର୍ଭରୁ ପିଣ୍ଡ ବ୍ରହ୍ମାଣ୍ଡ ହୁଅନ୍ତି ୧୦୨
ଯେତେବେଳେ ସ୍ତ୍ରୀମାନେ ରଜବତୀ ଜାଣ,

ରଜବତୀ ହେଲେ ଶୁଦ୍ଧ ହୋନ୍ତି ସାତ ଦିନ ୧୦୩

ଯୋନୀର କୌପୁନୀ କାଢ଼ି ପକାଇ ଦିଅନ୍ତି,

ଦୋସରା ଖଣ୍ଡିଏ କଉପୁନୀ ପହରନ୍ତି ୧୦୪

ସେହିରୂପେ ମହିମାର ଶକତିର ରୀତି,

ମହାଦେବ କୁଉପୁନୀ ଖଣ୍ଡିଏ ହୁଅନ୍ତି ୧୦୫

 

ସାତକଳ୍ପ ମନୁଏ ଗୋଟିଏ କ୍ଷଏ ଯାନ୍ତି,

ଆନ ମହାଦେବ ପୁଣି କୌପୁନୀ ହୁଅନ୍ତି ୧୦୬

ବୁଝିଲୁ କି ନିରାକାର ମହିମା ଚରିତ,

ବେନି କର୍ଣ୍ଣେ ଶୁଣି ମନେ ହେବ ଆଚମ୍ବିତ ୧୦୭

ପରମ ହୋଇଅଛନ୍ତି ପଢ଼ିହାରୀ ଦୂତ,

ଜୀବମାନେ ତହିଁ ହେଉଅଛନ୍ତି ଗତାଗତ ୧୦୮

ପଞ୍ଚତତ୍ତ୍ୱ ହୋଇଛନ୍ତି ତହିଁ ବାଦ୍ୟକାର,

ତାଣ୍ଡବ ନୃତ୍ୟ ଅଟଇ ଧୂନୀ ଘେନି ଘର ୧୦୯

ପ୍ରକୃତି ହୋଇଅଛନ୍ତି ଆସ୍ତାନ ଜଗଡ଼ା,

ଖତ କୁଢ଼ ଖଳା ପ୍ରାଏ ହୋଇଅଛି ପୁଡ଼ା ୧୧୦

 

ମନ୍ତ୍ରମୃତିମାନ ମହିମାର ମଳ ମୂତ୍ର,

ନିତ୍ୟର ବାହାରେ ପଡ଼ିଛନ୍ତି ସମଛତ୍ର ୧୧୧

ଛପ୍ନାକୋଟି ଜୀବ ଜନ୍ତୁ ଧରି ବାମ ହସ୍ତେ,

ନିତ୍ୟର ବାହାରେ ପଡ଼ିଅଛନ୍ତି ସମସ୍ତେ ୧୧୨

ସିଧ୍ୟ ପଦ ହୋଇଅଛି ଅଙ୍ଗୁଷ୍ଠିର ନଟ,

ଦେବମାନେ ଜାତ ହେଉଛନ୍ତି ଅନର୍ଯ୍ୟାପ ୧୧୩

ଚାରି କର୍ମ ହୋଇଛନ୍ତି ଶ୍ରୀପୟର ସ୍ଥଳୀ,

ମହିମା ଭୁବନ ଜୀବ ଯେ ପାରିବ କଳି ୧୧୪

ଅରୁଣ ନ ଉଦେ ଯେହୁ ସ୍ନାହାନ ସାରିବ,

ଅସାଧନା ଯୋଗେ ସେହୁ ଦର୍ଶନ କରିବ ୧୧୫

 

ଦିବସରେ ଯେହୁ ଜାଣି ଭୋଜନ କରିବ,

ସେହୁ ଭେଦି ପାରିବ ବ୍ରହ୍ମର ସଦଭାବ ୧୧୬

ସେହି ଏକା ମହିମାକୁ ପାଇବଟି ଭେଟ,

ନିଶ୍ଚଏ ଭେଟିବ ଯାଇ ଅଭୟ ବୈକୁଣ୍ଠ ୧୧୭

ମହାନିତ୍ୟେ ଯେତେ ଛନ୍ତି ସେ ଏକା ଭଗତ,

ନରଦେହଧାରୀ ଯେତେ କାମନାଆଶ୍ରିତ ୧୧୮

ତିନି ବ୍ରହ୍ମାଣ୍ଡରେ ତିରୀ ପୁରୁଷ ଦୁଇଟି,

ମହିମାଙ୍କ ହସ୍ତେ ଅଛି ସମସ୍ତଙ୍କ ଚୁଟି ୧୧୯

ବେନି ଜାନୁ ପାତି ବସିଛନ୍ତି ମହା ବୀରା,

ଶକତି ଲିଙ୍ଗରେ ବସେ ଯେସନେକ ଧାରା ୧୨୦

 

ଅଲେଖ ମହିମା ବୋଲି ଛଡ଼ ଗୋଟି କ୍ଷର,

ଯେ ଚିହ୍ନାଇ ଦେବ ତାର ପାଦେ ନମସ୍କାର ୧୨୧

ଶୂନ୍ୟ ମନ୍ଦିରେ ଅଛନ୍ତି ଅଲେଖ ବୈରାଗୀ,

ସେ ଚାରି ମହିମା ଛନ୍ତି ଚାରିଦ୍ୱାରେ ଜଗି ୧୨୨

ମହିମାକୁ ସସ୍ରେ ନାମ ଜଗିଆ ସମ୍ଭବ,

ନାମକୁ ଜଗିଆ ଛନ୍ତି ସହସ୍ରେ ଗନ୍ଧର୍ବ ୧୨୩

ଗନ୍ଧର୍ବକୁ ଜଗିଆ ଅଛନ୍ତି ଦେବଗଣ,

ଦେବଙ୍କୁ ଜଗିଆ ହୋଇଛନ୍ତି ଦେବୀଗଣ ୧୨୪

 

ଦେବୀମାନଙ୍କୁ ଜଗିଆ ଚଣ୍ଡୀ ଯେ ଚାମଣ୍ଡା,

ଚାମଣ୍ଡାକୁ ଜଗିଛନ୍ତି ଭୂତ ପ୍ରେତ ଲଣ୍ଡା ୧୨୫

 

ପ୍ରେତକୁ ଜଗି ଅଛନ୍ତି କାଳଭୟମାନ,

ବାମ ଡାହାଣରେ ବସିଛନ୍ତି ବେନି ଜନ ୧୨୬

କାଳଭୟର ଜଗିଆ ନବଗ୍ରହମାନେ,

ମହାନିତ୍ୟ ବାହ୍ୟରେ ଅଛନ୍ତି ଅନୁକ୍ଷଣେ ୧୨୭

ମହିମା ଧର୍ମର ବାଟ ବହୁତ କଠିଣ,

ଏହାକୁ ଜିଣିଲେ ଯିବ ବୈକୁଣ୍ଠ ଭୁବନ ୧୨୮

ମହାନିତ୍ୟ ମଣ୍ଡଳରେ ପ୍ରବେଶ ହୋଇବ,

ତେବେ ନିଜ ମହିମାକୁ ଦର୍ଶନ ପାଇବ ୧୨୯

ମହିମା ଠାବରୁ ଆଉ କାହିଁ ଭେଟ ନାହିଁ,

ମାତାଙ୍କୁ ସେବିଲେ ସିନା ପିତା ଭେଟ ପାଇ ୧୩୦

 

ସାଧୁ ସୁଗ୍ୟଁଜନେ ମୋର ନ ଧରିବ ଦୋଷ,

ଶୁଦ୍ଧ ଅଶୁଦ୍ଧ ପୁରାଇ କରିବା ଅଭ୍ୟାସ ୧୩୧

ମହିମା ନିଜ ଶକତି ନିରୂପଣ କଥା,

ଯେହୁ ସେ ପଢ଼ିବ ବୋଲାଇବ ବ୍ରହ୍ମବେତ୍ତା ୧୩୨

ଅଲେଖ ମହିମା ପାଦ ପଦ୍ମେ କରି ଆଶ,

ବ୍ରହ୍ମ-ନିରୂପଣ-ଗୀତା ଭଣେ ଭୀମଦାସ ୧୩୩

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ ଗୀତା ସୁଜନେ ଜନହିତା,

ଗୁରୁ ଶିଷ୍ୟ-ସମ୍ୱାଦେ, ଶକତି-ଭେଦା-ଭେଦ

ବର୍ଣ୍ଣନେ, ନିଜ ମହିମା ଚରିତ-କଥନେ,

ବ୍ରହ୍ମଜ୍ଞାନ ବିଚାରଣେ ନାମ

ଅଷ୍ଟମୋଽଧ୍ୟାୟଃ

 

ନବମ ଅଧ୍ୟାୟ

ଅଲେଖ ସଦ୍‌ଗୁରୁ

ଅଲେଖ ସଦ୍‌ଗୁଣ ରୂପଞ୍ଚ ସତ୍ୟଧର୍ମୋ ପ୍ରକାଶିତ

ସର୍ବଧର୍ମୋପରେ ଶ୍ରେଷ୍ଠ ଭକ୍ତି ମୁକ୍ତି ନିସଂଶୟ

ଅଲେଖ ଶରଣ ନିତ୍ୟ ସର୍ବକାଳେ ପାଦାମ୍ୱୁଜଂ

ତୋ ପାଦେ ବନ୍ଦତେ ନିତ୍ୟଂ ଭବବନ୍ଧୁଁ ପ୍ରମୁଚ୍ୟତେ

ଅଲେଖ ଅବର୍ଣ୍ଣଶ୍ଚୈବ ଅଭେଦଂ ସର୍ବତ୍ରଂ ଭେଦଂ

ଅରୂପଞ୍ଚ ରୂପ ନାସ୍ତି ଅଦେହ ଅଦୃଶ୍ୟଂ ତତଃ

 

ଶବ୍ଦବିକାର ମଗ୍ନୟୋ ଅଲେଖ ପ୍ରତିଯୁଗ୍ମଞ୍ଚ

ବ୍ରହ୍ମରୂପୋ ପରିତ୍ୟାଗ ସତ୍ୟଧର୍ମୋ ନିରୂପଣ

ଅଲେଖ ଅରୂପଶ୍ଚୈବ ଅଣାକ୍ଷରୁଁ କ୍ଷରୟତେ

ମାତ୍ରା ବିଦ୍ୟା ବିଲୋପଞ୍ଚ ତତ୍‌ପରେ ପରମ୍‌ବିଭୂ

ଅମାତ୍ରଂ ଶବ୍ଦରହିତଂ ସ୍ୱରବ୍ୟଞ୍ଜନବର୍ଜିତଂ

ବିନ୍ଦୁନାଦକଳାତୀତଂ ଯସ୍ତଦ୍ବେଦ ସ ବେଦବିତ୍‌

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମ ଗୁରୁ ସାଇଁ

ଭଲ କଥା ଗୋଟିଏ ପଚାରୁ ଅଛି ମୁହିଁ

ଅନୁମାନ କରି ହୃଦେ ବିଚାରିଛି ଭାବ

ଯାହା ଆଜ୍ଞା ହେଲା ସ୍ୱାମୀ ଦେବଙ୍କୁ ଦୁର୍ଲଭ

ମହା ବ୍ରହ୍ମ ଶକତି ମହିମା ନିରୂପଣ

ବିସ୍ତାରି କରି ଶ୍ରୀ ମୁଖେ କହିଲ ଆପଣ

ଯାହା ମୋ ସଂଶୟ ଥିଲା ହୃଦୟର ଗତେ,

ବେନି କର୍ଣ୍ଣେ ଶୁଣି ମନେ ପାଇଲି ପରତେ

 

ପିଣ୍ଡକୁ ପବିତ୍ର ଏହି ଜୀବକୁ କାରଣ,

ଆବର ରହିବ ହେତୁ ଚିଆଁ ଚଇତନ

ଏତେ ବୋଲି ନିରାକାର ଶିରେ କର ଯୋଡ଼ି,

ଦନ୍ତରେ ତିରଣ ଧରି ଗୁରୁପାଏ ପଡ଼ି

ଭୋ ଗୁରୁ ଗୋସାଇଁ ମୋତେ ହୁଅ ପରସନ୍ନ,

ସସ୍ରଦଳ ପଦ୍ମକୁଞ୍ଜ କେମନ୍ତ ବିଧାନ

କି ପ୍ରକାରେ ରଞ୍ଚନା ହୋଇଲା ଆଦ୍ୟନ୍ତରୁ,

ସଂଶୟ ଫୋଡ଼ିଣ ମୋତେ କହିବ ଶ୍ରୀ ଗୁରୁ

 

କେତେ ଆୟତନ ଅଟେ ସେ କୁଞ୍ଜର ସ୍ଥଳୀ,

କେତେ ଦୀର୍ଘ ପ୍ରତି ତାର ହୋଇଛି ମଣ୍ଡଳୀ

ଖଣ୍ଡ ଶେଣୀ ଉରା କେତେ ଲାଗିଅଛି ତହିଁ,

କେମନ୍ତ ପ୍ରକାରେ ଘର ନିବାଡ଼ିଛି କାହିଁ ୧୦

ଏହିମତେ ପ୍ରସନ୍ନେ କହିବା ଜଣାନନ୍ଦ,

ଏତେ ବୋଲି ଧଇଲେ ଶ୍ରୀଗୁରୁପାଦବିନ୍ଦ ୧୧

ନିରୂପଣ କରି ମୋତେ କହ ତହିଁ କଥା,

ତୁମ୍ଭେ ତ ଶ୍ରୀଗୁରୁ ବ୍ରହ୍ମ ପଦରେ ଶକତା ୧୨

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀ ଗୁରୁ ବୋଇଲେ ବାବୁ ଶୁଣ ନିରାକାର,

ମହାନିତ୍ୟ ସସ୍ରେ ଦଳ କୁଞ୍ଜର ସଞ୍ଚାର ୧୩

ଅନାମିକା ବୋଲି ଭୂମି ଖଣ୍ଡିଏକ ଥିଲା,

ପରମ ଅକ୍ଷର ଆଦ୍ୟ ନାମ ସଞ୍ଚାରିଲା ୧୪

କର୍ମ ଇଟା ପଥର ବସାଇ ଅଛି ତହିଁ,

ଜ୍ୟୋତିରୂପ ଗ୍ୟାନ କଲା ତିନିରୂପ ଦେଇ ୧୫

ସେ ମନ୍ଦିରେ ସ୍ଥଳୀ ଆଠ ଯୁଣହିଁ ଓସାର,

ଅଠର ଯୋଜନ ଉଚ୍ଚ ଉପରକୁ ତାର ୧୬

 

ଉଦେ ଅସ୍ତ ମେରୁ ତହିଁ ହୋଇଛି ତୁଲିଆ,

ସସ୍ରେ ଶେଣୀ ଲାଗି ମୁଦ ମାରିଛି ଚଲିଆ ୧୭

ସତ୍ୟ ତ୍ରେତୟା ହୋଇଛି ଉତ୍ତର ପାରିଆ,

ରାମନାମ ଶେଣୀ ତହିଁ ଲାଗିଛି ଧରୁଆ ୧୮

ଦ୍ୱାପର କଳି ହୋଇଛି ଦକ୍ଷିଣର ଖମ୍ୱ,

ଚାରି ଯୁଗ ଚାରି ଗୋଟି ପାରିଆର ଦମ୍ଭ ୧୯

ସସ୍ରେ ମୁଖୀ ବ୍ରହ୍ମା ତହିଁ ଚଉକିଆ ସ୍ତମ୍ଭ,

ଶତେମୁଖୀ ବ୍ରହ୍ମା ମଧ୍ୟ ଚଉକି ଆରମ୍ଭ ୨୦

 

ବାରମୁଖୀ ବ୍ରହ୍ମା ପୂର୍ବ ତୁଲିଆ ଚଉକ,

ଦଶମୁଖୀ ବ୍ରହ୍ମା ତାର ପଡ଼ିଅଛି ଦେଖ ୨୧

ଅଷ୍ଟମୁଖୀ ଓରା ବ୍ରହ୍ମ ପାଟି ପଡ଼ିଅଛି,

ଛଡ଼ମୁଖୀ ବେଦ ବ୍ରହ୍ମାମାନେଟି ବସିଛି ୨୨

ଚାରି କବି କରକାଣ୍ଡ ହୋଇ ସେ ମନ୍ଦିରେ,

ଅର୍ଥ ଲୁହା କଣ୍ଟା ପଟା ହୋଇଛି ତହିଁରେ ୨୩

ସେ ଚାରି ପଣ୍ଡିତ ହୋଇଛନ୍ତି ପାଣି ପାଟି,

ସହସ୍ରେ ପାଖୁଡ଼ା କୁଞ୍ଜ ଘର ଅଛି ବାଣ୍ଟି ୨୪

 

ଚଉଷଠୀ ସିଦ୍ଧ ଋଷି ମନ୍ଦିରର ଖମ୍ୱ,

ଧାଡ଼ି ଧାଡ଼ି ପୋତା ହୋଇଛନ୍ତି ଚାରିଧାମ ୨୫

ନାଗାନ୍ତ ଯୁଗାନ୍ତ ହୋଇଛନ୍ତି ପିଣ୍ଡା କୋଠା,

ସିଦ୍ଧାନ୍ତ ବେଦାନ୍ତ ତହିଁ ପାବଚ୍ଛର ଉଠା ୨୬

ତେତିଶ୍କୋଟି ଦେବ ହୋଇଛନ୍ତି ରୁଆ ବତା,

ଦ୍ୱାଦଶ ସ୍ୱରୂପ କମ ପଟାଇଛି ଲତା ୨୭

ଷୋଲ କଲା ହୋଇଅଛି ମନ୍ଦିରର ବାଟ,

ଷୋଲ ପରକାରେ ତହିଁ ଲାଗିଛି କବାଟ ୨୮

 

କେତେ ମୁଁ କହିବି ସେହି ମନ୍ଦିର ଉପାମା,

ସ୍ତମ୍ଭ ହୋଇଛନ୍ତି ତହିଁ ପୁଞ୍ଜା ପୁଞ୍ଜା ବ୍ରହ୍ମା ୨୯

ଚାରିନାମ ହୋଇଛନ୍ତି ସେ ମନ୍ଦିର କାନ୍ଥ,

ମହାବ୍ରହ୍ମ ଶକତିରୁ ମହିମା ବିଦିତ ୩୦

ଷୋଲକ୍ଷର ହୋଇଅଛି କବାଟ ଅର୍ଗଳି,

କିଳଣିର ଖଞ୍ଜାମାନ ପଡ଼ିଛି ଯାଉଁଳି ୩୧

ବତିଶ ନାମଟି ହୋଇଅଛି ଦ୍ୱାରବନ୍ଧ,

ଦୁମୁହାଁ ସର୍ପ ହୋଇଛି ଶିଙ୍କୁଳିର ଛନ୍ଦ ୩୨

 

ଭାଗବତ ମୂଳ ତହିଁ ହୋଇଅଛି ଚକି,

ଦ୍ୱାରବନ୍ଧେ ବଲାପିଟା ହୋଇଅଛି ମୁଖୀ ୩୩

କୁଞ୍ଚିଖଡ଼ା ହୋଇଅଛି ପବନର ଗୋଡ଼,

କବାଟର ଫରୁଆ ହୋଇଛି ପାଣି ହାଡ଼ ୩୪

 

ହରି ରାମ କୃଷ୍ଣ ପଟା ହୋଇଅଛି ଯୋଡ଼ା,

ଚଉଭୂଜୀ କୁଞ୍ଜଘର ସହସ୍ରେ ପାଖୁଡ଼ା ୩୫

ସହସ୍ରେକ ନାମ ତହିଁ ହୋଇଛି କବାଟ,

ଏକା ବଖୁରିକେ ଅଛି ପୁଞ୍ଜେ ଲେଖେ ବାଟ ୩୬

ମହାନିତ୍ୟ ପଦ୍ମକୁଞ୍ଜ ସହସ୍ର ପାଖୁଡ଼ା,

କେହି କାହାକୁ ନ ଲାଗି ହୋଇଅଛି ଛଡ଼ା ୩୭

ପାଖୁଡ଼ା ଗୋଟାକେ ଅଛି ସହସ୍ରେ ବଖୁରି,

ଜ୍ୟୋତିର୍ମଏ ବ୍ରହ୍ମ ତହିଁ ଛନ୍ତି ବିଜେ କରି ୩୮

 

ସହସ୍ରେ ପାଖୁଡ଼ା ଯାକେ ସସ୍ରେ ସସ୍ରେ କୋଠା,

ମାଟିହିଁ ପଥର ନୁହେ ସୁବର୍ଣ୍ଣର ଇଟା ୩୯

ସର୍ଜନା କଳ୍ପଣା ଝୁଣ୍ଟି ଅଳ୍ପଣା ହୋଇଛି,

ଏକକୁ ଆରେକ ତହିଁ ବିରାଜି ବାସୁଛି ୪୦

ବାରକଲା ତହିଁ ହୋଇଅଛି ଚିତ୍ରପଟ,

ବିଚିତ୍ର କମେ ମନ୍ଦିର ଦିଶୁଛି ପ୍ରଘଟ ୪୧

ଆପ ତେଜ ବାୟବ ଯେ ଧରତୀ ଆକାଶ,

ପଞ୍ଚୁ ଭୂତମାନ କୁଞ୍ଜ କୁଠାର ଆଶୀଷ ୪୨

 

ଜପ ତପ ହୋଇଛନ୍ତି ଗଣ୍ଠି ଅନାବତା,

ବେଦାନ୍ତକୁ ଖଞ୍ଜିଅଛି ପାଟଫୁଲି ସୂତା ୪୩

ଅଷ୍ଟାଦଶ ସିଦ୍ଧି ସେହି ମନ୍ଦିରରେ ରୁଅ,

ଶ୍ରୋତା ବକ୍ତା କଣ୍ଟା ପିଟା ହୋଇଛି ସର୍ବୟ ୪୪

 

ଧର୍ମ ହୋଇଅଛି କୁଞ୍ଜ କୋଠା ଅଧିକାରୀ,

ଚିଆଁ ଚଇତନ ତହିଁ ଛାଞ୍ଚୁଣୀ ପହୁଁରି ୪୫

ମନ ହୋଇଅଛି ସେ ମନ୍ଦିରେ ଲୁଣ୍ଡା ହାଣ୍ଡି,

ବିଚାରଟି କରୁଛି ନିର୍ମଳ ଘର ଖଣ୍ଡି ୪୬

 

ଛଡ଼ ବ୍ରହ୍ମବାସୀ ତହିଁ ଖଟିଛନ୍ତି ସେବା,

ସସ୍ରେ ଦଳ ପଦ୍ମ କୁଞ୍ଜ କି ଉପାମା ଦେବା ୪୭

ବେଦର କଳ୍ପ ହୋଇଛି କୁଠା ଆଭରଣ,

ସେଠାବକୁ କାହିଁ ଆଉ ଜନ୍ମାଦି ମରଣ ୪୮

ସସ୍ରେ ଦଳ ପଦ୍ମ କୁଞ୍ଜ ନିବାଡ଼ କରିଛି,

ମେଦିନୀମାଳକୁ ଛଣବିଡ଼ା ଛାଇଅଛି ୪୯

ଶୁଭ ଅନୁକୂଳ ହୋଇଛନ୍ତି ବାମ ବତା,

ଖଣ୍ଡିଏ ଖଡ଼ ନ ଖସେ ଅଗୋଚର କଥା ୫୦

 

ନବଲକ୍ଷ ତାରା ବସିଛନ୍ତି ହୀରା କିଣି,

ମହାନିତ୍ୟ କୁଞ୍ଜଘର ବିଚିତ୍ର ମଣ୍ଡଣି ୫୧

ଶୋଳକ ସୁମୃତି ହୋଇଛନ୍ତି ଝରି ଝମ୍ପା,

ଅର୍ଥ ସମ୍ପାଦରେ ମରା ହୋଇଛନ୍ତି ଛପା ୫୨

ଆପ ତେଜ ତହିଁ ହୋଇଛନ୍ତି ଚନ୍ଦ୍ରାତପ,

ଝଟକି ଦିଶୁଛି ପୁର ଆକାଶ ସରୂପ ୫୩

ହରତା କରତା ଦୁଇ ଛାମୁ ଆଜ୍ଞାକାରୀ,

ଏ ପିଣ୍ଡ ବ୍ରହ୍ମାଣ୍ଡ ତହୁଁ ଆତଯାତ କରି ୫୪

 

କହନ୍ତା ବହନ୍ତା ଦୁଇ କୁଞ୍ଜ ଦ୍ୱାରପାଳ,

ରାତ୍ର ଦିନ ବାରି ନୁହେ ସେ ପୁର ଧବଳ ୫୫

ସୁବର୍ଣ୍ଣଠାରୁ ଅଧିକ ବିରାଜଇ ତେଜ,

ବିହି ବିଶ୍ୱକର୍ମା ଲାଗ ହୋଇଅଛି ଉଜ ୫୬

ଶାହାସ୍ର ପଥରେ କେତେ ଦେବି ମୁଁ ଉପମା,

କଳି ନ ପାରନ୍ତି ଯାକୁ ଇନ୍ଦ୍ର ଚନ୍ଦ୍ର ବ୍ରହ୍ମା ୫୭

ଅନ୍ତ କରି ନୋହେ ମହାନିତ୍ୟ କୁଞ୍ଜ କଥା,

ଏକକୁ ଆରେକ ସବୁ ହୋଇଛନ୍ତି ଜିତା ୫୮

 

ଏ କୋଠାର କମ ଆର କୋଠାକୁ ନ ଆସେ,

ବଖୁରିକେ ଭିନ୍ନ ଭିନ୍ନ ବର୍ଣ୍ଣମାନ ଦିଶେ ୫୯

ଶୁଣିଲୁକି ନିରାକାର ମନ୍ଦିର ଚରିତ,

ଚିତ୍ରରୁ ବିଚିତ୍ର କାମ ବହୁ ବିବର୍ଜ୍ଜିତ ୬୦

ମହାନିତ୍ୟ ସସ୍ରଦଳ କୁଞ୍ଜର ଆକୃତି,

ଦୀର୍ଘ ପ୍ରତି ସମାନ ହୋଇଛି ଚଉକତି ୬୧

ନବଗ୍ରହ ହୋଇଛନ୍ତି ଜୁଳୁକି କବାଟ,

ଜଲ୍ଲା ଦରପଣ ବସି ଦିଶୁଛି ପ୍ରଘଟ ୬୨

 

କାନ୍ଥ ଛାଏଣିରେ ସର୍ବେ ଫୁଟିଛନ୍ତି ଲତା,

ସାକ୍ଷାତରେ ପଟପଟ କହୁଛନ୍ତି କଥା ୬୩

ଏକାଦିଶୀ ବ୍ରତ ତହିଁ ଏକାନ୍ତ ଚାହାଁଣି,

କଦଳୀଭଣ୍ଡା ପରାଏ ପଡ଼ିଅଛି ବେଣୀ ୬୪

ଅନଳ ହୋଇଛି ତହିଁ ଚଉକୀ ପାହାରୀ,

ଶବଦ ଭେଦଟି ତହିଁ ହୋଇଛି ଦୁଆରୀ ୬୫

କୁଞ୍ଜଘର ମନ୍ଦିରରେ ବ୍ରହ୍ମ ତେଜମୟେ,

ଚାରିଯୁଗ ଯୁଗାନ୍ତରେ ନୁହନ୍ତି ସେ କ୍ଷୟେ ୬୬

 

ଦିବସ ରଜନୀ ତହିଁ ଉଲଟିଆ କାନ୍ଥ,

କଳଣା ନ ଯାଇ ପୁର ଅଗୋଚର ପଥ ୬୭

କାଳଗଣମାନେ ତହିଁ ଅଛନ୍ତି ଦୁଆରୀ,

ବଖରା ଗୋଟିକେ ଯୋଡ଼ି ଯୋଡ଼ି ଜଗୁଆଳୀ ୬୮

ଯମରାଜା ହୋଇଅଛି ତହିଁ କୁଞ୍ଜ ବେଢ଼ା,

ମାଳ ମାଳ ପୋତା ହୋଇଅଛି ତହିଁ ଗୁଡ଼ା ୬୯

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ଆଦିକନ୍ଦ,

କହିଦେବା କୁଞ୍ଜ ପଦ୍ମ ପାଖୁଡ଼ାର ବନ୍ଧ ୭୦

 

ପ୍ରଥମ ପାଖୁଡ଼ା ଏକାକ୍ଷର ବୋଲି କହି,

ଅନାମରୁ ଶୂନ୍ୟ ନାମ ଉଦିତ ଅଟଇ ୭୧

ଏକା ପାଖୁଡ଼ାରୁ ତହିଁ ଦ୍ୱିତୀୟ ହୋଇଲା,

ଅଧେକ ଅଣ୍ଡିର ଅଧେ ମାଈ ବୋଲାଇଲା ୭୨

ତ୍ରିୟ ବୀର୍ଯ୍ୟ ଅର୍ଦ୍ଧ ମାତ୍ରା ତୃତୀୟ ପାଖୁଡ଼ି,

ଯେସନେକ ବୃକ୍ଷପରେ ଶାଖା ଧାଡ଼ି ଧାଡ଼ି ୭୩

ଚତୁର୍ବେଦ ହୋଇଅଛି ପାଖୁଡ଼ା ସେ ଚାରି,

ଚଉରସରୂପେ ସେ ମନ୍ଦିର ଅଛି କରି ୭୪

 

ପଞ୍ଚୁଭୂତ ହୋଇଅଛି ପଞ୍ଚମ ପାଖୁଡ଼ା,

କର୍ମମାନେ ଆଡ଼ ବତା ହୋଇଛନ୍ତି ଧଡ଼ା ୭୫

ଛଡ଼କ୍ଷର ସଷ୍ଟମ ପାଖୁଡ଼ା ବୋଲି ଜାଣ,

ସଷ୍ଟମ କଳାରେ ପୁର ହୋଇଛି ନିର୍ମାଣ ୭୬

ସାତ ସିନ୍ଧୁ ହୋଇଅଛି ସପ୍ତମ ପାଖୁଡ଼ା,

ଫେଣା ବୁଲାଉଛି ତହିଁ ଅବନା ଅଛଡ଼ା ୭୭

ଅଷ୍ଟକଳା ନାଗ ତହିଁ ଅଷ୍ଟମ ପାଖୁଡ଼ି,

ପନ୍ତି ପନ୍ତି ହୋଇ ରହିଛନ୍ତି ବେଢ଼ ପଡ଼ି ୭୮

 

ନବ୍ଧା ଭକ୍ତ ହୋଇଅଛି ନବମ ପାଖୁଡ଼ା,

ମୂଳ ବୀଜଠାରୁ କ୍ଷରୁଛନ୍ତି ଯୋଡ଼ା ଯୋଡ଼ା ୭୯

ବାର ପଦ୍ମ ହୋଇଅଛି ଦ୍ୱାଦଶ ପାଖୁଡ଼ି,

ନାଭି ମଣ୍ଡଳୁ ଯେସନେ ଲାଗଅଛି ନାଡ଼ି ୮୦

ଚଉଦ ବ୍ରହ୍ମାଣ୍ଡ ଚତୁର୍ଦ୍ଦଶମ ପାଖୁଡ଼ା,

କାଳ ମାଳ ସର୍ପ କୁଞ୍ଜ ମନ୍ଦିରରେ ଭିଡ଼ା ୮୧

ପନ୍ଦର ତିଥି ହୋଇଛି ପନ୍ଦର ପାଖୁଡ଼ା,

କ୍ଷରି ଯାଇଅଛି ପୁର ଯେସନେ ଲହଡ଼ା ୮୨

 

ଷୋଡ଼ଦଶ ପାଖୁଡ଼ାରେ ଷୋଡ଼ଦଶ ଲତା,

ଅବିକାରମାନେ ତହିଁ ହୋଇଛନ୍ତି ବତା ୮୩

ଏ କୌଶ ବ୍ରହ୍ମାଣ୍ଡ ତହିଁ ଏ କୌଶ ଚଉଁରୀ,

ସ୍ୱର୍ଗ ମର୍ତ୍ତ୍ୟ ପାତାଳହିଁ ସର୍ବେ ଛନ୍ତି ପୂରି ୮୪

ଚବିଶ ପଟଳ ମନ୍ତ୍ର ଚବିଶ ପାଖୁଡ଼ା,

ପଚାଶ ବର୍ଣ୍ଣରେ ନିବାଡ଼ିଛି କୁଞ୍ଜ ବେଢ଼ା ୮୫

ଅଣତ୍ରିଶ ପାଖୁଡ଼ା ମନ୍ଦିର ପରିପୂର୍ଣ୍ଣ,

କେ କାହାକୁ ନୁହେ ଊଣା ରୂପ ଭିନ୍ନ ଭିନ୍ନ ୮୬

 

ଏକଚାଳିଶ ପାଖୁଡ଼ା ବଢ଼ିଗଲା ଯେଣୁ,

ମହାନିତ୍ୟ ପଦ୍ମ କୁଞ୍ଜ ବୋଲାଇଲା ତେଣୁ ୮୭

ଚଉଷଠୀ ପାଖୁଡ଼ା ହୋଇଲା ଯେତେବେଳେ,

ଚଉଷଠୀ ବ୍ରହ୍ମଘର ନାମହିଁ ନିରୋଳେ ୮୮

ଅଶୀ ଶହେ ପାଖୁଡ଼ା ରଞ୍ଚିଲା ଏହିପରି,

ବେଦପତି ବ୍ରହ୍ମା ହେଲେ ବର୍ଣ୍ଣିତ ନ ପାରି ୮୯

 

ବିଶାଶହେ ପାଖୁଡ଼ା ହୋଇଲା ଯେଣୁ ପୁର,

ପାଖୁଡ଼ାକେ ବୋଲାଉଛି ସହସ୍ରେକ ଘର ୯୦

 

ଶୁଣ ବାବୁ ନିରାକାର ଠିକ ଠିକ କଥା,

ସସ୍ରେ ପାଖୁଡ଼ାରୁ ପୁର ଅଛି ଅଗଣିତା ୯୧

ସଂଖ୍ୟା କରି ମନ୍ଦିର କହିବା କେତେ ବଢ଼ି,

ଅଙ୍କପଢ଼ା ଜନ ମଧ୍ୟେ ନ ପାରିବେ ଧାଡ଼ି ୯୨

ମହାନିତ୍ୟ ପଦ୍ମ କୁଞ୍ଜ ସହସ୍ରେ ପାଖୁଡ଼ା,

ସକଳ ବଖୁରି ଭୂମ ହୋଇଛି ଚଉଡ଼ା ୯୩

ଅଶେଷ ଭୁବନ ତହିଁ ମହାନିତ୍ୟ କୁଞ୍ଜ

ଗଣା ପୋଛା କଲେ ତହିଁ ମନ ହେବ ଉଁଜ ୯୪

 

ଚଉଖୁଣ୍ଟିଆ ସେ ପୁର ହୋଇଛି ନିର୍ମାଣ,

ଅନ୍ତ କରି ନୋହେ ଯେସନେକ ଗିରିବଣ ୯୫

କ୍ଷୟେ ବୃଦ୍ଧି ନୁହେ ପୁର ଅଟଇ ଅକ୍ଷଏ,

ସ୍ତିରୀ ପୁରୁଷ ଅଛନ୍ତି ଯୋଡ଼ାଏ ଯୋଡ଼ାଏ ୯୬

ବୃଦ୍ଧ ବୃଦ୍ଧା ନୁହନ୍ତି ସେ ସବୁଦିନେ ଯୁବା,

ପ୍ରତିଦିନେ ସୁମଙ୍ଗଲେ ହେଉଛନ୍ତି ବିଭା ୯୭

ଯୁଗେ ଯୁଗେ ବୟସ ଭୂଷଣ ସେ ଭୁବନେ,

ବର କନ୍ୟା ବେଶ ହୋଇଛନ୍ତି ସର୍ବଜନେ ୯୮

କେହି କାହାକୁ ନୁହନ୍ତି ପାତର ଅନ୍ତର,

ସାଆନ୍ତ ସେବକ ଏକ ଆସ୍ତାନେ ବେହାର ୯୯

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ଜ୍ଞାନରାଜି,

କୁଞ୍ଜ ମନ୍ଦିରର କଥା ନ ପାରିଲି ବୁଝି ୧୦୦

ସଂଖ୍ୟା କରି ଯାହା ସେ କହିଲ ମୋ ଆଗରେ,

କର୍ଣ୍ଣେ ଶୁଣି ସଂଶୟ ଲାଗିଲା ମୋ ମନରେ ୧୦୧

ଭିନ୍ନ ଭିନ୍ନ କରି ମୋତେ କହିଦିଅ ବାଛି,

ସୁଧା ଶ୍ରୀଛାମୁରୁ ଶୁଣି ମନେ ପ୍ରତେ ଅଛି ୧୦୨

ଅଣହିସାବ ହେଉଛି ମନ୍ଦିର ସଞ୍ଚାର,

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର ୧୦୩

 

 

ଶ୍ରୀ ଗୁରୁଦେବ ଉବାଚ

ପ୍ରଥମ ପାଖୁଡ଼ା ପରେ ତିନି ବସାଇଲା,

ଦ୍ୱିତୀୟେ ଚାରି ମିଶନ୍ତେ ଅଷ୍ଟମ ହୋଇଲା ୧୦୪

ତୃତୀୟରେ ପଞ୍ଚମ ପାଖୁଡ଼ା ଗଲା ବସି

ହେଜାକୁ ତେର ହୋଇଲା କହିଦେଲୁ ବାଛି ୧୦୫

ଚତୁର୍ଥରେ ସଷ୍ଟମ ପାଖୁଡ଼ା ବସାବନ୍ତେ,

ଲେଖାକୁ ହୋଇଲା ଊଣାଇଶ ପରିଯନ୍ତେ ୧୦୬

ପଞ୍ଚମରେ ସପ୍ତମ ପାଖୁଡ଼ା ପରକାଶ,

ଦଶ ତାକୁ ଘେନି ତହୁଁ ହେଲା ସତାଇଶ ୧୦୭

 

ଷଷ୍ଠମରେ ଅଷ୍ଟମ ପାଖୁଡ଼ା ବସାଇଲା,

ସତାଇଶ ଘେନି ପଞ୍ଚତିରିଶ ହୋଇଲା ୧୦୮

ସପ୍ତମରେ ନବମ ପାଖୁଡ଼ା ବସାଇଲା,

ପଞ୍ଚତିରିଶକୁ ଘେନି ଚୌରାଳିଶ ହେଲା ୧୦୯

ଅଷ୍ଟମରେ ଏକାଦଶ ପାଖୁଡ଼ା ବସିଲା,

ଚଉରାଳିଶକୁ ଘେନି ପଞ୍ଚାବନ ହେଲା ୧୧୦

ନବମରେ ଦ୍ୱାଦଶ ପାଖୁଡ଼ା ବସାବନ୍ତେ,

ପଞ୍ଚାବନୁ ହେଲା ଅଠଷଠୀ ପରିଯନ୍ତେ ୧୧୧

 

ଦଶମରେ ଚଉଦ ପାଖୁଡ଼ା ବସାଇଲା,

ଅଠଷଠୀ ମିଶାବନ୍ତେ ବୟାଶୀ ହୋଇଲା ୧୧୨

ଏଗାରେ ଷୋଳ ପାଖୁଡ଼ା ବସାଇଲା ଯହୁଁ,

ବୟାଶୀ ମିଶାବନ୍ତେ ହୋଇଲା ଅଠାନଉ ୧୧୩

ଦିବସରେ ଦଶମ ପାଖୁଡ଼ା ବସାଇଲା,

ଅଠାନଉରେ ଶଏଅଷ୍ଟ ଉତ୍ତର ହୋଇଲା ୧୧୪

ସହସ୍ର ନାମ ହୋଇଲା ସହସ୍ର ପାଖୁଡ଼ା,

ସସ୍ରେ ଦଳ-ପଦ୍ମ-କୁଞ୍ଜ-ମନ୍ଦିର ଆଖଡ଼ା ୧୧୫

 

ଗନ୍ଧର୍ବମାନେ ଦୁଆରୀ ହୋଇଛନ୍ତି ତହିଁ,

ସୁବର୍ଣ୍ଣରେ ବେତ ସର୍ବେ ଛନ୍ତି ହସ୍ତେ ଲାଇ ୧୧୬

ମହାବ୍ରହ୍ମ ପ୍ରଭୁ କରିଅଛନ୍ତି ବିଜୟେ,

ମହାନିତ୍ୟ ଭୁବନେ ସର୍ବଦା ଜୟେ ଜୟେ ୧୧୭

ଲକ୍ଷେ ଘଣ୍ଟ ଲକ୍ଷେ ଶଙ୍ଖ ସେଠାରେ ବାଜୁଛି,

ଲକ୍ଷେ ଲକ୍ଷେ ଚାମର ଛତ୍ର ଯେ ଉଡ଼ୁଅଛି ୧୧୮

ଲକ୍ଷେ ବୀର ଲକ୍ଷେ ତୂର ଲକ୍ଷେ ଘଣ୍ଟ ଘଣ୍ଟା,

ଲକ୍ଷେ ଲକ୍ଷେ ସମ୍ଭର୍ବ ହେଉଛି ଭାଗ ବଣ୍ଟା ୧୧୯

 

ଲକ୍ଷେ ଗଛ ଦୀପ ଜଳୁଅଛି ନିରନ୍ତର,

ଲକ୍ଷେ ନେତ ଲକ୍ଷେ ପାଟ ଉଡ଼େ ଫରହର ୧୨୦

ଲକ୍ଷ ଲକ୍ଷ ନିଶାଣ ଟମକ ବାଜୁଅଛି,

ସିନ୍ଧୁ ଗରଜନ ପ୍ରାଏ ଶବଦ ଶୁଭୁଛି ୧୨୧

ଲକ୍ଷେ କନ୍ୟା ତହିଁ ଖଟିଛନ୍ତି ଆଜ୍ଞାପାଳି,

ଲକ୍ଷେ ଅର୍ଘ୍ୟ ସ୍ଥାଳୀ ଧରି ଲକ୍ଷେ ଦୀପାବଳୀ ୧୨୨

ହରିବୋଲ ହୁଳହୁଳି ପଡ଼େ ଅବିଚ୍ଛନ୍ନ,

ନୃତ୍ୟ କରୁଛନ୍ତି ମହାନିତ୍ୟ ଭକ୍ତଗଣ ୧୨୩

 

ଲକ୍ଷେକ ମାଳ ଦିହୁଡ଼ୀ ଜଳୁଅଛି ତହିଁ,

ରାତ୍ର ଦିବସହିଁ କିଛି ବାରଣ ନ ଯାଇ ୧୨୪

ଲକ୍ଷେ ଝାଞ୍ଜ ଲକ୍ଷେ ତାଳ ବାଜେ ଏକାବେଳେ,

ଗହ ଗହ ଶୋଭା ମହାନିତ୍ୟର ମଣ୍ଡଳେ ୧୨୫

ଲକ୍ଷେ ମର୍ଦ୍ଦଳ ମୃଦଙ୍ଗ ବାଜେ ଘୁମୁଘୁମୁ,

କୁଞ୍ଜ ମଧ୍ୟରେ ବିଜୟେ କରିଛନ୍ତି ପ୍ରଭୁ ୧୨୬

 

ଅଗର ଚନ୍ଦନ ଚୂଆ କର୍ପୂର ସହିତେ,

ଅଙ୍ଗେ ଲିପା ଲିପି ହେଉଅଛନ୍ତି ସମସ୍ତେ ୧୨୭

ଅଭୟ ଭୁବନ ସେ ଯେ ଭୟ ଭ୍ରାନ୍ତି ନାହିଁ,

ଯମ ରାଜାଗଣେ ସେବା ଖଟିଛନ୍ତି ଯହିଁ ୧୨୮

ଶୁଣିଲୁ କି ଆଦିକନ୍ଦ କୁଞ୍ଜର ବୃତ୍ତାନ୍ତ,

ବେନି କର୍ଣ୍ଣେ ଶୁଣି ମନେ ହେବ ଆଚମ୍ୱିତ ୧୨୯

କର୍ଣ୍ଣେ ଶୁଣି ନିରାକାର ମନେ ହେଲେ ତୋଷ,

ବ୍ରହ୍ମ-ନିରୂପଣ-ଗୀତା ଭଣେ ଭୀମ ଦାସ ୧୩୦

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା, ଗୁରୁ

ଶିଷ୍ୟସମ୍ପାଦେ, ସସ୍ରଦଳ କୁଞ୍ଜ ଆତଯାତ

ବର୍ଣ୍ଣନେ, ଭେଦାଭେଦ ବିଚାରଣେ

ନାମ ନବମୋଽଧ୍ୟାୟ

 

ବ୍ରହ୍ମନିରୂପଣ ଗୀତା

ଦଶମ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ଗୁରୁଦେବ,

ସସ୍ରେଦଳ ପଦ୍ମକୁଞ୍ଜ ବ୍ରହ୍ମାଙ୍କୁ ଦୁର୍ଲଭ

ଅଶ୍ରୁତି ଅମୂର୍ତ୍ତି କଥା ମନ୍ଦିର ବିଧାନ,

ସଂଖ୍ୟା କରି ମୁଖରେ କହିବ କେଉଁ ଜନ

ଅପୂର୍ବ ଚରିତ ଏ ଅଟଇ ଦିବ୍ୟ ରସ,

ବେନି କର୍ଣ୍ଣେ ଶୁଣିଲେ ପାତେକ ହେବ ଧ୍ୱଂସ

ଅନୁମାନୀ ଅନ୍ତର୍ଯ୍ୟାମୀ ହୋଇବ ଯେ ଜନ,

ସେହି ସେ ବୁଝିପାରିବ ଏତେକଥା ମାନ

 

ଯାହା ଆଜ୍ଞା ହେବ ଗୁରୁ ସ୍ୱାମୀ ନାରାୟଣ,

କୁଞ୍ଜ ନିରୂପଣ ଶୁଣି ପ୍ରତେ ଗଲା ମନ

ଆସ୍ଥାନର ବିଧିମତ ଫେଡ଼ି ମୋତେ କହ,

ଶୁଣିକରି ସନ୍ତୋଷ ହୋଇବ ମୋର ଦେହ

ମହିଁମାଙ୍କ ସିଂହାସନ କେମନ୍ତ ପ୍ରକାର,

କେତେ କେତେ ଘଟଣା ହୋଇଛି ଆସ୍ଥାନର

ଦଣ୍ଡ ସିଂହାସନ କେତେ ଦୀର୍ଘ ପ୍ରତି ଅଛି,

ଏହା ମୋତେ ନିରୂପଣେ କହିଦିଅ ବାଛି

 

କେତେ ପାବଚ୍ଛ ବସଛି ଆସ୍ତାନ ମଧ୍ୟରେ,

କେହୁ ଶେଯ ମୁଚୁଳି ହୋଇଛି ସେହି ପୁରେ

କେତେ ପୁର କେତେ ବାହୀ ଲାଗିଛି ତହିଁରେ,

ମହିମା ପ୍ରଭୁ ବିଜଏ ଯୋଗ ଆସନରେ ୧୦

ଏ କଥା ବିସ୍ତାରି ମତେ କହ ବ୍ରହ୍ମବେତ୍ତା

ଶ୍ରୀମୁଖରୁ ଶୁଣି ମନେ ରହିବ ମୋ ଚେତା ୧୧

ଏତେ ବୋଲି ନିରାକାର ଶିରେ କର ଦିଏ,

ପୁଣ ପୁଣ ପ୍ରଳମ୍ୱିତ କରି ଗୁରୁ ପାଏ ୧୨

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,

ତୋ ଆଗେ କହିବା ସିଂହାସନର ପ୍ରଚାର ୧୩

ଚାରି ଯୁଣେ ତହିଁ ରହିଅଛି ଦୀର୍ଘପ୍ରତି,

ସମାନରେ ସମ ହୋଇଅଛି ଚଉକତି ୧୪

ସି ସି ଧି ଧି ହୋଇଅଛି ବେନି ଖଟପୁଆ,

ରାମନାମ ଲାଗିଅଛି ଆଡ଼େଣୀ ମରୁଆ ୧୫

ର ର ରସ୍ତୁ ହୋଇଅଛି ଆରି ବେନି ପୁଇ,

ହରେକୃଷ୍ଣ କ୍ଷର ଆଡ଼େ ହୋଇଛି ମଚୁଇ ୧୬

 

ଅଅ ଆଆ ହୋଇଛି ଖଟ ଖୁର ବାଣି,

ଇଈ ବେନିକ୍ଷର ତହିଁ ହୋଇଛି ଛନ୍ଦଣି ୧୭

ଉଊ ବେନିକ୍ଷର ହୋଇଅଛି ବେନି ଭଣ୍ଡା,

ଋୠ ବେନିକ୍ଷର ତହିଁ ଠିଆବାହୀ ଦଣ୍ଡା ୧୮

ଌୡ ବେନିକ୍ଷର ତହିଁ ବସିଅଛି ଖୁରା

ଫରୁଆ ଲାଗିଛି ତହିଁ ହୀରା ତେଜ ତୋରା ୧୯

ଏଏ ଅଇ ବେନିକ୍ଷର ଆର ପୁଆ ଖୁଇ,

ଫରୁଆ ବସିଛି ନୀଳା ତେଜ ପ୍ରାଏ ହୋଇ ୨୦

 

ଓଓ ଅଉ ବେନିକ୍ଷର ହୋଇଅଛି ଶେଯ,

ରାରା ପୁଷ୍ପ ବିଞ୍ଚା ତହିଁ ହୋଇଛି ସରୋଜ ୨୧

ଅ ଓ ଅଙ୍ଘ ହୋଇଅଛି ମଥାର ମୁଚୁଳି,

ମହାବ୍ରହ୍ମ ପ୍ରଭୁ ବିଜେ ମହିମା ଅକୁଳି ୨୨

ଡାହାଣରେ ବସିଅଛି ସଷ୍ଟମ ପାବଚ୍ଛ,

ଯାଇପାରିଲେ ଦେଖିବୁଁ ବାବୁ ନୁହେ ମିଛ ୨୩

ବାମଭାଗେ ସଷ୍ଟମ ପାବଚ୍ଛ ବସିଅଛି,

ଶରଣ ରକ୍ଷଣେ ବେନି ଭୁଜ ଟେକିଅଛି ୨୪

 

ଆଗଭାଗେ ବସିଅଛି ଛଡ଼ ଯେ ପାବଚ୍ଛ,

ଶୟନରୁ ଚାହିଁଲେ ଦିଶୁଛି ସ୍ୱର୍ଗ ମଞ୍ଚ ୨୫

ପୂର୍ବ ଭାଗେ ସଷ୍ଟମ ପାବଚ୍ଛ ବସିଅଛି,

ପ୍ରଳୟ ସଂହାର ପୃଷ୍ଠ ଭାଗେ ଲୁଚାଇଛି ୨୬

ଉତ୍ତର ଦକ୍ଷିଣେ ବାର ପାବଚ୍ଛ ବସିଲା,

ପୂର୍ବ ପଶ୍ଚିମକୁ ଘେନି ଚବିଶ ହୋଇଲା ୨୭

ଉଅ ହୁଅ ସସ ଅଟନ୍ତି ସେ ତିନିଜଣ,

ମହିମାଙ୍କ ଅଙ୍ଗେ ଲିପୁ ଅଛନ୍ତି ଚନ୍ଦନ ୨୮

 

ହ୍ଳୀଂ ଶ୍ଳୀଁ କ୍ଳୀଂ ସେ ଅଟନ୍ତି ତିନି ମୂର୍ତ୍ତି,

ମହିମାଙ୍କ ବେନି ପାଦମଞ୍ଚାଳୁ ଅଛନ୍ତି ୨୯

ଅଣ୍ଡ ବୀଜ ସ୍ୱେଦ ବୀଜ ଉଦ ବୀଜ ତିନି,

ଶ୍ରୀଅଙ୍ଗ ଆଉଁଶୁଛନ୍ତି ଆଗ୍ୟାଁ ଶିରେ ଘେନି ୩୦

ରାରା ମମ ଶବଦହିଁ ତିନି ଲୋକ ଛନ୍ତି,

ଶୟନ ଭୋଜନ ଠାରେ ଖଟଣୀଆ ନିତି ୩୧

ଅଷ୍ଟ ଜ୍ୟୋତି ଦୀପ ତହିଁ ଛାମୁ ରୁଖା ଦୀପ,

ଚତୁର୍ମୁଖୀ ଜାଗର ଜଳୁଛି ଚାରିପାଖ ୩୨

 

ସାତସିନ୍ଧୁ ହୋଇଅଛି ସୁବର୍ଣ୍ଣର ଝରି,

ମହାବ୍ରହ୍ମ ମହିମା ସେ ଧୁଅନ୍ତି ଆଦରି ୩୩

ଗ୍ୟାନର କଳ୍ପ ହୋଇଛି ସୁବର୍ଣ୍ଣ ଚାନ୍ଦୁଆ,

ଯମୁନା ନଦୀ ହୋଇଛି ଶ୍ରୀପୟର ଧୁଆ ୩୪

ଚାରି ଅଗ୍ନି ପଟୁଆରି ଛନ୍ତି ଚଉପାଶେ,

ମଧ୍ୟେ ବିଜୟେ ମହିମା ବ୍ରହ୍ମ ପରକାଶେ ୩୫

କ ଅକ୍ଷର ହୋଇଛନ୍ତି ଶ୍ରୀବୀର କାହାଳୀ,

ଶବଦ ଘାତରେ ପୁର ପଡ଼ୁଛି ଉଛୁଳି ୩୬

 

ଖ ଅକ୍ଷର ହୋଇଛି ଖଞ୍ଜରିକା ବାଦ୍ୟ,

ଘୁଘୁ କମ୍ପୁଅଛି ମହାନିତ୍ୟ ମଧ୍ୟ ୩୭

ଗ ଅକ୍ଷର ହୋଇଛି ମନ୍ଦିରା ଯେ ତିନି,

ସୁସ୍ୱର ଶବଦ ବାଜୁଅଛି ଟିଣି ଟିଣି ୩୮

ଯ ଅକ୍ଷର ହୋଇଛି ପିଟା ଘଡ଼ି ଘଣ୍ଟ,

ଝାଉଁ ଝାଉଁ ଶବଦ କରୁଛି ମହା ଆଣ୍ଟ ୩୯

ଙ ଅକ୍ଷର ହୋଇଛି ଆୟ ଅଳଙ୍କାର,

ମହିମାଙ୍କ ଶ୍ରୀଅଙ୍ଗ ଦିଶୁଛି ଶୋଭାକାର ୪୦

 

ଚ ଅକ୍ଷର ହୋଇଅଛି ଶେତ ଯେ ଚାମର,

ଶ୍ରୀଛାମୁରେ ପକାଉ ଅଛନ୍ତି ଧୀର ଧୀର ୪୧

ଛ ଅକ୍ଷର ହୋଇଛି ଛତର ଯେ ସତି,

ଧବଳମୟେ ଦିଶୁଛି ମହାନିତ୍ୟ କ୍ଷିତି ୪୨

ମ ଅକ୍ଷର ତହିଁ ପରେ ଜଳୁଅଛି ଦୀପ,

ଫୁଟି ଦିଶୁଅଛି ମହିମାଙ୍କ ନିଜ ରୂପ ୪୩

ଝ ଅକ୍ଷର ହୋଇଛି ତହିଁ ଫୁଲଝରା,

ମହିମା ମଥାରେ ଖଞ୍ଜା ହୋଇଅଛି ଝରା ୪୪

 

ଞ ଅକ୍ଷରଟି ତହିଁ ହୋଇଛି ନିଶାଣ,

ଦୁଲୁ ଦୁଲୁ ବାଜଣା ବାଜଇ ମହାଟାଣ ୪୫

ଟ ଅକ୍ଷରଟି ଯେହୁ ହୋଇଛି ଟମକ,

ଅଶେଷ ବ୍ରହ୍ମାଣ୍ଡ ଯାକ ଶୁଭୁଛି ଚମକ ୪୬

ଠ ଅକ୍ଷର ଠାକୁର ଠାକୁରାଣୀ ନାମ,

ନୀଳା ଲାଗିଅଛି ତହିଁ ମହାନିତ୍ୟ ଧାମ ୪୭

ଡ ଅକ୍ଷରଟି ତହିଁ ପଡ଼ିହାରୀ ଡାକ,

ତଦନ୍ତରେ କଳଣା କରୁଛି ଚଉପାଖ ୪୮

 

ଢ ଅକ୍ଷରଟି ହୋଇଅଛି ବାଜା ଢୋଲ,

ଶବଦରେ ଭୁବନ କମ୍ପୁଛି ଦଲ ଦଲ ୪୯

ଅଣ ଅକ୍ଷର ହୋଇଛି ଅନୁମାନ ବୁଦ୍ଧି,

ଲକ୍ଷେ ବନ୍ଧେ ଲୀଳାରଙ୍ଗ ଭିଆଉଛି ସିଦ୍ଧି ୫୦

 

ତ ଅକ୍ଷରଟି ହୋଇଅଛି ତାଳ ଝାଞ୍ଜ,

ଯହିଁକି ଯେମନ୍ତ ସାଜେ ଲଗାଇଛି ଖଞ୍ଜ ୫୧

ଥ ଅକ୍ଷର ହୋଇଛି ତା ତା ଧିନା ଥେଇ,

ମୃଦଙ୍ଗ ବାଜୁଛି ଆଦ୍ୟ ସଞ୍ଚାରକୁ ଫେଇ ୫୨

ଦଅ ଅକ୍ଷର ହୋଇଛି ଦାଉଣ୍ଡିଆ ବାଦ,

ହାଉ ହାଉ ଶବଦ କରୁଛି ମହାନାଦ ୫୩

ଧଅ ଅକ୍ଷରଟି ତହିଁ ଧାରଣା ଧରତୀ,

ଏକ କର୍ମ୍ମରେ ଚାଳନ୍ତେ ସର୍ବେ ଏକ ଜାତି ୫୪

 

ନଅ ଅକ୍ଷରଟି ତହିଁ ନଫୁରି ବାଜଣା,

ଡାକୁଅଛି ଧର ଧର ତିନିପୁର ଜିଣା ୫୫

ପଅ ଅକ୍ଷରଟି ହୋଇଅଛି କର ପଖା,

ଅନୁକ୍ଷଣେ ପଡ଼ୁଅଛି ପାରୁଶରେ ଶାଖା ୫୬

ଫଅ ଅକ୍ଷରଟି ତହିଁ ବରଷୁଛି ଫୁଲ,

ଆମୋଦ ବାସନା ବାସେ ମହାନିତ୍ୟ ସ୍ଥଳ ୫୭

ବ ଅଅକ୍ଷର ହୋଇଛି ବେଣୁ ଯେ ବୈଂସୋରି,

ଶବଦ ମଧୁର ଧ୍ୱନି କରେ ଶିରି ଶିରି ୫୮

 

ଭଅ ଅକ୍ଷର ହୋଇଛି ଭାଷା ପରବନ୍ଧ,

ଭାବ ଭୋଳେ ପୟରୁ ଝରୁଛି ମକରନ୍ଦ ୫୯

ମଅ ଅକ୍ଷରଟି ତହିଁ ମର୍ଦ୍ଦଳ ଡମ୍ୱରୁ,

ବାଜଣାରେ କମ୍ପମାନ ହୁଏ ଗିରି ମେରୁ ୬୦

ଯଅ ଅକ୍ଷରଟି ତହିଁ କରୁଛି ଯତନ,

ଯେଣିକି ଚାହିଁଲେ ତେଣେ ଦିଶେ ଘନ ଘନ ୬୧

ରଅ ଅକ୍ଷରଟି ତହିଁ ରାହାସ ମଣ୍ଡଳୀ,

ଲୀଳା ଲାଗିଅଛି ଆରେ ଆରକକୁ ବଳି ୬୨

 

ଲଅ ଅକ୍ଷରଟି ତହିଁ ଲାବଣ୍ୟ ସୁନ୍ଦର,

ଗହ ଗହ ଧ୍ୱନି ଶୁଭୁଅଛି ନିରନ୍ତର ୬୩

ବଅ ଅକ୍ଷରଟି ତହିଁ ବେହେଲା ଶିତାର,

ପଞ୍ଚମ ପ୍ରକାରେ ବାଦ୍ୟ ବାଜୁଛି ସୁସ୍ୱର ୬୪

ଶ୍ରୀ ଅକ୍ଷର ହୋଇଅଛି ଶିତାର ଶାରଙ୍ଗୀ,

ଅଶେଷ ପ୍ରକାରେ ହେଉଅଛି ନୃତ୍ୟ ଭଙ୍ଗି ୬୫

ଷଅ ଅକ୍ଷରଟି ଶଙ୍ଖ ଶିଙ୍ଗା ହୋଇଅଛି,

ଜୟ ଜୟ ଶବଦ ତ୍ରିପୁର ଉଛୁଳୁଛି ୬୬

 

ସଅ ଅକ୍ଷରଟି ତହିଁ ଶୁରୁତା ବକତା,

ହରିର ସେ ମଦ୍ୟପାନେ ସର୍ବେ ମଏମତ୍ତା ୬୭

ହଅ ଅକ୍ଷରଟି ହୀରା ଅଙ୍ଗ ତେଜମଏ,

ସର୍ବାଙ୍ଗେ ଶୁକଳ ଦିଶେ ସବୁଙ୍କରି କାଏ ୬୮

କ୍ଷଅ ଅକ୍ଷରଟି ଲାଗିଅଛି ଲୀଳା ଖେଳ,

ମହିମା ବିଜୟ ମହାନିତ୍ୟର ମଣ୍ଡଳ ୬୯

ବସନ ପବନ ତହିଁ ବହୁଛି ଶୀତଳ,

ଅଗୁରୁ ଚନ୍ଦନ ବାସ ଗନ୍ଧ ପରିମଳ ୭୦

 

ଶରଦ ଉଷୁମ ଦୁଇ ପରକାର ଅଛି,

ମହାନିତ୍ୟ ଅଭୟ ଭୁବନ ବୋଲାଉଛି ୭୧

ଗ୍ୟାନୀମାନେ ସେଠାବକୁ ଛନ୍ତି ଅନୁସରି,

ଧର୍ମ୍ମ ପୂର୍ଣ୍ଣ ଯାଏ କେହି ନ ପାରନ୍ତି ଧରି ୭୨

ତାରଣ ମାରଣ ତହିଁ ସର୍ବ ପୂରିଅଛି,

ସ୍ଥିତି ଉତ୍ପତ୍ତି ପ୍ରଳୟ ନ ବାଧଇ କିଛି ୭୩

ଅଶେଷ ବ୍ରହ୍ମାଣ୍ଡେ ଯେତେ ଦେହ ଧରିଛନ୍ତି,

ମହିମା ଶକତି ଠାରୁ ସର୍ବେ ଉତପତ୍ତି ୭୪

 

ଦିବସ ରଜନୀ ଲୀଳା ଲାଗିଅଛି ତହିଁ,

ସେହିଠାରୁ ଚାରିଯୁଗ ମୁହୂର୍ତ୍ତେ ଲାଗଇ ୭୫

ଅକ୍ଷଏ ମହିମା ସେ ନୁହଇ କ୍ଷଏ ବୃଦ୍ଧି,

ଅନାଦିଠାରୁ ମହିମା ଅଟନ୍ତି ସେ ଆଦି ୭୬

ମହିମା ନାମଟି ସେ ଅଟନ୍ତି ମହାମାୟୀ,

ଅନାଦି ଦୋରେହା ହେଲେ ଆଦି ଦିଏ ଖାଇ ୭୭

ଏହିରୂପେ ନାଶ ଯାଉଅଛି ଏ ଜଗତ,

ସମସ୍ତେ ଅଟନ୍ତି ଆଦି ମହିମା ଭଗତ ୭୮

 

ଆଦି ଅନାଦି ତ ଏ ଅଟନ୍ତି ମାତା ପିତା,

ପିତାଠାରେ ଦ୍ରୋହ କଲେ ସଂହାରଇ ମାତା ୭୯

ଅଲେଖଙ୍କ ଭଗତ ହୋଇବ ଯେଉଁ ଜନ,

ମହିମା ଭଜିଲେ ସିନା ବ୍ରହ୍ମେ ହେବ ଲୀନ ୮୦

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ଗୁରୁସାଇଁ,

ଛଡ଼ପାବଚ୍ଛ ସିଦ୍ଧାନ୍ତ ଫେଡ଼ି ଦିଅ କହି ୮୧

କେ କେମାନେ ସଷ୍ଟମ ପାବଚ୍ଛେ ବସିଛନ୍ତି,

ଶ୍ରୀମୁଖରେ ଆଜ୍ଞା ହେଉ ଯିବ ମୋକ୍ଷଗତି ୮୨

ନିରାକାର ବଚନେ କହନ୍ତି ଗୁରୁଦେବ,

ଶୁଣ ବାବୁ ଆଦିକନ୍ଦ ପାବଚ୍ଛ ସଂଯୋଗ ୮୩

 

ଶ୍ରୀ ଗୁରୁଦେବ ଉବାଚ

ପ୍ରଥମ ପାବଚ୍ଛ ଗୋଟା କଳ୍ପଣା ଅଟଇ,

କଳ୍ପଣା କ୍ଷରନ୍ତେ ନାଦ ଆସୁଅଛି ବହି ୮୪

ଦ୍ୱିତୀୟ ପାବଚ୍ଛ ଗୋଟି ଜନମ ଜାତକ,

କୋଟିକୋଟି ସଞ୍ଚରିତ ହୋଇଛନ୍ତି ଦେଖ ୮୫

ତୃତୀୟ ପାବଚ୍ଛ ଗୋଟି ମରଣ ଅଟଇ,

ସ୍ଥିତି ଉତ୍ପତ୍ତି ପ୍ରଳୟ ସଂହାର କରଇ ୮୬

ଚତୁର୍ଥ ପାବଚ୍ଛ ଗୋଟି ହୁଅଇ ନିଗମ,

ଯାହାକୁ ଯେମନ୍ତ ବାଣ୍ଟି ଲାଗିଅଛି କର୍ମ ୮୭

ପଞ୍ଚମ ପାବଚ୍ଛ ଗୋଟି ଜଙ୍ଗମ ହୋଇଲା,

ଅଚଳ ପାବଚ୍ଛ ସେ ଚଲାକି ତହୁଁ ହେଲା ୮୮

 

ସଷ୍ଟମ ପାବଚ୍ଛ ଗୋଟି ଅଟଇ ସ୍ଥାବର,

ଛଡ଼ ବେଦର ଉପରେ ମହିମାଙ୍କ ଘର ୮୯

ଅଭୟ ମହିମା ତହିଁ ବିଜେ କରିଛନ୍ତି,

ଅଚିନ୍ତା ଭୁବନ ସେ ନ ଥାଇ ଭୟ ଭ୍ରାନ୍ତି ୯୦

ଶରଣରକ୍ଷଣବାନା ମହିମାଙ୍କ ସିନା,

ମହିମାଠାରୁ ବ୍ରହ୍ମାଣ୍ଡେ କେହି ନାହିଁ ଜିଣା ୯୧

ଗତି ମୁକତି ପଦକୁ ହୃଦେ ବହିଛନ୍ତି,

ଶରଣ ବୋଇଲେ ଗର୍ଭଗତରେ ରଖନ୍ତି ୯୨

 

ମହିମା ପ୍ରସନ୍ନ ହେଲେ କି କରିବ କାଳ,

ସିଂହ ପ୍ରାଏ ଫେରୁଥିବ ଏ ମହୀମଣ୍ଡଳ ୯୩

ମହିମା ପ୍ରସନ୍ନ ହେଲେ କି କରିବ ଯମ,

ପାଦତଳେ ପଡ଼ି ଯମ କରିଯିବ କ୍ଷମ ୯୪

ମହିମା ପ୍ରସନ୍ନ ହେଲେ କି କରିବ ରୋଗ,

ଏ ତିନି ବ୍ରହ୍ମାଣ୍ଡ ନିଶ୍ଚେ କରିବ ସେ ଭୋଗ ୯୫

ମହିମା ପ୍ରସନ୍ନ ହେଲେ କି କରିବ ମୃତୁ,

ଅନନ୍ତ ଗର୍ଭେ ରହିବ ପାଇ ନିଜ ହେତୁ ୯୬

 

ମହିମା ପ୍ରସନ୍ନ ହେଲେ କି କରିବ ଦେବୀ,

ଭଗତ ଦୃଷ୍ଟି ପଡ଼ିଲେ ପଳାଇବ ଭାଗି ୯୭

ମହିମା ପ୍ରସନ୍ନ ହେଲେ କି କରିବ ଗ୍ରହ,

ଭଗତ ଅଙ୍ଗେ ପଡ଼ିଲେ ପାଇବ ସେ ଦ୍ରୋହ ୯୮

ମହିମା ପ୍ରସନ୍ନେ କି କରିବ କାଣ୍ଡ ଖଣ୍ଡା,

ଭଗତ ଅଙ୍ଗେ ପଡ଼ିଲେ ହେବ ମସିଗୁଣ୍ଡା ୯୯

ମହିମା ପ୍ରସନ୍ନ ହେଲେ କି କରିବ ବାଣ,

ଯେ ପେଷିବ ଲେଉଟାଇ ଘେନିବ ତା ପ୍ରାଣ ୧୦୦

 

ଶୁଣିଲୁକି ନିରାକାର ମହିମାର କଥା,

ମହିମା ପଦଟି ଯେହୁ ବଡ଼ ସାମରଥା ୧୦୧

ମହିମାଙ୍କ ଠାରୁ ବଡ଼ ନାହିଁ ନା ସଂସାରେ,

ମହିମାହୁଁ ଆତଯାତ ତିନି ଜଗତରେ ୧୦୨

ଚାରିଖାନି ଜୀବ ତହୁଁ ହେଉଛନ୍ତି ଜାତ,

ବିଚାରିଲେ କ୍ଷଣକ ମାତ୍ରକ କରେ ହତ ୧୦୩

ତାହାର ସଞ୍ଚିଲା ସିନା ଅଶେଷ ଭୁବନ,

ମନ କଲେ ମୁହୂର୍ତ୍ତକେ କରେ ରଣଭଣ ୧୦୪

 

ଛପ୍ନାକୋଟି ଜୀବ ତାର ଲେଖାରେ ଅଛନ୍ତି,

ଯାହା ବିଚାରିବ ତାହା ସେହି ଦେଉଛନ୍ତି ୧୦୫

ଧନ୍ୟ ଧନ୍ୟ ରତ୍ନ ସିଂହାସନର ମହିମା,

ପଦ ପ୍ରସଙ୍ଗରେ ବର୍ଣ୍ଣି କି ଦେବି ଉପମା ୧୦୬

ଅଶେଷ ଭୁବନଠାରୁ ଅଧିକେ ସେ ପୁରୀ,

କୋଟି କୋଟି ବ୍ରହ୍ମା ଯାକୁ ଛନ୍ତି ଆଶ୍ରେ କରି ୧୦୭

ଚାରିକୋଟି ବିଷ୍ଣୁ ଚଉପାଶେ ଅନୁସରି,

ଚାରିପାଦ ମହିମା ତହିଁରେ ବିଜେ କରି ୧୦୮

 

କୋଟି କୋଟି ବ୍ରହ୍ମା ଧରିଅଛନ୍ତି ପୟର,

ବ୍ରହ୍ମାଙ୍କ ପଛରେ ଛନ୍ତି କୋଟି ବିଶ୍ୱେଶ୍ୱର ୧୦୯

ବିଷ୍ଣୁଙ୍କ ପଛରେ ଛନ୍ତି କୋଟି ସଦାଶିବ,

ଶିବଙ୍କ ପଛରେ ଛନ୍ତି କୋଟିଏ ଗନ୍ଧର୍ବ ୧୧୦

ବେଦ କଳ୍ପ କାଛ ଚଉପାଶେ ହୋଇଅଛି,

ଅଭୟ ମହିମା ବ୍ରହ୍ମ ଅଚିନ୍ତାରେ ଅଛି ୧୧୧

ଅଭୟ କବାଟମାନ ଲାଗିଅଛି ତହିଁ,

ଅଦଭୁତ କଣ୍ଟାମାନ ପିଟିଅଅଛି ତହିଁ ୧୧୨

 

ଅନ୍ତର୍ଯ୍ୟାମୀ ମହିମା ଜାଣନ୍ତି ସର୍ବ କଥା,

ଅଶେଷ ଭୁବନ ପୁର ସମସ୍ତ ବାରତା ୧୧୩

ଜୟ ଜୟ ଶ୍ରୀ ମହିମା ଚରଣେ ଶରଣ,

ସୁଧା ମକରନ୍ଦ ଦେଇ କର ଉଧାରଣ ୧୧୪

ଜୟ ଜୟ ଶ୍ରୀ ମହିମା ଭକ୍ତ ହିତକାରୀ,

କୃପାନେତ୍ରେ ଚାହିଁ ମୋତେ ଥିବ ଦୟାକରି ୧୧୫

ପଶ୍ଚିମ ଦିଗ ଦୁଆର କବାଟ ପକାଇ,

ମହିମା ଚରଣେ ଦଣ୍ଡ ପ୍ରଳମ୍ୱ କରଇ ୧୧୬

 

ଉତ୍ତରଦ୍ୱାର କବାଟ ପକାଇ ତକ୍ଷଣ,

ମହିମା ଚରଣ ବିନ୍ଦେ ମାଗଇ ଶରଣ ୧୧୭

ଦକ୍ଷିଣଦ୍ୱାର କବାଟ ତହୁଁ ପକାଇଲା,

ଶତେବାର ପ୍ରଳମ୍ୱିତ ଶିରେ କର ଦେଲା ୧୧୮

ପୂର୍ବଦୁଆର କବାଟ ପକାଇ ସଧୀର,

ମହିମାକୁ ଚାହିଁ ବୋଲେ ଦୋଷ କ୍ଷମାକର ୧୧୯

ମହା ମହିମା ସେ ଅଲେଖଙ୍କ ପାଟରାଣୀ,

ମନ୍ଦିର ମଧ୍ୟରେ ଛନ୍ତି ଅବ୍ୟକତ ମଣି ୧୨୦

 

ଚାରିଦୁଆର କବାଟ ପଡ଼ିଲାକ ମୁଦ,

ସେ ମନ୍ଦିରେ ମୂଳ ଦ୍ୱାରୀ ହୋଇଅଛି ଭେଦ ୧୨୧

ଭଗତ ହୋଇଲେ ଅନୁସରି ସେହିଠାକୁ,

କାଳ ବେଳ ନିକଟ ହେଲାଣି ଦେଖୁ ଦେଖୁ ୧୨୨

ଏ ଯୁଗରେ ମହିମା ଭଜିଲେ କାର୍ଯ୍ୟ ଅଛି,

ଅନ୍ୟ କର୍ମାର୍ଥରେ ଆଉ ସୁଖ ନାହିଁ କିଛି ୧୨୩

ହୋଇବ ସମସ୍ତେ ଯେବେ ମହାନିତ୍ୟବାସୀ,

ଭଜ ଏତେବେଳେ ପ୍ରଭୁଙ୍କର ଦାସଦାସୀ ୧୨୪

ବ୍ରହ୍ମ-ନିରୂପଣ-ଗୀତା ସାରସ୍ୱତ ବାଣୀ,

ଶ୍ରୀଗୁରୁଙ୍କୁ ଧ୍ୟାୟିକରି ଭୀମ ଦାସ ଭଣି ୧୨୫

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,

ଗୁରୁ ଶିଷ୍ୟ-ସମ୍ୱାଦେ, ଶକତି-ଭେଦା-ଭେଦ

ବର୍ଣ୍ଣନେ, ନିଜ ମହିମା ଚରିତ-କଥନେ,

ଆଗମ ନିଗମ ବିଚାରଣେ ନାମ

ଦଶମୋଽଧ୍ୟାୟଃ

 

ଏକାଦଶ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ଗୁରୁସ୍ୱାମୀ,

ଜଣାନନ୍ଦ ପୁରୁଷ ସକଳ ଅନ୍ତର୍ଯ୍ୟାମୀ

ମହିମା ନାମଟି ଯେହୁ ମହାବ୍ରହ୍ମ ସେହି,

ବେନିକର୍ଣ୍ଣେ ଶୁଣି ମନେ ପ୍ରତେ ଗଲି ମୁହିଁ

ନିଜ ମହିମା ମନ୍ଦିର କବାଟ ପଡ଼ିଲା

ମହାନିତ୍ୟ ପୁର କଥା କେମନ୍ତ ହୋଇଲା

ବ୍ରହ୍ମର ଭୁବନ ସେ ଯେ ଅମରାଧିପୁର

କେତେ ପ୍ରକାରରେ ତୋଳା ହୋଇଛି ମନ୍ଦିର

 

କୁଞ୍ଜ ମଣ୍ଡଳକୁ ଘେନି ମହାନିତ୍ୟ ଭୂଇଁ,

ଚାରି ଦ୍ୱାରେ କେତେ କେତେ ମନ୍ଦିର ଅଛଇ

କେମନ୍ତ ପ୍ରକାରେ ନିର୍ଭା ହୋଇଛି ମନ୍ଦିର,

କେତେ କେତେ ଖମ୍ୱ ପାଟି ଲାଗିଛି ତହିଁର

ଏ କଥା ବିସ୍ତାରି ମୋତେ କହ ବ୍ରହ୍ମବେତ୍ତା,

ମହାନିତ୍ୟ ଭୁବନର ବସତିର କଥା

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,

କହିଦେବା ମହାନିତ୍ୟ ଭୁବନ ବିଚାର

ଉତ୍ତର ଦୁଆରେ ଅଛି ଏକସ୍ତମ୍ଭ ଘର,

ଛାଉଣି ଦିଶେ ଦୀର୍ଘ ଚଉଡ଼ା ପ୍ରକାର

ଖମ୍ୱ ମୂଳେ ତିଆରି ହୋଇଛି ରତ୍ନ ବେଦି,

ପରମପୁରୁଷଙ୍କର ବଇଠକ ଗାଦି ୧୦

ମହାନିତ୍ୟ ଭୁବନର ଦ୍ୱାର ଯେ ଉତ୍ତର,

ଘର କରିଛନ୍ତି ଷୋଳ ଲକ୍ଷ ପର୍ମେଶ୍ୱର ୧୧

 

ଷୋଳ ଲକ୍ଷ ପରମକୁ ଷୋଳ ଲକ୍ଷ ଜୀବ,

ସେବା ଭକ୍ତି ଲାଗି କରୁଛନ୍ତି ପୁଣ୍ୟ ଭୋଗ ୧୨

ରାମ ନାମ ପଦ ହୋଇଅଛି ଘଡ଼ି ଘଣ୍ଟ,

ବ୍ରହ୍ମ ସେବା କରି ବୋଲୁଛନ୍ତି ଉଠ ଉଠ ୧୩

ପରମ ଜ୍ୟୋତି ଶବଦ ହୋଇଛି ପାହାରି,

ଷୋଳ ଲକ୍ଷର ଆକାର ମନ୍ଦିରକୁ ଧରି ୧୪

ନିର୍ଭା ହୋଇଅଛି ପୁର ସୁବର୍ଣ୍ଣର ଇଟା,

ନବରତ୍ନ ତିଆରି ହୋଇଛି ଘର କୋଠା ୧୫

 

ସୁବର୍ଣ୍ଣ ତେଜ ପତର ହୋଇଛି ଛାଉଣି,

ଶୋଭା ଦିଶୁଅଛି ପୁର ଅପୂର୍ବ କାହାଣି ୧୬

ଉତ୍ତର ଦୁଆର ବିଧି ଏମନ୍ତ ପ୍ରକାର,

ପଶ୍ଚିମ ଦୁଆର କଥା ଶୁଣ ନିରାକାର ୧୭

ଧବଳମୟ ଦିଶୁଛି ପଶ୍ଚିମ ଦୁଆର,

ଏକୌଶ ଲକ୍ଷ ଅନନ୍ତ କରିଛନ୍ତି ଘର ୧୮

ରାତ୍ର ଦିନ ବାରଣ ନୁହଇ ସେ ଦୁଆରେ,

ବ୍ରହ୍ମଜ୍ଞାନୀ ଭଗତ ଲାଗିଛି ନିରନ୍ତରେ ୧୯

 

ଅଶ୍ରୁତି ଅଦୃଷ୍ଟି ହୋଇଅଛି ସେହି ପୁର,

ଅନନ୍ତ ନାମଟି ଘଣ୍ଟା ହୋଇଛି ତହିଁର ୨୦

ଅନନ୍ତ ଶବଦ ତହିଁ ହୋଇଛି ପାହାରି,

ଏକୌଶ ଲକ୍ଷ ମନ୍ଦିର ଆକ୍ରାନ୍ତକୁ ଧରି ୨୧

ପୁରମାନ ମଣ୍ଡଣି ହୋଇଛି ମନୋହର,

ଚାହିଁ ଦେଲେ ଦିଶୁଅଛି ବିଚିତ୍ର ପ୍ରକାର ୨୨

ଶୁଣିଲୁ କି ନିରାକାର ପଶ୍ଚିମର ରୀତି,

ବୁଝାଇ କହୁ ଦକ୍ଷିଣ ଦୁଆର ବିଭୂତ ୨୩

 

ଦକ୍ଷିଣ ଦିଗ ଦୁଆରେ ଜଗନ୍ନାଥେ ଛନ୍ତି,

ବାର ଲକ୍ଷ ଅଛି ତହିଁ ମନ୍ଦିର ବିଭୂତ ୨୪

ଜଗନ୍ନାଥ ନାମ ହୋଇଅଛି ଘଡ଼ି ଘଣ୍ଟା,

ନିରନ୍ତରେ ସେବା ଭକ୍ତି ଲାଗିଅଛି ନିଷ୍ଠା ୨୫

ଶବଦ ବ୍ରହ୍ମଟି ତହିଁ ହୋଇଛି ପାହାରି,

ଚଉଦ ଲକ୍ଷ ମନ୍ଦିର ଆକାରକୁ ଧରି ୨୬

ସୁବର୍ଣ୍ଣ ଇଟା ପଥର ଲାଗିଅଛି ତହିଁ,

ଅଷ୍ଟ ଧାତୁ ନୁହେ ବ୍ରହ୍ମ ଜାତି ସେ ଅଟଇ ୨୭

 

ଛାଏଣି ହୋଇଛି ତହିଁ ତେଜପତ୍ରମାନ,

ଶୋଭାକାର ଦିଶୁଛି ଘଟଣା ଅନୁଅନ ୨୮

ଶୁଣିଲୁ କି ନିରାକାର ତହିଁର ଭିଆଣ,

ବୁଝାଇ କହିବି ଯେତେ ପୂର୍ବର ବିଧାନ ୨୯

ପୂର୍ବ ଦ୍ୱାରେ ବାର ଲକ୍ଷ ମନ୍ଦିର ବସତି,

ଚବିଶ ଲକ୍ଷ ରାଧିକା ଶ୍ରୀକୃଷ୍ଣ ଅଛନ୍ତି ୩୦

ରଙ୍ଗ ପିଙ୍ଗଳ ହିଙ୍ଗୁଳ ସୁବର୍ଣ୍ଣର ଇଟା,

ବଇଡ଼ୁର୍ଯ୍ୟ ବ୍ରହ୍ମଜାତି ତହିଁ ପିଣ୍ଡା କୋଠା ୩୧

 

ଶ୍ରୀକୃଷ୍ଣ ନାମଟି ତହିଁ ହୋଇଛି ପାହାରି,

ବାର ଲକ୍ଷ ମନ୍ଦିରର ଆକାରକୁ ଧରି ୩୨

ନାରଦ ଶବଦ ହୋଇଅଛି ଘଡ଼ି ଘଣ୍ଟା,

ଶୁଭ ଅନକୂଳ ବାରି ହୋଉଅଛି ପିଟା ୩୩

ଶୁଣିଲୁ କି ନିରାକାର ମହାନିତ୍ୟ କଥା,

ଲତା ଫୁଟାଇ କହିଲେ ବଢ଼ିଯିବ ପୋଥା ୩୪

କୃଷ୍ଣ ମଣ୍ଡଳରେ ଚଳେ ମୃଦଙ୍ଗ କର୍ତ୍ତାଳ,

ଶଙ୍ଖ ଶିଙ୍ଗା କାହାଳିର ଶବଦ ଚହଳ ୩୫

ପରମ ମଣ୍ଡଳେ ଚଳେ ଶିତାର ବେହେଲା,

ଝାଞ୍ଜ ମର୍ଦ୍ଦଳ ଶବଦେ ମେଦିନୀ ଉଛଳା ୩୬

ଅନନ୍ତ ମନ୍ଦିରେ ବାଜେ ଖଞ୍ଜଣି ମନ୍ଦିରା,

ଏକତାଳୀ ବାଦ୍ୟ ନାଦ ପୃଥୀକମ୍ପା ଧାରା ୩୭

 

ଜଗନ୍ନାଥ ମଣ୍ଡଳରେ ନିଶାଣ ଟମକ,

ଦେବୀଙ୍କର ବାଦ୍ୟ ସେ ଯେ ପୃଥୀ କି ଚମକ ୩୮

ଅନନ୍ତଙ୍କ ପୁରେ ଲାଗିଅଛି ଲକ୍ଷେ ଲୀଳା,

ମହା ବ୍ରହ୍ମଗ୍ୟାନର କୋଟିଏ ତେଜ କଲା ୩୯

ଜଗନ୍ନାଥ ପୁରରେ ଲାଗିଛି ଲକ୍ଷେ ନାଟ,

ସେହିଠାରୁ ରଚନା ହେଉଛି ନଟକୂଟ ୪୦

ଶ୍ରୀକୃଷ୍ଣ ପୁରରେ ଲକ୍ଷେ ଲୀଳା ଆଭରଣ,

କାମ ପ୍ରେମ କଳ୍ପଣାଟି ହେଉଛି ଉଦ୍ୟାନ ୪୧

 

ପରମ ମନ୍ଦିରେ ଲାଗିଅଛି ଲକ୍ଷେ ଲୀଳା,

କୋଟିଏ ଅନଳ ଦିଶେ ଜ୍ୟୋତି ବ୍ରହ୍ମକଳା ୪୨

ଅନନ୍ତ ମଣ୍ଡଳୁ ଜାତ ହେଉଛି ଅନଳ,

ପରମ ମଣ୍ଡଳୁ ଜାତ ପବନ ଶୀତଳ ୪୩

ଶ୍ରୀକୃଷ୍ଣ ମଣ୍ଡଳୁ ଜାତ ହେଲେ ନାଦ ବିନ୍ଦୁ,

ଜଗନ୍ନାଥ ଭୁବନୁ ପ୍ରକାଶ ରୂପ ଇନ୍ଦୁ ୪୪

ଅନଣ୍ଡ ମଣ୍ଡଳୁ ଜାତ ହେଉଅଛି କ୍ଷୀର,

ପରମ ମଣ୍ଡଳୁ ଜାତ ହେଉଅଛି ନୀର ୪୫

 

କୃଷ୍ଣ ମଣ୍ଡଳରୁ ଜାତ ହେଉଛି ବକତା,

ଜଗନ୍ନାଥ ମଣ୍ଡଳରୁ ସ୍ଫୁରୁଛି ବାରତା ୪୬

ଅନନ୍ତ ଅଙ୍ଗରୁ ଜାତ ହେଉଛି ଶବଦ,

ପରମ ଅଙ୍ଗରୁ ଜନ୍ମ ହେଉଅଛି ଭେଦ ୪୭

ଶ୍ରୀକୃଷ୍ଣ ଅଙ୍ଗରୁ ଜାତ ହେଉଅଛି ବେଦ,

ଜଗନ୍ନାଥ ଶ୍ରୀଅଙ୍ଗରୁ ହେଉଛି ସମ୍ପାଦ ୪୮

ଅନନ୍ତ ମନ୍ଦିରୁ ଜାତ ହେଉଅଛି ହାଇ,

ଦେହ ଆଳସିଳ ହେଲେ ନିଦ୍ରା ତ ଘୁମାଇ ୪୯

 

ପରମ ମନ୍ଦିରୁ ଛାଇ ଜନମ ହୋଇଲା,

ଜ୍ୟୋତିର୍ମୟ ବ୍ରହ୍ମତେଜ ଜାଲ ବେଢ଼ାଇଲା ୫୦

କୃଷ୍ଣ ମନ୍ଦିରରୁ ତହୁଁ ଘୋଟିଲା ଅଚେତା,

ଜଗନ୍ନାଥ ମନ୍ଦିରୁ ଜନ୍ମିଲା ଅଶକତା ୫୧

ଶୁଣିଲୁ କି ନିରାକାର ମଣ୍ଡଳ ଆକାର,

ଶିର କର୍ଣ୍ଣ ଲଲାଟର ଚକ୍ରର ବିଚାର ୫୨

ତୋଳା ହୋଇଅଛି ପାଞ୍ଚହାତିଆ ମନ୍ଦିର,

ଛଡ଼ ଖୁମ୍ୱେ ତିଆରି ହୋଇଛି ସେହୁ ଘର ୫୩

 

ସାତ ହାତ ଘର ତହିଁ ଉତ୍ସର୍ଗ ଆରମ୍ଭ,

ତ୍ରିଅ ଶେଣୀ ଉଠାଇଛି ପୋତି ନବ ଖୁମ୍ୱ ୫୪

ନବହାତିଆ ମନ୍ଦିର ହୋଇଛି ରଚନା,

ଷୋଳ ଖୁମ୍ବେ ନିର୍ଭାଶେଣୀ ଅଟେ ଗୋଟି ସିନା ୫୫

ଦାରହାତିଆ ମନ୍ଦିର ନିର୍ମାଣ ହୋଇଛି,

ଅଠର ଖୁମ୍ବରେ ନବ ଶେଣୀ ଚଢ଼ାଇଛି ୫୬

ଚଉଦହାତିଆ ଘର ରଞ୍ଚିଅଛି ତହିଁ,

ଚବିଶ ଖୁମ୍ବରେ ବାର ଶେଣୀ ଅଛି ଲିହି ୫୭

 

ଷୋଳହାତିଆ ମନ୍ଦିର ମହାନିତ୍ୟେ ଅଛି,

ଅଠତିରିଶ ଖୁମ୍ବରେ ନିର୍ମାଣ ହୋଇଛି ୫୮

ଶେଣୀ ଲାଗିଅଛି ତହିଁ ଊନବିଂଶ ଖଣ୍ଡ,

ଆବର ଲାଗିଛି ତହିଁ ଚାରି କଣ କାଣ୍ଡ ୫୯

ଅଠରହାତିଆ ଘର ସେ ଭୁବନେ ଅଛି,

ପଚାଶ ଖୁମ୍ବରେ ପୁର ନିବାଡ଼ ହୋଇଛି ୬୦

ପଞ୍ଚବିଂଶ ଖମ୍ବ ଶେଣୀ ଲାଗିଅଛି ତହିଁ,

ଉରାମାନ ଲାଗିଅଛି କଳଣା ନ ଯାଇ ୬୧

 

ଏକୌଶହାତିଆ ଘର ସେ ଭୁବନେ ଜାଣ,

ଚତୁର୍ଦ୍ଦଶ ଖୁମ୍ବ ଲାଗିଅଛି ପରମାଣ ୬୨

ଦୁଇପଣ କୋଡ଼ିଏକ ଶେଣୀ ଅଛି ଲାଗି,

କାନ୍ଧିଆ ପଡ଼ିଛି ତହିଁ ଧାରଣା ନିଯୋଗି ୬୩

ଚବିଶହାତ ମନ୍ଦିର ମହାନିତ୍ୟେ ଦେଖ,

ପଚାଶ ଖୁମ୍ବ ଲାଗିଛି ଅନୁମାନେ ଲେଖ ୬୪

ଅଠାଦଶ ହାଥରେ ରଞ୍ଚନା ଯେଉଁ ପୁର,

ଷାଠିଏ ଖୁମ୍ବରେ ଯାଇ ହୋଇଛି ତିଆର ୬୫

 

ତିନିପଣ ଦୁଇ କୋଡ଼ି ଲାଗିଅଛି ଶେଣୀ,

ଅନୁଭବ କଲା ଲୋକ ପାରିବ ସେ ଜାଣି ୬୬

ବତିଶ ହାତରେ ହୋଇଅଛି ଯେଉଁ ପୁର,

ଚଉଷଠୀ ଖୁମ୍ବ ପୋତି ହୋଇଛି ତିଆର ୬୭

ଚାରିପଣ ଦୁଇକୋଡ଼ି ଶେଣୀ ଅଛି ପଡ଼ି,

କରତ ବ୍ରଛନା ପ୍ରାଏ ଦିଶେ ଧାଡ଼ି ଧାଡ଼ି ୬୮

ଛତିଶ ହାତରେ ନିବାଡ଼ିଛି ଯେଉଁ ଘର,

ଅଶୀଏ ପାଞ୍ଚ ଖୁମ୍ବରେ ହୋଇଛି ତିଆର ୬୯

 

ପାଞ୍ଚପଣ ଦୁଇକୋଡ଼ି ଶେଣୀ ଅଛି ଚଡ଼ି,

ଛାଏଣି ଆକୃତି ଦିଶେ ଯେସନେକ ନାଡ଼ୀ ୭୦

ଚାଳିଶ ହାତ ମନ୍ଦିର ଅଛି ମହାନିତ୍ୟେ,

ଶହେ ଅଷ୍ଟ ଖୁମ୍ବ ଲାଗେ କହୁଅଛି ତୋତେ ୭୧

ଦୁଇଶ ଷାଠୀଏ କୋଡ଼ି ଶେଣୀ ଲାଗେ ତାର,

ତୋ ଆଗେ କହୁଛି ବାବୁ ଶୁଣ ନିରାକାର ୭୨

ଅଠଚାଳିଶ ହାତରେ ଅଛି ଯେଉଁ ଘର,

ବିଶାଶହେ ଖୁମ୍ବ ଲାଗି ହୋଇଛି ତିଆର ୭୩

 

ତିନିଶ ପଣେକ ଶେଣୀ ଲାଗେ ବାବୁ ତହିଁ,

ସାବଧାନ ହୋଇ ଶୁଣ ଫେଡ଼ି ଦେଲୁ କହି ୭୪

ବାଉନହାତିଆ ପୁର ମହାନିତ୍ୟ ପୁରେ,

ଦୁଇପଣ ଖୁମ୍ବ ଲାଗିଅଛି ସେ ତହିଁରେ ୭୫

ତିନିଶତ ତିନିକୋଡ଼ି ଲାଗିଅଛି ପାଟି,

କଳି ନୁହେ ଘର ଅନୁମାନରେ ନ ଘଟି ୭୬

ଛୟାବନ ହାତ ଘର ହୋଇଛି ରଞ୍ଚନା,

ବିଶାଶହେ ଖୁମ୍ବ ଲାଗି ହୋଇଛି ଘଟଣା ୭୭

 

ସାତପଣ ଶ୍ରେଣୀ ଲାଗିଅଛି ସେ ମନ୍ଦିରେ,

କୁମ୍ଭ ବସିଅଛି ଘରମାନଙ୍କ ଉପରେ ୭୮

ଷାଠୀହାତ ପରିଯନ୍ତେ ଅଛି ଯେଉଁ ଘର,

ଦୁଇଶତ ଦୁଇକୋଡ଼ି ଖୁମ୍ବରେ ତିଆର ୭୯

ତିନିଶତ ଦୁଇପଣ ପାଟି ଲାଗେ ତହିଁ,

ସେ ମନ୍ଦିର ନରଲୋକ କଳି ନ ପାରଇ ୮୦

ଷାଠୀଏହାତିଆ ଠାରୁ ଘର ଆଉ ନାହିଁ,

ତହିଁରୁ ଅଧିକ ହେଲେ ପୁର ବୋଲି କହି ୮୧

 

ଷାଠୀଏ ଭିତରେ ଯେତେ ଘରମାନେ ଛନ୍ତି,

ଲେଖାରେ ବଖୁରି ସେ ଯେ ମନ୍ଦିର ବୋଲାନ୍ତି ୮୨

ଷାଠୀଏହାତ ଭିତରେ ହୁଏ ଯେତେ ଘର,

ପୁର ବୋଲାଯାଏ ଭୁବନେକ ଅନ୍ତେଶ୍ୱର ୮୩

 

ତହିଁରୁ ଅଧିକ ଯେବେ ତିଆର ହୁଅଇ,

ବିଶାଶହେ ହାତ ହେଲେ କୁଞ୍ଜେ ଲେଖା ଯାଇ ୮୪

ତହିଁରୁ ଅଧିକ ହେଲେ ଯୋଜନେ ଅଟଇ,

ଯୋଜନରେ ଦୀର୍ଘ ପ୍ରତି ଚଉରାଶୀ କହି ୮୫

ତହିଁରୁ ଅଧିକ ଯେବେ ଚାରିଯୁଣ ହୁଏ,

ନିତ୍ୟ ସ୍ଥଳି ଭୂମି ସେ ଦ୍ୱାଦଶ ବୋଲାଯାଏ ୮୬

ତହିଁରୁ ଅଧିକ ହେଲେ ମଣ୍ଡଳ ଅଟଇ,

ଆଠଯୁଣ ଦୀର୍ଘ ପ୍ରତି ସ୍ଥଳ ବୋଲି କହି ୮୭

 

ତହିଁରୁ ଅଧିକ ହେଲେ ବଢ଼େ ଅଣସଂଖ୍ୟା,

ମହାନିତ୍ୟ ସସ୍ରେଦଳ କୁଞ୍ଜେ ହୁଏ ଲେଖା ୮୮

ତହିଁରୁ ଅଧିକ ହେଲେ ପଦ୍ମେ ବୋଲି କହି,

ପଦ୍ମରୁ ଅଧିକ ହେଲେ ଗର୍ଭଟି ଅଟଇ ୮୯

ଗର୍ଭରୁ ଅଧିକ ହେଲେ ବୋଲାଏ ଶକତି,

ଶକ୍ତିରୁ ଅଧିକ ହେଲେ ମହାବ୍ରହ୍ମ ମୂର୍ତ୍ତି ୯୦

ଶୁଣିଲୁକି ନିରାକାର ମନ୍ଦିର ସଞ୍ଚାର,

ଅପୂର୍ବ ଚରିତ ଏ ଅଟଇ ଦିବ୍ୟସାର ୯୧

 

ଆହୁରି କଥାଏ ତୁହି ଶୁଣ ଆଦିକନ୍ଦ,

ବୁଝାଇ କହିବା ରଚନାର ଭେଦ ବନ୍ଧ ୯୨

ସେ ଯେଉଁ ପୁର ମଣ୍ଡିଳ ମହାନିତ୍ୟ ଜାଣ,

ମାଈ ଅଣ୍ଡିର ଦୁଜାତି ହୋଇଛି ଭିଆଣ ୯୩

ଦୁଇ ଜାତି ଭେଦ କଥା ଶୁଣ ନିରାକାର,

କହିଦେବା ତୋତେ ଭେଦ ବର୍ଣ୍ଣର ବିଚାର ୯୪

ପୁରୁଷ ଅନ୍ତ ସ୍ୱରୂପ ଶମ୍ଭୁର ଆକାର,

ସ୍ତିରୀ ଅଙ୍ଗରେ ଶଙ୍କୁନ ଭିନେ ପରକାର ୯୫

 

ଦୁଇ ରୂପ ଦୁଇ ଜାତି ରଞ୍ଚିତ ସେ ଜାଣ,

ଏକ ବ୍ରହ୍ମରୁ ଦ୍ୱିତୀୟ ହୋଇଲେ ଜନମ ୯୬

ଏକ ଶକତିରୁ ଯହୁଁ ହେଲେ ଦୁଇ ଜାତ,

ବେନି ବର୍ଣ୍ଣ ତେଣୁ କରି ହୋଇଲେ ଏକାନ୍ତ ୯୭

 

ଗୁରୁଙ୍କୁ ସେବି ପୁରୁଷ ବୋଲାଇଲା ଦାସ,

ସ୍ତିରୀ ଗୁରୁ ପାଦେ ସେବି ହେଲେ ଦାସୀ ଦାସ ୯୮

ଯେସନେକ ଜଳ ପବନର ଭେଦ ନାହିଁ,

ପୁରୁଷ ଯେଣିକି ଯିବ ସ୍ତିରୀ ଯିବ ତହିଁ ୯୯

ଯେସନେ ମାଟି ପଥର ସର୍ଜିଲା ଦଇବ,

ଏମାନଙ୍କୁ ଭିନ୍ନାଭିନ୍ନ କରି କେ କହିବ ୧୦୦

ଯେସନେକ କ୍ଷୁଧା ତୃଷା ଛନ୍ତି ବେନି ମୂର୍ତ୍ତି,

ଏକା ପାଖୁଡ଼ା ଗୋଟିକେ ହୃଦେ ଫଳିଛନ୍ତି ୧୦୧

 

ସେହି ରୂପେ ପତି ପତ୍ନୀ ଏକ ବ୍ରହ୍ମେ ଜାତ,

ଭିନ୍ନାଭିନ୍ନ ଯେ କରିବ କୁଳ ଯିବ ହତ ୧୦୨

ବ୍ରହ୍ମ ଭଗତିରେ ଆଉ ବର୍ଣ୍ଣ ଭେଦ ନାହିଁ,

ଯେ ଭେଦ କରିବ କୁମ୍ଭୀନର୍କରେ ପଡ଼ଇ ୧୦୩

ଗୁରୁ ଦୁଆରକୁ ସର୍ବେ ଅଟନ୍ତି ସମାନ,

ସ୍ତିରୀ ବା ପୁରୁଷ ତହିଁ ନାହିଁ ବଡ଼ ସାନ ୧୦୪

ଯେଉଁ ବ୍ରହ୍ମେ ବେନି ଜନ ହୋଇଛନ୍ତି ଜାତ,

କାୟା ବର୍ଣ୍ଣ ଭେଦେ ସିନା ରହିଲା କଥାନ୍ତ ୧୦୫

 

ସ୍ତିରୀ ପୁରୁଷ ଯେ ଏହି ରଞ୍ଚନାର ମୂଳ,

ଯୁଗଳ ପଶ୍ଚାନ୍ତେ ସିନା ସବୁ ହେଲା ଠୁଳ ୧୦୬

ଯେତେବେଳେ ମାଟି ପୃଥ୍ୱୀ ନ ଥିଲାକ ହୋଇ,

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନ ଥିଲେଟି କେହି ୧୦୭

ଜଳ ପବନର ଠାରୁ ଗ୍ୟାନ ଆଉ ନାହିଁ,

ଏଠାରୁ ଅଧିକ ହେଲେ ଭେଦାନ୍ତ ଅଟଇ ୧୦୮

ଶୁଣିଲୁ କି ନିରାକାର ବ୍ରହ୍ମଭେଦ ବାଣୀ,

ଠିକ ଠିକ କରି ତୋତେ ବୁଝାଇଲୁ ଆଣି ୧୦୯

ଗୁରୁ ଶିଷ୍ୟଙ୍କର ବେନି ଚରଣକୁ ଆଶ,

ବ୍ରହ୍ମନିରୂପଣଗୀତା ଭଣେ ଭୀମ ଦାସ ୧୧୦

ନିର୍ବାଣ-ନିର୍ମାଣ ସ୍ଥାନରେ ପଠିତ

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,

ଗୁରୁ ଶିଷ୍ୟ-ସମ୍ବାଦେ, ମହାନିତ୍ୟ ଗୁରୁମନ୍ଦିର

ବର୍ଣ୍ଣନେ ଭେଦା-ଭେଦ କଥନେ,

ଆଗମ ନିର୍ଗମ ବିଚାରଣେ ନାମ

ଏକାଦଶୋଽଧ୍ୟାୟଃ

 

ଦ୍ୱାଦଶ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ନାରାୟଣ,

ଯାହା ଆଗ୍ୟାଁ ହେଲା ସ୍ୱାମୀ ଉଚିତ ପ୍ରମାଣ

ଠିକ ଠିକ କରି ବେଦମତରେ କହିଲ,

ଭେଦାନ୍ତ ନିର୍ଗୁଣ ଜ୍ଞାନ ଗୁପତେ ରଖିଲ

ଅନନ୍ତ ନାମଟି କେଉଁ ଅକ୍ଷର ଶବଦ,

ଫେଡ଼ି ମୋତେ କହ ଶୁଣି ଆତ୍ମା ହେଉ ବୋଧ

ପରମ ନାମଟି କିସ ଶବଦ ଗୋଚର,

ଏ କଥା ବିଚାରି ମୋତେ କହ ଗ୍ୟାନ ସାର

 

କୃଷ୍ଣ ନାମ ଶବଦ ଅଟଇ ଭେଦ କିସ,

ଏହା ମୋତେ ଫେଡ଼ି କହ ମନ ହେବ ତୋଷ

ଜଗନ୍ନାଥ ନାମ କିସ ଶବଦ ତା ଅଟେ,

ଅକ୍ଷର ଭେଦରେ ମୋତେ କହ ଏହି ଘଟେ

ଏତେ ବୋଲି ନିରାକାର ଯୋଡ଼ି ବେନିକର,

ପାଏ ପଡ଼ି ସାଷ୍ଟାଙ୍ଗରେ ନମିଲେ ପୟର

 

ଶ୍ରୀ ଗୁରୁଦେବ ଉବାଚ

ଗୁରୁଦେବ ବୋଲୁଛନ୍ତି ଶୁଣ ନିରାକାର,

ବୁଝାଇ କହିବା ତୋତେ ଭେଦର ବିଚାର

ଏ ଘଟ ଶିରକମଳ ମେରୁଦଣ୍ଡ ଶିଖେ,

ପୃଷ୍ଠଭାଗରେ ଅନନ୍ତ ବିଜୟ ପ୍ରତକ୍ଷେ

ଙ ଅକ୍ଷରଟି ତହିଁ ଓଁ କାର ବସିଲା,

ଶକତି ପରାଏ ଆକାରରେ ବିଶ୍ରମିଲା ୧୦

ନଅ ଅକ୍ଷରଟି ତହିଁ ନାମ ବୋଲାଇଲା,

ନାମରୁ ଭେଦାନ୍ତ ତହୁଁ ଚେତା ସରିଗଲା ୧୧

 

ତଅ ଅକ୍ଷରଟି ତହିଁ ତାରଣ ଅଟଇ,

ଭେଦ ନିର୍ଗୁଣକୁ ଧରି ବର୍ଣ୍ଣଟି ବସଇ ୧୨

ଓଁ ଅକ୍ଷରଟି ଦିଶେ ଅଗ୍ନି ତେଜମଏ,

ଶକତି ବସିଛି ତହିଁ ଅଗ୍ନି ତେଜ ପ୍ରାଏ ୧୩

ନଅ ଅକ୍ଷରଟି ତହିଁ ଦିଶେ ତମ୍ବା ବର୍ଣ୍ଣ,

ନଅ ମଅ ଦୁଇ ମଧ୍ୟେ ଭେଦ ଅଛି ଜାଣ ୧୪

ତଅ ଅକ୍ଷରଟି ବର୍ଣ୍ଣ ଦିଶଇ ଧବଳ,

ଗ୍ୟାନନେତ୍ର ଥିବ ଯାର ପାଇବ ସେ ସ୍ଥଳ ୧୫

 

ଅନନ୍ତ ନାମଟି ଯେହୁ ତିନିକ୍ଷର ବସେ,

ଏ ମଥାର ପୃଷ୍ଠଭାଗେ ରହିଅଛି ପାଶେ ୧୬

ଅନନ୍ତ ବୋଲନ୍ତେ ଅନୁମାନ ନ ପାଇଲା,

ଉହାଡ଼ରେ ରହିବାରୁ ଅଗୋଚର ହେଲା ୧୭

ପରମ ନାମର ଭେଦ ଶୁଣ ଏବେ ବାବୁ,

ଭିନ୍ନ ଭିନ୍ନ କରି ତୋତେ କହିଦେବା ସବୁ ୧୮

ପଅ ଅକ୍ଷରଟି ଅଟେ ପ୍ରାଣ ଶକ୍ତି ଲିଙ୍ଗ,

ମଣ୍ଡଳ ଆକାରେ ତାର ହୋଇଛି ଆରମ୍ଭ ୧୯

 

ରଅ ଅକ୍ଷରଟି ତହିଁ ଶରଣରକ୍ଷଣ,

ଋଋକୁ ପରଚେ ହେଲେ ନୋହିବ ମରଣ ୨୦

ମଅ ଅକ୍ଷରଟି ତହିଁ ମାଇ ଅଟେ ଜାଣ,

ଚିହ୍ନି ନ ପାରିଲେ ମୋହ ମାୟା କରେ ଭ୍ରମ ୨୧

ପଅ ଅକ୍ଷରଟି ଦିଶେ କୁଙ୍କୁମ ବରଣ,

ପଦ୍ମ ପ୍ରାଏ ଢଳହଳ ଅରୁଣ ପ୍ରମାଣ ୨୨

ଋଋ ଅକ୍ଷରଟି ଦିଶେ ଶୁକ୍ଳାମ୍ବର ମୂର୍ତ୍ତି,

ତହିଁର ଶବଦମାନେ ବେଦାନ୍ତ ଆକୃତି ୨୩

 

ମଅ ଅକ୍ଷରଟି ଦ୍ରୋଛନା ଦିଶେ କଳା ପ୍ରାଏ,

ଯେ ଚିହ୍ନି ପାରିବ ଦେଖ ଜାଜଲ୍ୟତାମଏ ୨୪

ପଅ ମଅ ବେନିକ୍ଷର ମଧ୍ୟରେ ପ୍ରକାଶେ,

ୠୠକ୍ଷର ଭେଦ ଅର୍ଥ ସବୁଙ୍କୁ ନ ଆସେ ୨୫

ପରମ ନାମଟି ତହିଁ ବସେ ତିନିକ୍ଷରେ,

ଆବୋରି ରହିଛି ଶିର କର୍ଣ୍ଣ ବାମକରେ ୨୬

କୃଷ୍ଣ ନାମରେ ଶବଦ ଶୁଣ ନିରାକାର,

ତୋ ଆଗେ କହିବା ଫେଇ ଭେଦର ବିଚାର ୨୭

 

କୁଉ ଅକ୍ଷରଟି ଯେଉଁ କାମ ଶକ୍ତି କଳା,

ଶୁଭ ଅକ୍ଷରେ କା ହୋନ୍ତେ କଳପ ଜନ୍ମିଲା ୨୮

ଋଉ ଅକ୍ଷରଟି ଯେହୁ ଅଟେ ରଜ ରସ,

ରା ରାର ଭିତରେ ପ୍ରେମ ଭେଦର ପ୍ରକାଶ ୨୯

ସଅ ଅକ୍ଷରଟି ତହିଁ ପବନ ହୋଇଛି,

ପାଣିର ବଳେ ପବନ ବପୁ ଉଠୁଅଛି ୩୦

କୁଉ ଅକ୍ଷର ରୂପଟି ଗଉର ବରଣ,

ଶକତି ଆକାରେ ହୋଇଅଛି ଆଭରଣ ୩୧

 

ଋଉ ଅକ୍ଷର ବର୍ଣ୍ଣଟି ଦଧି ପ୍ରାଏ ଦିଶେ,

ଚେତା ବିନ୍ଦୁ ବ୍ରହ୍ମ ତହିଁ ଲାଳୁଆ ପ୍ରକାଶେ ୩୨

ସଅ ଅକ୍ଷରଟି ଦିଶେ ପାଣ୍ଡୁର ବରଣ,

ଶଶି ତେଜ ଦ୍ରୋଛନା ଅଟଇ ବିସ୍ତାରଣ ୩୩

କୃଷ୍ଣ ନାମ ଶବଦରେ ତ୍ରିଅକ୍ଷର ବସେ,

କୁରୁ ଷଣ ମାତ୍ରା ଦୁଇ ଅର୍ଥରେ ନ ମିଶେ ୩୪

ଏହି ଶିର ମୁଖଦ୍ୱାର ବର୍ଣ୍ଣ ଭେଦ କଥା,

ଶୁଣ ନିରାକାର ତୁହୋ ମନେ ଧର ଚେତା ୩୫

 

ଭ୍ରୂଲତା ପଟରେ ଗ୍ୟାନ କପୋଳର ନ୍ୟାଏ,

ବୁଝାଇ କହିଲେ ଭେଦ ମହା ଦୁରୁନଏ ୩୬

ଜଗନ୍ନାଥ ନାମରେ ଭେଦାନ୍ତ ଦେବା କହି,

ଏକ ମନ ହୋଇ ଶୁଣ ବେନି କର୍ଣ୍ଣ ଦେଇ ୩୭

ଜଅ ଅକ୍ଷରଟି ଯେହୁ ଜୀବନ ସେ ଲିଙ୍ଗ,

କୋଟି କୋଟି ତହିଁରୁ ହେଉଛି ଅଙ୍ଗଭଙ୍ଗ ୩୮

ଗଅ ଅକ୍ଷରଟି ଯେହୁ ଗର୍ଭ ବୋଲି କହି,

ଭାତ ଫୁଟା ପ୍ରାଏ ବ୍ରହ୍ମ ପଞ୍ଚନ ହୁଅଇ ୩୯

 

ନଅ ଅକ୍ଷରରୁ ବହୁଅଛି ନାମରାଶି,

ସୋହତିରେ ପଡ଼ି ଆସେ କାଳିନ୍ଦୀରେ ଭାସି ୪୦

ଥଅ ଅକ୍ଷରଟି ଯେହୁ ତୁଳନ ନିକିତି,

ବ୍ରହ୍ମକୁ ମରମ ଖଞ୍ଜେ ଦେଉଛି କରତି ୪୧

ଜଅ ଅକ୍ଷର ବରଣ ଅରୁଣର କାନ୍ତି,

ଡଗ ଡଗ ସେ ଶକ୍ତିରୁ ଉଠୁଛି ତପତି ୪୨

ଗଅ ଅକ୍ଷର ଦ୍ରୋଛନା ରଙ୍ଗ ବର୍ଣ୍ଣ ଦିଶେ,

ଚମକି ଶବଦ ଘେନି ମଣ୍ଡଳା ପ୍ରକାଶେ ୪୩

 

ନଅ ଅକ୍ଷରର ରୂପ ଶେତବର୍ଣ୍ଣ ଦିଶେ,

ଜୀବ ଅଙ୍ଗେ ଭେଦ ଭୂତ ଭବିଷ୍ୟ ପ୍ରକାଶେ ୪୪

ଥଅ ଅକ୍ଷର ବରଣ ହୀରାକଣି ପ୍ରାଏ,

ପାରା ପ୍ରାଏ ଢଳହଳ ହେଉଛି ତା କାଏ ୪୫

ଶର କର୍ଣ୍ଣ ଡାହାଣ ଭାଗର ଏହୁ ଅର୍ଥ,

ଡାହାଣ ଭାଗରେ ଛନ୍ତି ଜୀବ ମୁକ୍ତି ଭୂତ ୪୬

ଶୁଣିଲୁ କି ନିରାକାର ମହାନିତ୍ୟ ଭୁଅ,

ଏହାଙ୍କୁ ଚିହ୍ନି ଭେଦିଲେ ରହେ ନିଜ ଦେହ ୪୭

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ବ୍ରହ୍ମବେତ୍ତା,

ଏ ସେ ମହାନିତ୍ୟ ସ୍ଥଳୀ ନିରୂପଣ କଥା ୪୮

ପିତା ଅଙ୍ଗେ ଜୀବ ପିଣ୍ଡ ଘଟଣା ହେଉଛି,

ହେତୁ ଚେତା ଦୁଇ ଏ କାହିଁରୁ ପାଉଅଛି ୪୯

ଠୂଳରୂପ ଧରି ସିନା ଆକାଶୁ ଖସିଲା,

ପିତା ଅଙ୍ଗ ତେଜି ମାତା ପଦ୍ମରେ ପଶିଲା ୫୦

ପିତା ଅଙ୍ଗୁ ସକଳ ଧରିଣ ଆସିଥିଲା,

କି ଅବା ମାତା ଗର୍ଭରେ ସମସ୍ତ ପାଇଲା ୫୧

 

ବିନ୍ଦୁ ରୂପ ଦ୍ରୋଛନା ଧଇଲା କେଉଁପରି,

କେତେଠାରୁ ଠୁଳାନ୍ତ ହୋଇଲା ଭାଗ କରି ୫୨

ପିତାର ଅଙ୍ଗ ଶକତି ନିଷ୍ଠା ବୋଲି କହି,

କି ପ୍ରକାରେ ପାଣି ଲାଳ ହେଲା କହ ଫେଇ ୫୩

ଏ କଥା ଗୋଟାକୁ ମୋର ବହୁତ ସଂଶୟ,

ଏଥିରେ ଅରଥ ସନ୍ଧି ତତ୍ତ୍ୱ ମୋତେ କହ ୫୪

 

ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ତୁ ହୋ ଶୁଣ ଆଦିକନ୍ଦ

ବୁଝାଇ କହିବା ଜୀବ ପିଣ୍ଡ ଭେଦ ବନ୍ଧ ୫୫

ଅକାମ ମଣ୍ଡଳୁ ଶୂନ୍ୟ ହେଉଅଛି ଜାତ,

ଶୂନ୍ୟ ରୂପ ବିନେ ଗୋଡ଼ ଆକାର ସମ୍ଭୂତ ୫୬

ପବନ ଗୋଡ଼ରୁ ଜାତ ହେଉଅଛି ଭେଦ,

ପବନ ପାଦ ଶବ୍ଦରୁ ସଞ୍ଚରୁଛି ନାଦ ୫୭

ନାଦର ଉଝାଳ ଘେନି ଜାତ ହେଲା ବିନ୍ଦୁ,

ଆକାରେ ପ୍ରକାଶ ହେଲା କୁହୁଡ଼ିଆ ବିନ୍ଦୁ ୫୮

 

ଅ ଅ ବୋଲନ୍ତେ ଆସି ଆକାର ଧଇଲା,

ଶୂନ୍ୟ ଭେଦ ଶବଦ ବେଦାନ୍ତ ଯୁକ୍ତ ହେଲା ୫୯

ଶୂନ୍ୟ ପବନ ଆକାର ହାନ୍ଦୁଳନ୍ତେ ଭରି,

ବିନ୍ଦୁ ବ୍ରହ୍ମ ଦିଶିଲା ଯେସନେ ଛଳ ବାରି ୬୦

ଜଳ ମନ୍ଥନ କରନ୍ତେ ଜ୍ୟୋତିରୂପ ହେଲା,

ବ୍ରହ୍ମ ଯୋଗସ୍ଥଳେ ପଡ଼ି ଜୀବ ବୋଲାଇଲା ୬୧

ଯେତେବେଳେ ଜୀବ ପିଣ୍ଡ ଘଟଣା ହେଉଛି,

ସବୁ ଠୁଳ କରି ଅନହତେ ସିଝାଉଛି ୬୨

 

ଅନନ୍ତ ନାମ ତହିଁରେ ମିଶାଉଛି ଅଠା,

ମେଦ କରି ଏକଠାରେ ବାନ୍ଧୁଅଛି ମେଣ୍ଟା ୬୩

ପରମ ନାମଟି ତହିଁ ହେଉଅଛି ପାଣି,

ଅଠାଣି ପେଷାଣି ହେଉଅଛି ଦୁଇ ବେନି ୬୪

ଶ୍ରୀକୃଷ୍ଣ ନାମଟି ତହିଁ ଚୁମ୍ବକ ଟାଙ୍ଗଣା,

ମେଦ କରି ଜୀବ ପିଣ୍ଡ ହେଉଛି ପାଙ୍ଗଣା ୬୫

ଜଗନ୍ନାଥ ନାମଟି ହେଉଛି ରୂପ ଜାତି,

ସକଳ ମିଶାଇ ଏକ ଠାବରେ ପାଗନ୍ତି ୬୬

 

ଅନନ୍ତଙ୍କ ତ୍ରିଅକ୍ଷର ଲାଗିଅଛି ତହିଁ,

ପରମ ତ୍ରୟ ଅକ୍ଷର ସଷ୍ଟମ ବୋଲାଇ ୬୭

ଶ୍ରୀକୃଷ୍ଣଙ୍କ ତ୍ରିଅକ୍ଷର ତହିଁରେ ମିଶୁଛି,

ତିନି ତିନି ଥର କଲେ ନବମ ହେଉଛି ୬୮

ଜଗନ୍ନାଥ ଚାରିକ୍ଷର ତହିଁରେ ମିଶୁଛି,

ତ୍ରିଗୁଣ ବୋଲନ୍ତେ ନରେ ଅକ୍ଷର ଲାଗୁଛି ୬୯

ସେ ତେର ଅକ୍ଷର ତେର କଳା ବୋଲାଉଛି,

ତେର ଗୁଣେ ଜୀବ ପିଣ୍ଡ ଘଟଣା ହେଉଛି ୭୦

 

ତେବେ ସିନା ବୋଲାଉଛି ବ୍ରହ୍ମ ବୀଜ ନାମ,

ଜୀବ ଘଟଣାଟି ଗ୍ୟାନୀଜନଙ୍କୁ ଅଗମ୍ୟ ୭୧

ଯେତେବେଳେ ବ୍ରହ୍ମ ବୀଜ ସ୍ଥଳରୁ ଖସୁଛି,

ମହିମା ଶକତି ଥମ୍ବ ଉପରେ ବସୁଛି ୭୨

ମହିମାଙ୍କ ହସ୍ତ ନାହିଁ ଲାଗିଲେ ନ ଆସେ,

କର୍ମ କାଣ୍ଡ ବର ବାଞ୍ଛା ଦେଲେ ଯାଇ ଖସେ ୭୩

ବ୍ରହ୍ମ ବୀଜ ଯେତେବେଳେ ଖସି ଆସୁଅଛି,

ଲଲାଟ ଚକ୍ର ମଣ୍ଡଳେ ବେଢ଼ାଏ ବୁଲୁଛି ୭୪

 

ବିହି ଧାତା ଧରିଛନ୍ତି କର୍ମଦଣ୍ଡ ଛପା,

ଜୀବ ମୁଣ୍ଡେ ଛପା ଦ୍ୟନ୍ତି ଅଢ଼ୈକ୍ଷର ଲେଖା ୭୫

ତେବେ ସିନା ଜୀବ ବିନ୍ଦୁ ପିତା ଅଙ୍ଗୁ ଆସେ,

କର୍ମ ସିଦ୍ଧି ଘେନି ତହୁଁ ମାତା ଅଙ୍ଗେ ପଶେ ୭୬

ହଅ ଅକ୍ଷରଟି ଯେ ହେତୁ ବୋଲି ଜାଣ,

ପିଣ୍ଡ ଶକ୍ତିରେ ପଶନ୍ତେ ହୁଅଇ ସିହାଣ ୭୭

ଚଅ ଅକ୍ଷରରୁ ଚେତା ହେଉଅଛି ଜାଣ,

ରଜ ବୀଜ ପିଣ୍ଡ ମଧ୍ୟେ ରହିଛି ପରାଣ ୭୮

 

ପିତା ଅଙ୍ଗ ମଧ୍ୟେ ଘେନି ଆସୁଛି ନିର୍ଗୁଣ,

ମାତାର ଅଙ୍ଗରୁ ପାଉଅଛି ଗୁଣ ଗ୍ୟାନ ୭୯

ଶୁଣିଲୁ କି ନିରାକାର ଜୀବ ନିରୂପଣ,

ଏ ପ୍ରକାରେ ଆତ୍ମା ପିଣ୍ଡ ହେଉଛି ସର୍ଜ୍ଜନ ୮୦

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ନାରାୟଣ,

କଥାଏ ପୁଚ୍ଛିବ କୋପ ନ କରିବା ପୁଣ ୮୧

ଏ ଘଟରେ କେଉଁଠାରେ ଅଛନ୍ତି ଶ୍ରୀଗୁରୁ,

କହି ଆଗ୍ୟାଁ ହେଉ ମୋତେ ସୁଧା ଶ୍ରୀମୁଖରୁ ୮୨

ବାମେ କି ଡାହାଣେ ଛନ୍ତି ନ ଜାଣଇ କିଛି,

ଗୁରୁ ମୁଖେ ଶୁଣିଥିଲେ ପରତେ ମୋ ଅଛି ୮୩

ଗୁରୁ ନ କହିଲେ କିଛି ସଂଶୟ ନ ଯାଏ,

ଦେଖିଲା ଶୁଣିଲା କଥା ଅପରତେ ଥାଏ ୮୪

 

ନିରାକାର ମୁଖକୁ ଚାହିଁଣ ଗୁରୁ ହସି,

ସାବଧ୍ୟାନ ହୋଇ ଶୁଣ ଠୁଳଶୂନ୍ୟବାସୀ ୮୫

ଅପ୍ରସନ୍ନ ଭେଦ ତୋତେ ପ୍ରସନ୍ନ କରିବା,

ତୁ ଯେବେ ଅପ୍ରତେ କଲୁ ବୁଝାଇ କହିବା ୮୬

ପଦେ ପଦେ ସୁଧାରସ ଅଟଇ ଏ କଥା,

ଭେଦି ପାରିଲେ ମୂରୁଖ ହେବ ଗ୍ୟାନବନ୍ତା ୮୭

ଏ ଘଟରେ ବାମ ପାରୁଶରେ ଗୁରୁଛନ୍ତି,

ମହିମା ଛାମୁରେ ନେଇ ଦର୍ଶନ କରାନ୍ତି ୮୮

 

ଏ ପିଣ୍ଡ ପ୍ରାଣର ସେ ଅଟନ୍ତି ଦୀକ୍ଷାଗୁରୁ,

ଜୀବନକୁ ତାରି ନ୍ୟନ୍ତି ପ୍ରକୃତି ପିଣ୍ଡରୁ ୮୯

ଏ ଘଟକୁ ଜଗୁଆଳ ପରମ ପୁରୁଷ,

ଜୀବନ ସମୀପେ ସାକ୍ଷୀ ରୂପେ ପରକାଶ ୯୦

ବାମ ଅଙ୍ଗଠାରୁ ଦେହ ପ୍ରଳୟ ହେଉଛି,

ପଶ୍ଚିମ ଭାଗକୁ ଫେରି ଡାହାଣେ ଘୋଟୁଛି ୯୧

ବାମଅଙ୍ଗୁ ରୋଗମାନେ ହେଉଛନ୍ତି ଜାତ,

ଦେହରେ ପୀଡ଼ା କରନ୍ତେ ଆତ୍ମା ହୁଏ ହତ ୯୨

 

ଯମର ଭୁବନ ଅଛି ଡାହାଣ ଅଙ୍ଗରେ,

ପରମଙ୍କୁ ଆଗ୍ୟାଁ ଘେନି ଆସ୍ୟ ଖିନ୍ନ କରେ ୯୩

ଜୀବ ଯହିଁ ନାମ ତହିଁ ଛନ୍ତି ଏକ ଫାଳେ,

ଡାହାଣ ଭାଗର କଣ୍ଠ ଚକ୍ରର ମଣ୍ଡଳେ ୯୪

ଦ୍ୱାଦଶ ଯୁଣେକ ତହିଁ ଛଡ଼ାଛଡ଼ି ଅଛି,

ମୋହ ତେଜେ ଜୀବଆତ୍ମା ଚେତି ନ ପାରୁଛି ୯୫

ପରମକୁ ଜୀବ ଖୋଜୁଅଛି ନିରନ୍ତରେ,

ଚିହ୍ନି ପାରିଲେ ସେ ଦୁଇ ଛନ୍ତି ଏକଠାରେ ୯୬

 

ଯେସନେ ଜିଭ୍ୟା ଅଗ୍ର ନାସାକୁ ନ ପାଏ,

ସେହିରୂପେ ପରମଟି ଜୀବ ପାଶେ ଥାଏ ୯୭

ଯେସନେକ ବେନି ନେତ୍ର ହଇଛି ଯାଉଁଳି,

ଏ ନେତ୍ରରୁ ଆରନେତ୍ର ନ ଦିଶେ ଅଙ୍ଗୁଳି ୯୮

ସେହିପରି ଜୀବ ପର୍ମ ଛନ୍ତି ଏକଠାରେ,

ମଧ୍ୟରେ ବାରଣ ହୋଇଛନ୍ତି ଏ ପ୍ରକାରେ ୯୯

ଯେସନେକ ଜଳକୁମ୍ଭ ମଥାପରେ ଥାଇ,

ଓହ୍ଲାଇ ପିଇଲେ ସିନା ତୃଷା ତ ପଳାଇ ୧୦୦

 

ଅନୁମାନ ବୁଦ୍ଧି ଥିଲେ ଜଳକୁ ପିଇଲା,

ନୋହିଲେ ସେ ଜଳ ଥାଇ ତୃଷାର୍ତ୍ତରେ ମଲା ୧୦୧

ସେହିରୂପେ ମଥାପରେ ଅଛି ନିଜ ନାମ,

ନାମ ନାମ ବୋଲି ପ୍ରାଣୀ ହେଉଥାନ୍ତି ଭ୍ରମ ୧୦୨

ତୁ ଅବା ବୋଲିବୁ କାଳ କେଉଁଠାରୁ ଆସେ,

ଆପଣା ଘଟୁ ଉବୁକି ଆତ୍ମାଲିଙ୍ଗେ ଗ୍ରାସେ ୧୦୩

କହିଲା ଶୁଣିଲା କଥା ମିଥ୍ୟା ଏ ବଚନ,

ତତ୍ତ୍ୱକୁ ପାଇବୁ ଆପ ଦେହେ କଲେ ଗ୍ୟାନ ୧୦୪

 

ରାମ ରାମ ବୋଇଲେ କି କ୍ଷୟ ଯିବ ପାପ,

ଭାତ ଭାତ ବୋଇଲେ କି ପଳାଇବ ଭୋକ ୧୦୫

ଆହାର ଭକ୍ଷିଲେ ସିନା ଆତ୍ମା ବୋଧ ହେବ,

ନାମକୁ ଭଜିଲେ ସିନା ମୁକତି ଲଭିବ ୧୦୬

ଭଜିବାରେ କିସ ଲାଭ ଶୁଣିଲେ ଯାଇ ସିନା,

ଶୁଣିବାରେ କିସ ଲାଭ ପଢ଼ିଲେ ଯାଏ ଜଣା ୧୦୭

ପଢ଼ିବାରେ କିସ ସୁଖ ବୁଝିଲେ ସିନା ଅଛି,

ବୁଝିବାର କିସ ପ୍ରିୟ ଭେଦ କର ବାଛି ୧୦୮

 

ଭେଦ କଲେ କିସ ହେବ ଭଜିଲେ ଅଛି ସବୁ,

ଭଜୁଥିଲେ କିସ ହେବ ତେଜିଲେ ମିଳେ ପ୍ରଭୁ ୧୦୯

ତେଜ୍ୟା କଲେ କି ହୋଇବ ଧରି ନ ପାରିଲେ,

ଧରିଲେ କି ହୋଇବ ଚିହ୍ନି ନ ପାରିଲେ ୧୧୦

ଚିହ୍ନିଲେ କି ହେବ ବାନ୍ଧି ଯେମନ୍ତେ ନ ପାରେ,

ବାନ୍ଧିଲେ କି ହେବ ଯେବେ ଜାଗ୍ରତେ ନ ଧରେ ୧୧୧

ଧରିଲେ କି ହେବ ଲଭି ପାରିଲେ କି ଯାଇ,

ମଜ୍ଜି ପାରିଲେ ବ୍ରହ୍ମରେ ତେବେ ଲୀନ ହୋଇ ୧୧୨

 

ଶୁଣିଲୁ କି ନିରାକାର ଗ୍ୟାନର ଆଚାର,

ନିର୍ବେଦ ନିଷ୍କାମ ବ୍ରହ୍ମ ଭକ୍ତିର ବିଚାର ୧୧୩

ବ୍ରହ୍ମ ନିଜ ଆସ୍ଥାନକୁ ଗୋଟିଏ ଉହାଡ଼,

ତାହାଙ୍କ ଭଗତି ଅଟେ ସବୁଠାରୁ ବଡ଼ ୧୧୪

ବ୍ରହ୍ମ ବୋଲିବାର କଥା ବହୁତ କଠିଣ,

ସତ୍ୟ ଧର୍ମ ପାଳିବାର ବଡ଼ାଇ କଷଣ ୧୧୫

ବ୍ରହ୍ମକୁ ଭଜିଲା ଲୋକ ବ୍ରହ୍ମେ ହୋନ୍ତି ଲୀନ,

କ୍ରିୟା-କର୍ମ-କଲାମାନେ ମାୟାରେ ବନ୍ଧନ ୧୧୬

 

ସତ୍ୟ ଆଶ୍ରେ କଲା ଲୋକ ଶୂନ୍ୟ ବ୍ରହ୍ମେ ପଶେ,

ପାପ କର୍ମ କଲା ଲୋକ ନରକେ ନିବାସେ ୧୧୭

ବିହି କର୍ମ କଲା ଲୋକ ମହତକୁ ପାୟେ,

କୁକର୍ମ କରିବା ଲୋକ ଯମପୁର ଯାଏ ୧୧୮

ସତ୍ୟଟି ଶୁକଳ ଅଟେ ମିଥ୍ୟା ପଦ କଳା,

କାଳିଆ ନୁହନ୍ତି ପ୍ରଭୁ ନୁହନ୍ତି ଧବଳା ୧୧୯

ଶୁଣିଣ ଶ୍ରୀ ନିରାକାର ମନେ ଗଦଗଦ,

ତତକ୍ଷଣେ ନମିଲେ ଶ୍ରୀଗୁରୁ ପଦ୍ମପାଦ ୧୨୦

 

ସାଧୁ ସୁଗ୍ୟଁଜନେ ମୋର ଦୋଷ ନ ଧରିବ,

ଶରଣ ପଶୁଛି ପାଦେ ସୁଦୟା କରିବ ୧୨୧

ଦୋଷ ଅପରାଧ ମୋର କ୍ଷମା କରି ସବୁ,

ତୁମ୍ଭଙ୍କୁ ଭଗତମାନ କରିଛନ୍ତି ପ୍ରଭୁ ୧୨୨

ତୁମ୍ଭେ ପାଦେ ଭୃତ୍ୟ କରି ମୋତେ ପାରି କର,

ଦନ୍ତରେ ତିରଣ ଧରି ପଶୁଛି ପୟର ୧୨୩

ଗୁରୁ ଶିଷ୍ୟଙ୍କର ବେନି ପାଦେ ପରିଣାମି,

ଦିବାନିଶି ଡାକୁଅଛି ରଖ ଗୁରୁ ସ୍ୱାମୀ ୧୨୪

ବ୍ରହ୍ମ ନିରୂପଣ-ଗୀତା ପ୍ରବନ୍ଧେ ପ୍ରକାଶ,

ଅଲେଖ ବ୍ରହ୍ମକୁ ଧ୍ୟାୟି ଭଣେ ଭୀମ ଦାସ ୧୨୫

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,

ଶ୍ରୀଗୁରୁଶିଷ୍ୟ-ସମ୍ବାଦେ, ଘଟଭେଦଆତଯାତ

ବର୍ଣ୍ଣନେ ଶିରକର୍ଣ୍ଣଚକ୍ରମଣ୍ଡଳଭୁଅ କଥନେ,

ଆଗମ ନିର୍ଗମ ବିଚାରଣେ ନାମ

ଦ୍ୱାଦଶୋଽଧ୍ୟାୟଃ

 

ତ୍ରୟୋଦଶ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ବ୍ରହ୍ମବେତ୍ତା,

ଯାହା ଆଗ୍ୟାଁ ହେଲା ସ୍ୱାମୀ ଅଗୋଚର କଥା

ଉଚିତ ପ୍ରମାଣ କଥା ସତ୍ୟ ଏ ବଚନ,

ଗୁରୁପାଦ ଧରି ପ୍ରଳମ୍ବିତ ପୁଣ ପୁଣ

ଭୋ ଗୁରୁ ବିନତି ମୋର ଘେନିବାର ହେଉ,

ମନରୁ ସଂଶୟ କଥା ଦୂର ମୋର ଯାଉ

ଉତ୍ତମ କଥାଏ ଆସି ପଡ଼ିଲା ମୋ ମନେ,

ଆଗ୍ୟାଁ ହେଲେ ପଚାରିବି ଶ୍ରୀଗୁରୁ ଚରଣେ

 

ଏ ଶରୀର ହଂସମାନଙ୍କର କି କି ନାମ,

ବିସ୍ତାରି କହିବା ମୋତେ ନ କରିବା ତମ

ଶ୍ରୀଗୁରୁ ମୁଖରୁ ଶୁଣି ମନେ ପ୍ରତେ ଯିବ,

ଏ ସଂଶୟ ତୁମ୍ଭ ବିନୁ ଆନ କେ କହିବ

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,

ବୁଝାଇ କହିବା ହଂସମାନଙ୍କ ସଞ୍ଚାର

ହ ଅକ୍ଷର ଗୋଟିଏକ ହଂସ ବୋଲି କହି,

ପାଣି ପବନ ସର୍ବାଙ୍ଗେ ଅଙ୍ଗରେ ଖେଳଇ

ହାଉ ହାଉ ମନ୍ଦିର ସେ ଅଗ୍ନି ବିରାଜିତ,

ତେଣୁ ଅଙ୍ଗରେ ପୂରିଛି ଉଷୁମ ତପତ

ସ ଅକ୍ଷରଟି ଅଟେ ଗୋଟିଏ ସେ ହଂସ,

ଚେତା ଚମକୁ ତ ଥାଏ ଅଙ୍ଗକୁ ପରାସ ୧୦


ଶବଦର ଘର ତହିଁ ଆବୋରିଛି ଚେତା,

ଅସ୍ଥି ମାଂସ ରୋମ ଚର୍ମେ କରେ ତେଣୁ ବ୍ୟଥା ୧୧

ପଅ ଅକ୍ଷରଟି ଗୋଟାଏକ ହଂସ କହି,

ପାଣି ପବନ ସର୍ବାଙ୍ଗେ ଅଙ୍ଗରେ ଖେଳଇ ୧୨

ତେଣୁକରି ପବନଟିଏ ଏ ଦେହେ ଖେଳୁଛି,

ସମୁଦ୍ରରେ ଗଙ୍ଗା ପ୍ରାଏ ଶରୀରେ ବୁଲୁଛି ୧୩

ରାଆ ଅକ୍ଷରଟି ରାଜହଂସ ବୋଲାଉଛି,

ରାଆର ମଣ୍ଡଳୁ ତୁଣ୍ଡ ବଚନ ଫିଟୁଛି ୧୪

 

ରାଆ ଶବଦୁ ହେଉଛି ରାମ ନାମ ପଦ,

ତେଣୁକରି ନାମ ରାଶି ଜନ୍ମରେ ସମ୍ପାଦ ୧୫

ହ ଅକ୍ଷର ମନ୍ଦିରଟି ଅଗ୍ନିମଏ ତେଜ,

ଅରୁଣ ପରାଏ ତହୁଁ ପେଲୁଅଛି ଝାଞ୍ଜ ୧୬

ସଅ ଅକ୍ଷର ମଣ୍ଡଳ ଅତ୍ୟନ୍ତ ଶୀତଳ,

ହସ୍ତ ଦୃଷ୍ଟି ନ ଗମଇ ପାଣିରୁ ପାତଳ ୧୭

ପ ଅକ୍ଷର ମଣ୍ଡଳ ଶିଶିର ହେମମଏ,

ଜାଜୁଲ୍ୟ ହେମାଳ ଭୂମି ରହି ନୋହେ ଘାଏ ୧୮

 

ରା ଅକ୍ଷର ମଣ୍ଡଳଟି ସର୍ବଦା ଶୀତଳ,

ଘୁ ଘୁ ଘୁ ଘୁ ଶବଦ ଶୁଭୁଛି କୋଳାହଳ ୧୯

ଶୁଣିଲୁ କି ନିରାକାର ହଂସର ଚରିତ୍ର,

ନ ବୁଝି ପାରିଲେ ଅର୍ଥ ବହୁତ ବିଚିତ୍ର ୨୦

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ସଦଗୁରୁ,

ଆହୁରି କଥାଏ ଆଗ୍ୟାଁ ହେଉ ଶ୍ରୀମୁଖରୁ ୨୧

ଶୂନ୍ୟ ଶୂନ୍ୟ ମହାଶୂନ୍ୟ କାହାକୁଟି କହି,

ତିନିଥରେ ତିନି ଗୋଟି ଶବଦ ବସଇ ୨୨

ନିର୍ବେଦ ବୋଲିବା କଥା କେମନ୍ତ ଶବଦ,

ବୁଝାଇ କହିବା ମୋତେ ତତ୍ତ୍ୱ ଭେଦାଭେଦ ୨୩

ନିଷ୍କାମ ବୋଲିବା କଥା କେମନ୍ତ ବିଧାନ,

ଏହା ମୋତେ ପ୍ରସନ୍ନେ କହିବା ନାରାୟଣ ୨୪

 

ଅରୂପ ବ୍ରହ୍ମଶବଦ ବୋଲିବା କି ହେତୁ,

ଏ ସନ୍ଦେଶ ବୁଝାଇ କହିବା ଗ୍ୟାନ ତତୁ ୨୫

ଅନାମିକା ବୋଲିବାର କେବଣ ବିଭୂତି,

ଅନାମ ବୋଲିବା ପଦ କିସ ଆଦି ରୀତି ୨୬

ଅକ୍ଷଏ ବୋଲିବା ପଦ କେମନ୍ତ ସ୍ୱଭାବ,

ଏହା ମୋତେ ପ୍ରସନ୍ନେ କହିବା ଗୁରୁଦେବ ୨୭

ସଗୁଣ ନିର୍ଗୁଣ ବୋଲିବାର କଉଁ ବିଧି,

ଏହା ମୋତେ ବିଚାରି କହିବା ଗ୍ୟାନ ସିଦ୍ଧି ୨୮

 

ନିଗମ ଦୁର୍ଗମ ବୋଲି କେମନ୍ତ ପରାଏ,

ଏକଥା ଶୁଣି ମୋ କର୍ଣ୍ଣେ ମନେ ବଡ଼ ଭଏ ୨୯

ଗୁରୁ ସ୍ୱାମୀ ବୋଲିବାର ଶବଦ ତା କିସ,

ଏହା ମୋତେ ଆଗ୍ୟାଁ ହେଉ ହେ ବ୍ରହ୍ମପୁରୁଷ ୩୦

କର୍ତ୍ତା ପ୍ରଭୁ ବୋଲିବାର କେବଣ ବୃତ୍ତାନ୍ତ,

ବୁଝାଇ କହ ଏଥିର କାରଣ ସିଦ୍ଧାନ୍ତ ୩୧

ଅଲେଖ ମହିମା ବୋଲିବାର କେଉଁ ହେତୁ,

ଏହା ମୋତେ ବୁଝାଇ କହିବା ଜାତୁ ମାତୁ ୩୨

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,

ବୁଝାଇ କହିବା ତିନି ଶୂନ୍ୟର ବିଚାର ୩୩

ଠୁଳ ଶୂନ୍ୟ ପୁରକୁ ଶୂନ୍ୟେକ ବୋଲି କହି,

ବାବୁ ନିରାକାର ତୋର ଭୁବନ ଅଟଇ ୩୪

ମହାନିତ୍ୟ ଭୁବନ ଶୂନ୍ୟେକ ବୋଲି କହି,

ସେ ଶୂନ୍ୟରେ ରହିଛନ୍ତି ମହିମା ଗୋସାଇଁ ୩୫

ତହିଁ ଉପରକୁ ଅଛି ଅଲେଖ ଭୁବନ,

ଦ୍ୱିତୀୟ ଶୂନ୍ୟରୁ ଗୋଟେ ବୋଲାଉଛି ଶୂନ୍ୟ ୩୬

 

ଗୁରୁ ବୋଲିବାର କଥା ପଚାରିଲୁ ଯାହା,

ଶୁଣ ନିରାକାର ତୁ ହୋ ଚତୁର୍ଦ୍ଧାତା ବାହା ୩୭

ଗଅ ଅକ୍ଷରଟି ଯେହୁ ଆଗ୍ୟାଁଟି ଗରିଷ୍ଟ,

ନ ପାଳି ପାରିଲେ ତାଙ୍କୁ ପଡ଼ୁଥାଇ ରିଷ୍ଟ ୩୮

ରଅ ଅକ୍ଷରଟି ରକ୍ଷାରକ୍ଷଣ ସେ ପଦ,

ବଚନ ଅବଗ୍ୟାଁ କଲେ ପଡ଼ଇ ପ୍ରମାଦ ୩୯

ପ୍ରଭୁ ବୋଲିବାର ପଦ ପ୍ରାଣଟି ଅଟଇ,

ଘଟରୁ ଜୀବ ଛାଡ଼ିଲେ ପ୍ରାଣ ନାଶ ଯାଇ ୪୦

 

କ୍ଷଅ ଅକ୍ଷରଟି ଯେହୁ ପରମ ପୁରୁଷ,

ଛଡ଼ାଇ ହୁଅନ୍ତେ ଜୀବ ଭବେ ଗଲା ନାଶ ୪୧

ଉଅ ଅକ୍ଷରଟି ଯେହୁ ଭୂତାନ୍ତ ଭବିଷ୍ୟ,

ନ ଚିନ୍ନି ପାରିଲେ କାଳ ଭୟ କରେ ନାଶ ୪୨

ସ୍ୱାମୀ ବୋଲିବାର କଥା ଶୁଣ ନିରାକାର,

ବୁଝାଇ କହିବା ତୋତେ ତହିଁର ବିଚାର ୪୩

ସଅ ଅକ୍ଷରଟି ଯେହୁ ସତ୍ୟବାଦୀ ଅଟେ,

ନ ଧରି ପାରିଲେ କାଳ ମରଣହିଁ ଘୋଟେ ୪୪

 

ନିଷ୍କାମ ବୋଲିବା ପଦ ଶୁଣ ବାବୁ ତୁହି,

ଭିନ୍ନ ଭିନ୍ନ କରି ତୋତେ କହି ଦେବା ଫେଇ ୪୫

ନିଅଁ ଅକ୍ଷରଟି ଯେହୁ ସାକ୍ଷାତେ ସେ ନାମ,

ନିରୋଳାରେ ଥାଇ ନ ଲାଗଇ କାଳ ଯମ ୪୬

ସ୍କାଆ ଅକ୍ଷରଟି ଯେହୁ କାମନା ଅନଙ୍ଗ,

କାମନା ଦେହରେ ନାମ ହୋଇଥାଇ ସଙ୍ଗ ୪୭

ଅଗ୍ନିର ଭିତରେ ଅଗ୍ନି ପଡ଼ିଲେ କି ପୋଡ଼େ,

ଅଗ୍ନି କି ଅଗ୍ନି ସରୂପ ଖାଇବ କି ଦାଢ଼େ ୪୮

 

ସେହି ରୂପେ ନିଷ୍କଳଙ୍କ ହୋଇଛନ୍ତି ସ୍ନେହ,

ଲିଙ୍ଗେ ବ୍ରହ୍ମ ପଶିଯାନ୍ତେ ଲାଗିବ କି ମୋହ ୪୯

ଜଳର ଭିତରେ ମୀନ ମରଇ କି ବୁଡ଼ି,

ସେହି ରୂପେ ନିଷ୍କାମ ବ୍ରହ୍ମର ନିଅଁ ଧାଡ଼ି ୫୦

ମୃତ୍ତିକା ପାଷାଣ ନୁହେଁ ଏକଠାରେ ରହି,

ମାଟି ସଙ୍ଗେ ପଥର କି ଯିବ ମାଟି ହୋଇ ୫୧

ସେହି ରୂପେ ନିଷ୍ଠା ବ୍ରହ୍ମ କାମନା ଭିତରେ,

ଅକଳ୍ପଣାରୁ ସେ ମାୟା ନ ଭେଦେ ଅଙ୍ଗରେ ୫୨

 

ନିର୍ଗୁଣ ବୋଲିବା କଥା ଶୁଣ ଆଦିକନ୍ଦ,

ବୁଝାଇ କହିବା ତୋତେ ତାର ଭେଦ ବନ୍ଧ ୫୩

ନିର୍ଗୁଣ ବ୍ରହ୍ମଟି ଗୁଣ ଭିତରରେ ଥାଇ,

ଗାୟନ କରନ୍ତେ ଯଶ ପରା ରସ ପାଇ ୫୪

ଗୁଣ ପାଶେ ନିଅଁ ଶବ୍ଦ ଯେ ଚିହ୍ନି ପାରିବ,

ନିରାଧାର ପ୍ରଭୁଙ୍କୁ ସେ ଦର୍ଶନ କରିବ ୫୫

ନିର୍ବେଦ ବୋଲିବା କଥା ପଚାରିଲୁ ମୋତେ,

ସାବଧାନ ହୋଇ ଶୁଣ କହଇ ମୁଁ ତୋତେ ୫୬

 

ନିଗମ ବ୍ରହ୍ମଟି ଯେହୁ ବେଦାନ୍ତରେ ଥାଇ,

ନ ଚିହ୍ନି ପାରିବ ଯେବେ ଶାହାସ୍ରେ ଭୁଲଇ ୫୭

ବେଦରେ ନିରୋଳା ରୂପେ ଥାଇ ଯେଉଁ ବ୍ରହ୍ମ,

ବେଦ ତତ୍ତ୍ୱକୁ ନ ଚିହ୍ନି କରୁଥାନ୍ତି କର୍ମ ୫୮

ତେଣୁ କରି ଭ୍ରମ ହୁଏ ସବୁଙ୍କର ଚିତ୍ତ,

ବେଦର ତତ୍ତ୍ୱଟି କେହି ନ ପାବନ୍ତି ଅନ୍ତ ୫୯

ଅକ୍ଷଏ ବୋଲିବା କଥା ଶୁଣ ଠୁଳବାସୀ,

ତତ୍ତ୍ୱ ବୋଧ କରି ତୋତେ କହିବା ବିଶ୍ୱାସି ୬୦

 

ଓ ଓ ପାଶେ କ୍ଷମା ମାତ୍ରା ବସିଅଛି ଯେଣୁ,

କ୍ଷରାକ୍ଷର ନାହିଁ ତହିଁ ଅଣାକ୍ଷର ତେଣୁ ୬୧

ଅଲେଖ ମହିମା ପଦ ପଚାରିଲୁ ମୋତେ,

ଛଡ଼ ଗୋଟା ଅକ୍ଷର ଭେଦାନ୍ତ ଅଦଭୁତେ ୬୨

ଅ ଅ ଲ ଲ ଖ ଖ କ୍ଷର ଯେ ଅର୍ଥ କରିବ,

ଶରଣ ମାଗି ତା ପଦ୍ମ ପାଦରେ ନମିବ ୬୩

ମ ମ ହି ହି ମା ମା କ୍ଷର ଯେ ଦେବ ଚିହ୍ନାଇ,

ପ୍ରତେ ଯିବୁ ତାର ପାଦେ ଖଟିଥିବୁ ତୁହି ୬୪

 

ଛଡ଼ ଗୋଟା କ୍ଷର ଯେହୁ ପରଚେ କରିବ,

ମହିମା ଭଜିବା ତାର ସୁଫଳ ହୋଇବ ୬୫

କେତେ ପ୍ରାଣୀ ନାମ ବୋଲୁ ଅଛନ୍ତି କି ନାହିଁ,

କର୍ଣ୍ଣେ ଶୁଣିଲା ମାତ୍ରକେ ଜୀବ କି ତରଇ ୬୬

ଚିହ୍ନି ପାରିଲେ ତାହାଙ୍କୁ ମୁକତି ପାଇବ,

ନୋହିଲେ ଲେଉଟି ଫେରି ଯମ ଭାଗେ ହେବ ୭୭

ମହିମା ବୋଲିବା କଥା ସମସ୍ତେ ଜାଣନ୍ତି,

ନିଜ ମହିମାର ଅନ୍ତ କେହି ନ ଜାଣନ୍ତି ୬୮

 

କେହୁଣି ଠାବରେ ନାହିଁ ସବୁଠାରେ ଥାନ୍ତି,

ଆତ୍ମା ଗ୍ୟାଁନୀ ଭକ୍ତଙ୍କୁ ସେ ଦୃଶ୍ୟ ହୋଇଛନ୍ତି ୬୯

ଶୁଣୁଥିଲୁ କି ନିରାକର ଚରିତ୍ର ବିଧାନ,

ଲତା ପ୍ରାଏ କଥା କେତେ କରିବା ଆଧ୍ୟାନ ୭୦

ଆହୁମ୍ବ କଥାଏ ତୋତେ କହିଦେବା ବାଛି,

ମନକୁ ତୋହର ଯେବେ ପ୍ରତେ ନ ପାଉଛି ୭୧

ଗୁରୁ ବୋଲି ଉଚ୍ଚାରନ୍ତେ ଆଗ୍ୟାଁ ବୋଲାଇଲା,

ଆତ୍ମା ଭେଦି ଭଗତଙ୍କୁ ହିତାନ୍ତ ବୋଇଲା ୭୨

 

ସ୍ୱାମୀ ବୋଲି ବଖାଣନ୍ତେ ଗଲା ଶୂନ୍ୟ ହୋଇ,

ବର୍ଦ୍ଧ ଆକାଶେ ଚାହିଁଲେ କିଛି ନ ଦିଶଇ ୭୩

ପ୍ରଭୁ ବୋଲିବାକୁ ସେହୁ ପାଶେ ନ ରହିଲା,

ଅରୂପ ବୋଲନ୍ତେ ରୂପ ରେଖ ନ ଦିଶିଲା ୭୪

ନିର୍ଗୁଣ ବୋଲନ୍ତେ ହେଲା ଗିରି ପ୍ରାଏ ବୋଝ,

ଅଗ୍ୟାଁନୀମାନେ ବୋହନ୍ତେ ହେଲା ଅଣଶଯ ୭୫

ସୁଗ୍ୟାନୀମାନଙ୍କୁ ହୁଏ ଫୁଲମାଳ ପ୍ରାଏ,

ସେ ବ୍ରହ୍ମକୁ କରି ସେ ପାରନ୍ତି ଆଏ ବଏ ୭୬

 

ନିର୍ବେଦ ବୋଲନ୍ତେ ତାଙ୍କୁ ନ ବସିଲା କ୍ଷର,

ଅଦଭୁତେ ଯୁକ୍ତହେଲା ଶୂନ୍ୟର ଆକାର ୭୭

ନିର୍ଗୁଣ ବୋଲନ୍ତେ ତାଙ୍କୁ ଗୁଣ ନ ଲାଗଇ,

ରଜ ବୀଜରୁ ସେ ପ୍ରଭୁ ବାହାର ଅଟଇ ୭୮

ଅକ୍ଷଏ ବୋଲନ୍ତେ ତାର କ୍ଷୟ ବୃଦ୍ଧି ନାହିଁ,

ଅପାଲଟ ବ୍ରହ୍ମ ସେ ଯେ ପାଲଟ ନୁହଇ ୭୯

ନିଷ୍କାମ ବୋଲନ୍ତେ ତାଙ୍କୁ ନିର୍ମଳ ହୋଇଲା,

ମାୟା ମୋହରେ ନ ପଶି ନିଶ୍ଚିନ୍ତେ ରହିଲା ୮୦

 

ଅନାମ ବୋଲନ୍ତେ ତାର ନାମ ରାଶି ନାହିଁ,

ରୂପରେଖ ଧରି ଆକାଶକୁ ଉଡ଼ି ଯାଇ ୮୧

ଶୁଣିଲୁ କି ନିରାକାର ବ୍ରହ୍ମର ନିର୍ଣ୍ଣୟ,

ଏ ଘଟ ଭିତରେ ତୋର ଭେଦ କର ଥୟ ୮୨

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ଗୁରୁସାଇଁ,

ଜୀବ ଆତ୍ମା ନିଜ ସ୍ଥାନ କେମନ୍ତ ଅଟଇ ୮୩

ପରମର ନିଜସ୍ଥାନ କେମନ୍ତ ପ୍ରକାର,

ଭୋ ସ୍ୱାମୀ ଶ୍ରୀଗୁରୁ ଶ୍ରୀମୁଖରେ ଆଗ୍ୟାଁ କର ୮୪

 

ଶ୍ରୀ ଗୁରୁଦେବ ଉବାଚ

ଶୁଣ ବାବୁ ନିରାକାର ଆତ୍ମାର ବିଚାର,

ଜୀବ ନିଜ ସ୍ଥାନ ଘର ଯେମନ୍ତ ପ୍ରକାର ୮୫

କାଚ ଘଡ଼ି ଭିତରେ ଯେ ପୂରିଥାଇ ଜଳ,

ଯେତେ ସୀମାନ୍ତରୁ ଥାଇ ଦିଶେ ଢଳହଳ ୮୬

ସେହିରୂପେ ଜୀବଆତ୍ମା ଏ ଘଟରେ ଅଛି,

ଜୀବ ନିଜ ସ୍ଥାନେ ଜଳ ବୁନ୍ଦେ ଆକ୍ରୋଶିଛି ୮୭

ସେ ଭିତରେ ଜୀବ ଆତ୍ମା ଅଛି ମୀନ ପ୍ରାଏ,

ଜଳ ପଙ୍କ ହଦହିଁ ନ ଲାଗେ ତାଙ୍କ କାଏ ୮୮

 

ପାଣିର ଫୋଟକା ପ୍ରାଏ ତହିଁର ଆକାର,

ସେହି ସ୍ଥାନେ ଜୀବ ଆତ୍ମା କରୁଛି ବେହାର ୮୯

ଜୀବଆତ୍ମା ରୂପ ଦିଶେ କୁଙ୍କୁମ ବରଣ,

ତାହାର ପୁତ୍ର ଅଟନ୍ତି ଚିଆଁ ଚଇତନ ୯୦

ସାକ୍ଷାତେ ଯୁବତୀ ଜାନୁ ଯଉବନ ଅଛି,

ଏ ଘଟରେ ଏକଶତ ପଣକୁ ସେ ଗଛି ୯୧

ଯୁବତୀ ବୋଲନ୍ତେ ଜୀବ ଭୋଗ ବିଳସିଲା,

ପରମ ସାକ୍ଷୀରୂପରେ ଅଲଗା ବସିଲା ୯୨

 

ତେଣୁ କରି ଜୀବଆତ୍ମା ନଶୁଅଛି ଆପେ,

ବଡ଼ଶୀ କଣ୍ଟାରେ ମୀନ ଆୟତ୍ତ ଯେ ରୂପେ ୯୩

ଶୁଣିଲୁ କି ନିରାକାର ଆତ୍ମା ଭେଦାଭେଦ,

ଶରୀ ଅର୍ଥ ବ୍ରହ୍ମଗୀତା ନିରୂପଣ ପଦ ୯୪

ପରମ ପବିତ୍ର ଏବେ ଶୁଣ ସାବଧାନେ,

ତୁ ଯେବେ ଅପ୍ରତେ କଲୁ କହୁ ତୋ ବଚନେ ୯୫

ଶୁକ୍ଲାମ୍ବର କାନ୍ତି ବେଦ ତହିଁର ଆସ୍ତାନ,

ପବନ ଚଳୁଛି ତହିଁ କ୍ଷଣେ ନାହିଁ ଶୂନ୍ୟ ୯୬

 

ସିଂହାସନେ ବସିଛନ୍ତି ପରମ କୁଶଳ,

କୋଟିଏ ଚନ୍ଦ୍ରରୁ ଜିଣି ଆସ୍ତାନ ଶୀତଳ ୯୭

ତହିଁର ପାରୁଶେ ନାସା ପବନର ଘର,

କମାର ଧୁକଣା ପ୍ରାଏ ତହିଁର ଆକାର ୯୮

ସେହିଠାରୁ ପବନ ହେଉଛି ଆତଯାତ,

ଯନ୍ତ୍ର ସୂତ୍ରେ ଫେରୁଅଛି ଏ ଦେହ ସୁଚେତ ୯୯

ଯେସନେକ କୀଟ ଟାଣିଥାଇ ଜାଲ ତାର,

ସେରୂପେ ପବନ ଗୋଡ଼ ଏ ଘଟେ ସଞ୍ଚାର ୧୦୦

 

ଏ ଜୀବ ପରମ ଯେତେଦିନ ଘରେ ଥାଇ,

ତେତେ ଦିନ ମୃତପିଣ୍ଡ ଶୋଭା ପାଉଥାଇ ୧୦୧

ପାଣି ପବନରେ ପିଣ୍ଡ ହୋଇଅଛି ଜାତ,

ଜୀବ ପରମଟି ଏ ଘଟରେ ସାମରଥ ୧୦୨

ଶୁଣିଲୁ କି ନିରାକାର ଜୀବ ପର୍ମ କଥା,

ବେନି କର୍ଣ୍ଣେ ଶୁଣି ମନେ ଧର ହେତୁ ଚେତା ୧୦୩

କୋଟିଏ ଜନ୍ମର ସାଧି ସିଦ୍ଧାନ୍ତ ହୋଇଛି,

ହେତୁ ନ ଧରି ପାରନ୍ତେ ଅଯଶ ହେଉଛି ୧୦୪

 

ହଅ ଅକ୍ଷରକୁ ପ୍ରଚେ ହୁଅ ନିରନ୍ତରେ,

ମମକ୍ଷର ଲାଗିଅଛି ତହିଁର ପାଶରେ ୧୦୫

ମାମାକ୍ଷର ବସିଅଛି ତହିଁର ପାଖକୁ,

ଏକଠାରେ ଥାଇ ନାରୁଅଛି ଦେଖୁ ଦେଖୁ ୧୦୬

ଏହିରୂପେ ଚାରିଯୁଗ ଯାଉଅଛି ବହି,

ହେତୁ ବ୍ରହ୍ମ ନିଜ ନାମ ନ ପାବନ୍ତି କେହି ୧୦୭

ଅଅକ୍ଷର ଅବ୍ୟଗତ ଅବନା ଅଟଇ,

ତାହାଙ୍କୁ ଚିହ୍ନିଲେ ହେତୁ ବୁଡ଼ିଯିବ ନାହିଁ ୧୦୮

 

ଲଲକ୍ଷର ଲାଗିଅଛି ତହିଁର ପାଶକୁ,

ସତ୍ୟ ସତ୍ତ୍ୱ କରି କେହି ନାହିଁ ଚିହ୍ନିବାକୁ ୧୦୯

ଖଖକ୍ଷର ବସିଅଛି ତହିଁର ଆଗରେ,

ଛଡ଼କ୍ଷର ଗୁନ୍ଥା ଅଛି ଅନାମିକା ଡୋରେ ୧୧୦

ଶୁଣିଲୁ କି ନିରାକାର ବ୍ରହ୍ମର ବୃତ୍ତାନ୍ତ,

ତୋ ଦେହରେ ଭେଦି ତୁ ହୋ କର ଆଦିଅନ୍ତ ୧୧୧

କର୍ଣ୍ଣ ଶିର ଚକ୍ରରୁ ଲାଗିଛି ସୂତା ପ୍ରାଏ,

ଯନ୍ତ୍ର ଚଳୁଅଛି ତହିଁ ପବନର ଦେହେ ୧୧୨

 

ପରମ ମଣ୍ଡଳୁ ଚଲା ହେଉଅଛି କଳ,

ତାର ଲାଗିଛି ଅଙ୍ଗୁଷ୍ଠି ଅଗ୍ରର ମଣ୍ଡଳ ୧୧୩

ତେଣୁ କରି ପବନ ଚଳୁଛି ସର୍ବଠାରେ,

ଭେଦ ରୂପେ ନିଶବଦେ ଖେଳୁଛି ଦେହରେ ୧୧୪

ଜୀବ ମଣ୍ଡଳରୁ ତହିଁ ଲାଗିଅଛି ଧାରା,

ରୁଧିର ପଡ଼ୁଛି ଦେହେ ଜଳ ପ୍ରାଏ ତୋରା ୧୧୫

ତେଣୁକରି କଞ୍ଚା ଅଛି ସର୍ବାଙ୍ଗ ଶରୀର,

ଯେଉଁଠାରେ ଖୁଣ୍ଟି ଦେଲେ ବୁହଇ ରୁଧିର ୧୧୬

 

ହେତୁ ମଣ୍ଡଳ ଯନ୍ତ୍ରରେ ଲାଗିଅଛି ଲତା,

ଶ୍ରୁତାଶ୍ରୁତି ହେବାରୁ ଭାସୁଛି ସର୍ବ କଥା ୧୧୭

ସର୍ବାଙ୍ଗ ଶରୀରେ ଲାଗିଅଛି ଚେତାଗ୍ରହ,

ଯହିଁରେ ଛୁଇଁଲେ ଚିଆଁଉଛି ଏହି ଦେହ ୧୧୮

ନିଅ ନାମ ମଣ୍ଡଳରୁ ନିଦ୍ରା ପ୍ରସରୁଛି,

କୁହୁଡ଼ି ପରାଏ ଏ ଶରୀରେ ଘୋଟିଅଛି ୧୧୯

ଓଁ ମଣ୍ଡଳରୁ ଆଳସିକ ଉଦେ ହୋଇ,

ପିଣ୍ଡ ଅଶକତ କରି ଆଶାରେ ଘାରଇ ୧୨୦

 

କାଳର ଅଙ୍ଗରୁ ଅଙ୍ଗେ ପଡ଼ିଗଲେ ଛାଇ,

ଦେହଧାରୀ ହୋଇ ଯେତେ ପଡ଼ୁଛନ୍ତି ଶୋଇ ୧୨୧

ଶୁଣିଲୁ କି ନିରାକାର ଦେହର ଭେଦାନ୍ତ

ବୁଦ୍ଧି ଯାର ଥାଇ ତାକୁ ବୋଲି ଗ୍ୟାନବନ୍ତ ୧୨୨

ସାଧୁ ସୁଗ୍ୟଁଜନେ ମୋର ନ ଧରିବ ଦୋଷ,

ମୂର୍ଖ କବି ଅଟଇ ମୁଁ ବାଳୁତ ବୟସ ୧୨୩

କୃପା କରିଥିବ ଦେଇ ଆଶିଷ କଲ୍ୟାଣ,

ସାଧୁ ସୁଗ୍ୟଁଜନଙ୍କ ଚରଣେ ମୋ ଶରଣ ୧୨୪

 

ବ୍ରହ୍ମ-ନିରୂପଣ- ଗୀତା ପଦ ସାରସ୍ୱତ,

ମହାନିତ୍ୟ ଭୁବନରୁ ହୋଇଛି ଉକତ ୧୨୫

ଅନାମ ଅଲେଖ ବ୍ରହ୍ମ ମହିମା ଅଶେଷ,

ବ୍ରହ୍ମ- ନିରୂପଣ- ଗୀତା ଭଣେ ଭୀମ ଦାସ ୧୨୬

 

ଇତି ଶ୍ରୀ ବ୍ରହ୍ମ-ନିରୂପଣ ଗୀତା, ସୁଜନ- ଜନ- ହିତା,

ଶୀ ଗୁରୁ-ଶିଷ୍ୟ- ସମ୍ବାଦେ, ଜୀବ ପରମ ଚରିତ୍ର

କଥନେ ଭେଦାଭେଦ ବର୍ଣ୍ଣନେ ଆଗମ

ନିଗମ ବିଚାରଣେ ଗୁରୁଦେବ ପ୍ରସନ୍ନେ

ନାମ ତ୍ରୟୋଦଶୋଽଧ୍ୟାୟ

 

ଚତୁର୍ଦ୍ଦଶ ଅଧ୍ୟାୟ

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିମା ଗୁରୁଦେବ,

ବ୍ରହ୍ମନିରୂପଣ ଗ୍ୟାଁନୀଜନଙ୍କୁ ଦୁଲଭ

ସକଳ କହିଲ ବ୍ରହ୍ମନିରୂପଣ ଫେଇ,

ବେନି କର୍ଣ୍ଣେ ଶୁଣି ମନେ ପ୍ରତେ ଗଲି ମୁହିଁ

ସକଳ ନିର୍ଣ୍ଣୟ ମୋତେ ବୁଝାଇ କହିଲ,

ଆହୁରି କଥାଏ ସ୍ୱାମୀ ଗୁପତେ ରଖିଲ

ଅବଧୂତ ଅଣାକାର ଅବ୍ୟଗତ ମଣି,

ଆଶ୍ରୟ କରିବି ପାଦେ କେଉଁ କର୍ମ ଘେନି

 

ବ୍ରହ୍ମ କର୍ମ ଆଦ୍ୟ ଅନ୍ତ କହ ମୋ ଆଗର,

ଏତେ ବୋଲି ନିରାକାର ଧରି ଶ୍ରୀପୟର

ଅନାମ ବ୍ରହ୍ମର ଅଙ୍ଗ ଚିହ୍ନାଇ କହିଲ,

ତ୍ରିପୁର ସଂସାରୁ ମୋତେ ଉଧରି ଧରିଲ

ସତ୍ୟ ତଥ୍ୟ କରି ମୋତେ କହ ଭକ୍ତି କଥା,

ନିରାକାର ବଚନେ କହନ୍ତି ବ୍ରହ୍ମବେତ୍ତା

 

ବ୍ରହ୍ମନିରୂପଣ ଗୀତା

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀ ଗୁରୁଦେବ ବୋଇଲେ ଶୁଣ ନିରାକାର,

ବ୍ରହ୍ମ ଭକତିର କଥା ଅତି ନିରାଧାର

ଶାନ୍ତଶୀଳ ଦୟା କ୍ଷମା ହୃଦରେ ବହିବୁ,

ବଚନ ଶୁଣି ପ୍ରଥମେ କୋପିତ ନୋହିବୁ

ପୃଥିର ପରାଏ ଦେହ ଯେ ସହି ପାରୁଛି,

ମାୟା ମୋହ ଜିଣି କିଛୁ ଦିନ ସେ ରହୁଛି ୧୦

ଧୀର ସମୀର ହୋଇବୁ ନ କରିବୁ ରୋଷ୍ଟ,

କ୍ରୋଧ ରାଗ ତମ କଲେ ଗ୍ୟାନ ହୁଏ ନଷ୍ଟ ୧୧

 

ମେଦିନୀ ପରାଏ ଯେବେ କରିପାରୁ ଶମ,

ଅଙ୍ଗରେ ଖେଳିବ ତୋର ଅନାମିକା ବ୍ରହ୍ମ ୧୨

ଜଳ ପ୍ରାଏ ଯେବେ ମନ ହେବ ଅବାରଣ,

ତେବେ ଲଭିବୁ ବ୍ରହ୍ମକୁ କହୁଅଛି ଜାଣ ୧୩

ମେଦିନୀରେ କେତେ କଥା ଉପଦର୍ପ ନାହିଁ,

ବସୁମତୀ ଯେଉଁ ରୂପେ ସମ୍ଭାଳିଛି ମହୀ ୧୪

ସେହି ରୂପେ ଯେବେ ବାବୁ ହେବ ତୋର ଅଙ୍ଗ,

ଅନାମ ବ୍ରହ୍ମରେ ନିଶ୍ଚେ ହୋଇବୁ ତୁ ସଙ୍ଗ ୧୫

 

ଜଳ ଯେ ବରଷା କରେ ବ୍ରହ୍ମାଣ୍ଡ ଭିତର,

ସର୍ବଠାରେ ପଡ଼ଇ ସେ ନ ଥାଇ ଅନ୍ତର ୧୬

ଜଳର ପରାଏ ଧର୍ମ୍ମ କର ତୁ ହୋ ବାବୁ,

ଅଣରୂପ ବ୍ରହ୍ମର ଭଗତ ଯେବେ ହେବୁ ୧୭

ଚନ୍ଦ୍ର ସୂର୍ଯ୍ୟ ଉଦେ ହେଉଛନ୍ତି ପ୍ରତି ଦିନ,

ଅମୃତ ଦୃଷ୍ଟିରେ ପଡ଼ୁ ଅଛଇ କିରଣ ୧୮

ତେଜ ପଡ଼ିଲା ମାତ୍ରକେ ହୋଇଲା କି ମାରା,

ସର୍ବ ସମ ଦିବାକର ଅଟେ ତାଙ୍କ ଧାରା ୧୯

 

ଯେଣୁ ଅଲେଖ ବ୍ରହ୍ମର ଆଗ୍ୟାଁ ଛନ୍ତି ବହି,

ତେଜ ପଡ଼ି ଦୋଷ କୃତ ହେଉଅଛି ଦହି ୨୦

ଚନ୍ଦ୍ର ସୂର୍ଯ୍ୟ ପ୍ରାଏ ଧର୍ମ କରିବୁ ଯେମନ୍ତେ,

ଅଲେଖ ବ୍ରହ୍ମର ପୁତ୍ର ହେବୁ ତୁ ସାକ୍ଷାତେ ୨୧

ପବନ ପରାଏ ଦୀକ୍ଷା ଯେବେ ତୁ କରିବୁ,

ଚାରିଯୁଗେ ମାୟା ମୋହ ଦୁସ୍ତରୁ ତରିବୁ ୨୨

ପବନ ଯେ ବହୁଅଛି ନବଦ୍ୱୀପା ମହୀ,

ସର୍ବଠାରେ ହାବୋଡ଼ଇ ଅନ୍ତର ନ ଥାଇ ୨୩

 

ଗନ୍ଧ ପରକଟ ଯେତେ ଆମୀଷ ବିଷର,

ସର୍ବଠାରେ ଭ୍ରମି କରୁଥାଇ ଏକାକାର ୨୪

ସାମାନ୍ୟ ଧର୍ମରେ ଦୋଷ ନ ଲାଗଇ ତାକୁ,

ଯେଣୁ ଧ୍ୟାନ କରୁଛନ୍ତି ଶୂନ୍ୟାଧି ବ୍ରହ୍ମକୁ ୨୫

ପବନ ପରାଏ ଦୀକ୍ଷା ଧର ତୁ ହୋ ବାବୁ,

ଭଲ ମନ୍ଦ ଦୁଇ କଥା ଅନ୍ୟ ନ କରିବୁ ୨୬

ପବନ ଧର୍ମେ ଚାଲିଲେ ନ ଲାଗଇ କିଛି,

ତତ୍ତ୍ୱ କରି ଧର ବାବୁ ବୁଝାଇ କହୁଛି ୨୭

 

ସକଳ ସମାନ ତୁ ହୋ କର ଅବିକାର,

ଚାରିଯୁଗେ ନାମ ବହିଥିବୁ ନିରାକାର ୨୮

ଅଗ୍ନିର ପରାଏ ଦୀକ୍ଷା କର ଶିରେ ବାବା,

ତୁ ଯେବେ ଅପ୍ରତେ କଲୁ ବୁଝାଇ କହିବା ୨୯

ଅନଳ ଯେସନେ ହୁତାଶନେ ଜଳୁଥାଇ,

ଭଲ ମନ୍ଦ ଏକ କରି ସମସ୍ତ ଭକ୍ଷଇ ୩୦

ଗୁଡ଼ ଘୃତ ତରୁତୃଣ ପତଙ୍ଗ ସହିତେ,

କୀଟ ପଶୁ ମାନବ ମତ୍ସାଦି ପରିଯନ୍ତେ ୩୧

 

ଉଚ୍ଚ ନୀଚ ନ ବାରଇ କରଇ ଆହାର,

ଖାଦ୍ୟ ଅଖାଦ୍ୟ ଅମେଧ ସର୍ବ ସମାଚାର ୩୨

ଅନଳ ଯେଉଁ ପ୍ରକାରେ ନୁହଇ ସେ ଭ୍ରଷ୍ଟ,

ସବୁ ମଣିଥାଇ ସେ ଯେ ରନ୍ଧନହିଁ ଶ୍ରେଷ୍ଠ ୩୩

ଅନଳ ପରାଏ ଦୀକ୍ଷା କର ଆଦିକନ୍ଦ,

ତେବେ ତୁ ପାଇବୁ ସେ ଧର୍ମର ଭେଦାଭେଦ ୩୪

ବିଚାର ଆଚର କଲେ ନ ପାଇଟି ବ୍ରହ୍ମ,

ବର୍ଣ୍ଣଭେଦ କଥା ଯେତେ ସବୁ ଏ ଅଧର୍ମ ୩୫

 

କାମ କ୍ରୋଧ ଲୋଭ ମୋହ ବ୍ରହ୍ମକୁ ନ ପାଇ,

ଅନର୍ଥ ଗୋପ୍ୟରେ ସର୍ବେ ଯାଉଛନ୍ତି ବହି ୩୬

ଦେଖିବା ଶୁଣିବା ଯେତେ କହିବା ବୋଲିବା,

ପ୍ରକୃତି ବିକାର ସବୁ ମନର ଭୁଲିବା ୩୭

ପଢ଼ିବା ଶୁଣିବା ଅର୍ଥ ସମ୍ପାଦ ଏ ସବୁ,

ବେଦର ବୋଲଣା ତହିଁ ନ ଥାଇଟି ପ୍ରଭୁ ୩୮

ଏବେ ଦୃଢ଼ ବକ୍ଷେ ଧର ନାମବ୍ରହ୍ମଶିକ୍ଷା,

ଅନ୍ତର ନ କରି ସବୁ ମଣିଥିବୁ ଏକା ୩୯

 

ମହିମାକୁ ଭଜିଲେ ତୁ ମହୀରେ ରହିବୁ,

ଗୁରୁ ଚରଣ ଧଇଲେ ଗ୍ୟାନ ତୁ ପାଇବୁ ୪୦

ବଡ଼ ପ୍ରଭୁ ଆଶ୍ରେ କର ହେବୁ ଏବେ ସିଦ୍ଧି,

ଏବେ ନିରାକାର ତୁ ବିଚାର ବଡ଼ ବୁଦ୍ଧି ୪୧

 

ମହା ବ୍ରହ୍ମେ ଆଶ୍ରେ କଲେ ମାୟା ମୋହ ଯାଇ,

ବଡ଼ ଲୋକଙ୍କୁ ସେବିଲେ ମହତ୍ତ୍ୱଟି ପାଇ ୪୨

ଯେଡ଼େ ପ୍ରଭୁଙ୍କୁ ଭଜିବୁ କର ତେଡ଼େ ବୁଦ୍ଧି,

ନ୍ୟାୟକୁ ବିଚାରି ଥିବୁ ଯେସନେ ବାରାଧି ୪୩

ରୂପେ ଥାଇ ଅରୂପକୁ ଲଗାଅ ତୁ ଦୃଷ୍ଟି,

ତେବେ କ୍ଷଏ ଯିବ ତୋର କଳ୍ପଣା ଅରଷ୍ଟି ୪୪

ବେଦେ ଥାଇ ନିର୍ବେଦକୁ ଧ୍ୟାନ ତୁ କରିବୁ,

ବେଦାନ୍ତ ଛାଡ଼ିଲେ ଅରୂପରେ ଲୀନ ହେବୁ ୪୫

 

ଦେହ ଧରିଅଛୁ ଅଦେହକୁ କର ଆଶା,

ତେବେ ତୁ ପାଇବୁ ବାବୁ ନିଶବଦେ ବସା ୪୬

ବେଦାନ୍ତ ଦେହକୁ ବାବୁ କାହିଁ ପକାଇବୁ,

ଏ ଶରୀର ଛାଡ଼ିଲେ ତୁ କି ଗ୍ୟାନ ପାଇବୁ ୪୭

ଏହି ଘଟ ଥିଲେ ସବୁ ଅଛି ଗ୍ୟାନ ଧ୍ୟାନ,

ଅନୁଭବ ପଥେ ଥୁଅ ଅମନରେ ମନ ୪୮

ଏ ଦେହ ଛାଡ଼ିଲେ କିଛି ଗ୍ୟାନ ଆଉ ନାହିଁ,

ଅଣହେତୁ ହେଲେ ବ୍ରହ୍ମ ପାଇବୁ ତୁ କାହିଁ ୪୯

 

ଶବଦରେ ଥାଇ ଅନାମକୁ କର ଲଏ,

ତେବେ ସେ ତୁଟିବ ତୋର ଯୋନିଜନ୍ମ ଭଏ ୫୦

ଆକାରରେ ଥାଇ ଅଣଆକାରକୁ ଭଜ,

ମୁଥା ତୃଣ ପ୍ରାଏ ଦେହ କର ତୁ ନିର୍ଲ୍ଲଜ୍ଜ ୫୧

ତୋଠର ପଥର ପ୍ରାୟେ କର ତୋର ହିଆ,

ତେବେ ଅଣରୂପ ବ୍ରହ୍ମ ତୋତେ ହେବ ଦୟା ୫୨

ସହିବ ଲୋକଟି ଅଟେ ବଡ଼ ସାମରଥ,

କହିବା ଲୋକଟି ଜାଣ ଦୁର୍ଜନ ପତିତ ୫୩

 

ଅଳପ ବୁଦ୍ଧିଟି ଯାର ନ ପାଏ ବ୍ରହ୍ମକୁ,

ଇତର ମଣଇ ସେହି ସତ୍ୟାଦି ଧର୍ମକୁ ୫୪

ମନେ ନ ଧରିବୁ ତୁ ହୋ ପରଶବ କଥା,

ଆପଣା ବୁଦ୍ଧି ଠାକୁର ପରବୁଦ୍ଧି କୁତ୍ତା ୫୫

 

ବିଷୟ ସଙ୍ଗ ମେଳରେ ଧର୍ମ ନାଶ ଯାଇ,

ଆପେ ଅପରାଧୀ ହୋଇ ଧର୍ମକୁ ନ ପାଇ ୫୬

ଶୁଣିଲୁ କି ନିରାକାର ଭକ୍ତିର ବିଚାର,

ପାରିବୁ ଯେମନ୍ତେ ଏହି ପ୍ରକାରେ ବିହର ୫୭

 

ନିରାକାର ଉବାଚ

ନିରାକାର ବୋଇଲେ ଶୁଣିବା ଗୁରୁସାଇଁ,

ଅଣରୂପ ବ୍ରହ୍ମ କେତେ ବେଗ୍ର ସେ ଅଟଇ ୫୮

କେତେହେଁ ଚଞ୍ଚଳ କେତେ ନିଶ୍ଚଳ ସେ ପ୍ରଭୁ,

ଏ କଥା ବିସ୍ତାରି ମୋତେ ଫେଡ଼ି କହ ସବୁ ୫୯

ଧରିବି ବୋଇଲେ ହସ୍ତେ ଧରା ନ ଦିଅଇ,

କି ପ୍ରକାରେ ସେ ବ୍ରହ୍ମକୁ ସମ୍ଭାଳିବି ମୁହିଁ ୬୦

ଅବନ୍ଧା ଅଛନ୍ଦା ସେ ଯେ ଅବାରଣ ମୂର୍ତ୍ତି,

କେମନ୍ତ ପ୍ରକାରେ ତାକୁ କରିବଇଁ ସ୍ଥିତି ୬୧

ଏକଥା ବିସ୍ତାରି ମୋତେ କହ ବ୍ରହ୍ମବେତ୍ତା,

ଅନୁମାନ କରନ୍ତେ ଲାଗଇ ବହୁ ଚିନ୍ତା ୬୨

 

ଶ୍ରୀ ଗୁରୁଦେବ ଉବାଚ

ଶ୍ରୀଗୁରୁ ବୋଇଲେ ଶୁଣ ଠୁଳଶୂନ୍ୟବାସୀ,

ସଂଶୟ ଫିଟାଇ ତୋତେ କହିବା ପ୍ରକାଶି ୬୩

କୋଟିଏ କାମରୁ ଜିଣି ବ୍ରହ୍ମର ପ୍ରତାପ,

ଅବକାଶ ହେଲେ ତିନିପୁର ଦିଏ ଧାପ ୬୪

କୋଟିଏ ଅନଳୁ ଜିଣି ଗରମ ଉଷୁମ,

ଓଦାଳ ହୋଇଲେ ନୁହେ ତପତ ଉଷୁମ ୬୫

କୋଟିଏ ପାରାରୁ ଜିଣି ତେଜ ତା ପ୍ରଚଣ୍ଡ,

ଆୟତ୍ତ ନ ରହେ ଏହୁ ରଜ ବୀର୍ଯ୍ୟ ପିଣ୍ଡ ୬୬

 

କୋଟିଏ ଜ୍ୟୋତିରୁ ଜିଣି ରୂପ ପରକାଶ,

ସେ ବ୍ରହ୍ମ ଉଠିଲେ ମନ ପାଞ୍ଚନା ଅଶେଷ ୬୭

କୋଟିଏ ସୂର୍ଯ୍ୟରୁ ଜିଣି ତେଜ ମହାବାହୁ,

କୋଟିଏ କାଳରୁ ଜିଣି ତେଜ ମହାରାହୁ ୬୮

କୋଟିଏ ବୀର୍ଯ୍ୟରୁ ଜିଣି ଅଟଇ ସେ ବୀର୍ଯ୍ୟ,

ବୋହି ନେବା ଆଣିମାକୁ ନୁହଇ ସେ ସଜ ୬୯

କୋଟିଏ ପ୍ରେମରୁ ଜିଣି ଅଟଇ ସେ ପ୍ରେମ,

ଧରି ନ ପାରିଲେ ମନ ବୁଦ୍ଧି କରେ ଭ୍ରମ ୭୦

 

କୋଟିଏ ବ୍ରହ୍ମରୁ ଜିଣି ଅଟେ ବ୍ରହ୍ମସାର,

କୋଟିଏ ପ୍ରକୃତି ପରେ କରଇ ବେହାର ୭୧

ମହାପରବତ ଦାରୁ ରଞ୍ଜକରୁ ବେଗ,

ଅଶେଷ ବ୍ରହ୍ମାଣ୍ଡ ନିମିଷକେ କରେ ଭୋଗ ୭୨

କୋଟିଏ ସମୁଦ୍ରଠାରୁ ପ୍ରଳୟ ହୁଅନ୍ତି,

ମେରୁଦ୍ରୂମ ଚନ୍ଦ୍ର ସୂର୍ଯ୍ୟ କାକୁ ନ ରଖନ୍ତି ୭୩

କୋଟିଏ ଅନ୍ଧାରୁ ଜିଣି ଅଟନ୍ତି ସେ ନିଶି,

ଭଗତ ପଶିଲେ ତହୁଁ ଲେଉଟି ନ ଆସି ୭୪

 

କୋଟିଏ ଅଙ୍ଗରୁ ଜିଣି ଅଙ୍ଗ ସାରସ୍ୱତ,

ସର୍ବଠାରେ ବୁଲି ଯାଉଅଛି ପ୍ରଭୁ ହସ୍ତ ୭୫

କୋଟିଏ ରସରୁ ଜିଣି ଅଟେ ମହାରସ,

ଭଗତ ଜନେ ଆପ୍ୟାନ କରି ହୋନ୍ତି ତୋଷ ୭୬

କୋଟିଏ ଭାଗରୁ ଜିଣି ଅଟନ୍ତି ସେ ଗରୁ,

ତେଣୁକରି ବୋଲାନ୍ତି ଅଲେଖ ମହାମେରୁ ୭୭

କୋଟିଏ ବେଦରୁ ଜିଣି ଅଟନ୍ତି ସେ ବେଦ,

ତା ଶୁଣି ଗାୟନ କଲେ ଛିଡ଼ଇ ସମ୍ପାଦ ୭୮

 

କୋଟି କୋଟି ବିଷୟରୁ ତା ବିଷୟା ଭାରି,

ଅଳପକେ ନୁହେ ତାକୁ ଆଏ ବଏ କରି ୭୯

କୋଟି କୋଟି ନାମର ଉପରେ ଅଟେ ନାମ,

କୋଟି ଯମରାଜା ପରେ ଅଟଇ ସେ ଯମ ୮୦

କୋଟି କୋଟି ଲିଙ୍ଗପରେ ଅଟନ୍ତି ସେ ଲିଙ୍ଗ,

କୋଟି ସିଂହ ବପୁ ପରେ ଅଟନ୍ତି ସେ ସିଂହ ୮୧

କୋଟି କୋଟି ବୀର ପରେ ଅଟନ୍ତି ସେ ବୀର,

କୋଟି ଧର୍ମରେ ସେ ଅଟନ୍ତି ଧରାଧର ୮୨

 

କୋଟି କୋଟିଏ ହାକିମରେ ଅଟନ୍ତି ହୁକୁମ,

ଅଲେଖ ପ୍ରଭୁ ଏ ବ୍ରହ୍ମାଣ୍ଡରେ ମେରୁ ଖମ ୮୩

ଶୁଣିଲୁ କି ନିରାକାର ବ୍ରହ୍ମର ବୃତ୍ତାନ୍ତ,

କୋଟି ଶବଦ ବ୍ରହ୍ମରୁ ଅଟନ୍ତି ସିଦ୍ଧାନ୍ତ ୮୪

କୋଟି କୋଟି ଭେଦ ପରେ ଅଟନ୍ତି ସେ ଭେଦ,

ଅନାମିକା ବ୍ରହ୍ମ ସେ ଏକାନ୍ତ ଗୋଟା ପାଦ ୮୫

ଚାରିଯୁଗେ ବଇଷ୍ଣବ ରୂପରେ ଅଛନ୍ତି,

ସେହି ଏକା ଯୋଗୀ ସର୍ବେ ଭୋଗ୍ୟାଦି ଅଟନ୍ତି ୮୬

 

ସମସ୍ତେ ଏ କଳ୍ପଣା କ୍ଷରନ୍ତେ ଉତପତ୍ତି,

ଏକା ଅକଳ୍ପଣା ସ୍ୱାମୀ ଅନାଦି ଅଛନ୍ତି ୮୭

ସେ ବ୍ରହ୍ମକୁ ଯେଉଁ ଜନ କରିବ ଭଗତି,

ଏ ବ୍ରହ୍ମାଣ୍ଡ ତରୁ ତୃଣ ପରାଏ ଦିଶନ୍ତି ୮୮

ସେହି ଏକା ଅଲେଖଙ୍କ ଭଗତ ଅଟଇ,

ଛପ୍ନାକୋଟି ଜୀବ ପିଣ୍ଡ ବ୍ରହ୍ମାଣ୍ଡ ପାଳଇ ୮୯

ଅଲେଖ ପୁରୁଷ ସ୍ୱାମୀ ନିଷ୍କାମ ଶରୀର,

ସକଳ ଶବଦ ସିନା ଅଟେ ଭଗତର ୯୦

 

ତାରଣ ମାରଣ ତହିଁ ଥାଇ ଦୁଇ କଥା,

ଆଗ୍ୟାଁବଳେ ମୁକତି ସେ ଦେବାକୁ ଶକତା ୯୧

ଶୁଣିଲୁ କି ନିରାକାର ଭକ୍ତିରସ ବାଣୀ,

ହେତୁ ଚେତା କରିଥିବୁ ଅନ୍ତର୍ଗତେ ଜାଣି ୯୨

ଆହୁରି କଥାଏ ତୋତେ କହିବା ବୁଝାଇ,

ସାବଧାନ ହୋଇ ବାବୁ ଶୁଣ ମନ ଦେଇ ୯୩

ସେ ବ୍ରହ୍ମର ଦର୍ଶନ ଭଜନ ସବୁ ନାସ୍ତି,

ଚିତା ପଇତା ଆବର ଗୋମୟ ବିଭୂତି ୯୪

 

ଡୋର କଉପୁନୀ ଆଦି କିଛି ନାହିଁ ତହିଁ,

ନିଷ୍କଳଙ୍କ ବ୍ରହ୍ମ ସେ ଯେ କଳଙ୍କ ନ ଥାଇ ୯୫

ଜଟାଭାର କର୍ଣ୍ଣ ମୁଦ୍ରା କାହିଁ ନାହିଁ କିଛି,

ନିର୍ମଳ ବ୍ରହ୍ମ ସ୍ୱରୂପ କିଛି ନ ଲାଗୁଛି ୯୬

ନିର୍ମଳ ବ୍ରହ୍ମ ଶରୀର ପରିପୂର୍ଣ୍ଣ ଅଙ୍ଗ,

ଏକାନ୍ତେ ଅଛନ୍ତି ତାଙ୍କ କେହି ନାହିଁ ସଙ୍ଗ ୯୭

ଡୋର ଆଡ଼ବନ୍ଧ ସେହୁ ଲଗାଇବ କାହିଁ,

ସଦାନିଦା ବ୍ରହ୍ମ ତାଙ୍କ କଟୀ ଅଣ୍ଟା ନାହିଁ ୯୮

 

କଷା କଉପୁନୀ ସେ ଯେ କି କରିବ ବୋହି,

ନିଆମୀଷ ଅଙ୍ଗ ଯାର ଯୋନି ଅଣ୍ଡ ନାହିଁ ୯୯

ଦ୍ୱାର ଫିଟିଥିଲେ ସିନା ଲାଗିବ କବାଟ,

କିସ କରିବ କୌପୁନୀ ଯାର ନାହିଁ ବାଟ ୧୦୦

 

ମୁଦୁରା କାହିଁରେ ଦେବ ଶ୍ରବଣ ଯା ନାହିଁ,

ସେ ବ୍ରହ୍ମକୁ ଏତେ କର୍ମ ଲାଗି ନ ପାରଇ ୧୦୧

ବେନି ସ୍ତନ ରସ ପୁଷ୍ପ ନାହିଁ ତାର ଅଙ୍ଗେ,

ରଜ ବୀର୍ଯ୍ୟ ନାହିଁ ନ ଲାଗଇ କାହା ସଙ୍ଗେ ୧୦୨

ଶିର କମଳ ଯାହାର ମଥାକେଶ ନାହିଁ,

ଜଟା ବାନ୍ଧିବାକୁ ଶ୍ରଦ୍ଧା କରିବ ସେ କାହିଁ ୧୦୩

ଅବ୍ୟଗତ ବ୍ରହ୍ମ ସେ ଯେ ବଚନ ନ କହେ,

କର୍ମାଦି ପଥରେ କଦାଚିତ ବଶ୍ୟ ନୋହେ ୧୦୪

 

ଭେଖବାନା ଯେତେ ସବୁ ଆଦିମଣ୍ଡଳରୁ,

ସବୁ କ୍ଷରିତ ହେଉଛି ମହିମା ଅଙ୍ଗରୁ ୧୦୫

ଆଦି ଭୁବନରୁ ସର୍ବ ସର୍ଜନା ହେଉଛି,

ଅଲେଖକୁ ଲଗାଇଲେ ନ ଲାଗଇ କିଛି ୧୦୬

ଭୋଗ ଯୋଗ ଲାଗିଅଛି ଆଦି ମନ୍ଦିରରୁ,

ସବୁ ରଞ୍ଚନା ହେଉଛି ଅନନ୍ତଗର୍ଭରୁ ୧୦୭

ଯେତେଠାରୁ କଳ୍ପଣା ରଞ୍ଚନା ହେଉଅଛି,

ତେତେ ସୀମାନ୍ତରୁ ଜଳ ପବନ ଲାଗିଛି ୧୦୮

 

ତହିଁ ମଧ୍ୟେ ରଜ ବୀର୍ଯ୍ୟ ସଞ୍ଚରୁଛି ପିଣ୍ଡ,

ସର୍ବ ଏ ଉତିଷ୍ଟ ଯେତେ ଭାଷୁଅଛି ତୁଣ୍ଡ ୧୦୯

ଶୁଣିଲୁ କି ନିରାକାର ଗ୍ୟାନର ବିଚାର,

ଐକୁଣ୍ଠ ବୈକୁଣ୍ଠ ପଦ ହେତୁ ଚେତା ଧର ୧୧୦

ଅନେକ ପ୍ରକାରେ ଭକ୍ତି କରିଗଲେ ବହି,

 

ହେତୁ ଘର ଗୋଚର କାହାକୁ ଜଣା ନାହିଁ ୧୧୧

ହେତୁ ହେତୁ ବୋଲିବାର ସମସ୍ତେ ଜାଣନ୍ତି,

ହେତୁ ପଦକୁ ଯେ କେହି ଲଭି ନ ପାରନ୍ତି ୧୧୨

 

ଗ୍ୟାନ ବୋଲି ଉଚ୍ଚାର କରନ୍ତି ସର୍ବମୁଖେ,

ତାହା ନ ଜାଣନ୍ତି କେହି ମିଳେ କେତେ ଦୁଖେ ୧୧୩

ଭଗତି ବୋଲିବା କଥା ସମସ୍ତେ କହନ୍ତି,

ଭାବି କରି ବ୍ରହ୍ମେ ଲୀନ ହୋଇ ନ ପାରନ୍ତି ୧୧୪

ବୁଦ୍ଧି ବୋଲିବାର କଥା ପାଞ୍ଚୁଛନ୍ତି ସର୍ବେ,

ନ ଜାଣନ୍ତି ବିଚାର ଲାଗିଛି କେତେ ମାର୍ଗେ ୧୧୫

ଧର୍ମ ବୋଲିବାର କଥା ସମସ୍ତେ ଜାଣନ୍ତି,

ନ ବୁଝନ୍ତି କି ପ୍ରକାରେ ରହିଛି ଧରତୀ ୧୧୬

 

ଛପ୍ନାକୋଟି ଜୀବ ବୋଲି ଶାସ୍ରେ ଅଛି କହି,

କେତେ କୋଟି ଜାତ ହେଲା କରେ ଲେଖା ଯାଇ ୧୧୭

ଅଲେଖ ପୁରୁଷ ନିର୍ଭା କରିଛନ୍ତି ସବୁ,

ସବୁଙ୍କର ଜୀବର ଅଟନ୍ତି ମହାପ୍ରଭୁ ୧୧୮

ମହାନିତ୍ୟଠାରୁ ଆସୁଅଛନ୍ତି ଉତୁରି,

ଠୁଳ ଶୂନ୍ୟରୁ ପଡ଼ିଲେ ହେତୁକୁ ପାସୋରି ୧୧୯

ଠୁଳ ଶୂନ୍ୟଠାରୁ ହେଉଅଛି କ୍ଷରାକ୍ଷର,

ତଳକୁ ଲାଗି ଆସିଛି ଅଶେଷ ପ୍ରକାର ୧୨୦

 

ଠୁଳ ଶୂନ୍ୟଠାରୁ ସବୁ ହେଉଛି ବିଖ୍ୟାତ,

ଉପରକୁ ମହାନିତ୍ୟ ହୋଇଛି ଉଦିତ ୧୨୧

ଠୁଳ ଶୂନ୍ୟଯାଏ ବାବୁ ଅଛି ଚାରିବେଦ,

ତହିଁ ଉପରକୁ ଆଉ ନ ଚଳଇ ପାଦ ୧୨୨

ଠୁଳ ଶୂନ୍ୟଠାରୁ ଦୁତି ଯୁଗଳ ଲାଗିଛି,

ଏକୋଇଶ ପୁର ଆଦି ଯନ୍ତ୍ରିତ ହୋଇଛି ୧୨୩

ଅଦ୍ୟାପ ବ୍ୟକ୍ତିମାନଙ୍କୁ ପଚାରିବୁ ତୁହି,

ଠୁଳଶୂନ୍ୟ ଉପରକୁ ନ ପରିବେ କହି ୧୨୪

 

ଅନେକ ପ୍ରକାରେ ଶାସ୍ର ପଥରେ କହିବେ,

ଉପରକୁ ପଚାରିଲେ ତୁଚ୍ଛାଟା ବୋଲିବେ ୧୨୫

ନର ଦେବ ଅସୁର ଏ କି ପାଇବେ ଭେଦ,

ଗ୍ୟାନକୁ କାଣ୍ଡିବେ ଯାହା ଡାକୁଅଛି ପଦ ୧୨୬

ତେଣୁ କରି ବେଦକୁ ମଦ୍ୟପ ବୋଲି କହି,

ବହୁତ ଶାସ୍ତ୍ର ପଢ଼ିଲେ ଚିତ୍ତ ଭ୍ରମ ହୋଇ ୧୨୭

ଯେଉଁରୂପେ ମତୁଆ ଚଢ଼ାଇଥାଇ ନିଶା,

ମୁଖେ ଭାଷୁଥାଇ ନାନା ପରପଞ୍ଚ ଭାଷା ୧୨୮

 

ସେହିରୂପେ ଶାସ୍ତ୍ରପଢ଼ା ଲୋକଙ୍କ ବେଭାର

ସେ କାହିଁ ପାଇବେ ନିଜ ବ୍ରହ୍ମର ବିଚାର ୧୨୯

ବେଦ ଯେତେ ବାଟେ ନେଲା ତେତେ ବାଟେ ଗଲେ,

କ୍ରିୟା କର୍ମରେ ସମସ୍ତେ ଧନ୍ଦି ହୋଇ ମଲେ ୧୩୦

ଉଜାଡ ହୋଇ ଯାଉଛି ଷୋଳପୁରୀ ଘର,

ଫଟା କୁଡ଼ିଆକୁ ଛାପୁଛନ୍ତି ଭଙ୍ଗା ବାଡ଼ ୧୩୧

ଏକୋଇଶ ପୁର ସବୁ ବେଦର ବୋଲଣା,

କ୍ରିୟା କର୍ମେ ସମସ୍ତଙ୍କୁ କରିଅଛି ବଣା ୧୩୨

 

ବେଦର କଳ୍ପ ରହିଛି ମହା ନିତ୍ୟଭୂଇଁ,

ବେଦ ଜନ୍ମିଅଛି ତହୁଁ ନ ଜାଣଇ ସେହି ୧୩୩

ଶୁଣିଲୁ କି ନିରାକାର ଭେଦର ମହିମା,

କଳ୍ପଣାରେ ବୁଡ଼ି ରହିଛନ୍ତି ହର ବ୍ରହ୍ମା ୧୩୪

ଶ୍ରୀଗୁରୁ ବୋଇଲେ ବାବୁ ସବୁ କଥା ଛାଡ଼,

ଅଲେଖ ମହିମାଠାରୁ କେହି ନାହିଁ ବଡ଼ ୧୩୫

ଏ ସଂସାରେ ଯେମନ୍ତ ତୁ ନରଦେହ ପାଉ,

ଦିନେ ହେଲେ ଅଲେଖ ମହିମା ଭଜିଥାଉ ୧୩୬

 

ଅଲେଖ ମହିମା ଗୁଣ ମୁଖେ ନୋହେ କହି,

ଗୋଟେ ମୁଣ୍ଡିଆରେ କୋଟି ପାତକ ହରଇ ୧୩୭

ମହାନିତ୍ୟପୁର ସେହୁ ବହୁତ ଆକଟ,

ଷୋଳ ଦ୍ୱାରଯାକ ସବୁ ପଡ଼ିଛି କବାଟ ୧୩୮

ଅଦୃଷ୍ଟି ଭୁବନ ସେ ଯେ ନେତ୍ର ଚାହିଁ ନୋହେ,

ଅବ୍ୟଗତ ମହିମା ମୁଖରେ କହି ନୋହେ ୧୩୯

ନିରାକାର ଜଣାନନ୍ଦ ଦୁହିଙ୍କ ସମ୍ବାଦ,

ଗୁରୁସେବା କଲା ଲୋକ ବୁଝିବେ ଏ ଭେଦ ୧୪୦

 

ସାଧୁ ସୁଗ୍ୟଁଜନେ ମୋର ନ ଧରିବ ଦୋଷ,

ଅଲେଖମହିମାଙ୍କର ଅଟଇ ମୁଁ ଶିଷ୍ୟ ୧୪୧

ଏ କଳିଯୁଗରେ ଜନ୍ମ ହୋଇଅଛି ବାବୁ,

ପାପ ପୁଣ୍ୟ କଥା ମୋର ଜାଣନ୍ତି ସେ ପ୍ରଭୁ ୧୪୨

ବ୍ରହ୍ମ-ନିରୂପଣ-ଗୀତା-ପ୍ରବନ୍ଧ ପ୍ରକାଶ,

ଅଲେଖ ପ୍ରଭୁଙ୍କୁ ଧ୍ୟାୟି ଭଣେ ଭୀମଦାସ ୧୩୪

 

ଇତି ଶ୍ରୀ ବ୍ରହ୍ମ-ନିରୂପଣଗୀତା, ସୁଜନଜନହିତା, ଶ୍ରୀ ଗୁରୁଶିଷ୍ୟ-

ସମ୍ବାଦେ, ଅର୍ଥଭେଦାଭେଦକଥନେ, ମହାନିତ୍ୟ ଅଲେଖ-

ଭୁବନବର୍ଣ୍ଣନେ ଆଗମନିଗମବିଚାରଣେ ନାମ

ଚତୁର୍ଦ୍ଦଶୋଽଧ୍ୟାୟ

 

ସମାପ୍ତ

 

ପ୍ରଥମ ଅଧ୍ୟାୟ

ଭେଦ-ଅର୍ଥ, ଜ୍ଞାନ, ନିର୍ଣ୍ଣୟ । ନିର୍ଭା-ନିର୍ବାହ, ନିଷ୍ପତ୍ତି । ଅଜ୍ୟୋତି-ଜ୍ୟୋତିର, ବାହାର-ଊର୍ଦ୍ଧ୍ୱରେ, ଜ୍ୟୋତୀହୀନ ବା ଯାହାଠାରୁ ଜ୍ୟୋତିଷ୍ମାନ କେହି ନୁହେ । ଅବନା-ଅନର୍ମ୍ମିତ ବା ଅବର୍ଣ୍ଣନୀୟ ବା ବର୍ଣ୍ଣହୀନ । ମାତ୍ରା-ବିଚାର, ପରିମାଣ, ପରିଚ୍ଛେଦ, କଳନା । ପ୍ରଳମ୍ବିଲେ-ପ୍ରଣମିଲେ । ଭେଦଧାଡ଼ି-ନିର୍ଣ୍ଣୟଧାରା, ଧାଡ଼ିମାର୍ଗ ବା କ୍ରମ, ପରିପାଟୀ । ପଞ୍ଚୁମନ-ମନ, ସୁମନ, ବିମନ, କୁମନ ଓ ଅମନ । ଶିଶୁରନ୍ଧ୍ର-ସୁଷୁମ୍ନାରନ୍ଧ୍ର, ମଜ୍ଜା । ହାଇଛାଇ-ସୁଖଦୁଃଖ, ଭଲମନ୍ଦ, କୌଣସି ସମ୍ବନ୍ଧ ବା ଆଳସ୍ୟ ଓ ମୋହ । ବାଛନ୍ଦ-ବାରଣ, ବାରିବା କଥା । ଅଣନିଶବଦ-ଅତି ନିଶବଦ । ଦୂତିପାଦ-ଦୁଇପାଦ । ଜଣାନନ୍ଦ-ଜ୍ଞାନରେ ଆନନ୍ଦ ଲାଭ କଲା ପୁରୁଷ, ଜୀବ, ସ୍ଥଳବିଶେଷରେ ପରମକୁ ମଧ୍ୟ ବୁଝାଏ । ଗୁଦା-ନଡ଼ିଆଶସ୍ୟ-ଶସ-Kernel । ପନ୍ଥ ଅଛି- ଗୁଡ଼ାଇ ହୋଇ ଯାଇଅଛି, ଗୁନ୍ଥା ହୋଇଅଛି । ପାକ-ପରିଣତି, ଘନିଷ୍ଠସମ୍ବନ୍ଧ, ଭଲକରି ମିଶାଇବା ।

 

ଦ୍ୱିତୀୟ ଅଧ୍ୟାୟ

ଅପ୍ରତିଆ-ବିଶ୍ୱାସପରାଙ୍ମୁଖ, ଅବୁଝା । ଶୁଖା-ଶୁଖିଲା । ମୌଷଧି-ମହୌଷଧି । କୋଠାରେ-ସ୍ଥାନରେ । ଭେଖ-ଅବଲମ୍ବନ, ଆଶ୍ରା, ପରିଚ୍ଛଦ । ଯୋଗ-ସାପକାତି, ଖୋଳା, କାତିଟାଯାକ ସବୁ । ଜକ-ତେଜ, ଦୀପ୍ତି । (୧) ବ୍ରହ୍ମ; (୨) ବିନ୍ଦୁ; (୩) ନାଦ;-(୧) ଜୀବବ୍ରହ୍ମ, (୨) ଅର୍ଦ୍ଧମାତ୍ରା ଉପରିସ୍ଥ ବିନ୍ଦୁ ବା ଭ୍ରୁଲତା ମଧ୍ୟବର୍ତ୍ତୀ ସ୍ଥାନ, (୩) ଚନ୍ଦ୍ରବିନ୍ଦୁର ଶବ୍ଦ । ଉଚ୍ଛଳିବ-ବାହାରି ପଡ଼ିବ, ଭାସି ଉଠିବ ।

 

ତୃତୀୟ ଅଧ୍ୟାୟ

ଅନହତ (ଅନାହତ)-ହୃଦୟସ୍ଥିତ ସୁଷୁମ୍ନାମଧ୍ୟସ୍ଥ ଦ୍ୱାଦଶଦଳ ପଦ୍ମ ।

ଶଦ୍ଦୋ ବ୍ରହ୍ମମୟଃ ଶବ୍ଦୋଽନାହତୋ ଯତ୍ର ଦୃଶ୍ୟତେ ।

ଅନାହତାଖଂ ତତ୍ ପଦ୍ମ ମୁନିଭିଃ ପରିକୀର୍ତ୍ତିତମ୍ ।

 

ଧୂର୍ମ-ଧୂମ । ଥୋତା-ମୂକ, କର୍ମାଧି-କର୍ମବିଷୟକ । ଜାତୁ ମାତୁ-ତିତା ମାତା, ବନ୍ଧୁଜନ । ପାଦବିନ୍ଦ-ପାଦରବିନ୍ଦ, ପାଦପଦ୍ମ ।

 

ଚତୁର୍ଥ ଅଧ୍ୟାୟ

କନ୍ଦ (ସମ୍ଭବତଃ ଜ୍ଞାନକନ୍ଦ ଅର୍ଥରେ) ଜ୍ଞାନର ମୂଳ । ପରଚେ-ପ୍ରତ୍ୟୟ, ପରିଚୟ । ପଢ଼ାକ-ପଢ଼ିଲାଲୋକ । ନିତୁଟେ-କ୍ଷୟ ହୁଏ ନାହିଁ । ମହାତିକ-ମହା ଆତ୍ୟୟିକ ଶବ୍ଦରୁ ଅପଭ୍ରଷ୍ଟ, ମହା ଆତତାୟିକ, ପରର ଅତିଶୟ ଅନିଷ୍ଟକାରୀ । ଭବି-ଭବ୍ୟ ଶବ୍ଦରୁ ଅପଭ୍ରଷ୍ଟ, ଶୁଭ, ଶିଷ୍ଟ, ସାଧୁ, ଯୋଗ୍ୟ । ଉପାସନ-ଉପବାସ କରିବା ଲୋକ । ଶୁଭା- ଶୋଭା ଅର୍ଥରେ । ଛିନ୍ନଛିଦ୍ର- ଛିନ୍ଦଛତ୍ର ଅର୍ଥରେ ବୋଧହୁଏ ବ୍ୟବହୃତ, ଛିନ୍ନ ବିଛିନ୍ନ, ଅସଂଲଗ୍ନ, ଏ ତହୁଁ ଅସୁନ୍ଦର । ଉଞ୍ଚଲେଞ୍ଚ-ଉଚ୍ଚ ନୀଚ । ସାଉଖାତ- ସାହୁ- ମହାଜନ ଖାତକ ଦେଣଦାର । ଭେଦ, ପଦ-ଅର୍ଥ, ଶବ୍ଦ । ଫେଇ-ଫେଡ଼ି । ଶ୍ରୋଣିତ-ଶୋଣିତ, ରକ୍ତ (ବର୍ଣ୍ଣ) । ଦୃଚ୍ଛନ୍ନା- ନିଦର୍ଶନ ବା ଦୃଷ୍ଟାନ୍ତ ଶବ୍ଦରୁ ଅପଭ୍ରଷ୍ଟ, ତତ୍‌ସ୍ୱରୂପ, ତତ୍‌ସମ, ଉଦାହରଣ । ଅଚିନା-ଅଜଣା, ଶ୍ୱେତସଦୃଶ । ସଷ୍ଟିକ-ସ୍ଫଟିକ । ଧୃମ-ଧୂମ ଜାଲା-ଅଗ୍ନିର ଦୀପ୍ତି । ଆପ-ଜଳ । ଏକାମ୍ବର-ଏକାମ୍ର, ଉଚ୍ଚରେ ଅବସ୍ଥିତ ଏକାମ୍ରବତ୍ । କନ୍ଦିବେଡ଼ା-କନ୍ଦି-ଘୁଙ୍ଘା, ମୂକ, Dumb; ବେଡ଼ା- ହୁଣ୍ଡା-stupid । ଗରେଷ୍ଟରେ-ଗରିଷ୍ଠ, ଏଠାରେ ବଳରେ ।

 

ପଞ୍ଚମ ଅଧ୍ୟାୟ

ପଖା-ପାଖ, ପାର୍ଶ୍ୱ । ଲକ୍ଷକୋଣ-ନଖକୋଣ । ଆମେଦନୀ-ପୃଥିବୀ ଆଦିକରି । ଦୂରାନ୍ତକୁ-ଦୂର ଦୂରାନ୍ତକୁ, ଦୂର ଦେଶକୁ । ଶିରସୂତ୍ର-ଶିରା, ପ୍ରଶିରା ପ୍ରଭୃତି । ଗୋଟିସବଟି-ଉଚ୍ଚନୀଚ ବା ପୂର୍ଣ୍ଣଏକ । ମୁଖାର ଯୋଗାଡ଼-ମୁଖର ସଂସ୍ଥାନ । ତବଦ-ସ୍ତବ୍ଧ ଜଡ଼ । ଅଧାଧନ୍ଧ-ଅଣଧୂନ୍ଧ, ଗୋଳମାଳିଆ । ଖେମ-କ୍ଷମ, ସମର୍ଥ । ଅନୁପାମ-ଉପମା ଅର୍ଥରେ ପ୍ରଯୁକ୍ତ ବା ତୁଳନା ଦେବାକୁ କିଛି ନାହିଁ ସେ ଅନୁପମ । କଳ୍ପ-କଳ୍ପଣା, ସଂକଳ୍ପ । କୁଳୁପ-କୋଲପ, ତାଲା । ପିଛୁଳି ପଡ଼ୁଛି-ଖସିପଡ଼ୁଛି, ଧରାଛୁଆଁ ଦେଉନାହିଁ । ଲୁଦୁ ଲୁଦୁ ଲୁଦୁ-ପଚ ପଚିଆ, ନତ ନତିଆ । ନୁହଇ ଶାମିଳ-ଯେ ଏକାଠି ହେଉନାହିଁ, ହସ୍ତଗତ ହେଉ ନାହିଁ, ମିଳାଇ ଯାଉଛି । ପୋଛୁଣି-ପୋଛିବା କନା । ଅଣସଣା-ଅସଣା, ଅସନା (ଅସଙ୍ଗା ଶବ୍ଦକୁ ଅପଭ୍ରଷ୍ଟ ବା ଆରବ୍ୟ ଅସନା ଶବ୍ଦରୁ ଆଗତ) ଅପରିଷ୍କୃତ, ଅଳିଆ ଅଣଭିଣା ବରଗଛଡ଼ା ଯହିଁରୁ ଗୋଡ଼ି ଖପରା ବାହାର ହୋଇନାହିଁ (ଭିଣା-ଭିନ୍ନଶବ୍ଦରୁ) । ଶପୋଟ-ବନ୍ଧାବନ୍ଧି କରି ନିବାଡ଼ କରିବା । ନିପା ବା ନଦା-ମପା, ଲଦା ହୋଇଥିବ । ଅମାକେରୀ, ମାକେରୀ-ଘର ଓରାରୁ ଚାଳଶେଣୀକୁ ଲାଗିଥିବା କାଠକୁ କହି । ଅପଟଣୀ ଓଲଟଣୀ-ବାଉଁଶ ତଳ ଉପର ବନ୍ଧା । ବାୟବତା-ପବନରୁ ଘରଚାଳକୁ ରକ୍ଷା କରିବାର ବାଉଁଶବତା । ଧୃମାନ୍ତ-ଧୂମଯୁକ୍ତ । ଅଗାଦ-ଅଗାଧ । ଓଲକିତ-ଅଲୌକିକ । ବୁଲଣା-ଭ୍ରମ ।

 

ଷଷ୍ଠ ଅଧ୍ୟାୟ

ଉତ୍ସୋର୍ଗ-ଉଚ୍ଚା । ନିଘୋଡ଼-ନିଘନ, ପୂର୍ଣ୍ଣ । ତାରାସି-ଶୁଭ୍ର । ସ୍ୱରଇ-ସ୍ଫୁରଇ । ଗୋଡ଼ା-ମୂଳଦୁଆ ସ୍ତମ୍ଭ, (mainstay), ବଡ଼୍ର ଛଉଁରି କୌପୁନୀ-ବଜ୍ରକବଚ, ବଜ୍ର ସାଞ୍ଜୁ । ଅବତନ୍ୟ-ଅବତୀର୍ଣ୍ଣ । ପଉଚ-ଦୀର୍ଘପ୍ରତି ବା ତଳୁ ଉପରକୁ ଦୀର୍ଘରେ ଉଠିଥିବ ଉଚ୍ଚସ୍ଥାନ । ଦୋହରା-ଦ୍ୱିତୀୟ ଥର, ବାରବାର । ପାହାଡ଼ା-ପାଏଡ଼ା, ବସ୍ତ୍ରର ଆସ୍ତରଣ । ଛଡ଼ମୁଖୀ ଗାବ- ଚକ୍ଷୁ କର୍ଣ୍ଣ,

ନାସିକା ମୁଖ ।

 

ସପ୍ତମ ଅଧ୍ୟାୟ

ଅଂଶ ଆଏଶ-ଅଂଶ, ସମ୍ବନ୍ଧ, ବୋଧହୁଏ ଅଂଶାଂଶ ଶବ୍ଦରୁ ଅପଭ୍ରଷ୍ଟ । ଧୀରାନ୍ତ-ଧୀର । ମମକ୍ଷର-ଦୁଇଟି ‘ମ’ ଅକ୍ଷର ଯହିଁରେ ଅଛି ଅର୍ଥାତ୍ ମହିମା ।

 

ଅଷ୍ଟମ ଅଧ୍ୟାୟ

କଳ-ଅନ୍ତ୍ର, ଯନ୍ତ୍ର । ଯୁଣ-ଯୋଜନ । ପାର ଉତ୍ତାରହିଁ-ଲୋକକୁ ସଂସାର ବନ୍ଧନରୁ ପାରଉତ୍ତର କି ମୁକ୍ତି କରିଦିଏ । ଭୁଅ-ବ୍ୟୂହ, ଗର୍ତ୍ତ । ଆପ୍ୟାନ-ପାନ । ଶୋଣି-ଶୋଣିତ । ବାଇଛ-ବାଞ୍ଛା । ଯୁଳା-ଚକ୍ଷୁତାରା ବା ଜ୍ୱାଳା । ଅମୂଲ୍ୟାଣ-ଅମୂଲ୍ୟ । ମଛ କଛ-ମତ୍ସ୍ୟ କଚ୍ଛପ । ଏକଘନି-ଏକପୂର ଚା ପୂରେସୂତା । ଜଗଡ଼ା-ମଇଳା, ଅଳିଆ ।

 

ନବମ ଅଧ୍ୟାୟ

ତୁଳିଆ- ଗୃହର ମଧ୍ୟଭାଗରେ ଏବଂ ହାତିଅନ୍ଦ ମଝିରେ ପଡ଼ିବା ଖମ୍ବୁ, ତୁଳି ବା ଚାଳଘରର ଉଚ୍ଚତମ ଭାଗସମ୍ବନ୍ଧୀୟ । ଚୂଳିୟା-ମଝି ଶେଣୀରେ ଦୁଇପାଖରୁ ଲଗାହୋଇଥିବା ବାଉଁଶର ଉପରିଭାଗକୁ କହି । ପାରିୟା କାନ୍ଥପାଖ ଖମ୍ବ । ଧରୁଆ-ମଝି ଶେଣୀବିଶେଷ । ପାଣିପାଟି-ପାଣିବତା । ବଲାପିଟା-କିଳିଣିଦେବା । ମୁଖୀ-କୁହୁଣ୍ଡା । କୁଞ୍ଚିଖଡ଼ା-ଲୁହାର ଅଙ୍କୁଶାକୃତି ଦଣ୍ଡବିଶେଷ, ଯେ ପାଖ ଅଙ୍କୁଶାକୃତି ତଦ୍ଦ୍ୱାରା ଦ୍ୱାର କବାଟର ଭିତର କିଳଣୀ ଖୋଲାଯାଏ ଓ ବନ୍ଦ କରାହୁଏ, କାରଣ ସେହି କିଳଣୀର ଠିକ ଉପରେ କବାଟରେ ଛିଦ୍ର ଥାଏ । ସେହି ଲୁହା ଦଣ୍ଡର ଅପର ପାର୍ଶ୍ୱଟି ମୋଡ଼ିଆ ହୋଇ ଗୋଲ ହୋଇଥାଏ ସେଥିରେ ଅନ୍ୟାନ୍ୟ ଘରର ତାଲାର କଞ୍ଚି ରହିଥାଏ । ଫରୁଆ-ଗୁବା ବା ଗୁଲମେଖ, ଅଥବା ଗାତ । ଚଉଭୁଜୀ-ମଣ୍ଡପ । ଝୁଣ୍ଟି, ଅଳ୍ପଣା-ଝୁଣ୍ଟି, ପିଠୋଉ ବା ଅଣରେ (ଚାଉଳ ଅଟାକୁ ପାଣିରେ ଗୋଳାଇଲେ ଯେ ତରଳ ପଦାର୍ଥ) ଯେ ଚିତା ଘରେ ଓ ଘର ବାହାରେ ପକାହୁଏ । ଅଳ୍ପଣା-ଭିନ୍ନ ଭିନ୍ନ ପ୍ରକାର ଚିତା । କୁଞ୍ଜ କୁଠାର-କୁଞ୍ଜ କୋଠାର । ଗଣ୍ଠିଅନା-ବେଣୀବତା । ବାମବତା- ବାଉଳିବତା । ଝରିଝମ୍ପା ଘରେ କେରି କେରି ହୋଇ ଝୁଲା ହୋଇଥିବା ଚକ୍ ଚକିୟା ଜିନିଷ । ଜୁଳୁକି-ଜଳାକବାଟ । ଲୁଣ୍ଡା ହାଣ୍ଡି-ଲିପାପୋଛା ହାଣ୍ଡି । ଜଲ୍ଲା-ଚିକ୍କଣିଆ, ଉଜ୍ଜ୍ୱଳ । ଗୁଡ଼ା-ଗୋଡ଼ା, ସ୍ତମ୍ଭ । ଉଜ-ଟେକ । ହେଜା-ଗଣନା । ଲାଇ-ଧରି ।

 

ଦଶମ ଅଧ୍ୟାୟ

ଖଟପୁଆ-ଖଟଖୁରା । ଆଡ଼େଣୀ-ଚଉଡ଼ାପାଖିଆ । ମଚୁଆ-ଖଟବାହି (ସିଂହାସନର ବାହି) ମଞ୍ଚଶବ୍ଦଜ । ମୁଚଇ- ମଞ୍ଚଶବ୍ଦଜ । ପୁଇ-ଖଟପୁଆ । ବାଣି-ଦଉଡ଼ି । ଠିଆବାହୀଦଣ୍ଡା-ଲମ୍ବଭାବରେ ପଡ଼ିଥିବା କାଷ୍ଠଦଣ୍ଡ । ଧୁଅନ୍ତି ମୁଖାରି- ଦାନ୍ତକାଠିରେ ଦାନ୍ତ ଘସି । ମୁଖ ଶୁଦ୍ଧକରା-ମୁହିଁ ଧୋଇବା । ମୁଖାରି-ଦାନ୍ତକାଠିକୁ କହି, ମୁଖ ଅର୍ଥ ମଧ୍ୟ ହୋଇପାରେ । ଦାଉଣ୍ଡିଆ-ବାଦ୍ୟବିଶେଷ । ନଫୁରି-ତୂରୀ ବା ଭଡ଼ଙ୍ଗ । ବୈଂସୋରି-କ୍ଷୁଦ୍ରବଂଶୀ । ଅନାଦି-ପରମ ପିତା । ଆଦି-ଜୀବ, ମାତା । ଚଲାକି-ଚାଲିବା ବିଷୟ, ଯେ ଚାଲେ । ରଣଭଣ-ଅସ୍ତ ବ୍ୟସ୍ତ । କାଛ-ନିକଟ ବା ବସ୍ତ୍ର ।

 

ଏକାଦଶ ଅଧ୍ୟାୟ

ପାଟି-ତଳ ଶେଣୀ । ଉଛୁଳା-ଉଛୁଳିବା । ଆଳସିଳ-ଅଳସ ଉଦ୍ୟାନ-ଉଦଯାନ, ଉଦଗମ ଏହି ଶବ୍ଦରୁ ଉଜାଣି ଆଗତ । କରତବ୍ରଛନା-କରତ ଦାନ୍ତ ।

 

ଦ୍ୱାଦଶ ଅଧ୍ୟାୟ

ଦ୍ରୋଛନା-ଜ୍ୟୋତ୍ସ୍ନା, ଦ୍ରୁଛନା, ସମ । ଦୁରୁନଏ-ବିଷମ, କଠିନ, ଜଟିଳ । ସୋହତି- ସ୍ରୋତ । ଉଝାଳ-ଉଛୁଳା, ଉବୁକା, ଉଲମ୍ପନ, ଉଦ୍‌ଗମ । ଦାନ୍ଦୁଳନ୍ତେ-ଘଣ୍ଟାଚକଟା କରିବାରେ, ଘୁର୍ଣ୍ଣନରେ । ପାଙ୍ଗଣା-ପାରିବା । ସିହାଣ-ସଂଜ୍ଞାବାନ୍, ଚାଲାକ । ଆସ୍ୟ-ଆୟୁଷ । ଉବୁକି-ଉପରକୁ ଉଠି ।

 

ତ୍ରୟୋଦଶ ଅଧ୍ୟାୟ

ପେଲୁଅଛି ଝାଞ୍ଜ-ତାପ ପ୍ରଦାନ କରୁଛି, ଝାଞ୍ଜି ମାରୁଛି, ତାତି ପିଟୁଛି । ଧୂକଣା-ତାଇବା ଯନ୍ତ୍ର, ଭସ୍ତ୍ରା । ନାରୁଅଛି- ଠକାଉ ଅଛି । ଝୁଣ୍ଟିଦେବା-ଛିଣ୍ଡାଇବା । ଚିଆଁଉଛି-କାଟୁଅଛି, ପୀଡ଼ା ହେଉଅଛି ।

 

ଚତୁର୍ଦ୍ଦଶ ଅଧ୍ୟାୟ

ଧାପ-ଧାଉଡ଼ି । ପାଞ୍ଚନା-ପାଞ୍ଚ, ପାଞ୍ଚିବା । ରଁଜକ-ବାରୁଦ ଖମ-ଖମ୍ବ । କଷା-ଗେରୁଆ । ଐକୁଣ୍ଠ-ବୈକୁଣ୍ଠ ଉପରିସ୍ଥ ଭୁବନ ଅଲେଖଙ୍କ ପୀଠ । କାଣ୍ଡିବେ-ଭେଦିବେ, ବିଚାରିବେ ।